Editorial: ସୁରଞ୍ଜନଙ୍କ ଡାଏରିରେ ଏଥର ଧନଞ୍ଜୟ ସ୍ୱାଇଁଙ୍କ ‘ଏକ ମୃତପ୍ରାୟ କଳାର କାରିଗରଙ୍କ ଗାଁ’...

Advertisment

ମଞ୍ଜରିତ ଆମ୍ର ଶାଖାରୁ ରହିରହି ଶୁଭୁଥିବା ହଳଦୀବସନ୍ତର ସ୍ୱର ମଧ୍ୟାହ୍ନର ନିରବତାକୁ ଭଙ୍ଗ କରୁଥିଲା। ପଥ ଧାରେଧାରେ ଧ୍ୟାନମଗ୍ନ ଋଷି ପରି ଛିଡ଼ା ହୋଇଥିବା ବୃକ୍ଷଗୁଡ଼ିକର ଶାଖାରୁ ଝରି ପଡୁଥିବା ପତ୍ରର ମର୍ମର, ଶୀତଶୀର୍ଣ୍ଣା ଧରଣୀରେ ଆଦ୍ୟ ବସନ୍ତର ସୂଚନା ଦେଉଥିଲା।

ମଞ୍ଜରିତ ଆମ୍ର ଶାଖାରୁ ରହିରହି ଶୁଭୁଥିବା ହଳଦୀବସନ୍ତର ସ୍ୱର ମଧ୍ୟାହ୍ନର ନିରବତାକୁ ଭଙ୍ଗ କରୁଥିଲା। ପଥ ଧାରେଧାରେ ଧ୍ୟାନମଗ୍ନ ଋଷି ପରି ଛିଡ଼ା ହୋଇଥିବା ବୃକ୍ଷଗୁଡ଼ିକର ଶାଖାରୁ ଝରି ପଡୁଥିବା ପତ୍ରର ମର୍ମର, ଶୀତଶୀର୍ଣ୍ଣା ଧରଣୀରେ ଆଦ୍ୟ ବସନ୍ତର ସୂଚନା ଦେଉଥିଲା।

2159515

Photograph: (Sambad epapaer)

ଏକ ମୃତପ୍ରାୟ କଳାର କାରିଗରଙ୍କ ଗାଁ

ଧନଞ୍ଜୟ ସ୍ୱାଇଁ

ସୁରଞ୍ଜନଙ୍କ ଡାଏରି

ସମ୍ବାଦ ସଂପାଦକୀୟ ପୃଷ୍ଠା ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ: 

https://sambadepaper.com/epaper/1/71/2026-02-18/1

ମଞ୍ଜରିତ ଆମ୍ର ଶାଖାରୁ ରହିରହି ଶୁଭୁଥିବା ହଳଦୀବସନ୍ତର ସ୍ୱର ମଧ୍ୟାହ୍ନର ନିରବତାକୁ ଭଙ୍ଗ କରୁଥିଲା। ପଥ ଧାରେଧାରେ ଧ୍ୟାନମଗ୍ନ ଋଷି ପରି ଛିଡ଼ା ହୋଇଥିବା ବୃକ୍ଷଗୁଡ଼ିକର ଶାଖାରୁ ଝରି ପଡୁଥିବା ପତ୍ରର ମର୍ମର, ଶୀତଶୀର୍ଣ୍ଣା ଧରଣୀରେ ଆଦ୍ୟ ବସନ୍ତର ସୂଚନା ଦେଉଥିଲା। ଗାଡ଼ିର କାଚ ଝରକା ଫାଙ୍କ ଦେଇ ପଶି ଆସୁଥିଲା ବାଟ ଭୁଲା ପବନ। ଦିଗନ୍ତ ରେଖା ତଳେ ଉଡ଼ି ଯାଉଥିଲେ ଅଜଣା ଚଢ଼େଇ। ଏ ସବୁ ନିରୀକ୍ଷଣ କରୁଥିଲେ ସୁରଞ୍ଜନ। ତାଙ୍କର ମନେ ପଡୁଥିଲା କବିତାଂଶଟିଏ:
“ନବ ବକୁଳର ଗନ୍ଧେ ବିଭୋର
ଛନ୍ଦେ ଚପଳ ବାଆ
କି ସପନ ରଚି ଭୁଲାଇ ଦେଲା ମୋ
ନିତିଦିନ ଚଲା ରାହା
ଏ ବେଳେ ତୁମେ ଗୋ ଆସ,
ଶାଳ ବନେ ବନେ ଦେଖାଅନି ଆଉ
ଛପି ଛପି ଏତେ ହାସ।”

ଖୋର୍ଦ୍ଧା ଜିଲ୍ଲାର ବାଘମାରି ଦେଇ ଅଟ୍ରି-ଜକର ରାସ୍ତାରେ ୩ କିଲୋମିଟର ଗଲା ପରେ ଦୃଷ୍ଟି ପଥରେ ପଡ଼ିଲା ବେଗୁନିଆ ବ୍ଲକ୍‌ର ଦୁର୍ଗାପୁର ଗ୍ରାମ ପଞ୍ଚାୟତର କରଡ଼ଗାଡ଼ିଆ ଗାଁ। ପାଖାପାଖି ୨୦୦୦ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତରେ ଅଛି ସାନଗୁଡୁମ, ବଡ଼ିଗୁଡୁମ, କରଡ଼ଗାଡ଼ିଆ, ବୋତଳମା, ଲଳିତାଦେଇପୁର ଓ ମାନଗୋବିନ୍ଦପୁର ଭଳି ଛଅଟି ଗାଁ। ତା’ ମଧ୍ୟରୁ କରଡ଼ଗାଡ଼ିଆ ଗାଁର ସାତଟି ପରିବାରର ସତୁରିରୁ ଅଧିକ ବ୍ୟକ୍ତି ମୁଖା ତିଆରି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଦ୍ୟ ଫଗୁଣର ଏକ ରମଣୀୟ ସକାଳେ କରଡ଼ଗାଡ଼ିଆର ଗାଁ ଦାଣ୍ଡରେ ଦେଖା ହେଲେ ଦିବାକର ମହାପାତ୍ର। ଆଖପାଖ ଗାଁର ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଚିତ୍ରକାର ସେବା ସଂପନ୍ନ କରନ୍ତି ବୋଲି ଆତ୍ମ ସନ୍ତୋଷର ସହ କହୁଥିଲେ ଦିବାକର। କିନ୍ତୁ ମନରେ କ୍ଷୋଭ ମଧ୍ୟ ଥିଲା। କାରଣ ରାମଲୀଳା କି କୃଷ୍ଣଲୀଳାରେ ଆଉ ମୁଖା ବ୍ୟବହାର ନ କରି କଳାକାରମାନେ ନିଜ ଦେହକୁ ଚିତ୍ରାଙ୍କିତ କରିବା ଯୋଗୁଁ ତାଙ୍କ ପାରିବାରିକ କୌଳିକ ବୃତ୍ତିରେ ମାନ୍ଦାବସ୍ଥା ଆସି ଯାଇଛି। କେବଳ ସେତିକି ନୁହେଁ, ବନ ବିଭାଗର କଟକଣା ଯୋଗୁଁ ଆବଶ୍ୟକ କାଠ ମିଳିବାରେ ସମସ୍ୟା ସୃଷ୍ଟି ହେଉଛି। ତଥାପି ବହୁ କଷ୍ଟରେ ପାଳଧୁଆ, ଲିମ୍ବ, ଶିମିଳି କାଠ ଯୋଗାଡ଼ କରି ଦେବଦେବୀ, ଘୋଡ଼ା, ହାତୀ, ଚଢ଼େଇ, ହରିଣ, ସିଂହ, ବାଘ, ସଖୀ କଣ୍ଢେଇ, ରାବଣ ମୁଖା, ହନୁମାନ ମୁଖା, ଦୁର୍ଗା, ଗଣେଶ, କାଳୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପ୍ରଭୃତିଙ୍କ ମୂର୍ତ୍ତି ପ୍ରସ୍ତୁତ କରି କଳାକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି ସେ ଓ ତାଙ୍କ ସତୀର୍ଥମାନେ।
ମୁଖା ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ ଭାବେ ଦରକାର ହୁଏ ଗୋବର, ପାଉଁଶ, କାଠ, କଇଁଆ ମଞ୍ଜି କିମ୍ବା କଇଥ ଅଠା, କାଗଜ ଓ ଖଡ଼ିଗୁଣ୍ଡ। ପରିବାରର ପୁରୁଷ ଏବଂ ମହିଳା, ସମସ୍ତେ ଏହି କୌଳିକ ବୃତ୍ତିରେ ନିୟୋଜିତ। ଗୋଟିଏ କାଠ ମୁଖା ପ୍ରସ୍ତୁତ କରିବାକୁ ଲାଗିଯାଏ ୩ରୁ ୪ ଦିନ, ଯାହାକୁ ୫୦୦ ଟଙ୍କାରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରାଯାଇଥାଏ। ତେବେ, କାଗଜ ମୁଖାର ମୂଲ୍ୟ ୧୦୦ରୁ ୩୦୦ ଟଙ୍କା ମଧ୍ୟରେ ହୋଇଥାଏ। 

