ଭୁବନେଶ୍ବର: ଗତ ୨୩ ତାରିଖର ଘଟଣା। ମୁମ୍ବାଇରୁ ବିମାନ ଯୋଗେ ଭୁବନେଶ୍ବର ଫେରୁଥିଲେ ପ୍ରିୟଙ୍କା ମୁନି। ବିମାନ ବିଳମ୍ବ ହେବାରୁ ରାତି ପ୍ରାୟ ୧୧ଟା ୪୫ରେ ଆସି ଭୁବନେଶ୍ବରରେ ସେ ପହଞ୍ଚିଲେ। ବମିଖାଲ୍‌ ଯିବା ପାଇଁ କ୍ୟାବ୍‌ ବୁକ୍‌ କଲେ। ବିମାନବନ୍ଦରରୁ ବମିଖାଲ୍‌ ଯିବା ପାଇଁ ୩୦୯ ଟଙ୍କା ପଡ଼ିବ ବୋଲି କ୍ୟାବ୍‌ ଆପ୍‌ରେ ତାଙ୍କୁ ଦେଖାଇଲା। ହେଲେ ଉକ୍ତ କ୍ୟାବ୍‌ ଚାଳକ ତାଙ୍କୁ ଫୋନ୍‌ କରି ୫୦ କି ୧୦୦ ଟଙ୍କା ନୁହେଁ, ଅତିରିକ୍ତ ୩୦୦ ଟଙ୍କା ଅର୍ଥାତ୍‌ ଦ୍ବିଗୁଣ ଅଧିକ ଭଡ଼ା ଦେବାକୁ କହିଥିଲେ। ପ୍ରିୟଙ୍କା ଏହାର କାରଣ ପଚାରିବାକୁ ଚାଳକ ଜଣକ କହିଲେ, ‘ରାତି ହେଲାଣି। ଏଣୁ ଫେରିଲା ବେଳକୁ ଭଡ଼ା ମିଳିନପାରେ। ଏଣୁ ଆପଣ ଉଭୟ ଯିବା ଆସିବା ଭଡ଼ା ଦେବେ।’ ପ୍ରିୟଙ୍କା ଏହା ଶୁଣି ଅପେକ୍ଷା କରିବାକୁ କହି ବିମାନବନ୍ଦର ବେଲ୍ଟରୁ ନିଜ ବ୍ୟାଗ୍‌ ସଂଗ୍ରହରେ ଲାଗିଗଲେ। ହେଲେ କ୍ୟାବ୍‌ ଚାଳକ ସେ ସମୟ ମଧ୍ୟରେ ରାଇଡ୍‌କୁ କ୍ୟାନ୍‌ସଲ୍‌ କରିଦେଇଥିଲେ ଏବଂ କ୍ୟାବ୍‌ କମ୍ପାନି ପକ୍ଷରୁ କ୍ୟାବ୍‌ କ୍ୟାନ୍‌ସଲ୍‌ ବାବଦକୁ ପ୍ରିୟଙ୍କାକୁ ୫୦ ଟଙ୍କା ଫାଇନ୍‌ କଷି ଦିଆଯାଇଥିଲା। କ୍ୟାବ୍‌ ଆପ୍‌ରେ ଏହାକୁ ନେଇ ସେ ଅଭିଯୋଗ ଉଠାଇବାକୁ, କମ୍ପାନି ପକ୍ଷରୁ ଫାଇନ୍‌ ପକାଇବାକୁ ଯଥାର୍ଥ ବୋଲି ଯୁକ୍ତି ବଢ଼ାଯାଇଥିଲା। 
ତେବେ କେବଳ ‌ଏହି ଗୋଟିଏ ଘଟଣା ନୁହେଁ, ନିଇତି ଦ୍ବୈତନଗରୀରେ ଏହିଭଳି ଭାବେ ଶୋଷଣ ଚଳାଇଛନ୍ତି କ୍ୟାବ୍‌ ଚାଳକମାନେ। ସଂଧ୍ୟା ହେଉ ହେଉ ଦର ବଢ଼ିଯାଉଛି ୫୦ରୁ ୧୦୦ ଟଙ୍କା। ଯୁକ୍ତି କଲେ, ସେମାନେ ରାଇଡ୍‌ କ୍ୟାନ୍‌ସଲ୍‌ କରି ଦେଉଛନ୍ତି। ଆଉ ଗ୍ରାହକଙ୍କ ଉପରେ ସେହି କ୍ୟାନ୍‌ସଲ୍‌ ଫାଇନ୍‌ ପଡ଼ୁଛି। ଯାହାକି କମ୍ପାନି ପକ୍ଷରୁ ସେମାନଙ୍କ ପରବର୍ତ୍ତୀ ରାଇଡ୍‌ରେ ଯୋଡ଼ି ଦିଆଯାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ବ୍ୟକ୍ତ କରାଯାଉଥିଲେ ବି କୌଣସି ପଞ୍ଜୀକୃତ କ୍ୟାବ୍‌ କମ୍ପାନି ଏ ନେଇ ଦୃଷ୍ଟି ଦେଉନାହାନ୍ତି। ଫଳରେ ରାଜଧାନୀକୁ ବିଳମ୍ବିତ ରାତିରେ ଫେରୁଥିବା ବା ଅନ୍ୟ କେଉଁଠାକୁ ଯାଉଥିବା ଯାତ୍ରୀଙ୍କ ସହ ବରିଷ୍ଠ ନାଗରିକ, କର୍ମଜୀବୀ ମହିଳା ଓ ନିଜର ଗାଡ଼ି ନଥିବା ନାଗରିକମାନେ ନିୟମିତ ଏହି ଶୋଷଣର ଶୀକାର ହେଉଛନ୍ତି।

