ସିଡନୀ: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ଠାରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ‘ହାନୁକା’ ଉତ୍ସବରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ଶିଶୁ ଅଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ ବର୍ଷରୁ ୮୭ ବର୍ଷ ବର୍ଗର ଲୋକ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଡନୀରେ ହୋଇଥିବା ଏହି ବର୍ବର ଆକ୍ରମଣ ପଛରେ ପାକିସ୍ତାନର ବାପା ଓ ପୁଅ ଯୋଡ଼ି ରହିଛନ୍ତି। ୫୦ ବର୍ଷୀୟ ସାଜିଦ୍ ଆକ୍ରମର ପୁଲିସ ଗୁଳିରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସାଜିଦ୍ର ୨୪ ବର୍ଷୀୟ ପୁଅ ନବିଦ ଆକ୍ରମ ପୁଲିସ ଗୁଳିରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ନବିଦର ସ୍ଥିତି ଗୁରୁତର ରହିଥିବାବେଳେ ପୁଲିସ ତା’ ଉପରେ କଡ଼ା ନଜର ରଖିଛି। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଅନ୍ୟ କୌଣସି ଆତଙ୍କବାଦୀଙ୍କ ସମ୍ପୃକ୍ତି ନଥିବା ଅଷ୍ଟ୍ରେଲିଆ ପୁଲିସ ସ୍ପଷ୍ଟ କରିଛି। ସାଜିଦର ଗାଡ଼ିରୁ ଆଇଏସ୍ଆଇଏସ୍ ଆତଙ୍କବାଦୀ ସଙ୍ଗଠନର ପତାକା ଓ ବିସ୍ଫୋରକ ମିଳିଛି। ସିଡନୀର ବନିରିଗ୍ସ୍ଥିତ ସାଜିଦ ଘରେ ଚଢ଼ଉ କରାଯାଇଛି। ସାଜିଦ ୧୯୯୮ରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଆସିଥିଲା। ୨୦୦୧ରେ ତାକୁ ସ୍ଥାୟୀ ଭିସା ମିଳି ଯାଇଥିଲା। ଏହା ପରଠାରୁ ସେ ତିନିଥର ବିଦେଶ ଯାତ୍ରା କରିସାରିଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହିତ ଏହାକୁ ଇହୁଦୀ ବିରୋଧୀ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ ଏପରି ସମୟରେ ଦେଶବାସୀଙ୍କୁ ଏକାଠି ରହିବାକୁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କୁ ଘୃଣା ଏବଂ ଆତଙ୍କ ବିରୋଧରେ ଏକତ୍ରିତ ହେବାକୁ ପଡ଼ିବ ବୋଲି କହିଛନ୍ତି।
Developed India: ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଆଗତ
ଅଷ୍ଟ୍ରେଲିଆରେ ରହୁଥିବା ଇହୁଦୀ ସମ୍ପ୍ରଦାୟ ‘ହାନୁକା’ ଉତ୍ସବ ପାଳନ ପାଇଁ ରବିବାର ସନ୍ଧ୍ୟାରେ ବଣ୍ଡି ବେଳାଭୂମିଠାରେ ଏକତ୍ରିତ ହୋଇଥିଲେ। ପାଖାପାଖି ୧୦୦୦ ଲୋକ ସେଠାରେ ଉପସ୍ଥିତ ଥିବାବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁ ଉତ୍ସବସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଭୟରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁ ସାଉଥ ୱେଲ୍ସ ପୁଲିସ କମିସନର ମାଲ୍ ଲାନିୟନ ସୋମବାର କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଆଗେଇଛି। କର୍ତ୍ତୃପକ୍ଷ ଆକ୍ରମଣକାରୀ ଏବଂ ସେମାନେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ପୁଲିସ ଅନ୍ୟ କୌଣସି ସନ୍ଦିଗ୍ଧଙ୍କୁ ଖୋଜୁନାହିଁ। ଲାନିୟନସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପୁଲିସ ଘଟଣାସ୍ଥଳରୁ ଦୁଇଟି ଆଇଇଡି ଚିହ୍ନଟ କରିଥିଲା। ପରେ ବିଶେଷଜ୍ଞ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଥିଲେ। ସାଜିଦ୍ ପାଖରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରହିଥିଲା। ଛଅଟି ଅସ୍ତ୍ର ତା’ ନାଁରେ ପଞ୍ଜୀକୃତ ହୋଇଥିଲା। ଏସବୁ ଅସ୍ତ୍ରକୁ ବଣ୍ଡି ବେଳାଭୂମି ଆକ୍ରମଣରେ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। କେମିତି ଏହି ଅସ୍ତ୍ରଶସ୍ତ୍ର ସାଜିଦ୍ଙ୍କୁ ମିଳିଲା ଓ ସେମାନେ ଏହାକୁ ବ୍ୟବହାର କଲେ ସେ ସବୁ ଦିଗରୁ ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ କହିଛି। ସାଜିଦ ନିକଟରେ ୧୦ ବର୍ଷ ହେଲା ବନ୍ଧୁକ ଲାଇସେନ୍ସ ଥିବା ପୁଲିସ ସୂଚନା ଦେଇଛି। ଆକ୍ରମଣ ପଛର କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ଦୁଇଜଣ ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ଅଧିକାରୀ ଆହତ ହୋଇ ହସ୍ପିଟାଲରେ ଅଛନ୍ତି। ଉପାସନା ସ୍ଥଳରେ ଏଣିକି ପୁଲିସ ମୁତୟନ ରହିବ ବୋଲି ଲାନିୟନ କହିଛନ୍ତି।
VB-G Ram Ji: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ: ଠକେଇ ଚିହ୍ନଟ କରିବ ଏଆଇ
ଏବିସିର ଏକ ରିପୋର୍ଟ ଅନୁଯାୟୀ, ନବିଦର ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ନେଇ ପୂର୍ବରୁ ମଧ୍ୟ ତଦନ୍ତ ହୋଇଛି। ୨୦୧୯ରେ ଅଷ୍ଟ୍ରେଲିଆର ଏଏସ୍ଆଇଓ ନବିଦର ଆଇଏସ୍ଆଇଏସ୍ ସହ ସମ୍ପୃକ୍ତି ନେଇ ତଦନ୍ତ କରିଥିଲା। ସେ ଇସାକ୍ ଅଲ ମତାରି ପରି ଆତଙ୍କବାଦୀ ସହିତ ସମ୍ପର୍କରେ ଥିଲା। ନବିଦ ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବାବେଳେ ସେ ଅଷ୍ଟ୍ରେଲିଆ ନାଗରିକ।
