ଚନ୍ଦ୍ରଶେଖରପୁର: ଆଖିରେ ଥିଲା ମେଞ୍ଜାଏ ସ୍ବପ୍ନ। କିଏ ଇଞ୍ଜିନିୟରିଂ ତ ଆଉ କିଏ ଶିକ୍ଷକ ହେବାକୁ ଭାବୁଥିଲେ। ସରକାରୀ ସ୍କୁଲରେ ପଢ଼ୁଥିଲେ ମଧ୍ୟ କୌଣସି ଗୁଣରେ କମ୍ ନଥିଲେ। ପାଠପଢ଼ା ସାଙ୍ଗକୁ ଖେଳକୁଦରେ ନିଜର ପ୍ରତିଭା ଦେଖାଉଥିଲେ। କେବେ ବି ଭାବି ନ ଥିଲେ ଯେ ସେମାନଙ୍କ ସୁନେଲି ସ୍ବପ୍ନ ଚୁର୍ମାର୍ ହୋଇଯିବ। ଯେଉଁ ସ୍କୁଲରେ ଦିନେ ପଢ଼ୁଥିଲେ ତାହା ମାଟିରେ ମିଶିଯିବ। ଆଉ ସବୁଦିନ ପାଇଁ ପାଠପଢ଼ାରେ ଲାଗିଯିବ ଡୋରି। ସାଲିଆସାହି ଆଦିବାସୀ ଗାଁରେ ରହି ବଡ଼ ହେବାର ସ୍ବପ୍ନ ଦେଖୁଥିବା କୁନିକୁନି ପିଲାଙ୍କ କ୍ଷେତ୍ରରେ ଆଜି ଏଭଳି କିଛି ଘଟିଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ୧୫ ଦିନ ହେଲା ସ୍କୁଲ ମାଟି ମାଡ଼ିନାହାନ୍ତି ଏଠାକାର କୋମଳମତି ଶିଶୁ। ରାସ୍ତା ନିର୍ମାଣ ପାଇଁ ସ୍କୁଲଘର ମାଟିରେ ମିଶିବା ପରେ ଏବେ ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବରେ ପିଲା ଓ ସେମାନଙ୍କ ଅଭିଭାବକ । ସ୍କୁଲ ଭାଙ୍ଗି ଦିଆଯାଇଥିବାରୁ ପିଲାମାନେ କେଉଁଠି ପଢ଼ିବେ? ପୁଣି ସ୍କୁଲକୁ କେବେ ଯିବେ? ସେମାନଙ୍କ ସୁରକ୍ଷା ଦାୟିତ୍ବ କିଏ ବୁଝିବ? ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଠଛି।
Mechanical cleaning: ରାଜଧାନୀ ରାସ୍ତାରେ ହେବ ଯାନ୍ତ୍ରିକ ସଫେଇ
ଯେଉଁ ପରିବାର ଏବେ ବୁଦ୍ଧବିହାର ଆବାସରେ ଥଇଥାନହୋଇଛନ୍ତି ସେମାନଙ୍କ ପିଲାଙ୍କୁ ନେଇ ମଧ୍ୟ ଚିନ୍ତା ଘାରିଛି। ବିଶେଷକରି ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ନେଇ ଅଭିଭାବକ ବେଶି ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ଘର ଭାଙ୍ଗିଥିବାରୁ ଥଇଥାନ ଚିନ୍ତା ତ ଅନ୍ୟପଟେ ପିଲାଙ୍କ ପାଠପଢ଼ା। କାରଣ ସାଲିଆସାହିରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ପିଲା ମୁଖ୍ୟତଃ ଆଇଆର୍ସି ଭିଲେଜ୍ ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରନ୍ତି। ଉଚ୍ଛେଦ ହୋଇଥିବା ପରିବାର ଏବେ ବୁଦ୍ଧବିହାର ଆବାସକୁ ସ୍ଥାନାନ୍ତର ହେବା ପରେ ସେମାନଙ୍କ ପିଲା କେଉଁଠି ପଢ଼ିବେ? ବୁଦ୍ଧବିହାର ଆବାସଠାରୁ ଆଇଆର୍ସି ଭିଲେଜ୍ ହାଇସ୍କୁଲର ଦୂରତା ପ୍ରାୟ ୪ କିମି ହେବ। ଏତେ ବାଟ ଆସି ପୁଣି ଫେରିବା କଷ୍ଟକର ହେଉଥିବାରୁ ପିଲାମାନେ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି। କେତେକ ପିଲାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଆବାସରେ ଘର ମିଳି ନଥିବାରୁ ସେମାନଙ୍କ ପାଠ ପଢ଼ା ଏକଦମ୍ ବନ୍ଦ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଦିବାସୀ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଘର ଭଙ୍ଗାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଯେଉଁଥିପାଇଁ ପିଲାମାନେ ପାଠପଢ଼ା ଛାଡ଼ି ଏଣେତେଣେ ବୁଲୁଛନ୍ତି। ପୂର୍ବାହ୍ନ ୧୦ଟା ବାଜିଲା ବେଳକୁ ଅନ୍ୟ ବସ୍ତିର ପିଲାମାନେ ବିଦ୍ୟାଳୟ ଯାଉଥିବା ବେଳେ ଏମାନେ ବାହାରେ ଖେଳୁଛନ୍ତି। ଏହି ଅଞ୍ଚଳରେ ଥିବା ପାଖାପାଖି ୭୦ ଜଣ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। କେବଳ ବିଦ୍ୟାଳୟ ନୁହେଁ, ଏହି ବସ୍ତିରେ ରହି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ଭାଙ୍ଗିଥିବା ଘର ସଜାଡ଼ିବାରେ ପିଲାଙ୍କ ଦିନ ଯାଉଛି। ମହାବିଦ୍ୟାଳୟ ଯାଇପାରୁ ନାହାନ୍ତି କି ପାଠପଢ଼ା ସ୍ବାଭାବିକ ହୋଇପାରୁ ନାହିଁ। ବୁଦ୍ଧବିହାରରେ ରହି ବିଜୁ ପଟ୍ଟନାୟକ କଲେଜକୁ ଯିବା କେତେକ ଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଥିବା କହିଛନ୍ତି।
Chandrasekharpur: ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍
ବ୍ଲକ୍ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି ଯେ ପିଲାଙ୍କ ପାଠପଢ଼ା ନେଇ ସବୁବେଳେ ସଚେତନ ରହିଛୁ। ଆଜିଠୁ ସାଲିଆସାହି ଅଞ୍ଚଳରେ ସ୍କୁଲ ପିଲାଙ୍କସର୍ଭେଆରମ୍ଭ ହୋଇଛି। ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କ ମଧ୍ୟରୁ କେତେଜଣ ପିଲା ଶିଶୁ ବାଟିକାରୁ ୮ ଶ୍ରେଣୀ ମଧ୍ୟରେ ପଢ଼ୁଥିଲେ ସର୍ଭେ କରାଯିବ। ଏବେ ସାଲିଆସାହି ଭିତରେ ଥିବା ପିଲାମାନଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବ। ଯେଉଁମାନେ ବୁଦ୍ଧବିହାର ଆବାସ ଯାଇଛନ୍ତି ସେମାନଙ୍କ ନାମଲେଖା ଚନ୍ଦ୍ରଶେଖରପୁର ଫେଜ୍-୨ ବିଦ୍ୟାଳୟରେ କରାଯିବ। ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ କିଛି କରି ହେବନାହିଁ। ସେମାନଙ୍କ ନାମ ଯେହେତୁ ଗୋଟିଏ ବିଦ୍ୟାଳୟରେ ପଞ୍ଜୀକୃତହୋଇସାରିଛି, ତେଣୁ ପରିବର୍ତ୍ତନ ସମ୍ଭବ ନୁହେଁ। ତଥାପି ଆମେ ସ୍ଥିତି ଦେଖି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।
Follow Us