ଭୁବନେଶ୍ବର: ୬୦ ଦଶକରେ ଚିକିତ୍ସା ସେବା କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ସୁପର୍ ହିରୋ ଭଳି କାମ କରୁଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ବ୍ୟବହାର କରି ନାନା ଦୁରାରୋଗ୍ୟ ବ୍ୟାଧି ଭଲ ହେଉଥିଲା। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ମାତ୍ରାଧିକ ବ୍ୟବହାର ଏବେ ଚିନ୍ତା ବଢ଼ାଇଲାଣି। ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ କାଶ, ଥଣ୍ଡା, ଛିଙ୍କ ମଧ୍ୟ ଆଣ୍ଟିବାୟୋଟିକ୍ ଦ୍ବାରା ଭଲ ହେଉନାହିଁ। ବ୍ୟାକ୍ଟେରିଆମାନେ ଆଣ୍ଟିବାୟୋଟିକ୍ ଦ୍ବାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହୋଇ ରୋଗୀଙ୍କ ଜୀବନ ନେବାକୁ ପଛାଉନାହାନ୍ତି। ଏନେଇ ଆଇସିଏମ୍ଆର୍ର ଏକ ଅନୁସନ୍ଧାନକାରୀ ଦଳ ଗବେଷଣା କରି ଆଣ୍ଟିବାୟୋଟିକ୍ର ମାତ୍ରାଧିକ ବ୍ୟବହାରକୁ ଦାୟୀ କରିଛନ୍ତି। ଗତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ବର ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସଙ୍କ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାର।
North India : ଅସମ୍ଭାଳ ଜାଡ଼ରେ ଥରୁଛି ଉତ୍ତର ଭାରତ
ପ୍ରଶ୍ନ: ଆଣ୍ଟିବାୟୋଟିକ୍ କ’ଣ? ଏହାକୁ କାହିଁକି ବ୍ୟବହାର କରାଯାଏ?
ଉତ୍ତର: ଆଣ୍ଟିବାୟୋଟିକ୍ ଏକ ପ୍ରକାର ଔଷଧ, ଯାହାଶରୀର ମଧ୍ୟରେ ଥିବା ବ୍ୟାକ୍ଟେରିଆକୁ ଦମନ କରିବା ଲାଗି ଗ୍ରହଣ କରାଯାଏ। ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ରହିଛି। ଏହି ବ୍ୟାକ୍ଟେରିଆମାନଙ୍କୁ ଦମନ କରିବାର ଶୈଳୀ ମଧ୍ୟ ଭିନ୍ନ। ବର୍ତ୍ତମାନ ସଂକ୍ରାମକ ରୋଗ ବ୍ୟାପୁଥିବାରୁ ସାଧାରଣ ଲୋକଙ୍କ ମନରେ ଧାରଣା ଯେ ଆଣ୍ଟିବାୟୋଟିକ୍କୁ ଖାଇଲେ ଆମେ ସୁସ୍ଥ ହୋଇଯିବୁ। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା। କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ୍କୁ ବ୍ୟବହାର କରାଯିବ ଏବଂ ଡୋଜ୍ଟି କିଭଳି ସମ୍ପୂର୍ଣ୍ଣ କରାଯିବ ସେଥିଲାଗି ଡାକ୍ତରଙ୍କ ପରାମର୍ଶ ନିତାନ୍ତ ଆବଶ୍ୟକ।
Bullet : ୨୦୨୭ ଅଗଷ୍ଟ ୧୫ରେ ଚାଲିବ ବୁଲେଟ୍ ଟ୍ରେନ
ପ୍ରଶ୍ନ: ଆଣ୍ଟିବାୟୋଟିକ୍ର ଡୋଜ୍କୁ ସମ୍ପୂର୍ଣ୍ଣ କରିବା କେତେ ଜରୁରି?
ଉତ୍ତର: ଡାକ୍ତରଙ୍କ ପରାମର୍ଶ ମୁତାବକଆଣ୍ଟିବାୟୋଟିକ୍ ସେବନ କରିବାକୁ ହେବ। ଆଣ୍ଟିବାୟୋଟିକ୍ ଶକ୍ତିଶାଳୀ ଔଷଧ ହୋଇଥିବାରୁ ଏହା ଶରୀର ଉପରେ ତୁରନ୍ତ ପ୍ରତିକ୍ରିୟା ଦେଖାଇଥାଏ। ଏଣୁ ଡୋଜ୍ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଶରୀର ସୁସ୍ଥ ହୋଇଗଲା ଭାବି ବହୁ ରୋଗୀ ଏହାକୁ ଅଧାରୁ ବନ୍ଦ କରିଦିଅନ୍ତି। ଏହାର ନକାରାତ୍ମକ ପ୍ରଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରେ। ବ୍ୟାକ୍ଟେରିଆର ମୂଳୋତ୍ପାଟନ ବଦଳରେ ଏହା ଅଧିକ ଶକ୍ତିଶାଳୀ ହୋଇଯାଏ। ଫଳରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ। କିଛି କ୍ଷେତ୍ରରେ ରୋଗୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିଭଳି ଓଭରଡୋଜ୍ ଦ୍ବାରା ଆମ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।
ପ୍ରଶ୍ନ: ଭୁଲ୍ ଆଣ୍ଟିବାୟୋଟିକ୍ର ବ୍ୟବହାର ଦ୍ବାରା କ’ଣ ସବୁ ଅସୁବିଧା ହୋଇଥାଏ?