‘ମୋ ପୁଅ ବହୁତ ଭଲ’
ଆତଙ୍କବାଦୀ ଆକ୍ରମଣର ଘଣ୍ଟାଏ ପୂର୍ବରୁ ନବିଦ ମା’ ଭେରେନାଙ୍କୁ ଫୋନ କରିଥିଲେ। ସେ ପହଁରିବାକୁ ଯାଇଥିଲେ ଏବଂ ଏବେ ଖାଇବାକୁ ଯାଉଛନ୍ତି ବୋଲି କହିଥିବା ଦ ସିଡନୀ ମର୍ଣ୍ଣିଂ ହେରାଲ୍ଡ ପ୍ରକାଶ କରିଛି। ଭେରେନା କହିଛନ୍ତି, ନବିଦ ବାପା ସାଜିଦ ଆକ୍ରମଙ୍କ ସହିତ ସପ୍ତାହାନ୍ତ ବୁଲିବା କାର୍ଯ୍ୟକ୍ରମରେ ରବିବାର ଜର୍ଭିସ ଉପକୂଳକୁ ଯାଇଥିଲେ। ସେଠାରେ ସ୍କୁବା ଡାଇଭିଂ କରିବା ଓ ପହଁରିବା ପରେ ଖାଇବାକୁ ଯାଉଥିବା କହିଥିଲେ। ପୁଲିସ ଫଳ ବ୍ୟବସାୟୀ ସାଜିଦ୍ର ବୋନିରିଗ୍ ଘରକୁ ଘେରି ରହିଥିବାବେଳେ ଭେରେନା କହିଛନ୍ତି, ଘଟଣାସ୍ଥଳରୁ ନିଆଯାଇଥିବା ଫଟୋରୁ ସେ ନିଜ ପୁଅକୁ ଚିହ୍ନି ପାରିନାହାନ୍ତି। ତାଙ୍କ ପୁଅ ଏପରି ହିଂସାରେ ସମ୍ପୃକ୍ତ ଥିବା କଥାକୁ ସେ ଖଣ୍ଡନ କରିଥିଲେ। ତାଙ୍କ ପୁଅ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ସେ କାହା ସହିତ ମିଶନ୍ତି ନାହିଁ କି ବାହାରକୁ ଯାଆନ୍ତି ନାହିଁ ବୋଲି ଭେରେନା କହିଛନ୍ତି। ଗତ ଦୁଇ ମାସ ହେଲା ପୁଅର ଚାକିରି ନଥିବାରୁ ସେ ବେକାର ଥିଲା। ତାଙ୍କ ପୁଅ ଏତେ ଭଲ ଯେ କେହି ବି ତାଙ୍କ ପରି ପୁଅ ଚାହିବେ ବୋଲି ଭେରେନା କହିଛନ୍ତି।
୬ ମିନିଟ୍ ଆଖିବୁଜା ଗୁଳି
ବିବିସିର ଏକ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ୬ ମିନିଟ୍ ଆଖିବୁଜା ଗୁଳିଚାଳନା ସମଗ୍ର ଅଷ୍ଟ୍ରେଲିଆକୁ ଥରାଇ ଦେଇଥିଲା। ବଣ୍ଡି ବେଳାଭୂମିରୁ ଉତ୍ତରାଞ୍ଚଳରେ କ୍ୟାମ୍ପବେଲ ପରେଡଠାରେ ଦୁଇ ଜଣ ବନ୍ଧୁକଧାରୀ ଏକ ପାଦଚଲା ସେତୁ ଉପରେ ଛିଡ଼ା ହୋଇ ‘ହାନୁକା’ ଉତ୍ସବ ଚାଲିଥିବା ସ୍ଥାନ ଆଡ଼କୁ ଲଗାତାର ଗୁଳିଚାଳନା କରିଥିଲେ। ପାଖାପାଖି ୩୦ ସେକେଣ୍ଡ ପରେ ଧଳା ଟ୍ରାଉଜର ପିନ୍ଧିଥିବା ଜଣେ ଆକ୍ରମଣକାରୀ ଲୋକମାନଙ୍କ ପାଖକୁ ଯାଇ ଅତି ନିକଟରୁ ଗୁଳିଚାଳନା କରିଥିଲେ। ୨ ମିନିଟ ୫୦ ସେକେଣ୍ଡ ପରେ ଜଣେ ବ୍ୟକ୍ତି ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ। ଭିଡିଓରେ ଦେଖାଯାଉଛି ଯେ ସମ୍ପୃକ୍ତ ବ୍ୟକ୍ତି ବନ୍ଧୁକଧାରୀଙ୍କୁ ପଛପଟରୁ ଧରି ପକାଇବା ସହିତ ତାଙ୍କ ବନ୍ଧୁକ ଛଡ଼େଇବାକୁ ଚେଷ୍ଟା କରିଥିଲେ। ଆକ୍ରମଣକାରୀ ହାତରୁ ବନ୍ଧୁକ ଖସି ପଡ଼ିଥିଲା ଓ ସେ ଏକ ଗଛ ପଛରେ ଲୁଚିବାକୁ ଚେଷ୍ଟା କରିଥିଲା। ଏହାର ଗୋଟିଏ ମିନିଟ ପରେ ଧଳା ଟ୍ରଉଜର ପିନ୍ଧିଥିବା ବ୍ୟକ୍ତି ପୁଣିଥରେ ସେହି ସେତୁ ଉପରୁ ଅନ୍ୟ ଏକ ଅସ୍ତ୍ରରେ ଗୁଳିଚାଳନା କରିବାର ଦେଖିବାକୁ ମିଳିଥିଲା। ୩୦ ସେକେଣ୍ଡ ପରେ ତାକୁ ଗୁଳି କରାଯାଇଥିଲା। କିନ୍ତୁ କଳା ଟ୍ରାଉଜର ପିନ୍ଧିଥିବା ବ୍ୟକ୍ତି ଆଉ ଦେଢ଼ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦିଗରୁ ଗୁଳିଚାଳନା କରିଥିଲା। ସାତ ମିନିଟ ଓ ୩୦ ସେକେଣ୍ଡର ଭିଡିଓରେ ପୁଲିସ ସେତୁ ଉପରେ ପହଞ୍ଚିବାର ଦେଖାଯାଉଛି। ଜଣେ ଆକ୍ରମଣକାରୀ ନିହତ ହୋଇଥିବା ଓ ଅନ୍ୟ ଜଣେ ଗୁରୁତର ଥିବା ଦେଖିବାକୁ ମିଳିଥିଲା।
ଅନେକ ଜୀବନ ବଞ୍ଚାଇ ହିରୋ ପାଲଟିଲେ ଶରଣାର୍ଥୀଙ୍କ ପୁଅ
ସିଡନୀ ଆତଙ୍କବାଦୀ ଆକ୍ରମଣବେଳେ ଆତଙ୍କବାଦୀଙ୍କ ହାତରୁ ବନ୍ଧୁକ ଛଡ଼େଇବାକୁ ସଂଘର୍ଷ କରିଥିବା ୪୩ ବର୍ଷୀୟ ଅହମଦ ଅଲ ଅହମଦ ଏବେ ଅଷ୍ଟ୍ରେଲିଆରେ ‘ହିରୋ’ ପାଲଟି ଯାଇଛନ୍ତି। ନିଜ ଜୀବନ ପ୍ରତି ଭୟ ନକରି ଅହମଦ ଆତଙ୍କବାଦୀ ସାଜିଦ ଆକ୍ରମଙ୍କ ହାତରୁ ବନ୍ଧୁକ ଛଡ଼େଇବାକୁ ଚେଷ୍ଟା କରିଥିଲେ। ସେହି ସମୟ ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଅହମଦଙ୍କୁ ମଧ୍ୟ ଗୁଳି ଖାଇବାକୁ ପଡ଼ିଥିଲା। ତେବେ ତାଙ୍କ ସାହସ ଯୋଗୁ କିଛି ଲୋକଙ୍କ ଜୀବନ ବଞ୍ଚି ଯାଇଛି। ଅଷ୍ଟ୍ରେଲିଆ ଅଧିକାରୀ ଓ ଗଣମାଧ୍ୟମ ସୂଚନାନୁଯାୟୀ ଅହମଦଙ୍କ ଶରଣାର୍ଥୀ ପିତାମାତା ସିରିୟାରୁ ଆସିଥିଲେ। ସେ ସିଡନୀରେ ଏକ ତମାଖୁ ଷ୍ଟୋର କରିଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି। ଆତଙ୍କବାଦୀ ଓ ଅହମଦଙ୍କ ସଂଘର୍ଷର ଭିଡିଓ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅଷ୍ଟ୍ରେଲିଆ ଗୃହ ମନ୍ତ୍ରୀ ଟୋନି ବୁର୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଅହମଦଙ୍କୁ ପ୍ରଶଂସା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଲବାନିଜ ଉପସ୍ଥିତ ଥିଲେ। ଆହତ ଅହମଦ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ନ୍ୟୁ ସାଉଥ ୱେଲ୍ସ ପ୍ରିମିୟର କ୍ରିସ୍ ମିନ୍ସ ତାଙ୍କୁ ଭେଟିବାକୁ ଯାଇଥିଲେ। ଅହମଦଙ୍କ ପିତାମାତା କିଛି ମାସ ତଳେ ସିଡନୀ ଆସିଥିବାବେଳେ ସେ ନିଜେ ୨୦୦୬ରୁ ସେଠାରେ ରହୁଛନ୍ତି। ତେବେ ଅହମଦଙ୍କ ପତ୍ନୀ ଓ ୨ ଝିଅ କେଉଁ ଦେଶର ନାଗରିକ ତାହା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/untitled-8-2025-12-16-07-18-33.jpg)