ଢେଙ୍କାନାଳ: ଅତୀତରେ ଜିଲ୍ଲା ପାଠାଗାରର ମାନ୍ୟତା ବହନ କରିଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତିସଦନର ଅଧା ଅଂଶ ସଂପ୍ରତି ମାଟିରେ ମିଶିଯାଇଛି। ଅନ୍ୟ କିଛି ଅଂଶ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଢେଙ୍କାନାଳ ସହରର ଗଣେଶବଜାରସ୍ଥିତ ମୁଖ୍ୟ ଡାକ କାର୍ଯ୍ୟାଳୟରେ ଅବସ୍ଥିତ ଏହି ସ୍ମୃତିସଦନର ଅଧାଅଂଶରେ ଚାଲିଥିବା ଜିଲ୍ଲା ପାଠାଗାର ମଧ୍ୟ ବିପଜ୍ଜନକ ଅବସ୍ଥାରେ ରହିଛି। ଏହାର ରକ୍ଷଣାବେକ୍ଷଣ ଲାଗି ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହେବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫକୀରମୋହନଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ସାହିତ୍ୟିକ ମହଲରେ ଦାବି ହୋଇଛି।
Odisha : ଓଡ଼ିଶାକୁ ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍ ସହ ଯୋଡ଼ାଯିବ: ଉପମୁଖ୍ୟମନ୍ତ୍ରୀ
ବ୍ରିଟିସ୍ ଶାସନ ସମୟରେ ଫକୀରମୋହନ ଢେଙ୍କାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ୧୮୭୭ରୁ ୧୮୮୩ ମସିହା ପର୍ଯ୍ୟନ୍ତ ସେ ଢେଙ୍କାନାଳରେ ରହିଥିଲେ। ରାଜାଙ୍କ ନିର୍ଦ୍ଦେଶରେ ଗୋଟିଏ ବଙ୍ଗଳାରେ ସେ ପରିବାର ସହ ରହୁଥିଲେ। ଏହି ସମୟରେ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ପୁତ୍ରଶୋକରୁ ବାହାରିବା ପାଇଁ ସେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଅନୁବାଦ କରିଥିଲେ। ଏହା ତାଙ୍କ ସାହିତ୍ୟ ସାଧନାର ଅୟମାରମ୍ଭ ବୋଲି କୁହାଯାଏ। ଉକ୍ତ ବଙ୍ଗଳାକୁ ୨୦୦୬ ମସିହାରେ ବ୍ୟାସକବି ସ୍ମୃତିସଦନ ଓ ଜିଲ୍ଲା ପାଠାଗାର କରାଯାଇଥିଲା। ସେଠାରେ ବ୍ୟାସକବି ବ୍ୟବହାର କରୁଥିବା ଚୌକି, ଟେବୁଲ୍, ବହି ଆଦି ରହିଛି। ଏହି ଗୃହର ଗୋଟିଏ ପାର୍ଶ୍ବରେ ଜିଲ୍ଲା ପାଠାଗାର ଚାଲିଥିବା ବେଳେ ଅନ୍ୟ ଅଂଶରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଚାଲିଥିଲା।
Cha Mana Athaguntha: ‘ଛ ମାଣ ଆଠଗୁଣ୍ଠ’ ଆଜି ବି ଯୁଗୋପଯୋଗୀ
ଗତ କିଛିବର୍ଷ ହେବ ତା’ ପାଖରେ ନୂତନ ଗୃହ କରାଯାଇ ପର୍ଯ୍ୟଟନ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ସଂପୃକ୍ତ ଅଂଶଟି ଅବହେଳିତ ହୋଇ ଭୁଶୁଡ଼ି ପଡ଼ିଛି। ସ୍ମୃତିସଦନର ବାକି ଅଂଶରେ ରହିଥିବା ୩ଟି ପ୍ରକୋଷ୍ଠରେ ଜିଲ୍ଲା ପାଠାଗାର ଚାଲୁଥିବା ବେଳେ ତାହା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଠାରେ ହଜାର ହଜାର ପୁରୁଣା ବହି ସହିତ ଫକୀରମୋହନଙ୍କ ସ୍ମୃତି ବହନ କରୁଥିବା ଆସବାବପତ୍ର ରହିଛି। ଘରକାନ୍ଥ ଫାଟି ଆଁ କରିଥିବା ବେଳେ ଉଇ ଲାଗି କବାଟ ଝରକା ନଷ୍ଟ ହେଲାଣି। ଆଜବେଷ୍ଟସ୍ ଓ ସିଲିଂ ଭାଙ୍ଗି ବର୍ଷା ପାଣି ଗଳୁଛି। ୨ଟି ପ୍ରକୋଷ୍ଠରେ ପୁରୁଣା ବହିସବୁ ରହିଥିବା ବେଳେ ଅନ୍ୟଟି ପାଠାଗାର ପରିଚାଳକଙ୍କ ବୈଠକ କୋଠରି ହୋଇଛି। ଏଠାକାର ଅଧିକାଂଶ ବହି ନଷ୍ଟ ହୋଇ ଯାଇଥିବା ବେଳେ ବଳକା ବହିର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦିଆ ନ ଯାଇ କେବଳ ସମ୍ମୁଖ ଭାଗରେ ରଙ୍ଗମାରି ସ୍ମୃତିସଦନ ଚାଲିଛି। ଏପରି ଅବସ୍ଥାରେ ପୁରୁଣା ବହିଗୁଡ଼ିକ ନଷ୍ଟ ହେବା ସହ ସ୍ମୃତିସଦନ ସତ୍ତା ହରାଇ ବସିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
Follow Us