ଶ୍ରୀମଦ୍ ଭଗବଦ୍ ଗୀତାରେ ଅଧ୍ୟାତ୍ମ ପରିପୂର୍ତ୍ତି ପାଇଁ ଚାରିଗୋଟି ମାର୍ଗର ଅବତାରଣା କରାଯାଇଛି। ସେଗୁଡ଼ିକ ହେଲା କର୍ମଯୋଗ (କର୍ମ ମାର୍ଗ), ଜ୍ଞାନ ଯୋଗ (ଜ୍ଞାନ ମାର୍ଗ), ଭକ୍ତି ଯୋଗ (ଭକ୍ତି ମାର୍ଗ) ଓ ରାଜ ଯୋଗ (ଧ୍ୟାନ ମାର୍ଗ)। ମୁଁ କର୍ମଯୋଗରେ ବିଶ୍ୱାସ କରେ। ନିଃସ୍ୱାର୍ଥପର ସେବା ଓ କର୍ମ ମାଧ୍ୟମରେ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚରିତାର୍ଥ ପାଇଁ ବ୍ରତୀ ରହିଆସିଛି। ମୋର ବୃତ୍ତିଗତ ଯାତ୍ରା ଅନେକ କ୍ଷେତ୍ର ଦେଇ ଗତି କରିଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜନଜାତି ସଶକ୍ତୀକରଣ, କ୍ରୀଡ଼ା, ଗଣମାଧ୍ୟମ, କଳା, ସିନେମା, ସାହିତ୍ୟ ଓ ଆଧ୍ୟାତ୍ମିକତା ଆଦି ଏଥିରେ ଅନ୍ତର୍ଭୁକ୍ତ। ପ୍ରତ୍ୟେକ କ୍ଷେତ୍ରରେ ମୋର ସମ୍ପୃକ୍ତି ଓ ଅବଦାନ ଏକ ମୌଳିକ ସତ୍ୟର ପରିପ୍ରକାଶ କରିଛି। ପ୍ରକୃତ ରୂପାନ୍ତରଣ ସେତେବେଳେ ଘଟେ ଯେତେବେଳେ ଆମେ ଅତୀତର କୃତି ଓ କୀର୍ତ୍ତିକୁ ଅତିକ୍ରମ କରି ଉଦୀୟମାନ ସମ୍ଭାବନାଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରୁ। ମୁଁ ମୋର ନିୟମିତ କାର୍ଯ୍ୟ ସହ ଅନେକ ପ୍ରୟାସ ଯଥା ଦେବାର କଳା, କନ୍ୟା କିରଣ, କଳିଙ୍ଗ ଫେଲୋସିପ୍, ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟି (ନକାରାତ୍ମକତା ବିରୋଧରେ ଭାରତ), ସମସ୍ତଙ୍କ ପାଇଁ ଶିକ୍ଷା, ନୂଆ ମନ ନୂଆ ସପନ, ଗ୍ରାମୀଣ ଓଡ଼ିଶାର ସ୍ୱାସ୍ଥ୍ୟ ସଶକ୍ତୀକରଣ, କିଟ୍ କେୟାର୍ସ ଆଦି ନିମନ୍ତେ ଉତ୍ସର୍ଗୀକୃତ ରହିଆସିଛି।
GDP calculation: ଫେବ୍ରୁଆରିରୁ ନୂଆ ପଦ୍ଧତିରେ ଜିଡିପି ହିସାବ
ମୋର ବିବିଧ ପ୍ରୟାସ ମଧ୍ୟରେ କିଟ୍ ନହ୍ନିପରୀ- ଲିଟିଲ୍ ମିସ୍ ଇଣ୍ଡିଆ ଅନ୍ୟତମ। ଏହା ଏକ ପୁରୁଣା କାର୍ଯ୍ୟକ୍ରମ ଯାହା ବର୍ଷ ପରେ ବର୍ଷ ଚାଲିଆସିଛି। ଏହା ମଧ୍ୟ ମୋର ଅତ୍ୟନ୍ତ ପ୍ରିୟ। ପ୍ରାୟ ପଚିଶ ବର୍ଷ ତଳେ ସମାଜସେବୀ ମଳୟ ମହାପାତ୍ର କିଶୋରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସାମର୍ଥ୍ୟର ପରିପ୍ରକାଶ ଓ ବିକାଶ ନିମନ୍ତେ ଏକ ମଞ୍ଚର ଆବଶ୍ୟକତା ସମ୍ପର୍କରେ ମୋତେ ପ୍ରସ୍ତାବ ଦେଇଥିଲେ। ମୁଁ ବୁଝିଥିଲି ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ - ଅର୍ଥାତ୍ ଯେଉଁଠି ନାରୀମାନଙ୍କୁ ପୂଜା କରାଯାଏ, ସେଠି ଦେବତାମାନେ ଆବିର୍ଭୂତ ହୁଅନ୍ତି। ଏହି ଭାବବୋଧ ମତେ ସବୁବେଳେ ଅନୁପ୍ରାଣିତ କରିଛି। ଏହା ହିଁ କିଟ୍ ନହ୍ନିପରୀ କାର୍ଯ୍ୟକ୍ରମର ପ୍ରେରଣା ଓ ଆଧାର। ନିଃଶୁଳ୍କ ପଞ୍ଜୀକରଣ ସହ ରହିବା, ଖାଇବା, ପରିବହନ ଓ ବୃତ୍ତିଗତ ତାଲିମ ଆଦି ସବୁକିଛି ପୂର୍ଣ୍ଣ ଆନୁଷ୍ଠାନିକ ପୃଷ୍ଠପୋଷକତାରେ ଏହା ସମ୍ପାଦିତ ହୁୁଏ। ଏଥିରେ କୌଣସି ସାମାଜିକ ଓ ଅର୍ଥନୈତିକ ବାଛ ବିଚାର ନଥାଏ। ପ୍ରତିଭାର ଯଥାର୍ଥ ପରିପ୍ରକାଶ ହିଁ ନହ୍ନିପରୀ କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ। ଏହି ଆଦର୍ଶ ଓ ଆଭିମୁଖ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଏବେ ପାଲଟିଛି ଗୌରବମୟ ଇତିହାସ।
ଆଜି କିଟ୍ ନହ୍ନିପରୀ ଭାରତର ୧୩ ରୁ ୧୫ ବର୍ଷ ବୟସର ବାଳିକାମାନଙ୍କ ପାଇଁ ପ୍ରତିଭା ମଞ୍ଚ ଭାବରେ ପ୍ରତିଷ୍ଠିତ ହୋଇପାରିଛି। ଗତ ୨୫ ବର୍ଷ ଧରି ପନ୍ଦର ହଜାରରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଏଥିରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କିଶୋରୀ ଏଥି ପାଇଁ ପଞ୍ଜୀକରଣ କରିଥିବା ସୁଖର କଥା। ଦେଶବ୍ୟାପୀ ୨୫ଟି ସହରରେ ଆୟୋଜିତ ଅଡ଼ିସନ୍ରେ ୩୫ଜଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସଂସ୍କରଣ ଭୁବନେଶ୍ୱରରେ ୨୨ ଓ ୨୩ ଡିସେମ୍ବରରେ ଅନୁଷ୍ଠିତ ହେବ। ଗ୍ରାଣ୍ଡ ଫିନାଲେ ସମ୍ପୂର୍ଣ୍ଣ ଆନୁଷ୍ଠାନିକ ସହଯୋଗ ଓ ସହାୟତାରେ ଅନୁଷ୍ଠିତ ହେବ। ଏହି ସଂଖ୍ୟା ସଫଳତାକୁ ଆଂଶିକ ସୂଚାଏ। ୨୦୨୪ର ବିଜୟିନୀ ଦିଲିଶା ବେହେରା ନିଜର ଉପଲବ୍ଧିରେ ଏହି କାର୍ଯ୍ୟକ୍ରମ କିଭଳି ସେମାନଙ୍କ ଆତ୍ମବୋଧକୁ ସ୍ୱୀକୃତି ଦେବା ସହ ପ୍ରୋତ୍ସାହିତ କରିଥିଲା ସେଇ କଥା ପ୍ରକାଶ କରିଛନ୍ତି। ସେହିପରି ୨୦୨୩ର ବିଜୟିନୀ ସ୍ନିଗ୍ଧା ମାଲବ୍ୟ ନିଜର ଅନ୍ତର୍ନିହିତ ପ୍ରତିଭାର ଆଲୋକରେ ନିଜେ ଆଶ୍ଚାର୍ଯ୍ୟାନ୍ୱିତ ହୋଇଛନ୍ତି। କିଟ୍ ନହ୍ନିପରୀ ବିଭିନ୍ନ ଭାବରେ ଭିନ୍ନ ଓ ଅନନ୍ୟ। ଆମର ଦଶଟି ବର୍ଗ ଉତ୍କର୍ଷର ବିବିଧ ଦିଗ ଓ ବିଭବକୁ ସ୍ୱୀକୃତି ଦିଏ। ସେଗୁଡ଼ିକ ହେଲା ମିସ୍ ଉଇଜ୍କିଡ଼୍ (ବୌଦ୍ଧିକ ସଫଳତା), ମିସ୍ ଆକ୍ଟିଭ୍ (କ୍ରୀଡ଼ାଗତ ଦକ୍ଷତା), ମିସ୍ ଉର୍ବଶୀ (ବହୁମୁଖୀ ପ୍ରତିଭା) ଓ ମିସ୍ ପର୍ସନାଲିଟି (ଜ୍ଞାନାତ୍ମକ ପ୍ରଖରତା ଓ ଯୋଗାଯୋଗ ଦକ୍ଷତା)। ପ୍ରତ୍ୟେକ ବର୍ଗ ସଚେତନ ଭାବରେ ବାର୍ତ୍ତା ଦିଅନ୍ତି ଯେ ମୂଲ୍ୟାୟନର ଏକକ ମାନଦଣ୍ଡକୁ ଅତିକ୍ରମ କରି ବ୍ୟକ୍ତିଗତ ମୂଲ୍ୟ, ଆର୍ଥିକ ଅଙ୍ଗୀକାର, ଆମର ସଂସ୍ଥାଗତ ଆଭିମୁଖ୍ୟକୁ ପ୍ରତିଫଳିତ କରେ। ଏହି ବର୍ଷର ପୁରସ୍କାର ରାଶି ୫୬ ଲକ୍ଷ ଟଙ୍କା, ଯାହା ନହ୍ନିପରୀ ଇତିହାସରେ ସର୍ବାଧିକ। ବିଜୟିନୀଙ୍କୁ ୨୮ ଲକ୍ଷ ଟଙ୍କା, ପ୍ରଥମ ଓ ଦ୍ୱିତୀୟ ରର୍ନସ୍ ଅଫ୍ଙ୍କୁ ଯଥାକ୍ରମେ ୧୪ଲକ୍ଷ ଓ ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରତ୍ୟେକ ବର୍ଗର ବିଜୟିନୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇବେ।
କିଟ୍ ନହ୍ନିପରୀ ଆମର ବ୍ୟାପକ ବିକାଶମୂଳକ କାର୍ଯ୍ୟକ୍ରମ ଯଥା କନ୍ୟା କିରଣ ଓ କଳିଙ୍ଗ ଫେଲୋସିପ୍ ସହ ସମନ୍ୱିତ ହୋଇପାରିଛି। ଆମେ ନିର୍ମାଣ କରୁଥିବା କୀର୍ତ୍ତି କି ସ୍ମାରକୀ ଦ୍ୱାରା ନୁହେଁ ବରଂ ଆମେ ଆମର ଝିଅମାନଙ୍କ ମଧ୍ୟରେ ଯେଉଁ ଆତ୍ମବିଶ୍ୱାସ, ଆସ୍ଥା ଓ ସାହସ ସୃଷ୍ଟି କରୁ ତାହାଦ୍ୱାରା ସମାଜର ମୂଲ୍ୟାୟନ ହୋଇଥାଏ। ବର୍ଷ ବର୍ଷ ଧରି କିଟ୍ ନହ୍ନିପରୀର ସଫଳ ଆୟୋଜନ ସୂଚିତ କରେ ଯେ କିଶୋରୀମାନେ ଯେତେବେଳେ ସମ୍ବଳ, ସ୍ୱୀକୃତି ଓ ବିଶ୍ୱାସ ପାଆନ୍ତି, ସେମାନେ ସଫଳତାର ନୂଆ ସଂଜ୍ଞା ନିର୍ମାଣ କରନ୍ତି। ଯେତେବେଳେ ଏକ ଦୂରବର୍ତ୍ତୀ ଜିଲ୍ଲାର ୧୩ ବର୍ଷ ବୟସର ଝିଅ ମଞ୍ଚକୁ ଯାଏ ସେତେବେଳେ ସେ ତାଙ୍କ ପୂର୍ବରୁ ଆସିଥିବା ଅଗଣିତ କିଶୋରୀଙ୍କ ସ୍ୱପ୍ନ ଓ ଆଗାମୀ ପିଢ଼ିର ସମ୍ଭାବନାକୁ ନିଜ ସହ ବହନ କରିଥାଏ। ମୁଁ ବିଶ୍ୱାସ କରେ ପ୍ରତ୍ୟେକ ଝିଅ ଡେଣା ନେଇ ଆସିଥାଏ। ସମାଜର ଦାୟିତ୍ୱ ତାଙ୍କୁ ଉଡ଼ାଣ ଯୋଗାଇବା ନୁହେଁ ବରଂ ଏଥିରେ ହେଉଥିବା ପ୍ରତିବନ୍ଧକକୁ ଦୂର କରିବା। କିଟ୍ ନହ୍ନିପରୀ ଅସାଧାରଣ କିଶୋରୀ ନିର୍ମାଣ କରେ ନାହିଁ, ଏହା ତାଙ୍କ ଅନ୍ତର୍ନିହିତ ଆଲୋକର ପ୍ରକାଶର ବାଟ ଖୋଲିଦିଏ। ଭାରତର ଝିଅମାନେ କେବେ ବି ଶକ୍ତିହୀନ ନ ଥିଲେ, ସେମାନେ କେବଳ ବିଶ୍ୱାସ ଓ ପ୍ରେରଣାକୁ ଅପେକ୍ଷା କରିଥାନ୍ତି। କିଟ୍ ନହ୍ନିପରୀ ଓ ଆମେ ସେହି ଆସ୍ଥା ଓ ବିଶ୍ୱାସ ରୂପାୟନ ପାଇଁ ସାହସର ସହ ଆଗେଇ ଆସିଛୁ।
ପ୍ରତିଷ୍ଠାତା, କିଟ୍ ଓ କିସ୍୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-1-2025-12-23-06-55-59.jpg)