୨୦୨୫ରେ ନିଯୁକ୍ତି ବଜାର ଏକ ଭିନ୍ନ ଦିଗରେ ଗତି କରିଥିଲା। ପାରମ୍ପରିକ ପାଠପଢ଼ା ସହ ନିଯୁକ୍ତି ବଜାରର ସମ୍ପର୍କ ହୁଗୁଳା ହୋଇଥିଲା। ବିଶେଷ ଦକ୍ଷତା ଥିବା ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ମିଳିଥିଲା। ବିଶେଷ କରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ), ଅଟୋମେସନ୍‌ ଓ ହାଇବ୍ରିଡ୍ କାମ କରିବା ଦକ୍ଷତା ରଖିଥିବା ପ୍ରାର୍ଥୀମାନଙ୍କୁ ଚାକିରିରେ ଅଗ୍ରାଧିକାର ଦିଆଯାଇଥିଲା। ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଥିଲା। କମ୍ପାନିଗୁଡ଼ିକ ପ୍ରାର୍ଥୀ ଚୟନ କରିବାରେ ଏଆଇ ଓ ଅଟୋମେସନ୍‌ ବ୍ୟବହାର କରିଥିଲେ। ନିଯୁକ୍ତିଦାତାମାନେ ତଥ୍ୟ ଆଧାରରେ ପ୍ରାର୍ଥୀ ଚୟନ କରୁଥିଲେ ଯାହା ଫଳରେ ପୂର୍ବରୁ ସେହି କାମ ପାଇଁ ଯେତିକି ସମୟ ଦରକାର ହେଉଥିଲା ତାହା କମିଥିଲା। ଏଥିସହିତ କମ୍ପାନିଗୁଡ଼ିକ ସୂଚନା ଆଧାରରେ ନିଷ୍ପତ୍ତି ନେଇ ଉପକୃତ ହୋଇଥିଲେ। ସୂଚନା ପ୍ରଯୁକ୍ତି ଦୁନିଆର ଚାକିରି ପାଇଁ ଏଆଇ ଓ ମେସିନ୍‌ ଲର୍ଣ୍ଣିଂ (ଏମ୍ଏଲ୍‌) ଦକ୍ଷତା ଯେଭଳି ଏକ ଆବଶ୍ୟକତାରେ ପରିଣତ ହୋଇଛି। ହାଇବ୍ରିଡ୍ ଓ ଦୂର ସ୍ଥାନରେ ରହି କାମ କରିବା (ରିମୋଟ୍‌ ୱାର୍କ)ର ମଧ୍ୟ ଚାହିଦା ରହିଥିଲା। ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ (ଡିଇଆଇ) ମଧ୍ୟ କମ୍ପାନି ଗୁଡ଼ିକର ନିଯୁକ୍ତି ନୀତିରେ ଏକ ପ୍ରମୁଖ ସ୍ଥାନ ହାସଲ କରିଥିଲା। ଏହା ମୁଖ୍ୟସ୍ରୋତରେ ସାମିଲ ହେବାକୁ ସଂଘର୍ଷ କରୁଥିବା ବିଶେଷ ଦକ୍ଷତାର ଲୋକମାନଙ୍କୁ ବିଶେଷ ସହାୟକ ହୋଇଥିଲା।

Advertisment

Barbati Thrill: ବାରବାଟୀ ରୋମାଞ୍ଚ: ଗ୍ୟାଲେରି ଟିକଟ ୬ ଗୁଣା ଅଧିକରେ ବିକ୍ରି, ପୁଲିସ ସାମନାରେ ଟିକଟ କଳାବଜାରୀ