ଆହୁରି ପଢ଼ନ୍ତୁ- 🔴 LIVE | News Updates 18 February 2026: ପୁଣି ଓଡ଼ିଶା ଏଫସିର ଘରୋଇ ପଡ଼ିଆ ହେଲା କଳିଙ୍ଗ ଷ୍ଟାଡିୟମ୍‌; ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ, ବୋଲଗଡ଼ ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ୍ ଅଫିସରେ ଉତ୍ତେଜନା; ଭାଲୁ ଆକ୍ରମଣରେ ଯୁବକ ଗୁରୁତର; ସରପଞ୍ଚଙ୍କୁ ଗିରଫ ଦାବି କରି ଖେରଙ୍ଗରେ ରାସ୍ତାରୋକ;

ପୌରାଣିକ କଥାବସ୍ତୁ ଆଧାରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ରାମଲୀଳା, କୃଷ୍ଣଲୀଳା, ବିବାହ ରୋଶଣି, ଘୋଡ଼ାନାଚ, ଦଣ୍ଡନାଚ ପ୍ରଭୃତିରେ ମୁଖାର ଆଦର ରହିଛି। କେବଳ ସେତିକି ନୁହେଁ, ସାଂସ୍କୃତିକ ପରିଚୟ ବହନକାରୀ ଏଭଳି ମୁଖା ଓ ମୂର୍ତ୍ତି କିଣିବାକୁ ବହୁତ ଲୋକ ଆଗ୍ରହୀ ମଧ୍ୟ ହେବେ। ସେ ସବୁ ଜିନିଷ ଘର ସାଜସଜ୍ଜାରେ ମଧ୍ୟ ବ୍ୟବହୃତ ହୋଇପାରିବ। କିନ୍ତୁ, ସମସ୍ୟା ହେଲା, ପ୍ରଚାର-ପ୍ରସାର ଅଭାବରୁ ସେ ସବୁ ଦ୍ରବ୍ୟ ଲାଗି ସୁଦୃଶ୍ୟ ବଜାର ସୃଷ୍ଟି ହୋଇପାରିନାହିଁ। ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ନାହିଁ। ତେଣୁ କାରିଗରମାନେ ଅନଟନରେ ଦିନ କାଟୁଛନ୍ତି। ସୁରଞ୍ଜନ ଦେଖିଲେ ବିକ୍ରିବଟା ହୋଇ ପାରୁ ନ ଥିବାରୁ ମୁଖାଗୁଡ଼ିକ ଅପାଂକ୍ତେୟ ହୋଇ ଘର କୋଣରେ ପଡ଼ି ରହିଛନ୍ତି। ସେ ଭାବୁଥିଲେ, ହାୟରେ ବିଡ଼ମ୍ବନା, ସାମାଜିକ ଗଣମାଧ୍ୟମ ଆସିବା ପର ଠାରୁ ବିକ୍ରି ଅଯୋଗ୍ୟ ଜିନିଷଗୁଡ଼ିକ ମଧ୍ୟ ବଜାର ପାଇ ସାରିଲେଣି, ଅଥଚ ଏତେ ସୁନ୍ଦର ହସ୍ତଶିଳ୍ପ ଲାଗି ବଜାର ନାହିଁ!

ଦିନ ଥିଲା ଶିଳ୍ପୀଙ୍କ ଏହି ଗ୍ରାମଟି କାଠ ଓ କାଗଜ ମୁଖା ସହିତ ଗୋବର କଣ୍ଢେଇ ପାଇଁ ପ୍ରସିଦ୍ଧ ଥିଲା। ଯାନିଯାତ୍ରା ଓ ମେଳା ମହୋତ୍ସବମାନଙ୍କରେ ହାତ ତିଆରି ସୁନ୍ଦର ଗୋବର କଣ୍ଢେଇର ଖୁବ୍‌ ଚାହିଦା ଥିଲା। କେହିକେହି କହୁଥିଲେ ଯେ ପ୍ଲାଷ୍ଟିକ ଖେଳଣା ଆସିଲା ପରେ ଗୋବର କଣ୍ଢେଇ ପ୍ରତି ଆଉ ପୂର୍ବର ଆକର୍ଷଣ ରହିଲା ନାହିଁ। କିନ୍ତୁ ସୁରଞ୍ଜନ ଭାବୁଥିଲେ ଯେ ଗୋବର କଣ୍ଢେଇ କ’ଣ କେବଳ ଖେଳାଣା ମାତ୍ର! ତହିଁରେ ତ କାରିଗର ହାତ ଯଶ ରହିଛି। ତା’ର କ’ଣ ଏକ ସ୍ବତନ୍ତ୍ର ଆବେଦନ ନାହିଁ? ଦିବାକରଙ୍କ ଭଳି କାରିଗରଙ୍କ ଲାଗି ବଡ଼ ସମସ୍ୟା ହେଲା ଯୁବ ପିଢ଼ିକୁ ଏହି କଳା ଆଡ଼କୁ ଆକର୍ଷିତ କରିବା, କାରଣ ଏହି ବୃତ୍ତିରୁ ପେଟ ପୋଷି ହେଉ ନ ଥିବାରୁ ସେମାନେ ଏହା ଗ୍ରହଣ କରିବାକୁ ଅନିଚ୍ଛୁକ।