ଉତ୍ତର: ଏହା ଜୀବନ ନେଇପାରେ। ଯଦି ଫଙ୍ଗସ୍ଜନିତ ରୋଗ ହୋଇଥାଏ, ତେବେ ଆଣ୍ଟିବାୟୋଟିକ୍ ଗ୍ରହଣ କଲେ ଏହା କାମ କରିବ ନାହିଁ। ଏଥିପାଇଁ ରୋଗୀଙ୍କୁ ଆଣ୍ଟିଫଙ୍ଗାଲ୍ ଗ୍ରହଣ କରିବାକୁ ହେବ, କୌଣସି ଭାଇରସ୍ ସଂକ୍ରମଣ ହେଲେ ରୋଗୀଙ୍କୁ ଆଣ୍ଟି ଭାଇରାଲ୍ ଗ୍ରହଣ କରିବାକୁ ହେବ। ବ୍ୟାକ୍ଟେରିଆ, ଫଙ୍ଗସ୍ ଓ ଭାଇରସ୍ ଆଦି ଭିନ୍ନ ବର୍ଗର। ଏସବୁର ନିଦାନ ଆଣ୍ଟିବାୟୋଟିକ୍ ଦ୍ବାରା ସମ୍ଭବ ବୋଲି ଆମ ଭିତରେ ଥିବା ଭୁଲ୍ ଧାରଣାକୁ ଦୂରେଇବାକୁ ପଡ଼ିବ। କାରଣ ନିର୍ଦ୍ଦିଷ୍ଟ ରୋଗକୁ ନିୟନ୍ତ୍ରଣ କରିବା ଲାଗି ଆମକୁ ନିର୍ଦ୍ଦିଷ୍ଟ ବର୍ଗର ଔଷଧ ସେବନ କରିବାକୁ ହେବ। ଏ ନେଇ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଉଦ୍ବେଗ ମଧ୍ୟ ପ୍ରକାଶ କରିଛନ୍ତି। ଆଣ୍ଟିବାୟୋଟିକ୍ର ବ୍ୟବହାର ନେଇ ଆମକୁ ସଚେତନ ହେବାକୁ ପଡ଼ିବ।
ପ୍ରଶ୍ନ: ଏଏମ୍ଆର୍ ୨.୦ର ରିପୋର୍ଟ କାହିଁକି ଦେଶରେ ଆଲୋଡ଼ନ ସୃଷ୍ଟି କରିଛି?
ଉତ୍ତର: ଆଇସିଏମ୍ଆର୍ ପକ୍ଷରୁ ଗବେଷଣା କରାଯାଇ ନ୍ୟାସନାଲ ଆକ୍ସନ୍ ପ୍ଲାନ୍: ଆଣ୍ଟି ମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବା ଏମ୍ଆର୍ ୨.୦ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏହାର ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ। ନିମୋନିଆ ଓ ୟୁଟିଆଇ ରୋଗୀ ସଂଖ୍ୟା ଗୁରୁତର ଭାବେ ବଢ଼ିଚାଲିଛି। ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ସେବନ, ଗୁରୁତର ପ୍ରଭାବ ପକାଉଛି। ବ୍ୟାକ୍ଟେରିଆମାନେ କିଛି ସମୟ ପାଇଁ ଦବି ଯାଇଥାନ୍ତି। ଭୁଲ୍ ଆଣ୍ଟିବାୟାଟିକ୍ ବ୍ୟବହାର ଦ୍ବାରା ଏହା ଅଧିକ ଶକ୍ତିଶାଳୀ ହୋଇ ଫେରିଥାନ୍ତି। ଶରୀର ଆଣ୍ଟିବାୟାଟିକ୍ ରେଜିଷ୍ଟାନ୍ସ ହେବା ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ବ୍ୟାକ୍ଟେରିଆକୁ ପ୍ରତିହତ କରିବା ଲାଗି ଆମ ପାଖରେ ଥିବା ଆଣ୍ଟିବାୟୋଟିକ୍ଗୁଡ଼ିକ କ୍ଷମତା ହରାଇ ବସିଛନ୍ତି। ଭୁଲ୍ ଆଣ୍ଟିବାୟୋଟିକ୍ ସେବନ କରି ପ୍ରତିବର୍ଷ ବିଶ୍ବରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସିଧାସଳଖ କହିବାକୁ ଗଲେ ବ୍ୟାକ୍ଟେରିଆ ଶକ୍ତିଶାଳୀ ହେଉଛି ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି କମୁଛି।
ପ୍ରଶ୍ନ: ଆଣ୍ଟିବାୟୋଟିକ୍ ସେବନ ସମ୍ପର୍କିତ କେଉଁ ସବୁ ନିୟମାବଳୀ ପାଳନ କରିବାକୁ ପଡ଼ିବ?
ଉତ୍ତର: ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ରୋଗର ଚିହ୍ନଟ। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍ ଗ୍ରହଣ କରିବାକୁ ହେବ। ବିନା ପ୍ରେସ୍କ୍ରିପ୍ସନ୍ରେ ଏହାକୁ ଗ୍ରହଣ କରିବା ଅନୁଚିତ। ଆମେ ଯଦି ଆଣ୍ଟିବାୟୋଟିକ୍ ନେଉଛେ, ତେବେ ଏହାକୁ ଗୁରୁତ୍ବର ସହିତ ଖାଇବାକୁ ପଡ଼ିବ। ନିର୍ଦ୍ଧାରିତ ସମୟ ଅନୁଯାୟୀ ଡୋଜ୍କୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ଏନେଇ ସଚେତନତା ଆରମ୍ଭ କରାଯାଇଛି।
Follow Us