ପ୍ରଯୁକ୍ତି ଦୁନିଆରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ୨୦୨୫ ଏକ ଖରାପ ବର୍ଷ ଥିଲା। ଏକ ଲକ୍ଷରୁ ଅଧିକ କର୍ମଚାରୀ ନିଜ ଜୀବିକା ହରାଇଥିଲେ। ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ୨୦୨୫ରେ ବିଶ୍ବର ୨୧୮ଟି କମ୍ପାନି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଆମାଜନ ଓ ଇଣ୍ଟେଲ୍‌ ଭଳି ବଡ଼ କମ୍ପାନିଠାରୁ ଆରମ୍ଭ କରି ‌ଛୋଟଛୋଟ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଚାରିଆଡ଼େ ଛଟେଇ ଭୟ ରହିଥିଲା। ବର୍ଷର ପ୍ରଥମ ମାସରେ ୨୨ ହଜାର କର୍ମଚାରୀ ଚାକିରି ହରାଇଥିଲେ। ଫେବ୍ରୁଆରିରେ ୧୬,୦୮୪ ଜଣ ଓ ଏପ୍ରିଲ୍‌ରେ ୨୪,୫୦୦ ଜଣ ବିଦା ହୋଇଥିଲେ।  ବିଶ୍ବର ବଡ଼ ଇ-କମର୍ସ ସଂସ୍ଥା ଆମାଜନ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହା କମ୍ପାନିର ୩,୫୦,୦୦୦ କର୍ମଚାରୀଙ୍କ ସଂଖ୍ୟାର ୪ ପ୍ରତିଶତ ଥିଲା। ସେହିପରି ଚିପ୍ ନିର୍ମାତା ଇଣ୍ଟେଲ୍‌ ୨୪ ହଜାର କର୍ମଚାରୀଙ୍କୁ ବିଦା କରିଥିଲା। ଫଳରେ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ଏକ ଲକ୍ଷରୁ ହ୍ରାସ ପାଇ ୭୫ ହଜାର ହୋଇଯାଇଥିଲା। ଟିସିଏସ୍‌ ପ୍ରାୟ ୨୦ ହଜାର କର୍ମଚାରୀଙ୍କୁ ବିଦା କରିଥିବା କୁହାଯାଉଛି। ଆକ୍ସେଞ୍ଚରର କର୍ମଚାରୀ ସଂଖ୍ୟା ୭,୯୧,୦୦୦ରୁ ହ୍ରାସ ପାଇ ୭,୭୯,୦୦୦ ହୋଇଥିଲା। ମାଇକ୍ରୋସଫ୍‌ଟ ୯୦୦୦ କର୍ମଚାରୀଙ୍କୁ ବିଦା କରିଥିଲା। ସେଲ୍‌ସଫୋର୍ସ ୪୦୦୦, ସିସ୍‌କୋ ୪୨୫୦, ଗୁଗଲ୍‌ ଶତାଧିକ କର୍ମଚାରୀ, ମେଟା ୬୦୦, ଓରାକଲ ୫୦୦ ପାଖାପାଖି, ୟୁପିଏସ୍‌ ୪୮,୦୦୦, ଫୋର୍ଡ ୧୩,୦୦୦, ପିଡବ୍ଲ୍ୟୁସି ୫୬୦୦ ଓ ପାରାମାଉଣ୍ଟ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।

Kotia: କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ଆତଙ୍କ: ଓଡ଼ିଶା ଅଙ୍ଗନବାଡ଼ି କେନ୍ଦ୍ରରେ ଅଚଳାବସ୍ଥା

୬.୫ କୋଟି ଏମ୍‌ଏସ୍‌ଏମ୍‌ଇରେ ୨୯ କୋଟି ନିଯୁକ୍ତି

ଭାରତୀୟ ଅର୍ଥନୀତି‌କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବଡ଼ ଯୋଗଦାନ ରହିଛି। ଦେଶରେ ପ୍ରାୟ ସାଢ଼େ ୬ କୋଟି ଏମ୍‌ଏସ୍‌ଏମ୍‌ଇ ରହିଛି। ୨୯ କୋଟି ଲୋକଙ୍କୁ ଏଗୁଡ଼ିକ ନିଯୁକ୍ତି ଯୋଗାଇଛନ୍ତି। ଦେଶର ମୋଟ ମୂଲ୍ୟ ଯୋଗ (ଜିଭିଏ)ରେ ଏହାର ଅଂଶ ୩୦ ପ୍ରତିଶତରୁ ଅଧିକ। ୨୦୨୪-୨୫ରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ରପ୍ତାନି ୧୨.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରପ୍ତାନି କରୁଥିବା ଏମ୍‌ଏସ୍‌ଏମ୍‌ଇ ସଂଖ୍ୟା ୧,୭୩,୩୫୦ରେ ପହଞ୍ଚି ଥିବାବେଳେ ମୋଟ ରପ୍ତାନିରେ ଏହି କ୍ଷେତ୍ରର ଯୋଗଦାନ ୪୫ ପ୍ରତିଶତରୁ ଅଧିକ।