Advertisment

The water bottle : ପାଣି ବୋତଲ ଶୋଷ ମେଣ୍ଟାଉଛି, ଷ୍ଟାଇଲିସ୍‌ ବି ଲାଗୁଛି

 
ରାତି ହେଉ ବା ବଡ଼ି ଭୋର୍‌ରୁ ଅବା ଭିଡ଼ ସମୟରେ ଲୋଡ଼ା ପଡ଼େ ଜରୁରୀକାଳୀନ ଯାତାୟତ ‌ସେବା। ଆଖପାଖରେ ବସ୍‌, ଅଟୋ ଅବା ଭଡ଼ା ଗାଡ଼ି ଉପଲବ୍ଧ ନ ହେଲେ, ‌ସୁରକ୍ଷା ଦୃଷ୍ଟିରୁ ବିଧିବଦ୍ଧ ପଞ୍ଜିକୃତ କ୍ୟାବ୍‌ କମ୍ପାନି ଉପରେ ଲୋକେ ଭରସା କରନ୍ତି। ଏହି କମ୍ପାନିମାନେ ୨ ମିନିଟ୍‌ରେ ଯାତାୟତ ସେବାଠାରୁ ଆରମ୍ଭ କରି ଗ୍ରାହକ ଅନୁକୂଳ ସେବା ଯୋଗାଉଥିବା ନେଇ ବଡ଼ ବଡ଼ ସ୍ଲୋଗାନ ଦେଉଥିବା ବେଳେ ଏକ ତରଫା ଯାତ୍ରା ଦ୍ବାରା ଗ୍ରାହକମାନେ ଆର୍ଥିକ ସ୍ତରରେ ଉପକୃତ ହେଉଥିବା ବିଜ୍ଞାପିତ କରୁଛନ୍ତି। ହେଲେ ବାସ୍ତବରେ ତୃଣମୂଳ ସ୍ତରରେ ଏହାର ବାସ୍ତବତା ଭିନ୍ନ। ଦୁର୍ଗାପୂଜା, ମେଳା ମହୋତ୍ସବ ହେଉ ବା ରାତିରେ ଜରୁରିକାଳୀନ ସେବା ଯଥା ଡାକ୍ତରଖାନା ଯିବା ହେଉ ଅଥବା ରାତି କିମ୍ବା ସକାଳ ୮ଟା ପୂର୍ବରୁ କେଉଁଆଡ଼େ ଯିବାକୁ ଥିଲେ, ଏହି କ୍ୟାବ୍‌ କମ୍ପାନିମାନେ ନାହିଁ ନଥିବାରୁ ଶୋଷଣ କରନ୍ତି। ଚାଳକମାନଙ୍କର ଅତିରିକ୍ତ ଡିମାଣ୍ଡକୁ ନେଇ ଆପତ୍ତି ଉଠାଇଲେ, ଗୋଟିଏ ପରେ ଗୋଟିଏ କରି ପଛକୁ ପଛ ସମସ୍ତ ଚାଳକ ନିଜ ରାଇଡ୍‌ କ୍ୟାନ୍‌ସଲ୍‌ କରି ଦେଉଛନ୍ତି। ଫଳରେ ଗ୍ରାହକ ଠିକ୍‌ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ତ’ ପାରେନା, ଓଲଟା କ୍ୟାବ୍‌ କମ୍ପାନିକୁ ୫୦ ଟଙ୍କା ଅଯଥା ଜରିମାନା ଭରିବାକୁ ପଡ଼େ। 

