ଭୁବନେଶ୍ବର/ମେଣ୍ଢାଶାଳ: ଚନ୍ଦକା ଜଙ୍ଗଲରେ ବୁଲୁଥିବା ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ ହୋଇଛି। ତିନିଦିନର ଉଦ୍ୟମ ପରେ ଭାଲୁଙ୍କା ନିକଟ ଘଞ୍ଚ ଜଙ୍ଗଲରେ ଦନ୍ତାହାତୀକୁ ଠାବ କରାଯିବା ସହ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡାକ୍ତର ଶରତ ମିଶ୍ର ଓ ଓୟୁଏଟି ଭେଟେରିନାରି ସାଇନ୍ସ ବିଭାଗର ଡା. ସନ୍ଦୀପ ଆଚାର୍ଯ୍ୟଙ୍କ ସମେତଙ୍କ ଉଭୟ ଟିମ୍ର ସଦସ୍ୟମାନେ ହାତୀଟିର ଚିକିତ୍ସା କରିଥିଲେ। ଦୁଇଟି ଟିମ୍ ସମେତ ବନ ବିଭାଗର କର୍ମଚାରୀଙ୍କୁ ମିଶାଇ ୧୨ଜଣ ସଦସ୍ୟ ପ୍ରାୟ ଦୁଇ ଘଣ୍ଟା ଧରି ଅସୁସ୍ଥ ଦନ୍ତାର ଚିକିତ୍ସା କରିଛନ୍ତି। ହାତୀକୁ କୌଣସି ଗୁଳିମାଡ଼ ହୋଇନାହିଁ କିଂବା ଶିକାରୀମାନେ ଆକ୍ରମଣ କରିନାହାନ୍ତି। କୌଣସି ସ୍ଥାନରେ ମାଡ଼ କିମ୍ବା ହାତୀଙ୍କ ଭିତରେ ଲଢ଼େଇ କାରଣରୁ ରକ୍ତ ଜମାଟ ବାନ୍ଧି ହୋଇଯାଇଥିଲା। ତେଣୁ ବଡ଼ ଅପରେସନ୍ର କୌଣସି ଆବଶ୍ୟକତା ପଡ଼ିଲା ନାହିଁ। ଚିକିତ୍ସା ପରେ ହାତୀଟିକୁ ପୁଣିଥରେ ଜଙ୍ଗଲ ଭିତରକୁ ଛାଡ଼ି ଦିଆଯାଇଥିବା ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି।
Gangua: ଗଙ୍ଗୁଆ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଲେ
ଆଜି ସକାଳୁ ହିଁ ଅସୁସ୍ଥ ଦନ୍ତାର ଚିକିତ୍ସା କରିବାକୁ ବନ ବିଭାଗର କର୍ମଚାରୀମାନେ ବାହାରିଥିଲେ। ୩ଟି ଟିମ୍ର ୨୦ରୁ ଅଧିକ ସଦସ୍ୟ ଜଙ୍ଗଲ ଭିତରେ ଖୋଜାଖୋଜି ପରେ ଏକ ବୁଦାମୂଳେ ହାତୀଟି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଦନ୍ତା ନିକଟରେ ହାତୀ ପଲ ନଥିଲେ। ତେଣୁ ବିଶେଷଜ୍ଞମାନେ ଦନ୍ତାଟିକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ଟ୍ରାଙ୍କୁଲାଇଜ୍ ପରେ ଦନ୍ତା ଗୋଟିଏ ସ୍ଥାନରେ ସେଭଳି ଅଟକି ରହିଥିଲା। ବିଶେଷଜ୍ଞମାନେ ବାମପାର୍ଶ୍ବ ପଛ ଗୋଡ଼ ଫୁଲିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଳି ମାଡ଼ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବାରୁ ମେଟାଲ ଡିଟେକ୍ଟର ସହାୟତାରେ ଯାଞ୍ଚ ହୋଇଥିଲା। ହେଲେ ଗୋଡ଼ ଭିତରେ ଗୁଳି ଥିବା ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ହାତୀଟି ଶିକାରୀଙ୍କ ଦ୍ବାରା କୌଣସି ପ୍ରକାର ଆକ୍ରମଣର ଶିକାର ହୋଇ ନଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତେଣୁ ହାତୀକୁ ଆଣ୍ଟି-ବାୟୋଟିକ୍ ଦିଆଯାଇ ଜଙ୍ଗଲ ଭିତରକୁ ଛଡ଼ାଯାଇଛି।
ଡିଏଫ୍ଓ ଶ୍ରୀ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ଅସୁସ୍ଥ ଦନ୍ତାକୁ ଖୋଜିବାକୁ ସ୍ବତନ୍ତ୍ର ଦଳ ସହ ଡ୍ରୋନ୍ ବ୍ୟବହାର ହୋଇଥିଲା। ଅପରାହ୍ଣରେ ବିଶେଷଜ୍ଞଙ୍କ ଦ୍ବାରା ଟ୍ରାଙ୍କୁଲାଇଜ କରାଯାଇଥିଲା। ଏହାପରେ ହାତୀଟି ଗୋଟିଏ ସ୍ଥାନରେ ଠିଆ ହେବାରୁ ହାତୀଟିକୁ ଘୋଡ଼ାଇ ରଖି ଚିକିତ୍ସା କରାଯାଇଥିଲା। ଚିକିତ୍ସା ସମୟରେ କୌଣସି ପ୍ରକାର ଅସୁବିଧା ହୋଇ ନଥିଲା। ବରଂ ସୁରୁଖୁରୁରେ ଚିକିତ୍ସା କରାଯାଇଛି। ହାତୀଟିର ଗତିବିଧି ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ନିୟୋଜିତ ରହିଛନ୍ତି। ଡ୍ରୋନ୍ ସହାୟତାରେ ମଧ୍ୟ ନଜର ରଖାଯାଇଛି। କୌଣସି ପ୍ରକାର ଅସୁବିଧା ହେଲେ ସଙ୍ଗେସଙ୍ଗେ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।
Follow Us