ତଥାପି ମହିଳାଙ୍କ ସଂଖ୍ୟା କମ୍

୨୦୨୫ରେ ଶିଳ୍ପ ଜଗତ ଓ ଉଦ୍ୟମିତା‌ ‌କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ପ୍ରବେଶ କରି ସଫଳତା ହାସଲ କରିଛନ୍ତି। ଏହି ବର୍ଷ ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ିଥିଲା। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଅଧିକ ମହିଳା ସାମିଲ ହୋଇଥିଲେ। ଖଣିଠାରୁ ଆରମ୍ଭ କରି ପ୍ରଯୁକ୍ତି ଓ ଅଟୋମୋବାଇଲ୍‌ ଦୁନିଆରେ ମହିଳା କର୍ମଚାରୀଙ୍କ ସଂଖ୍ୟାରେ ଉନ୍ନତି ହୋଇଥିଲା। କିନ୍ତୁ ଏବେ ବି ସେମାନଙ୍କ ଅଂଶଗ୍ରହଣ ହାର କମ୍ ରହିଛି। ନେତୃତ୍ବ ବର୍ଗରେ ମହିଳାଙ୍କ ଅଂଶଗ୍ରହଣ ହାର ଯଥେଷ୍ଟ କମ୍ ରହିଛି। ସିଇଓ ସ୍ତରରେ ମାତ୍ର ୮ ପ୍ରତିଶତ ମହିଳା ରହିଛନ୍ତି। ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କର ଏକ ରିପୋର୍ଟ ଅନୁସାରେ ମୋଟ୍ ଶ୍ରମଶକ୍ତିରେ ମହିଳାଙ୍କ ଭାଗ ମାତ୍ର ୨୬ ପ୍ରତିଶତ ରହିଛି। ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖାଉଥିବା ଝିଅଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି, ନିଯୁକ୍ତି ବଜାରରେ କିନ୍ତୁ ସେମାନଙ୍କ ସଂଖ୍ୟାରେ ସେଭଳି ବୃଦ୍ଧି ଘଟୁନି। ପ୍ରବେଶ ସ୍ତର ଓ ପ୍ରବନ୍ଧକ ସ୍ତରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି। ୨୦୧୭-୧୮ରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୪୯.୮ ପ୍ରତିଶତ ଥିଲା। ୨୦୨୩-୨୪ ସୁଦ୍ଧା ତାହା ୬୦.୧ ପ୍ରତିଶତକୁ ବୃଦ୍ଧି ପାଇଛି। ସୂଚନା ପ୍ରଯୁକ୍ତି ଦୁନିଆରେ ସ୍ବତନ୍ତ୍ର ଦକ୍ଷତାରେ ୧୩-୧୪ ପ୍ରତିଶତ ମହିଳା କାମ କରୁଥିବା ବେଳେ ବରିଷ୍ଠ ନେତୃତ୍ବ ଭୂମିକାରେ ୧୯ ପ୍ରତିଶତ ମହିଳା ରହିଛନ୍ତି।  ଅଧିକରୁ ଅଧିକ କମ୍ପାନି ବିବିଧତା, ଅନ୍ତର୍ଭୁକ୍ତୀକରଣ ଓ ସମାନତା (ଡିଇଆଇ) ଉପରେ ଜୋର୍‌ ଦେଉଥିବାରୁ ଆସନ୍ତାବର୍ଷ ଶ୍ରମବଜାରରେ ମହିଳାଙ୍କ ସଂଖ୍ୟା ବଢ଼ିବା ଆଶା କରାଯାଉଛି। ଓଲା ଏହାର କାରଖାନାରେ ୨୫ ହଜାର ମହିଳାଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି। ଉଦ୍ୟମିତା କ୍ଷେତ୍ରରେ ମହିଳାଙ୍କ ଭାଗ ଉନ୍ନତ ହେବାରେ ଲାଗିଛି। ମୋଟ ଉଦ୍ୟୋଗୀଙ୍କ ମଧ୍ୟରୁ ୧୪ ପ୍ରତିଶତ ହେଉଛନ୍ତି ମହିଳା। ୨୦୧୭ରେ ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍ ସଂଖ୍ୟା ମାତ୍ର ୧୯୪୩ ଥିଲା। ୨୦୨୩‌ରେ ସେହି ସଂଖ୍ୟା ୧୭,୪୦୫କୁ ବୃଦ୍ଧି ପାଇଛି। ଭାରତରେ ୩୯.୨ ପ୍ରତିଶତ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ରହିଛି। ଷ୍ଟକ୍ ବଜାରରେ କାରବାର ଲାଗି ଖୋଲାଯାଉଥିବା ଡିମାଟ୍‌ ଖାତାରେ ମହିଳାଙ୍କ ଭାଗ ବଢ଼ିବାରେ ଲାଗିଛି।

ଯୁବାଙ୍କ ଚାକିରି ସ୍ବପ୍ନ

ଭାରତରେ ଯୁବବର୍ଗଙ୍କ ନିଯୁକ୍ତି ଏକ ଗମ୍ଭୀର ସମସ୍ୟା ହୋଇ ରହିଛି। ଦେଶରେ ୬୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍। କୋଟି କୋଟି ଲୋକ ପ୍ରତି ମାସରେ ନିଯୁକ୍ତି ବଜାରରେ ପ୍ରବେଶ କରୁଥିବା ବେଳେ ସେମାନଙ୍କ ପାଇଁ କିନ୍ତୁ ଆବଶ୍ୟକ କାମ ସୃଷ୍ଟି ହୋଇପାରୁନାହିଁ। ଦେଶର ଅର୍ଥନୀତି ଯେଉଁ ହାରରେ ବଢ଼ୁଛି ତାହା ରୋଜଗାର ସୃଜନ ପାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ଦେଶରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୧୩.୮ ପ୍ରତିଶତ ଭଳି ଉଚ୍ଚ ସ୍ତ‌ରରେ ଥିଲା। ସହରାଞ୍ଚଳରେ ସେହି ହାର ଆହୁରି ଉତ୍କଟ ୧୭.୨ ପ୍ରତିଶତରେ ପହଞ୍ଚିଥିଲା। ଚାଷ କାମ ଓ ମନରେଗା ପ୍ରଭାବରେ କିନ୍ତୁ ଗ୍ରାମାଞ୍ଚଳରେ ସେହି ହାର ୧୨.୩ ପ୍ରତିଶତ ଥିଲା। ଜୁନ୍ ମାସରେ ସହରାଞ୍ଚଳରେ ଯୁବ ବେକାରି ହାର ୧୮.୮ ପ୍ରତିଶତକୁ ବଢ଼ିଥିଲା। ସହରାଞ୍ଚଳରେ ମହିଳାମାନଙ୍କ କ୍ଷେତ୍ରରେ ବେକାରି ହାର ଅଧିକ ଚିନ୍ତାଜନକ ଥିଲା। ଏପ୍ରିଲ୍‌ରେ ୧୫-୨୯ ବର୍ଷ ବୟସର ମହିଳାଙ୍କ ବେକାରି ହାର ୨୩.୭ ପ୍ରତିଶତ ଥିଲା। ନିଯୁକ୍ତି ଚିତ୍ର ଉପରେ ନଜର ପକାଇବା ପରେ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ଅଧିକାଂଶ ଯୁବକଯୁବତୀ କୃଷି ଶ୍ରମିକ, ଦିନମଜୁରିଆ ଓ ସ୍ବାବଲମ୍ବୀ ହୋଇ ରୋଜଗାର କରୁଛନ୍ତି। ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସ୍ବପ୍ନ ହୋଇରହିଛି। ସାକ୍ଷର ଯୁବବର୍ଗଙ୍କ ମଧ୍ୟରେ ପ୍ରଯୁକ୍ତି ଦୁନିଆ ଓ ଆଇଟି କ୍ଷେତ୍ରରେ କାର୍ଯ୍ୟ କରିବା ଏକ ବଡ଼ ସ୍ବପ୍ନ ହୋଇଛି। ଅନେକ ଯୁବକଯୁବତୀ ଡେଲିଭରି ଏଜେଣ୍ଟ, ପ୍ଲାଟଫର୍ମ ଓ ଗିଗ୍‌ ୱାର୍କର ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଶିଳ୍ପ କିମ୍ବା ସେବା କ୍ଷେତ୍ରରେ ଆବଶ୍ୟକ ସଂଖ୍ୟାର ଚାକିରି ସୃଷ୍ଟି ହେଉନାହିଁ। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍‌ ଇଣ୍ଡିଆ ଭଳି ଅଭିଯାନ ସତ୍ତ୍ବେ ତାହା ଯୁବପିଢ଼ିଙ୍କ ନିଯୁକ୍ତି ପାଇବା କ୍ଷମତା ବଢ଼ାଇବାରେ ବିଶେଷ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନାହିଁ।

