୫୭୯ ସ୍ଥାନରେ ଜଙ୍ଗଲ ଜଳୁଛି: ବ୍ରହ୍ମପୁର, ବାରିପଦା ସର୍କଲରେ ଅଧିକ, ଦେଶରେ ୨୬୯ ବନାଗ୍ନି, ଓଡ଼ିଶାରେ ୫୪

ଭୁବନେଶ୍ବର: ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷା। ଆଉ ଅନ୍ୟପଟେ ଜଙ୍ଗଲରେ ନିଆଁ। ମଣିଷଠାରୁ ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ, ସମସ୍ତେ ଏବେ ତ୍ରାହିତ୍ରାହି ଡାକିଲେଣି। ନିଆଁ ଯେଉଁଭଳି ଭାବେ ବଢ଼ିଚାଲିଛି ଆଗାମୀ ଦିନରେ ଜଙ୍ଗଲ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଆଜି ଦିନରେ ରାଜ୍ୟର ୫୭୯ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ବଡ଼ଧରଣର ବନାଗ୍ନିରେ ଓଡ଼ିଶା ପ୍ରଥମ ସ୍ଥାନ‌ରେ ପହଞ୍ଚିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ରିପୋର୍ଟ ଅନୁଯାୟୀ ଅପରାହ୍ଣ ଗୋଟାଏ ସୁଦ୍ଧା ଦେଶରେ ୨୬୯ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୫୪ଟି ବନାଗ୍ନି ରହିଥିବା ବେଳେ ଛତିଶଗଡ଼ରେ ୪୫, ଉତ୍ତରାଖଣ୍ଡରେ ୩୮, ଝାଡ଼ଖଣ୍ଡରେ ୨୫, ମଧ୍ୟପ୍ରଦେଶରେ ୨୧, ମହରାଷ୍ଟ୍ରରେ ୧୫ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ନଜରକୁ ଆସିଛି। ନିଆଁ ଲାଗିବା ଦ୍ବାରା ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ଜୀବଜନ୍ତୁ ଜଙ୍ଗଲ ବାହାକୁ ଚାଲି ଆସିଥିବା ଖବର ମିଳିଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ଆହୁରି ଜଙ୍ଗଲ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ବନାଗ୍ନି ସୃଷ୍ଟି ହୋଇଥିବା ନଜରକୁ ଆସିଛି। ମାଲକାନଗିରି ଜିଲ୍ଲାର ବାଲିମେଳା, କୋରାପୁଟର ଜୟପୁର, ଲକ୍ଷ୍ମୀପୁର, ବୋରିଗୁମ୍ମା, କଳାହାଣ୍ଡିର ନର୍ଲା, ଲୋଇସିଙ୍ଗା, ଭବାନୀପାଟଣା, ମଦନପୁର ରାମପୁର, କନ୍ଧମାଳ ଜିଲ୍ଲାର ଗୁଣୁପୁର, ଟିକାବାଲି, କୋଟାଗଡ଼, ସିମନ୍‌ବାଡ଼ି, ସମ୍ବଲପୁର ଜିଲ୍ଲାର ଜମନକିରା, ଅନୁଗୁଳର ଛେଣ୍ଡିପଦା, ଦୁର୍ଗାପୁର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ, କେନ୍ଦୁଝର ଜିଲ୍ଲାର ବଡବିଲ୍‌, ଚମ୍ପୁଆ, ଖୋର୍ଦ୍ଧାର ଚନ୍ଦକା, ଢେଙ୍କାନାଳ ଜିଲ୍ଲାର କପିଳାସ, ମୟୂରଭଞ୍ଜ ଜିଲ୍ଲାର ସା‌ତକୋଶିଆ, ରାଇରଙ୍ଗପୁର, ପିଠାବଟା, ବେତନଟି, ବାଙ୍ଗିରିପୋଷି ପ୍ରଭୃତି ଅଞ୍ଚଳରେ ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଛି। ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଫଳରେ କିଛି ଜିଲ୍ଲାରେ ନିଆଁକୁ ଆୟତ କରାଯାଇଛି। ତଥାପି ରାତି ସୁଦ୍ଧା ୩୦ରୁ ଅଧିକ ସ୍ଥାନରେ ନିଆଁ ଲିଭି ନ ଥିବା ଜଣାପଡ଼ିଛି।

ଯେଉଁ ୫୭୯ଟି ସ୍ଥାନରେ ନିଆଁ ଚିହ୍ନଟ ହୋଇଛି ସେଥିମଧ୍ୟରୁ ଅନୁଗୁଳ ସର୍କଲ ଅଧୀନ ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଢେଙ୍କାନ‌ାଳ, ଯାଜପୁର ଜିଲ୍ଲାରେ ଜଙ୍ଗଲ ନିଆଁ ରହିଛି। ବାରିପଦା ସର୍କଲର ୯୬ଟି ସ୍ଥାନରେ ବନାଗ୍ନି ରହିଛି। ଏହି ସର୍କଲ ଅଧୀନ ମୟୂରଭଞ୍ଜ ଜିଲ୍ଲାରେ ୬୦ରୁ ଅଧିକ ସ୍ଥାନରେ ନିଆଁର ପ୍ରକୋପ ରହିଛି। ବହେରିପାଣି, ପିଠାବଟା, ବାଦାମପୁର ପ୍ରଭୃତି ବିଟ୍‌ରେ ନିଆଁ ଲାଗିଛି। ବ୍ରହ୍ମପୁର ସର୍କଲର କନ୍ଧମାଳ ଜିଲ୍ଲାରେ ୭୦ରୁ ଅଧିକ ସ୍ଥାନରେ ଜଙ୍ଗଲ ନିଆଁ ରହିଛି। ଭବାନୀପାଟଣା ସର୍କଲ ଅଧୀନ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଜିଲ୍ଲା, ଭୁବନେଶ୍ବର ସର୍କଲର ନୟାଗଡ଼ ଜିଲ୍ଲାର ୨୯ଟି ସ୍ଥାନରେ ବନାଗ୍ନି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୧୦ରୁ ଅଧିକ, କୋରାପୁଟ ସର୍କଲ ଅଧୀନ ମାଲକାନଗିରି, ରାୟଗଡ଼ା, କୋରାପୁଟ ଜିଲ୍ଲା, ରାଉରକେଲା ସର୍କଲର ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ୭୭ଟି ଓ ସମ୍ବଲପୁର ସର୍କଲର ମାତ୍ର ୩୮ଟି ସ୍ଥାନରେ ଛୋଟ ଓ ମଧ୍ୟମଧରଣର ବନାଗ୍ନି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର