ଭୁବନେଶ୍ବର: ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ବାଇଁ ଚର୍ଚ୍ଚା, ଅବା ଘରକୁ ଅତିଥି ଆସିଲେ ପାଦ ପ୍ରକ୍ଷାଳନ ପାଇଁ... ଆମ ଓଡ଼ିଆ ଘରେ କଂସା ଓ ପିତ୍ତଳ ବାସନର ପ୍ରଚଳନ ଖୁବ୍ ପୁରୁଣା। ଝିଅ ଶାଶୂଘର ଗଲା ବେଳେ ସଜରେ କଂସା ଓ ପିତ୍ତଳ ସାମଗ୍ରୀର ସ୍ବତନ୍ତ୍ର ସ୍ଥାନ ରହିଥାଏ। ଏହି ସବୁ ବାସନ ଦେଖିବାକୁ ଯେତିକି ଆକର୍ଷଣୀୟ, ଏହାର ଔଷଧୀୟ ଗୁଣ ବି ସେତିକି। କିନ୍ତୁ କାଳକ୍ରମେ ଷ୍ଟିଲ୍ ଓ ଚିନାମାଟି ବାସନର ବ୍ୟବହାର ଭିତରେ ଏହି ଭାରି ଓ ପାରମ୍ପରିକ କଂସା, ପିତ୍ତଳର ବ୍ୟବହାର ବହୁ ମାତ୍ରାରେ କମିଯାଇଛି। ଏବେ ରାଜଧାନୀର ବିଭିନ୍ନ ରେସ୍ତୋରାଁ, ଧନୀକ ଶ୍ରେଣୀୟ ପରିବାରରେ ଏହି କଂସା, ପିତ୍ତଳର ଚାହିଦା ବଢ଼ୁଥିବା ଦେଖିବାକୁ ମିଳୁଛି। ସହରୀ ସଭ୍ୟତାରେ ଏହା ଧୀରେଧୀରେ ଫେରିବା ଆରମ୍ଭ କରିଛି। ଓଡ଼ିଶାର କଂସା ଓ ପିତ୍ତଳ କାମର ସ୍ବାତନ୍ତ୍ର୍ୟ ଥିବାରୁ ୨୦୨୨ ମସିହାରୁ ଏହାର ଜିଆଇ ମାନ୍ୟତା ପାଇଁ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି।
Woman Attempts Death ଗୁରାଣ୍ଡି ଥାନା ଅଧିକାରୀଙ୍କ ଆପତ୍ତିଜନକ ଆଚରଣ ପ୍ରତିବାଦରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଉଚ୍ଚାଦର ସତ୍ତ୍ବେ ବଢ଼ୁଛି ଆଦର
ଗତ ୬/୭ ବର୍ଷ ହେବ, ବଜାରକୁ ପୁଣିଥରେ କଂସା ବାସନର ଚାହିଦା ଫେରିଛି। ବିଶେଷକରି ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ରାଜଧାନୀ ଓ ରାଜ୍ୟର ଅନ୍ୟ କିଛି ସହରରେ ଥିବା ଛୋଟବଡ଼ ହୋଟେଲଗୁଡ଼ିକ କଂସା-ପିତ୍ତଳ ବାସନରେ ଲୋକଙ୍କୁ ଖାଦ୍ୟ ପରଷିବା ଆରମ୍ଭ କରିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ବଢ଼ିଛି। ହୋଟେଲରେ କଂସା ବାସନରେ ଭାତ, ଡାଲିଠାରୁ ଆରମ୍ଭ କରି ମାଛ, ମାଂସ ଆଦି ସୁନ୍ଦର ଭାବେ ପରଷାଯିବା ଲୋକଙ୍କ ମନକୁ ପାଇଛି। ତେଣୁ ବହୁ ସଂଖ୍ୟାରେ ଲୋକେ ଏବେ ତାହାକୁ ଦୈନନ୍ଦିନ ଜୀବନରେ ଆଦରି ନେଲେଣି। ବ୍ୟବସାୟୀ କହିଛନ୍ତି, ୨୦୧୨-୧୩ ପର୍ଯ୍ୟନ୍ତ କଂସା ବାସନ ଅଳ୍ପ ବହୁତେ ବିକ୍ରି ହେଉଥିଲା। କିନ୍ତୁ ପରେ ବେପାର ପୂରା ମାନ୍ଦା ହୋଇଯାଇଥିଲା। ୨୦୨୦ ମସିହା ପର୍ଯ୍ୟନ୍ତ କଂସା, ପିତ୍ତଳ ବାସନ ବିକ୍ରିରେ ସେତେଟା ଲାଭ ହେଉ ନଥିଲା। କରୋନା ପରେ କିନ୍ତୁ ବଜାରର ମିଜାଜ୍ବଦଳିଯାଇଛି। ବିକ୍ରିବଟା ପୁଣି ବଢ଼ିଛି। କିନ୍ତୁ କଂସା କେଜି ପିଛା ଦାମ୍ଅଧିକ ଥିବାରୁ ଇଚ୍ଛା ଥିଲେ ବି ବହୁ ଲୋକ କିଣି ପାରୁନାହାନ୍ତି। କଂସା କେଜି ଏବେ ୧୫୦୦ ଟଙ୍କାରୁ ଅଧିକ ରହିଛି। କଂସା ଥାଳି, ଗିନା, ଛୋଟ ପ୍ଲେଟ୍ଓ ଗ୍ଲାସ୍ଥିବା ଗୋଟିଏ ସେଟ୍କିଣିବା ପାଇଁ ଅତି କମ୍ରେ ୫ ହଜାର ଟଙ୍କା ପଡ଼ୁଛି। ଏବେ ଅଧିକ କଂସା ତିଆରି ବୋତଲ, ଜଗ୍ଓ ଗ୍ଲାସ୍ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି।
/filters:format(webp)/sambad/media/media_files/2025/12/02/untitled-30-2025-12-02-08-55-29.jpg)
କଂସା ଉଦରକୁ ଶାନ୍ତ ରଖେ
କଂସା ବାସନ ତମ୍ବା ଓ ଦସ୍ତାର ସମ୍ମିଶ୍ରଣରୁ ତିଆରି ହୋଇଥିବା ବେଳେ କଂସା ବାସନରେ ଖାଇଲେ ଖାଦ୍ୟରେ ଆପେ ସୁକ୍ଷ୍ମଜୀବରୋଧୀ ତତ୍ତ୍ବ ବିକଶିତ ହୋଇଥାଏ। ଫଳରେ ଉଦରରେ ବିକଶିତ ହେଉଥିବା ଜୀବାଣୁକୁ ଏହା ନଷ୍ଟ କରି ଖାଦ୍ୟତତ୍ତ୍ବକୁ ବଢ଼ାଇଥାଏ। କଂସା ବାସନରେ ରନ୍ଧାଖାଦ୍ୟ ହଜମ ଶକ୍ତି ବଢ଼ାଇବା ସହ ଶରୀରର ପିଏଚ୍ ସ୍ତର ସନ୍ତୁଳିତ କରିଥାଏ। ଏଥିସହ ଖାଦ୍ୟ ଦ୍ବାରା ଶରୀର ଭଲ ଭାବେ ପୋଷକତତ୍ତ୍ବ ଶୋଷଣ କରିପାରେ। ଏଥିରେ ଥିବା ଦସ୍ତା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥିକୁ ସଶକ୍ତ କରେ। କଂସା ବାସନରେ ରୋଷେଇ କରିବା ସମୟରେ ଏହା ପ୍ରାକୃତିକ ତୈଳ ଛାଡ଼ିଥାଏ। ଫଳରେ ଖାଦ୍ୟରେ ସ୍ବାଦ ଓ ଫ୍ଲେବର୍ ଯୋଡ଼ି ହୋଇଥାଏ। କଂସା ବାସନରେ ରୋଷେଇ କରିବା ଓ ଖାଇବା ଉଦରକୁ ଶାନ୍ତ ରଖିଥାଏ।
Mother: ‘ଆଦିଶକ୍ତିର ଅନ୍ୟତମ ଅଂଶ ହେଉଛନ୍ତି ମା’
ସୁଦର୍ଶନଙ୍କ ସଂଗ୍ରହାଳୟରେ କଂସା-ପିତ୍ତଳର ଅପୂର୍ବ ସଂଗ୍ରହ
ଏହି କଂସା, ପିତ୍ତଳ କାରିଗରୀ ଓ ଐତିହ୍ୟକୁ ସଂରକ୍ଷଣ ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁ ଜାଗମରାସ୍ଥିତ ନିଜ ଘରେ ନିଜ ଉଦ୍ୟମରେ ଖୋଲିଛନ୍ତି ‘ଗୋପୀନାଥ ସାହୁ ଐତିହ୍ୟ କଂସା, ପିତ୍ତଳ କଳାକୃତି ସଂଗ୍ରହାଳୟ’। ତାଙ୍କ ସଂଗ୍ରହାଳୟରେ ରହିଛି ୪ ହଜାରରୁ ଅଧିକ କଂସା ବାସନ, ବାସ୍ତୁ ସାମଗ୍ରୀ ଓ ଅବହେଳିତ ଧାତୁ କଳାକୃତି। ଏଥିସହ ୧ ହଜାରରୁ ଅଧିକ ଲୁପ୍ତପ୍ରାୟ ଆଦିବାସୀ ଅଳଙ୍କାର ଓ ବ୍ୟବହାର ଉପକରଣ। ସେ ୩୮ ବର୍ଷ ଧରି ଏସବୁ ସଂଗ୍ରହ କରିଚାଲିଛନ୍ତି।