Untitled-2

ଅସ୍ଥିର ଆଇଟି ଦୁନିଆ

ପ୍ରଯୁକ୍ତିରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଭାରତୀୟ ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପ ଉପରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା। ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଓ ଆମେରିକା ପ୍ରଥମ ନୀତି ମଧ୍ୟ ଆଇଟି ଶିଳ୍ପକୁ ଅସ୍ଥିର ରଖିଥିଲା। ଏଆଇ, କ୍ଲାଉଡ୍‌ କମ୍ପ୍ୟୁଟିଂର ଗ୍ରହଣୀୟତା ବଢ଼ିବା ସହ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ଚାକିରିର ଭବିଷ୍ୟତ ପ୍ରଭାବିତ ହୋଇଥିଲା। ହଜାର ହଜାର ଲୋକଙ୍କୁ ଛଟେଇର ଶିକାର ହେବାକୁ ପଡ଼ିଥିଲା। ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ସଂଖ୍ୟା ଦେଶରେ ବଢ଼ିଥିଲା। ସେହି ସଂସ୍ଥାଗୁଡ଼ିକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ କରିଥିଲେ। ଫଳରେ ସେମାନଙ୍କୁ ଶକ୍ତିଶାଳୀ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣରେ ବିପୁଳ ନିବେଶ କରିବାକୁ ପଡ଼ିଥିଲା। ୨୦୨୫ରେ କ୍ଲାଉଡ୍‌ କମ୍ପ୍ୟୁଟିଂର ଆଧୁନିକୀକରଣ ଘଟିଥିଲା। ସଫ୍ଟୱେର ଆଜ୍ ଏ ସର୍ଭିସ୍‌ (ସାସ୍‌)ରେ ବ୍ୟାପକ ବୃଦ୍ଧି ଘଟିଥିଲା। ଦେଶର ପ୍ରମୁଖ ସହରରୁ ଆଗକୁ ବଢ଼ି ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଜିସିସିଗୁଡ଼ିକ ସମ୍ପ୍ରସାରଣ କରିଥିଲେ। 
୨୦୨୫ରେ‌ ମୋଟ ଆଇଟି ବ୍ୟୟ ୧୬,୦୦୦ କୋଟି ଡଲାର ହୋଇଥିବା ଆକଳନ କରାଯାଇଛି। ୨୦୨୬ରେ ସେହି ବ୍ୟୟ ୧୭,୬୦୦ କୋଟି ଡଲାରକୁ ବୃଦ୍ଧି ପାଇବ। ୨୦୨୪-୨୫ରେ ଆଇଟି ରପ୍ତାନି ୨୧,୦୦୦ କୋଟି ଡଲାର ଥିଲା। ଆଇଟି ଶିଳ୍ପର ରାଜସ୍ବ ଏହି ସମୟରେ ୫.୧ ପ୍ରତିଶତ ବୃଦ୍ଧି ପାଇ ୨୩,୮୪,୫୯୨ କୋଟି ଟଙ୍କାରୁ ଅଧିକ ହୋଇଥିଲା। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଆଇଟି ଓ ବିପିଏମ୍‌ କ୍ଷେତ୍ରର ଅବଦାନ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୨୦୨୪ରେ ୭ ପ୍ରତିଶତ ଥିଲା। ଅନେକ ଭଲ କଥା ବ୍ୟତୀତ ଆଇଟି କ୍ଷେତ୍ର ଅନେକ ଆହ୍ବାନ ଓ ଚାପକୁ ମଧ୍ୟ ସାମନା କରିଥିଲା। କମ୍ପାନିଗୁଡ଼ିକର ଲାଭ ସଙ୍କୁଚିତ ହୋଇଥିଲା। ନୂଆ ଦକ୍ଷତା ଥିବା କର୍ମଚାରୀ ପାଇବାରେ କମ୍ପାନିଗୁଡ଼ିକ ଅସୁବିଧା ସାମନା କରିଥିଲେ। ପୁରୁଣା ଦକ୍ଷତାର କର୍ମଚାରୀମାନେ ନିଜ ଭୂମିକା କେତେ ପ୍ରାସଙ୍ଗିକ ରହିବ ତାହାକୁ ନେଇ ସନ୍ଦୀହାନ ଥିଲେ। ଚାକିରିର ସ୍ଥାୟିତ୍ବ ଅଧିକାଂଶ କର୍ମଚାରୀମାନଙ୍କ ଲାଗି ଚିନ୍ତାର କାରଣ ପାଲଟିଥିଲା।

Untitled-3

ଶ୍ରମ ସଂହିତାରେ ସ୍ବାର୍ଥର ସୁରକ୍ଷା

୨୦୨୫ରେ ଶ୍ରମ କ୍ଷେତ୍ରରେ ସର୍ବବୃହତ୍‌ ସଂସ୍କାର ଭାବେ ଚାରିଟି ନୂଆ ଶ୍ରମ ସଂହିତା ଲାଗୁ କରାଯାଇଛି। ୨୯ଟି ପୁରୁଣା କାଳିଆ ନିୟମ ସ୍ଥାନରେ ଏହି ସଂହିତା ଅଣାଯାଇଛି ଯାହାର ଲକ୍ଷ୍ୟ ହେଉଛି ନିଯୁକ୍ତିକୁ ସଂଗଠିତ କରିବା, ଚାକିରି ଦେବା ସମ‌ୟରେ ଲିଖିତ ନିଯୁକ୍ତିପତ୍ର ଦେବା, ଉଭୟ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଲାଗି ସର୍ବନିମ୍ନ ବେତନ ନିଶ୍ଚିତ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଚାକିରି ବର୍ଷେ ହେବା ପରେ ଗ୍ରାଚୁଇଟିର ବ୍ୟବସ୍ଥା କରିବା। ଚାରି ଶ୍ରମ ସଂହିତା ହେଉଛି ମଜୁରି ସଂହିତା ୨୦୧୯, ସାମାଜିକ ସୁରକ୍ଷା ସଂହିତା ୨୦୨୦, ଶିଳ୍ପ ସମ୍ପର୍କ ସଂହିତା ୨୦୨୦ ଏବଂ ଓଏସ୍‌ଏଚ୍‌ ଓ କାର୍ଯ୍ୟ ସ୍ଥିତି ସଂହିତା ୨୦୨୦।
ସେହିପରି ଏହି ବର୍ଷ ଶ୍ରମ ଶକ୍ତି ନୀତି ୨୦୨୫ର ଚିଠା ଜାରି କରାଯାଇଥିଲା ଯାହାର ଉଦ୍ଦେଶ୍ୟ ହେଉଛି ସବୁ କର୍ମଚାରୀଙ୍କ ପାଇଁ ଏକ ଏକକ ଡିଜିଟାଲ୍‌ ବ୍ୟବସ୍ଥା ପ୍ରସ୍ତୁତ କରିବା। ଏଥିରେ ଗିଗ୍‌ ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ନୂଆ ଶ୍ରମ ସଂହିତାରେ ସବୁ କ୍ଷେତ୍ରରେ ମହିଳାମାନଙ୍କୁ ରାତିରେ କାମ କରିବାର ଅନୁମତି ଦିଆଯାଇଛି। ତେବେ ଖଣି ଭଳି କେତେକ କ୍ଷେତ୍ରରେ ସ୍ବତନ୍ତ୍ର ସୁରକ୍ଷା ମଞ୍ଜୁରିର ଆବଶ୍ୟକତା ରହିଛି। ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି)ଗୁଡ଼ିକର ପ୍ରତିଭା ଆବଶ୍ୟକତା ପୂରଣ କରିବା ଲାଗି କେନ୍ଦ୍ର ସରକାର ଜିସିସି ସଲ୍ୟୁସନ୍ସ ଭିସା ନାମରେ ଏକ ସଂସ୍କାର ଆଣିଥିଲେ। କେବଳ ଜିସିସିକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ଭିସା ପ୍ରସ୍ତୁତ କରାଯାଇଛି। ସେହିପରି ଗ୍ରାଚୁଇଟି ନିୟମରେ ମଧ୍ୟ ବଡ଼ଧରଣର ପରିବର୍ତ୍ତନ ଅଣାଯାଇଥିଲା। ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଟିକସମୁକ୍ତ ଗ୍ରାଚୁଇଟି ସୀମାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଓଡ଼ିଶାରେ ରାଜ୍ୟ ସରକାର ସିଜିଏଲ୍ ଓ ସିଏଚ୍‌ଏସ୍‌ଏଲ୍‌ ନିଯୁକ୍ତି ପରୀକ୍ଷାରେ ସଂସ୍କାର ଆଣିଥିଲେ। ମୋଟ ଉପରେ ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏକ ସଂଗଠିତ, ଡିଜିଟାଲ୍ ସମନ୍ବିତ ଓ ନମନୀୟ ଶ୍ରମ ବଜାର ଆଡ଼କୁ ଦେଶକୁ ଅଗ୍ରସର କରିବା ଏବଂ ବ୍ୟବସାୟ ଲକ୍ଷ୍ୟ ସହ ଶ୍ରମିକ ସୁରକ୍ଷା ମଧ୍ୟରେ ସନ୍ତୁଳନ ହାସଲ କରିବା।

Untitled-4

ବିନିର୍ମାଣ ହବ୍ ଆଡ଼କୁ ପାଦେ

ଚଳିତ ବର୍ଷ ଶିଳ୍ପାୟନକୁ ନେଇ ରାଜ୍ୟରେ ଅନେକ କିଛି ଘଟଣା ଘଟିଥିଲା। ଖଣିଜ ସମ୍ପଦରେ ଭରପୂର ଥିବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କେବଳ ଖଣିଜ ଓ ଧାତବ କ୍ଷେତ୍ରରେ ସୀମିତ ନଥିଲା। ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଓ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଅକ୍ଷୟ ଶକ୍ତି, ଗ୍ରିନ୍ ହାଇଡ୍ରୋଜେନ୍‌ ଓ ଗ୍ରିନ୍ ଆମୋନିଆ, ହୋଟେଲ୍‌ ଓ ରେସ୍ତୋରାଁ, ସୂଚନା ପ୍ରଯୁକ୍ତି, ବୟନ ଓ ପୋଷାକ ଆଦି କ୍ଷେତ୍ର ପାଇଁ ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।
କେବଳ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟକୁ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ନିୟମିତ ବ୍ୟବଧାନରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ଓ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ନୂଆ ନୂଆ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯାଉଛି। ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ଢେଙ୍କାନାଳ ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କା ନିବେଶରେ ଏକ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରିଛି। ଖୋଦ୍‌ ଅଗ୍ରୱାଲ ଓଡ଼ିଶା ଆସି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଥିଲେ। କମ୍ପାନିକୁ ଶୀଘ୍ର ଜମି ଓ ଅନ୍ୟାନ୍ୟ ଆବଶ୍ୟକ ମଞ୍ଜୁରି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ୨୦୨୬ରେ ଏହି ବୃହତ୍‌ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବା ଆଶା କରାଯାଉଛି।
ଭିଜନ୍‌ ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପାୟନକୁ ଆଗକୁ ବଢ଼ାଉଛନ୍ତି। ଓଡ଼ିଶାକୁ ବିନିର୍ମାଣର ଏକ ହବ୍ ଭା‌ବେ ବିକାଶ କରାଯାଉଛି। ପ୍ରାଥମିକ ଶିଳ୍ପ ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ଉପରେ ସରକାର ଜୋର୍‌ ଦେଉଥିବାରୁ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ର ଆହୁରି ସଶକ୍ତ ହେବା ଆଶା କରାଯାଉଛି।
ବଡ଼ ପ୍ରକଳ୍ପ ମଧ୍ୟରେ ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ରାଜ୍ୟର ଦୁଇଟି ସ୍ଥାନରେ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରିଛି। ଗୋଟିଏ ଜଗତସିଂହପୁରରେ ଓ ଅନ୍ୟ ଗୋଟିଏ ପୋସ୍କୋ ସହ ମିଶି କେନ୍ଦୁଝର ଜିଲ୍ଲାରେ ସ୍ଥାପନ କରାଯିବ। ୨୦୨୬ରେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିବା ଆଶା କରାଯାଉଛି। କମ୍ପାନି ଘୋଷଣା କରିଥିବା ଇଭି ଓ ବ୍ୟାଟେରି ପ୍ରକଳ୍ପ ମଧ୍ୟ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆର କେନ୍ଦ୍ରାପଡ଼ା ପ୍ରକଳ୍ପ ମଧ୍ୟ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ଆଦାନୀ ଗ୍ରୁପ୍ ପାଞ୍ଚ ବର୍ଷରେ ରାଜ୍ୟରେ ୨.୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି। ଏହା କୋଇଲାରୁ ରସାୟନ ପ୍ରସ୍ତୁତି ପ୍ରକଳ୍ପରେ ନିବେଶ କରିବ। ଟାଟା ଷ୍ଟିଲ୍‌ ୮୦ ହଜାର କୋଟି ଟଙ୍କା ନିବେଶ କରିବା ପ୍ରତିଶ୍ରୁତି ଦେଇଛି। ଏହି ନିବେଶଗୁଡ଼ିକ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ।
ଗ୍ରିନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଗୋପାଳପୁର ଓ ପାରାଦୀପରେ ୧୪ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଆଭାଡା ଗ୍ରୁପ୍ ଗୋପାଳପୁରରେ ୨୦ ହଜାର କୋଟି ଟଙ୍କା ନିବେଶ କରିବ। ଅଏଲ୍ ଇଣ୍ଡିଆ ପକ୍ଷରୁ ବର୍ଜ୍ୟରୁ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ବ୍ୟତୀତ ବାଲେଶ୍ବର, କେନ୍ଦୁଝର ଓ କଳାହାଣ୍ଡିରେ ୧୦୦୦ ମେଗାୱାଟ୍‌ର ସୋଲାର ପାର୍କ ବିକାଶ କରିବାକୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ନୀତି ଘୋଷଣା କରିଛନ୍ତି। ସେଥିରେ ୧୦୦୦ କୋଟି ଟଙ୍କାର ନିବେଶ ଓ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଅନେକ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। କେନିସ୍‌ ଟେକ୍ନୋଲୋଜି ପିସିବି ଓ ବେୟାର ବୋର୍ଡ ନିର୍ମାଣରେ ୧୫୦୦ କୋଟି ଟଙ୍କା ନିବେଶ କରିବ।