ରାଜଧାନୀରେ ଲୋକମାନଙ୍କ ଯାତାୟତ ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ‘ଆମ ବସ୍‌’ ସେବା। ହେଲେ ରାତି ୧୦ଟା ପରେ ଏହି ଅତ୍ୟାଧୁନିକ ଆମ ବସ୍‌ ସେବା ବନ୍ଦ ରହୁଛି। ସେହିଭରି ଇ-ରିକ୍ସା ମଧ୍ୟ ସଂଧ୍ୟା ୬ଟା ପରେ ବନ୍ଦ। ବେସରକାରୀ ଗାଡ଼ି ସବୁ ନିୟମ ଅନୁସାରେ, ଓଭର୍‌ବ୍ରିଜ୍‌ ଉପରେ ଯାଆନ୍ତି। ଫଳରେ ରାଜଧାନୀବାସୀ ଅଧିକ ଭଡ଼ା ଦେଇ ଘରୋଇ ଅଟୋ, ଟାକ୍ସି ଆଦିରେ ଯିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ କ୍ଲିକ୍‌ରେ କ୍ୟାବ୍‌ ଆସିବ ଭାବି ସମସ୍ତେ କ୍ୟାବ୍‌ ବୁକ୍‌ କଲାବେଳକୁ କେବଳ ଶୋଷଣର ହିଁ ଶୀକାର ହେଉଛନ୍ତି।

Utkal sangeet College: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ବନ୍ଧାହେଲେ ଡ୍ରାମା ଅଧ୍ୟାପକ

 
ଏନେଇ ପରିବହନ କମିସନର୍‌ ଅମିତାଭ୍‌ ଠାକୁର କହିଛନ୍ତି, ପରିବହନ ବିଭାଗର ପ୍ରଚଳିତ ନୀତି ଅନୁଯାୟୀ ବିଭିନ୍ନ କ୍ୟାବ୍‌ କମ୍ପାନି ଆମଠାରୁ ବାଣିଜ୍ୟିକ ଯାନ ଚଳାଇବା ପାଇଁ ଲାଇସେନ୍ସ ନେଇଥା’ନ୍ତି। କିନ୍ତୁ ସେମାନେ ଗ୍ରାହକଙ୍କୁ କେତେ ଭଡ଼ା ମାଗିବେ ତା’ ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ସେମାନେ ଆପ୍‌ରେ ଦେଖାଉଥିବା ଭଡ଼ାଠାରୁ ଗ୍ରାହକଙ୍କଠାରୁ ଅଧିକ ଭଡ଼ା ଅସୁଲ କରିବା ବେଆଇନ୍‌। ଏହାକୁ ନେଇ ଜଣେ ଗ୍ରାହକ ଥାନାର ଦ୍ବାରସ୍ଥ ହୋଇପାରିବ ବା ପରିବହନ ବିଭାଗକୁ ଅଭିଯୋଗ କରିପାରିବ। ଏହା ଗ୍ରାହକଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥିବା ସେ କହିଛନ୍ତି।