ରାଜାରାଜୁଡ଼ା ବ୍ୟବହାର କରୁଥିବା ଅଧିକାଂଶ ସାମଗ୍ରୀ ପିତ୍ତଳ ଓ କଂସାରେ ହିଁ ନିର୍ମିତ ହେଉଥିଲା। ଏହା ସୁନେଲି ରଙ୍ଗର ହୋଇଥିବାରୁ ଏକ ସମ୍ଭ୍ରାନ୍ତଶ୍ରେଣୀୟ ଠାଣି ବି ଦେଉଥିଲା। ରାଜାମାନେ ପିଠି କୁଣ୍ଡାଇବା ପାଇଁ ପିତଳ ହାତ ସଦୃଶ ପିଠି ରମ୍ପା ସେ କାଳରେ ବ୍ୟବହାର କରୁଥିଲେ। ସୁଦର୍ଶନଙ୍କ ସଂଗ୍ରହାଳୟରେ ଏହା ଦେଖିବାକୁ ମିଳେ। ଏଥିସହ ଗାଧୋଇବା ବେଳେ ବ୍ୟବହୃତ ପିତ୍ତଳ ତିଆରି ସ୍କ୍ରବର (ଦେହ ରେଣ୍ଠା), ନିଆଁ ପୁଆଇଁବା ପାଇଁ ବ୍ୟବହାର ହେଉଥିବା ପିତ୍ତଳର ଉମେହିଁ, ରାଜାମାନେ ପଖାଳ ଖାଉଥିବା ୫ ସେରର ପଖାଳ କଂସା, ଚିଠିରଖା ପିତ୍ତଳ ବାକ୍ସ, ଘୋଡ଼ା ଅଙ୍କୁଶ, ରାଣୀମାନଙ୍କ ବାଜୁବନ୍ଧ, ବାଘ, ହାତୀ, ମେଣ୍ଢା, ହରିଣ ମୁଣ୍ଡ ଲାଗିଥିବା ବଙ୍କୁଲି ବାଡ଼ି, ପାରିଧି (ସୁରାପାନ ପାଇଁ ବ୍ୟବହୃତ ପାତ୍ର), ରାଜକୀୟ ତଥା ସମ୍ଭ୍ରାନ୍ତଶ୍ରେଣୀୟ ଖେଳଣା ଯଥା, ସବାରି, ପାଲିଙ୍କି, ତୁଳସୀ ଚଉରା, ଚୁଲି, ଢିଙ୍କି, ପନିକି, ଶିଳ, ଶିଳପୁଆ, ଗିଲାସ, ଛୋଟଛୋଟ ହଣ୍ଡା, ହାଣ୍ଡି, ପିତ୍ତଳ ତିଆରି ବିଭିନ୍ନ ପ୍ରକାରର ପରିବା, ମାଛ, ମୃଗ, କଇଁଛ, ଓଟ ଭଳି ଭିନ୍ନ ଭିନ୍ନ ପ୍ରକାରର ପଶୁପକ୍ଷୀ ଆଦି ବହୁ ପୁରୁଣା କାଳର ଜିନିଷ ସୁଦର୍ଶନ ସଂଗ୍ରହ କରି ତାଙ୍କ ସଂଗ୍ରହାଳୟରେ ସାଇତିଛନ୍ତି। ଏଥିସହ ଏଠାରେ ରହିଛି ରାଜାଘରେ ବ୍ୟବହୃତ ହେଉଥିବା ଠାକୁରଙ୍କ ପାଇଁ ବିଛଣା, କଳସ, ଶଙ୍ଖ ଓ ରୁଖା ଇତ୍ୟାଦି। ଏହାଛଡ଼ା ରାଜାଙ୍କ ଯୁଦ୍ଧଯାତ୍ରାର ବୀର କାହାଳୀ, ସୈନ୍ୟ ଛାଉଣୀର ବିଶାଳ ମଶାଲ, ରାଣୀଙ୍କ କଂସା-ପିତ୍ତଳ ଦର୍ପଣ। ଏଥିସହ ରାଜାଘର ଅମାର, କଚେରୀ ଘର, ସରଘରରେ ବ୍ୟବହୃତ ହେଉଥିବା ୫ ସେର ଓଜନର ପିତ୍ତଳ ନଳୀ, ତାଲା ଆଦି ଦେଖିଲେ; ସେଇ ପୁରୁଣା ଯୁଗକୁ ଫେରିଗଲା ଭଳି ଲାଗେ।
/filters:format(webp)/sambad/media/media_files/2025/12/02/untitled-31-2025-12-02-08-56-30.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/untitled-29-2025-12-02-08-54-34.jpg)