ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆମ ଓଡ଼ିଶା ମାଟିର ପୁଅ। ୧୮୯୭ ଜାନୁଆରି ୨୩ ତାରିଖ, ଶନିବାର ମଧ୍ୟାହ୍ନ ୧୨ଟା ୧୮ରେ କଟକର ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ। ପିତା ବିଶିଷ୍ଟ ଆଇନଜୀବୀ ରାୟବାହାଦୁର ଜାନକୀନାଥ ବୋଷ ଓ ମା’ ପ୍ରଭାବତୀ ଦେବୀଙ୍କର ସେ ଥିଲେ ନବମ ସନ୍ତାନ। ଓଡ଼ିଆ ବଜାର ଜାନକୀନାଥ ଭବନ, ବ୍ରିଟିସ୍ ପ୍ରୋଟେଷ୍ଟାଣ୍ଟ ସ୍କୁଲ୍(ଷ୍ଟିୱାର୍ଟ ସ୍କୁଲ), ରେଭେନ୍ସା କଲିଜିଏଟ୍ ସ୍କୁଲ, ସ୍କୁଲ ହଷ୍ଟେଲ୍, ପ୍ରଧାନଶିକ୍ଷକ ବେଣୀମାଧବ ଦାସଙ୍କ ସାନ୍ନିଧ୍ୟ, ରାଧାରମଣ ମଠ, ବଙ୍ଗାଳୀସାହି ରାମକୃଷ୍ଣ କୁଟୀର, କାଠଯୋଡ଼ି ପଥରବନ୍ଧ ସହ ଜଡ଼ିତ ହୋଇ ରହିଛି ନେତାଜୀଙ୍କର ଆଦ୍ୟ ଜୀବନର ସ୍ମୃତି। ଜନ୍ମରୁ ୧୬ବର୍ଷ ପର୍ଯ୍ୟନ୍ତ ନେତାଜୀ କଟକ ପାଣିପବନରେ ବଢ଼ିଥିଲେ। ଏଇ ମାଟିରୁ ତାଙ୍କ ବୌଦ୍ଧିକ, ଆଧ୍ୟାତ୍ମିକ, ସଂଗ୍ରାମୀ ମାନସିକତାର ବୀଜ ବପନ ହୋଇଥିଲା। ହେଲେ ତାଙ୍କ ଅସାଧାରଣ ବ୍ୟକ୍ତିତ୍ବ, ଅନନ୍ୟ ବିଚାରଧାରା, ବଳିଷ୍ଠ ନେତୃତ୍ବ, ଅଦମ୍ୟ ସାହସ, ଅସାମାନ୍ୟ ବୀରତ୍ବ ପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ଦେଶର ଭୌଗୋଳିକ ସୀମାରେ ସୀମିତ ହୋଇ ରହିପାରି ନଥିଲେ। ନେତାଜୀ ପାଲଟିଯାଇଥିଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସ୍ବାଧୀନତା ସଂଗ୍ରାମୀ, ଆଉ ବିଶ୍ବ ସମୁଦାୟଙ୍କ ପାଇଁ ଆଦର୍ଶର ପ୍ରତୀକ। ଏହି ମହାନ୍ ଯୋଦ୍ଧାଙ୍କୁ ୧୨୯ତମ ଜୟନ୍ତୀରେ କୋଟି କୋଟି ପ୍ରଣାମ।
US and Israel prepare for war: ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି: ଇରାନ ଉପରେ ଅତର୍କିତ ଆକ୍ରମଣ ହୋଇପାରେ
ଜାନକୀନାଥ ଭବନରୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