ଲେଉଟାଣି ବାଟରେ ସୁରଞ୍ଜନ ଉଦାସ ହୋଇ ପଡ଼ିଥିଲେ। କରଡ଼ଗାଡ଼ିଆର କାରିଗରମାନଙ୍କ ଦୁଃଖ ଓ ଏକ କଳା ମୃତପ୍ରାୟ ଅବସ୍ଥାକୁ ଚାଲିଯିବାର ଆଶଙ୍କା ଥିଲା ଏହାର କାରଣ। ମଳୟର ଶୀତ ଛୁଆଁ ମାଦକତା ସେ ଭୁଲି ଯାଇଥିଲେ। ଆଲୋକ ଓ ଅନ୍ଧାରର ସନ୍ଦିକ୍ଷଣରେ ଆକାଶରେ ଦିଶୁଥିଲେ ନୀଡ଼ ଫେରା ପକ୍ଷୀ ଯୂଥ। ସେମାନଙ୍କ ଡେଣା ମଧ୍ୟ କ୍ଳାନ୍ତ। ସେ ବିଷଣ୍ଣ ବୋଧ କଲେ। ଜୀବନ ଯୁଦ୍ଧରେ କ୍ଳାନ୍ତ କାରିଗରମାନଙ୍କ ଚେହେରା ତାଙ୍କ ମାନସ ପଟରୁ ଲିଭୁ ନ ଥିଲା। 

ଆହୁରି ପଢ଼ନ୍ତୁ- Two Pakistani Arrest: ଜମ୍ମୁ ଜୁଭେନାଇଲ ହୋମ୍‌ରୁ ଫେରାର୍‌ ଘଟଣା: ଅମ୍ବାଲାରୁ ଦୁଇ ପାକିସ୍ତାନ ନାଗରିକ ଗିରଫ

କିନ୍ତୁ, ଏଣେ ଆଖିରେ ପଡ଼ିଲା ପୌଷର ପତ୍ର ଝରା ପରେ ଥୁଣ୍ଟା ଗଛ ଡାଳରେ କଅଁଳି ଆସୁଥିବା ନବ ପଲ୍ଲବ। ସେ ଦୃଶ୍ୟରେ ସୁରଞ୍ଜନ ଯେମିତି ଗଭୀର ଆଶ୍ବାସନା ପାଇଲେ। କଷି ବଉଳ ଭିତରେ ଟିକିଟିକି ଆମ୍ବ ଚଣା। ବସନ୍ତ ପବନର ବୋହୂ ଚୋରି ଖେଳ ତାଙ୍କ ଶରୀରରେ ଏକ ପ୍ରକାର ପୁଲକ ମଧ୍ୟ ଜଗାଇ ଦେଉଥିଲା। ତାଙ୍କର ମନେ ପଡ଼ିଗଲା ପଦ୍ୟର ଅଂଶଟିଏ:
“ପଉଷ ଶୀତର ନିବିଡ଼ ବେଦନା ପରେ
ବସନ୍ତ କ୍ଷଣେ ବହିଥିଲା କେବେ ଥରେ,
କେବେ ଜୋଛନାର ସଲ୍ଲଜ ପରଶେ
ପ୍ରାଣ ଉଠିଥିଲା ପୁଲକି ହରଷେ
କେବେ କେଉଁ ଦିନ ଗୋଧୂଳି ଆଲୋକ ପରେ
ହଳିଆର ଗୀତ ଭାସି ଆସୁଥିଲା ଖରେ।”

ସୁରଞ୍ଜନ ଭାବୁଥିଲେ ଯେ ସେହି ମୁଖା କାରିଗରମାନଙ୍କ ଦିନ ବଦଳିବ। କିଛି ନ ହେଲେ ସେ ଦିଗରେ ସେ ନିଜେ କିଛି ପ୍ରୟାସ କରିବେ।

(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୦୦୬୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe