ଭୋଜଶାଳା- ‌କମଲ ମୌଲା ମସଜିଦ୍‌ ଖନନରେ ମିଳିଲା ହିନ୍ଦୁ ମନ୍ଦିରର ଚିହ୍ନ

ଇନ୍ଦୋର,: ମଧ୍ୟପ୍ରଦେଶର ପୁରାତନ ଭୋଜଶାଳା-କମଲ ମୌଲା ମସ୍‌ଜିଦ୍‌ ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଦ୍ବାରା ଚାଲିଥିବା ଖନନରେ ଅନେକ ହିନ୍ଦୁ କୀର୍ତ୍ତି ଓ ଚିହ୍ନ ଠାବ କରାଯାଇଛି। ଯେଉଁସ୍ଥାନକୁ ହିନ୍ଦୁ ପକ୍ଷ ଗର୍ଭଗୃହ ବୋଲି କହୁଥିଲେ ସେଠାରୁ ପ୍ରାଚୀର ଭଳି ନିର୍ମାଣ ଓ ଭଗ୍ନ ପ୍ରତିମାର କିଛି ଅଂଶ ମିଳିଥିବା ବେଳେ ଗୋଟିଏ ପ୍ରାଚୀରର ଦୈର୍ଘ୍ୟ ୫୦ ଫୁଟ ରହିଛି ବୋଲି ହିନ୍ଦୁ ପକ୍ଷ ଦାବି କରିଛନ୍ତି। କୋର୍ଟଙ୍କ ନି‌ର୍ଦ୍ଦେଶରେ ଭୋଜଶାଳା ମନ୍ଦିର ପରିସରରେ ଏଏସ୍‌ଆଇ ପକ୍ଷରୁ ବୈଜ୍ଞାନିକ ସର୍ଭେ ଚାଲିଛି। ଯାଞ୍ଚ ସମୟକୁ ବୃଦ୍ଧି କରି ଜୁଲାଇ ୪ ତାରିଖ ସୁଦ୍ଧା ବିସ୍ତୃତ ଯାଞ୍ଚ ରିପୋର୍ଟ ଦେବା ପାଇଁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସର୍ଭେ ସମ୍ପର୍କରେ ସୂଚନା ଦେଇ ହିନ୍ଦୁ ପକ୍ଷର ଗୋପାଳ ଶର୍ମା କହିଛନ୍ତି ଯେ ଖନନରେ ଅନେକ ହିନ୍ଦୁ କୀର୍ତ୍ତିରାଜି ମିଳିଛି।

ପରିସରର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ମାଟିକୁ ବାହାର କରାଯିବା ପରେ ଚାରିପଟେ ପ୍ରାଚୀର ବେଷ୍ଟିତ ଥିବା ଏକ ଆକାର ମିଳିଛି। ଏହି ପ୍ରାଚୀର ମଧ୍ୟରୁ ଗୋଟିଏର ଦୈର୍ଘ୍ୟ ୫୦ ଫୁଟ ରହିଛି। ଏହା ସହ କମଲ ମୌଲା ମସଜିଦ୍‌ ଭିତର କାନ୍ଥରେ ଲେଖାଯାଇଥିବା ଶିଳାଲେଖକୁ ଅତି ସତର୍କତାର ସହକାରେ କାଗଜରେ ପ୍ରତିଲିପି ବାହାର କରାଯାଇଛି। କାନ୍ଥଗୁଡ଼ିକୁ ରସାୟନ ଲେପ ଦିଆଯାଇଛି। ପରିସରର କେନ୍ଦ୍ରସ୍ଥଳୀରୁ ଏକ ଭଗ୍ନ ପ୍ରତିମା ଆକାର କିଛି ଅଂଶ ମିଳିଛି । ଏହି ଅଂଶଟି ମନ୍ଦିରର ଗର୍ଭଗୃହ ବୋଲି ବିଶ୍ବାସ କରାଯାଉଛି। ଏଏସ୍‌ଆଇ ପକ୍ଷରୁ ହିନ୍ଦୁ ପକ୍ଷର ଦାବି ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ସମ୍ପୂର୍ଣ୍ଣ ମାଟି ବାହାର କରିବାକୁ ଆହୁରି ଦୁଇ-ତିନି ଦିନ ସମୟ ଲାଗିବ ବୋଲି କୁହାଯାଇଛି। ଏହି ଘଟଣାରେ ମୁସଲିମ୍‌ ପକ୍ଷର ସାହର କାଜି ୱାକର ସାଦିକ୍‌ କହିଛନ୍ତି ଯେ ଏଭଳି ମାଟି ଖୋଳି ଯାଞ୍ଚ କରିବାକୁ ସୁପ୍ରିମ୍‌କୋର୍ଟ ବାରଣ କରିଛି। ଏହି କାର୍ଯ୍ୟ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଖିଲାପ। ଏଭଳି ଖନନ ଦ୍ବାରା ମୂଳ ଢାଞ୍ଚା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର