Editorial Photograph: (sambad.in)
ଛୁଞ୍ଚି ଓ ଚାଲୁଣୀ
ଶ୍ୟାମସୁନ୍ଦର ଅଗ୍ରୱାଲା (ସତ କହୁଛି)
ପତ୍ନୀଙ୍କ ଶ୍ରବଣ ସମସ୍ୟା ହେଉଛି ବୋଲି ସନ୍ଦେହ କରି ଏହାର ପ୍ରତିକାର ନିମନ୍ତେ ସ୍ୱାମୀ ଜଣେ କାନ ଡାକ୍ତରଙ୍କୁ ସାକ୍ଷାତ କଲେ। ସମସ୍ୟା କେତେ ଗୁରୁତର ହୋଇଛି ଜାଣିବା ନିମନ୍ତେ ଡାକ୍ତର ସ୍ୱାମୀଙ୍କୁ ପତ୍ନୀ ନ ଜାଣିପାରିଲା ଭଳି ଗୋଟିଏ ସହଜ ଉପାୟ ବତେଇ ଦେଲେ। ଏହି ଉପାୟ ଅନୁଯାୟୀ ଦିନେ ପତ୍ନୀ ରୋଷେଇ କରୁଥିଲା ବେଳେ ସ୍ୱାମୀ ପ୍ରାୟ ତିରିଶ ଫୁଟ ଦୂରରେ ଥାଇ “ହେଇଟି ଶୁଣୁଛ, ଆଜି ରୋଷେଇରେ କ’ଣ ତରକାରି ହେଉଛି କି?” ବୋଲି ପ୍ରଶ୍ନ କଲେ। ପତ୍ନୀଙ୍କର କୌଣସି ଉତ୍ତର ଶୁଣି ନ ପାରି ସ୍ୱାମୀ ଆଉ ଟିକିଏ ଆଗକୁ ଯାଇ ପ୍ରାୟ କୋଡ଼ିଏ ଫୁଟ ଦୂରରେ ସେହି ପ୍ରଶ୍ନ ପଚାରିଲେ। ତଥାପି ପତ୍ନୀଙ୍କର କୌଣସି ଉତ୍ତର ମିଳି ନ ଥିଲା। ସମସ୍ୟା ନିଶ୍ଚୟ ଗୁରୁତର ହୋଇଛି ବୋଲି ଭାବି ସ୍ୱାମୀ ବ୍ୟସ୍ତ ହୋଇପଡ଼ିଲେ ଆଉ ପ୍ରାୟ ଦଶ ଫୁଟ ଦୂରରୁ ଥାଇ ସେହି ପ୍ରଶ୍ନ ପଚାରିଲେ। ପୁନଶ୍ଚ କୌଣସି ଉତ୍ତର ନାହିଁ। ଏଥରକ ପ୍ରାୟ ପାଞ୍ଚ ଫୁଟ ଦୂରରୁ ଥାଇ ପଚାରିଲେ। ପତ୍ନୀଙ୍କ କୌଣସି ଉତ୍ତର ଶୁଣି ନ ପାରି ସ୍ୱାମୀ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲେ ଏବଂ ତାଙ୍କ ପଛପଟେ ଯାଇ ଛିଡ଼ା ହୋଇପଡ଼ି ପଚାରିଲେ “ଆଜି କ’ଣ ତରକାରି ହେଉଛି କି?”
ଏ କଥା ଶୁଣି ପତ୍ନୀ ହଠାତ୍ ଉତ୍ୟକ୍ତ ହୋଇପଡ଼ିଲେ ଆଉ କହିଲେ “ହଇହୋ, ତୁମେ କ’ଣ କାଲା ହୋଇଗଲଣି କି? ତୁମକୁ ପରା ଚାରି ଚାରି ଥର କହିସାରିଲିଣି ଯେ ଆଜି ଆଳୁବାଇଗଣ ତରକାରି ହେଇଛି ଆଉ ‘କ’ଣ ହେଉଛି’, ‘କ’ଣ ହେଉଛି’, ବୋଲି କାହିଁକି ପାଟି କରିଚାଲିଛ। ଶୁଭୁନି ଯଦି ଯାଇ ଗୋଟେ କାନ ଡାକ୍ତରଙ୍କୁ ଦେଖା କରୁନ?”