ଜାନକୀନାଥ ବୋଷ ୧୮୭୯ ମସିହାରେ କଟକ ଆସିଥିଲେ। ରେଭେନ୍ସା କଲେଜରେ ଏଫ୍ଏ(ଯୁକ୍ତ ଦୁଇ) ଏବଂ ସେହି କଲେଜରୁ ୧୮୮୨ରେ ବିଏ ପାସ୍ କରିବା ପରେ ଆଇନରେ କ୍ୟାରିୟର କରିବାକୁ ଇଚ୍ଛା କରିଥିଲେ। ୧୮୮୫ରେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିବା ପରେ ସେ କଟକରେ ଆଇନବୃତ୍ତି ଆରମ୍ଭ କରିଥିଲେ। ସେହି ୧୮୮୫ରେ ସେ ପତ୍ନୀ ପ୍ରଭାବତୀଙ୍କ ସହ ଓଡ଼ିଆବଜାରରେ ବସବାସ କଲେ। ସେ ସମୟରେ କଟକ ସିଭିଲ୍ କୋର୍ଟ (ବର୍ତ୍ତମାନର ସିଟି ହସ୍ପିଟାଲ)ରେ ବଙ୍ଗୀୟ ଆଇନଜୀବୀଙ୍କ ପ୍ରଭାବ ରହିଥିଲା। ପରବର୍ତ୍ତୀ ସମୟରେ ସେ ଓଡ଼ିଆବଜାରସ୍ଥିତ ଘର(ପରେ ଜାନକୀନାଥ ଭବନ ହେଲା) କିଣିଥିବା ଜଣାଯାଏ। ରେକର୍ଡ ଅନୁସାରେ, ଏହି ପ୍ଲଟ୍ର ମୋଟ ଜମିର ପରିମାଣ ଏକ ଏକର। ଏଥିରୁ ଏକ ତୃତୀୟାଂଶ ଜମିରେ ଘର ରହିଛି, ଅବଶିଷ୍ଟ ଦୁଇ ତୃତୀୟାଂଶରେ ବଗିଚା ରହିଛି। ବୋଷ ପରିବାର ୧୯୩୪ ପର୍ଯ୍ୟନ୍ତ ଜାନକୀନାଥ ଭବନରେ ସ୍ଥାୟୀ ଭାବେ ରହୁଥିଲେ। ୧୯୩୪ ମସିହାରେ ଜାନକୀନାଥ ବୋଷଙ୍କ ଦେହାନ୍ତ ପରେ ବୋଷ ପରିବାର ଧୀରେ ଧୀରେ କଲିକତା ସ୍ଥାନାନ୍ତର ହେଲେ। ଏହି ଘର ପରିତ୍ୟକ୍ତ ହୋଇ ବହୁବର୍ଷ ପଡ଼ିରହିଲା। ୧୯୫୨ମସିହାରେ ରାଜ୍ୟ ସରକାର ଏହି ଜମିକୁ ୭୫ହଜାର ଟଙ୍କାରେ କ୍ରୟ କଲେ। ଜମି କିଣିବା ପରେ ଏହା ପରିସରରେ ନେତାଜୀ ସେବା ସଦନ ଚାଲିଲା। ୧୯୯୯ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ପକ୍ଷରୁ ଏହାର ପୁନରୁଦ୍ଧାର ଆରମ୍ଭ ହେଲା। ୨୦୦୪ରେ ଜାନକୀନାଥ ଭବନ ମାତ୍ର ୪ଟି ଗ୍ୟାଲେରିକୁ ନେଇ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପରିଣତ ହେଲା। ଧୀରେ ଧୀରେ ସଂଗ୍ରହାଳୟରେ ୧୨ଟି ଗ୍ୟାଲେରି ହେବା ସହିତ ଚଳିତ ବର୍ଷ ଡାକ ବିଭାଗ ପକ୍ଷରୁ ଆଉ ଗୋଟିଏ ଗ୍ୟାଲେରି (ନଂ-୧୩, ଡାକଟିକଟ ସଂପର୍କିତ ଗ୍ୟାଲେରି) ନିର୍ମାଣ ହୋଇଛି।
Dead elephant missing: ମୁଣ୍ଡୁଟି ଜଙ୍ଗଲରୁ ମୃତହାତୀ ଗାଏବ ଘଟଣା: ବୁଲାକୁକୁର ଟାଣି ଆଣିଲେ ହାତୀର ହାଡ଼, ମାଂସ
କଲିଜିଏଟ୍ ସ୍କୁଲରେ ନେତାଜୀ ପ୍ରକୋଷ୍ଠ, ଫଟୋ ଗ୍ୟାଲେରି
ନେତାଜୀଙ୍କ ପ୍ରାଥମିକ ଶିକ୍ଷା ଷ୍ଟିୱାର୍ଟ ସ୍କୁଲ୍ରୁ ଆରମ୍ଭ ହୋଇଥିଲା। ଏହାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ। ତାଙ୍କର ସ୍କୁଲ ଜୀବନର ଅନେକ ସ୍ମୃତି ଏଠାରେ ସାଇତି ହୋଇ ରହିଛି। ଷ୍ଟିୱାର୍ଟ ସ୍କୁଲ୍ ଓ ରେଭେନ୍ସା କଲିଜିଏଟ୍ ସ୍କୁଲ୍ରେ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଫଟୋ ଗ୍ୟାଲେରି ପ୍ରଦର୍ଶିତ କରାଯାଇଛି। କଲିଜିଏଟ୍ ସ୍କୁଲ୍ରେ ନେତାଜୀଙ୍କ ନାମରେ ଅଡିଟୋରିୟମ୍ ତିଆରି ହୋଇଛି। ସେହିପରି ନେତାଜୀ ତାଙ୍କ ସ୍କୁଲ୍ ଜୀବନ ସମୟର ଛାତ୍ରାବାସକୁ ସୁରକ୍ଷିତ ରଖାଯାଇଛି। ୧୧ନଂ ରୁମ୍ରେ ନେତାଜୀ ପ୍ରକୋଷ୍ଠ ଭାବେ ଲେଖାଯାଇ ତାଙ୍କ ଫଟୋଚିତ୍ର ଓ ଟେବୁଲ୍ ରହିଛି।
ଆଧ୍ୟାତ୍ମିକ ଶିକ୍ଷା ପାଇଁ ଯାଉଥିଲେ ରାସବିହାରୀ ମଠ
ନେତାଜୀ ନିଜ ସ୍କୁଲ୍ ଜୀବନରେ ପ୍ରତିଦିନ କାଠଯୋଡ଼ି କୂଳ ରାସବିହାରୀ ମଠକୁ ଯାଉଥିଲେ। ଏଠାରେ ପ୍ରତ୍ୟହ ଯୋଗ, ବ୍ରହ୍ମଚର୍ଯ୍ୟ, ଆଧ୍ୟାତ୍ମିକ ଶିକ୍ଷା ଓ ଚରିତ୍ର ଗଠନର ଜ୍ଞାନ ଲାଭ କରିବାକୁ ଆସୁଥିଲେ। ଆଧ୍ୟାତ୍ମିକ ଚିନ୍ତନରୁ ଦେଶ ସେବା ମନୋବୃତ୍ତି ନେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କ୍ରାନ୍ତିର ବହ୍ନି ଜାଳିଥିଲେ। ନିଜର ଭବିଷ୍ୟତ ଜୀବନରେ ଭାରତୀୟ ମୁକ୍ତି ସଂଗ୍ରାମର ସର୍ବୋଚ୍ଚ କର୍ଣ୍ଣଧାର ସହ ସର୍ବଶ୍ରେଷ୍ଠ ସେବକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଏ ସମ୍ପର୍କରେ ରାସବିହାରୀ ମଠରେ ଫଟୋଚିତ୍ର ମାଧ୍ୟମରେ ଉଲ୍ଲେଖ୍ୟ କରାଯାଇଛି।
ଖୁଦିରାମଙ୍କ ଫାଶୀ ଦିବସରେ କରିଥିଲେ ଉପବାସ
ହଷ୍ଟେଲ୍ରେ ରହୁଥିବା ବେଳେ ଛାତ୍ର ସୁଭାଷ, ବିପ୍ଲବୀ ଖୁଦିରାମଙ୍କ ଫାଶୀ ଦିବସକୁ ସହିଦ୍ ଦିବସ ଭାବେ ପାଳନ କରି ଉପବାସ ରହିଥିଲେ। ସୁଭାଷଙ୍କ ଦ୍ବାରା ପ୍ରଭାବିତ ହୋଇ ପ୍ରଧାନଶିକ୍ଷକ ବେଣୀମାଧବ ଦାସ ଓ କିଛି ସହପାଠୀ ଉପବାସ ରହିବା ସହ ଖୁଦିରାମଙ୍କ ସ୍ମୃତିସଭା ପାଳନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେହିପରି ନିଜ ପକେଟ୍ ମନିକୁ ସଞ୍ଚୟ କରି ସୁଭାଷ, ବଙ୍ଗଳାସାହି ରାମକୃଷ୍ଣ କୁଟୀରରେ ରହୁଥିବା ଅନ୍ତେବାସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। ଏଥିରୁ ତାଙ୍କ ଦେଶପ୍ରେମ, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳତା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା।
/filters:format(webp)/sambad/media/media_files/2026/01/23/untitled-2-2026-01-23-06-18-38.jpg)
ଖାନନଗର ସ୍କୁଲ୍କୁ ଦେଇଥିଲେ ଟେବୁଲ୍, ଚୌକି
ରେଭେନ୍ସା କଲିଜିଏଟ୍ରେ ଛାତ୍ର ଥିବା ସମୟରେ ନେତାଜୀ ଥରେ ସାଙ୍ଗମାନଙ୍କ ସହ ଖାନନଗର ପାଖରେ ବୁଲାବୁଲି କରୁଥିଲେ। ଦେଖିଲେ ଖାନନଗର ପ୍ରାଥମିକ ବିଦ୍ୟାଳୟଟି ଗୋଟିଏ ଗଛମୂଳେ ଚାଲିଛି। ଗଛରେ କଳାପଟା ବନ୍ଧା ହୋଇଥିବା ବେଳେ ହେଡ୍ ପଣ୍ଡିତ ଗୋଟିଏ ବଡ଼ପଥର ଉପରେ ବସିଛନ୍ତି ଓ ପିଲାମାନେ ମାଟିରେ ବସି ପଢ଼ୁଛନ୍ତି। ଏହାକୁ ହଜମ କରିପାରି ନ ଥିଲେ ଛାତ୍ର ସୁଭାଷ। ସେ ଘରକୁ ଫେରି ଏ ବିଷୟରେ ବାପା ଜାନକୀନାଥଙ୍କୁ କହିବା ସହିତ ବିଦ୍ୟାଳୟ ପାଇଁ ଗୋଟିଏ ଟେବୁଲ ଓ ଚୌକି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପିତା ଜାନକୀନାଥ, ତରୁଣ ସୁଭାଷଙ୍କ ମନକଥା ବୁଝି ନିଜଘରୁ ଗୋଟିଏ ଟେବୁଲ ଓ ଚୌକି ତା’ପର ଦିନ ଖାନନଗର ସ୍କୁଲକୁ ପ୍ରଦାନ କରିଥିଲେ, ଯାହା ଏବେ ବି ଖାନନଗର ସ୍କୁଲରେ ରହିଛି। ୧୯୧୨ ମସିହାରେ ଏହି ଖାନନଗର ବିହାରୀଲାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଜାତୀୟ କବି ବୀରକିଶୋର ଦାସ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହା ସହିତ ସଂପୃକ୍ତ ଥିଲେ। ୧୯୧୪-୧୫ ମସିହା ବେଳକୁ ଅଞ୍ଚଳରେ ହଇଜା ବ୍ୟାପିବାରୁ କଟକ ଓଡ଼ିଆ ବଜାରରେ ସେତେବେଳେ ରହୁଥିବା ୧୭ବର୍ଷୀୟ ସୁଭାଷ ଚନ୍ଦ୍ର ବୋଷ ନିଜ ସ୍ବେଚ୍ଛାସେବୀ ବାହିନୀ ସହ ଡାକ୍ତରଙ୍କୁ ଆଣି ଏହି ବିଦ୍ୟାଳୟରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲି ରୋଗୀମାନଙ୍କ ସେବା କରିଥିଲେ।
ଗ୍ୟାଲେରି ସାମନାରେ ନୂଆ ଫଳକ
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଥିବା ବିଭିନ୍ନ ଗ୍ୟାଲେରି ସାମନାରେ ନୂତନ ଫଳକ ଲଗାଯିବ। ସଂଗ୍ରହାଳୟରେ ନେତାଜୀଙ୍କ ଜୀବନୀ, ଆଜାଦ୍ ହିନ୍ଦ୍ ଫୌଜ୍, ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଆଦି ୧୨ଟି ଗ୍ୟାଲେରି ରହିଥିଲା। ଏହିସବୁ ଗ୍ୟାଲେରି ସାମନାରେ ସୂଚନାଫଳକ ଲଗାଯାଇଥିଲା। ପ୍ରଶାସନ ପକ୍ଷରୁ ଏସବୁ ପୁରୁଣା ଫଳକକୁ କଢ଼ାଯାଇ ନୂତନ ଭାବେ ତିଆରି କରାଯାଇଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏହି ସ୍ଥାନରେ ନୂତନ ଫଳକ ଲଗାଯିବାକୁ ଯୋଜନା କରାଯାଇଛି।
/filters:format(webp)/sambad/media/media_files/2026/01/23/untitled-3-2026-01-23-06-20-04.jpg)
ମହାନାୟକ ସୁରେନ୍ଦ୍ର ସାଏ
ମାଆ, ମାଟି ଓ ମାତୃଭୂମିକୁ ସାମ୍ରାଜ୍ୟବାଦୀ ଇଂରେଜ ସରକାର ହାତରୁ ରକ୍ଷା କରିବା ପାଇଁ ଯିଏ ୪୦ ବର୍ଷ ଧରି ଲଢ଼େଇ କରିଥିଲେ ଏବଂ ଦୁଇଟି ପର୍ଯ୍ୟାୟରେ ୩୭ ବର୍ଷ କୋଠରିରେ ବିତେଇଥିଲେ ସେ ଥିଲେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ। ସୁରେନ୍ଦ୍ର ସାଏ ଏଭଳି ଜଣେ ସାଲିସବିହୀନ ଯୋଦ୍ଧା ଥିଲେ, ଯାହାଙ୍କ ପ୍ରତି ଇଂରେଜ ସରକାରଙ୍କର ପ୍ରବଳ ଭୟ ଥିଲା। ଏମିତିକି ଶାରୀରିକ ଦୁର୍ବଳତା, ବୃଦ୍ଧାବସ୍ଥା ସହିତ ଦୃଷ୍ଟିଶକ୍ତି ଚାଲିଯାଇଥିଲେ ମଧ୍ୟ ଭୟଭୀତ ଇଂରେଜ ସରକାର ତାଙ୍କୁ ଜେଲ୍ରୁ ଛାଡ଼ି ନ ଥିଲେ। ଫଳରେ ଏହି ଦୁର୍ଦ୍ଦଷ ଯୋଦ୍ଧାଙ୍କର ୭୫ ବର୍ଷ ବୟସରେ ମଧ୍ୟପ୍ରଦେଶର ଅସିରଗଡ଼ ଜେଲ୍ରେ ମୃତ୍ୟୁ ହୋଇଥିଲା।
ଭାରତ ଇତିହାସର ସଶସ୍ତ୍ର ବିପ୍ଳବର ଅନ୍ୟତମ ମହାନାୟକ ସୁରେନ୍ଦ୍ର ସାଏ। ଯାହାଙ୍କ ଗରିଲା ଯୁଦ୍ଧକୁ ଅପ୍ରତିଦ୍ବନ୍ଦ୍ବୀ ଇଷ୍ଟଇଣ୍ଡିଆ କମ୍ପାନିର ଇଂରେଜ ସେନା ବାହିନୀ ଭୟ କରୁଥିଲେ। ସୁରେନ୍ଦ୍ର ୧୮୦୯ ମସିହା ଜାନୁଆରି ୨୩ ତାରିଖରେ ଚୌହାନ ବଂଶରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଧରମ ସିଂହ, ଚୌହାନ ବଂଶର ଚତୁର୍ଥ ପିଢ଼ିର ସଦସ୍ୟ ଥିଲେ। ଛୋଟ ବେଳୁ ହିଁ ସୁରେନ୍ଦ୍ରଙ୍କ ଯୁଦ୍ଧକୌଶଳ, ଘୋଡ଼ା ଚଢ଼ିବାରେ ବିଶେଷ ଆଗ୍ରହ ଥିଲା। କାକା ବଳରାମ ସିଂହଙ୍କଠାରୁ ସେ ଗରିଲା ଯୁଦ୍ଧ ସମ୍ପର୍କରେ ପ୍ରଶିକ୍ଷଣ ପାଇଥିଲେ। ଗୋଣ୍ଡ, ବିଞ୍ଝାଲ ସମୁଦାୟଙ୍କ ଯୁଦ୍ଧ କୌଶଳ ତାଙ୍କୁ ପ୍ରଭାବିତ କରିଥିଲା। ସୁରେନ୍ଦ୍ର ହାତୀବାଡ଼ି ଜମିଦାରଙ୍କ ଝିଅଙ୍କୁ ବିବାହ କରିଥିଲେ। ତାଙ୍କର ଏକମାତ୍ର ପୁଅ ମିତ୍ରଭାନୁ ଓ ଏକମାତ୍ର ଝିଅ ବିଷୟରେ ବିଶେଷ ଉଲ୍ଲେଖ ନାହିଁ।
୧୮୨୭ ମସିହାରେ ସମ୍ବଲପୁରର ତତ୍କାଳୀନ ରାଜା ମହାରାଜା ସାଏଙ୍କର ମୃତ୍ୟୁ ହୋଇଥିଲା। ସେ ଅପୁତ୍ରିକ ଥିବାରୁ ରାଜପୁର-ଖିଣ୍ଡା ପରିବାରର ବଂଶଧର ଭାବେ ସୁରେନ୍ଦ୍ର ସାଏ ସମ୍ବଲପୁର ରାଜ ସିଂହାସନରେ ନିଜ ଦାବି ଉପସ୍ଥାପନ କରିଥିଲେ। ଇଂରେଜମାନେ ପ୍ରଥମରେ ମହାରାଜା ସାଏଙ୍କ ବିଧବା ପତ୍ନୀ ମୋହନ କୁମାରୀ ଦେବୀ ଏବଂ ପରେ ବରପାଲିର ଜମିଦାର ନାରାୟଣ ସିଂହଙ୍କୁ ସିଂହାସନରେ ଅଭିଷିକ୍ତ କରାଇଥିଲେ ମଧ୍ୟ ପ୍ରକୃତ କ୍ଷମତା ନିଜେ ଭୋଗ କରୁଥିଲେ। ଏହା ବିରୋଧରେ ୧୮୨୭ ମସିହାରେ ସୁରେନ୍ଦ୍ର ମାତ୍ର ୧୮ ବର୍ଷ ବୟସରେ ଇଂରେଜଙ୍କ ବିରୋଧରେ ସଶସ୍ତ୍ର ଲଢ଼େଇ କରିଥିଲେ। ଏଥିରେ ତାଙ୍କ ୬ ଭାଇ ଉଦନ୍ତ, ଧ୍ରୁବ, ଉଜ୍ବଳ, ଛବିଳ, ଜଜଳ, ମେଦିନୀ ସହିତ ଭଉଣୀ ଅଞ୍ଜନା ଓ ଭିଣୋଇ ମଧ୍ୟ ସହଯୋଗ କରିଥିଲେ। ସୁରେନ୍ଦ୍ରଙ୍କୁ ସମର୍ଥନ କରିବାରେ ସବୁଠାରୁ ଆଗରେ ଥିଲେ ଘେଁସ ଜମିଦାର ମାଧୋ ସିଂହ। ସୁରେନ୍ଦ୍ର ଗରିଲା ଯୁଦ୍ଧରେ ଏତେ ପାରଙ୍ଗମ ଥିଲେ ଯେ ବ୍ରିଟିସ୍ କମାଣ୍ଡର ହିଗିନ୍ସ ତାଙ୍କୁ ସାମନା କରିପାରି ନ ଥିଲେ। ଫଳରେ ହଜାରିବାଗରୁ ଆଉ ଜଣେ କ୍ୟାପଟେନ୍ଙ୍କୁ ଡକାଇବାକୁ ପଡ଼ିଥିଲା। ବାରପାହାଡ଼ର ଡେବ୍ରିଗଡ଼ ଜଙ୍ଗଲ ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ବଳରାମ, ବଳଭଦ୍ର ଦେଓଙ୍କ ପାଇଁ ଯୁଦ୍ଧ କୌଶଳ ପ୍ରସ୍ତୁତିର ସର୍ବୋକୃଷ୍ଟ ସ୍ଥାନ ଥିଲା। ଏହି ସମୟରେ ବଡ଼ ଆକ୍ରମଣରୁ ସୁରେନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କ ସାଥୀ ଲଖନପୁରର ଗୋଣ୍ଡ ଜମିଦାର ବଳଭଦ୍ର ଦେଓଙ୍କର ମୃତ୍ୟୁ ହୋଇଥିଲା। ୧୮୪୦ ମସିହାରେ ସୁରେନ୍ଦ୍ର, ଉଦନ୍ତ ଓ ବଳରାମ ଗିରଫ ହୋଇ ଆଜୀବନ ସଜା ପାଇଥିଲେ। ତାଙ୍କୁ ହଜାରିବାଗ ଜେଲକୁ ପଠାଇ ଦିଆଯାଇଥିଲା। ୧୮୫୭ରେ ଇଂରେଜଙ୍କ ବିରୋଧରେ ଦେଶବ୍ୟାପୀ ଯୁଦ୍ଧ ଆରମ୍ଭ ହେଲା। ସୁରେନ୍ଦ୍ର ଓ ଉଦନ୍ତ ଏହାର ଫାଇଦା ଉଠାଇ ୩୨ କଏଦୀଙ୍କ ସହିତ ୧୮୫୭, ଜୁଲାଇ ୩୦ ତାରିଖରେ ହଜାରିବାଗ ଜେଲ୍କୁ ଭାଙ୍ଗି ଦେଇଥିଲେ। ସେହି ସମୟରେ ସେ ୧୭ ବର୍ଷ ଜେଲ୍ରେ ବିତାଇ ସାରିଥିଲେ। ଜେଲ୍ ଫେରାର କଏଦୀ ଭାବରେ ତାଙ୍କୁ ଓ ଭାଇଙ୍କୁ ଧରାଇ ଦେଲେ ୨୫୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ଇଂରେଜ ସରକାର। ଏହି ଖବର ପ୍ରଚାରିତ ହେବା ପରେ ଘେଁସ, କୋଲାବିରା, ପାହାଡ଼ଶିରଗିଡ଼ା, ମଛିଦା, ଲଇଡ଼ା, ଲୁଇସିଂହା, ଲଖନପୁର, ଭେଡ଼େନ ଓ ପାଟକୁଲୁଣ୍ଡା ଅଞ୍ଚଳର ଆଦିବାସୀ ଜମିଦାର ଏବଂ ଗୌନ୍ତିଆ ସୁରେନ୍ଦ୍ରଙ୍କ ସମର୍ଥନରେ ବାହାରି ପଡ଼ିଥିଲେ। ଯୁଦ୍ଧ ଆହୁରି ଘମାଘୋଟ ହୋଇଥିଲା। ଏପରିକି ସେହି ସମୟରେ ସମ୍ବଲପୁରରେ ଅବସ୍ଥାନ କରୁଥିବା କ୍ୟାପଟେନ୍ ଲେ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନର ସାହସ କରିପାରିନଥିଲେ। ସୁରେନ୍ଦ୍ରଙ୍କ ସହିତ ଆପୋସ ବୁଝାମଣାର ଷଡ୍ଯନ୍ତ୍ର ରଚିଥିଲେ। କିନ୍ତୁ ସୁରେନ୍ଦ୍ର ଏହା ବୁଝିପାରି ଖସି ଚାଲି ଆସିଥିଲେ। ସୁରେନ୍ଦ୍ର ଭଲ ଯୋଦ୍ଧା ସହିତ କୁଟନୀତିଜ୍ଞ ମଧ୍ୟ ଥିଲେ। ସମ୍ବଲପୁରରୁ ହଜାରିବାଗ ଏବଂ ରାଞ୍ଚିକୁ ଯୋଡ଼ୁଥିବା ସଂଯୋଗସ୍ଥଳ ଝରଘାଟିକୁ ବିଚ୍ଛିନ୍ନ କରି ଦେଇଥିଲେ। ସୁରେନ୍ଦ୍ରଙ୍କ ଦଳ ସହିତ ମୁକାବିଲା ପାଇଁ ଡେବ୍ରିଗଡ଼ ସମେତ ସବୁ ଜଙ୍ଗଲରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବ୍ରିଟିସ୍ ସେନା ନିୟୋଜିତ ଥିଲେ। ସୁରେନ୍ଦ୍ରଙ୍କ ଗରିଲା ବାହିନୀର ସାମନା କରିବା ଇଂରେଜଙ୍କ ପାଇଁ କଷ୍ଟକର ହେଉଥିଲେ ମଧ୍ୟ ସେମାନେ ଏହାକୁ ଦୃଢ଼ ହସ୍ତରେ ଦମନ କରିଥିଲେ। ଯୁଯୁମୁରାରେ ଡ. ମୁରେଙ୍କୁ ବିପ୍ଳବୀମାନେ ହତ୍ୟା କରିଥିଲେ। ଏହା ସତ୍ତ୍ବେ ବ୍ରିଟିସ୍ ସେନାର ଅସ୍ତ୍ରଶସ୍ତ୍ରକୁ ସାମନା କରିବା ସ୍ଥାନୀୟ ବିପ୍ଳବୀଙ୍କ ପାଇଁ କଷ୍ଟକର ଥିଲା। କ୍ୟାପଟେନ୍ ଉଡ୍ ତାଙ୍କ ସଶସ୍ତ୍ର ବଳ ସହିତ ଯୁଦ୍ଧ ବେଳେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲିରେ ଛବିଳ ସାଏଙ୍କ ସହିତ ୫୩ ସଂଗ୍ରାମୀ ସହିଦ ହୋଇଥିଲେ। ୧୮୫୮ ମସିହା ଜାନୁଆରି ୭ ତାରିଖରେ ଝାରଘାଟିକୁ ମେଜର ବ୍ୟାଟ୍ସ ଅକ୍ତିଆର କରିବା ସହିତ କୋଲାବିରାକୁ ଧ୍ବଂସ କରି ଦେଇଥିଲେ। ଉଦନ୍ତ ସାଏଙ୍କ ନେତୃତ୍ବରେ ଏଠାରେ ଯୁଦ୍ଧ ପରିଚାଳିତ ହୋଇଥିଲା। ଯାହା ସୁରେନ୍ଦ୍ରଙ୍କ ପାଇଁ ଧକ୍କା ହୋଇଥିଲେ ମଧ୍ୟ ସେ ଖିଣ୍ଡା ଯାଇ ଲଢ଼େଇ ଜାରି ରଖିଥିଲେ। ଏହି ସମୟରେ ଇଂରେଜ ସରକାରଙ୍କ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ପାଇଁ ୧୨୦୦ ଓ ଅନ୍ୟ ବିପ୍ଳବୀଙ୍କ ପାଇଁ ୫୦୦ ଟଙ୍କା ପେନ୍ସନ୍ ଘୋଷଣା କରାଯାଇଥିଲା। କିନ୍ତୁ ସୁରେନ୍ଦ୍ର ଏଥିରେ ମଥାନତ ହୋଇ ନଥିଲେ, ବରଂ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଦୟାନିଧି ମେହେରଙ୍କ ବିଶ୍ବାସଘାତକତା ଯୋଗୁଁ ସୁରେନ୍ଦ୍ର ଗିରଫ ହୋଇଥିଲେ। ଅସିରଗଡ଼ ଜେଲରେ ସୁରେନ୍ଦ୍ରଙ୍କୁ ଏତେ ଅତ୍ୟାଚାର କରାଯାଇଥିଲା ଯେ ସେ ନିଜ ଦୃଷ୍ଟିଶକ୍ତି ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/23/new-project-22-2026-01-23-09-00-15.jpg)