ବନ୍ଧୁଗଣ, ରୋଗ ଆମ ଦେହରେ ଅଛି କିନ୍ତୁ ଆମେ ଅନ୍ୟକୁ କହୁଛୁ ‘ତୁ ରୋଗୀ’। କାର୍ଯ୍ୟପାଳିକା ଦୁର୍ନୀତିରେ ଉବୁଟୁବୁ ହେଉଛି କିନ୍ତୁ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛି ଯେ ନ୍ୟାୟପାଳିକାରେ ଦୁର୍ନୀତି ଚାଲିଛି। ନ୍ୟାୟପାଳିକାରେ ଯେ ଦୁର୍ନୀତି ହେଉ ନାହିଁ, ତା’ ନୁହେଁ, କିନ୍ତୁ କାର୍ଯ୍ୟପାଳିକାକୁ ପାଞ୍ଚ ଫୁଟ ଦୂରରୁ ଶୁଭୁ ନ ଥିଲାବେଳେ ସେ ତିରିଶ ଫୁଟ ଦୂରରେ ଛିଡ଼ାହୋଇ ନ୍ୟାୟପାଳିକାକୁ ଶୁଭୁ ନାହିଁ ବୋଲି ଅଭିଯୋଗ ଆଣୁଛି। ଏହା ଚାଲୁଣୀ ଛୁଞ୍ଚିରେ ଥିବା ଛିଦ୍ର ଦେଖାଇ ଅଭିଯୋଗ କରିବା ଭଳି ଶୁଭୁ ନାହିଁ କି?
ଆହୁରି ପଢ଼ନ୍ତୁ- 🔴 LIVE News Updates 2026 March 9: ଇରାନ ତେଲ ଉପରେ ଆମେରିକାର ନଜର; ଟ୍ରକକୁ ପିଟିଲା ବାଇକ, ଜଣେ ମୃତ; ପୁଣି ପୁରୀ କୋର୍ଟରେ ବୋମା ଆତଙ୍କ ;
କାର୍ଯ୍ୟପାଳିକା ହେଉ କି ବ୍ୟବସ୍ଥାପିକା ହେଉ କି ନ୍ୟାୟପାଳିକା ହେଉ, ଏମାନଙ୍କର ଦୁର୍ନୀତି ସମ୍ପର୍କରେ ସ୍କୁଲର କୋମଳମତି ଛାତ୍ରଛାତ୍ରୀମାନେ ପଢ଼ିବେ କାହିଁକି? ଏହା ସେମାନଙ୍କ ମନରେ ପିଲାଟି ଦିନରୁ ଏକ ନକାରାତ୍ମକ ଭାବନା ସୃଷ୍ଟି କରିବ ନାହିଁ କି? ମନେ ପକାନ୍ତୁ ଆମମାନଙ୍କର ସ୍କୁଲ ଦିନର କଥା। କେବଳ ପୁସ୍ତକ ନୁହେଁ, ଏହାର କାନ୍ଥବାଡ଼ ମଧ୍ୟ ଆମକୁ ସାଧୁତା, ସତ୍ୟବାଦିତା ଓ ନିଃସ୍ୱାର୍ଥପରତାର ସକାରାତ୍ମକ ଶିକ୍ଷା ଦେଉଥିଲା। ଉତ୍କଳମଣି ଗୋପବନ୍ଧୁଙ୍କ ଚିତ୍ର ତଳେ ପଢୁଥିଲୁ “ମିଶୁ ମୋର ଦେହ ଏ ଦେଶ ମାଟିରେ”, କୁଳବୃଦ୍ଧ ମଧୁସୂଦନଙ୍କ ଚିତ୍ରରୁ ଶିଖିଥିଲୁ “ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ?” ଓ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାରେ ଶୁଣୁଥିଲୁ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି।” ଆଜି ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ଦାଢ଼ି, ମଧୁସୂଦନଙ୍କ ପଗଡ଼ି, ରାମକୃଷ୍ଣଙ୍କ ପ୍ରାର୍ଥନାର ଶବ୍ଦଗୁଡ଼ିକ ମନରେ ବସା ବାନ୍ଧିକି ରହିଛି ଆଉ ଆମ ଚରିତ୍ରରେ କେଉଁଠି ନା କେଉଁଠି ଏକ ଶକ୍ତ ମୂଳଦୂଆ ପକେଇବାରେ ସାହାଯ୍ୟ କରିଛି।
ଏ ତ ଗଲା ସ୍କୁଲର କାନ୍ଥବାଡ଼ କଥା। ପାଠ୍ୟପୁସ୍ତକ କଥା ମନେ ପକାନ୍ତୁ। ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇତ୍ୟାଦିଙ୍କର ଜୀବନୀ ପଢୁଥିଲୁ ଏବଂ ତାଙ୍କ ଚରିତ୍ର ଦ୍ୱାରା ଅନୁପ୍ରାଣିତ ହେଉଥିଲୁ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ଗାନ୍ଧାରୀର ଆଶୀର୍ବାଦ’ର ‘ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ’ ଯେତିକି ଧର୍ମ ଓ ପୁଣ୍ୟର ପରିଚୟ ଦେଉଥିଲା, ରାଧାମୋହନ ଗଡ଼ନାୟକଙ୍କର ‘ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏଇ ଲଣ୍ଡନ କାରାଗାରେ’ ସେତିକି ଦେଶପ୍ରେମ ଓ ପ୍ରତିଶୋଧର ବହ୍ନି ପ୍ରଜ୍ଜ୍ବଳିତ କରୁଥିଲା। ଗୋଦାବରୀଶ ମିଶ୍ରଙ୍କର କାଳିଜାଈର ‘ଭଲ କରି ନାଆ ବୁହାରେ ନାଉରି’ ଯେତିକି ଆଖିରୁ ଲୁହ ଝରେଇ ଦେଉଥିଲା, ସଚ୍ଚି ରାଉତରାୟଙ୍କ ‘ଛୋଟ ମୋ’ର ଗାଁଟି’, ସହରର ଚାକଚକ୍ୟ ଭିତରେ ଗାଁ ମାଟିର ବାସ୍ନାରେ ମହକେଇ ଦେଉଥିଲା।
ଆହୁରି ପଢ଼ନ୍ତୁ- Kumble's Big Claim: ଦଳରେ କୋହିଲି ଓ ରୋହିତଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ : କୁମ୍ବଲେ
ଆମ ସମୟରେ ମଧ୍ୟ ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ, ହିଂସା, ହତ୍ୟା, ଅତ୍ୟାଚାର ଓ ବ୍ୟଭିଚାରରେ ଶାସନ ଓ ସମାଜ କଳୁଷିତ ହେଉଥିଲା କିନ୍ତୁ ଏହାର ବର୍ଣ୍ଣନା କେବଳ ଖବରକାଗଜ ପୃଷ୍ଠାମାନଙ୍କରେ ସ୍ଥାନ ପାଉଥିଲା, ପାଠ୍ୟପୁସ୍ତକମାନଙ୍କରେ ନୁହେଁ। ଏହାର କାରଣ ଓ ନିରାକରଣ କେବଳ ବୁଦ୍ଧିଜୀବୀମାନେ ବିଭିନ୍ନ ସଭାସମିତିରେ ଆଲୋଚନା କରୁଥିଲେ, କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲ କିମ୍ବା କଲେଜରେ ନୁହେଁ। ଆଜି ନ୍ୟାୟାଳୟମାନଙ୍କରେ ଯଦି କୋଟି କୋଟି ସଂଖ୍ୟାରେ ମାମଲା ବିଚାରାଧୀନ ହୋଇ ପଡ଼ିଛି ଏଥିପାଇଁ କେବଳ କୋର୍ଟକଚେରି ନୁହନ୍ତି, ଉଭୟ ବାଦୀ ଓ ପ୍ରତିବାଦୀଙ୍କ ସହିତ ଏମାନଙ୍କର ଓକିଲମାନେ ମଧ୍ୟ ସମପରିମାଣରେ ଦାୟୀ। ଏହା ଏକ ଗୁରୁତର ସମସ୍ୟା ଯାହାର ସମାଧାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁସ୍ତକ ଅଧ୍ୟୟନରେ ନୁହେଁ ବରଂ ପ୍ରଭାବିତ ବ୍ୟକ୍ତି, ଗୋଷ୍ଠୀ ଓ ଅନୁଷ୍ଠାନମାନଙ୍କର ସମନ୍ୱୟରେ ହିଁ ହୋଇପାରିବ।
ବନ୍ଧୁଗଣ, କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତି ବିଷୟରେ ଅବଗତ କରେଇ ଦୁର୍ନୀତି ଦୂର କରିବା ଏକ ହାସ୍ୟାସ୍ପଦ ପଦକ୍ଷେପ। ଏହି ବିଷୟରେ ବାଦବିବାଦ ଓ ଶେଷକୁ ପ୍ରତ୍ୟାହାର ଉପରେ ପ୍ରକାଶିତ ଏକ କାର୍ଟୁନ ମନେ ପଡୁଛି। ପୁଅ ଖୁସିରେ ଧାଇଁ ଆସି ବାପାଙ୍କୁ କହୁଛି “ବାପା ଦୁର୍ନୀତି ଦୂର ହୋଇଗଲା।” ବାପା କହିଲେ “କ’ଣ ଦେଶରୁ?” ପୁଅ କହିଲା “ନାହିଁ, ବହିରୁ।”
(ମତାମତ ଲେଖକଙ୍କ ନିଜସ୍ବ)
Follow Us