ନୂଆଦିଲ୍ଲୀ: ବାଂଲାଦେଶରେ  ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆଜି ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇ କମିସନ୍‌ କାର୍ଯ୍ୟାଳୟ ବାହାରେ ବିଶାଳ ଆନ୍ଦୋଳନ ହୋଇଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଦଳ ସମେତ ଅନ୍ୟାନ୍ୟ ହିନ୍ଦୁ ସଂଗଠନର ସଦସ୍ୟମାନେ ଦୀପୁଚନ୍ଦ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ବ୍ୟାନର୍‌ ଏବଂ ପ୍ଲାକାର୍ଡ ଦେଖାଇ ବାଂଲାଦେଶ ସରକାର ବିରୋଧରେ ସ୍ଲୋଗାନ୍‌ ଦେଇଛନ୍ତି। ବ୍ୟାନର୍‌ ଓ ପ୍ଲାକାର୍ଡରେ ‘ ହିନ୍ଦୁ ରକ୍ତ କି ଏକ୍‌ ଏକ୍‌ ବୁନ୍ଦ୍‌ କା ହିସାବ ଚାହିଏ’ ଲେଖା ଅଛି।  ଆନ୍ଦୋଳନକାରୀ ‘ଭାରତ ମାତା କୀ ଜୟ’, ‘ୟୁନୁସ୍‌ ସରକାର ହୋସ୍‌ ମେ ଆଓ’ , ହିନ୍ଦୁ ହତ୍ୟା ବନ୍ଦ୍‌ କରୋ’ ସ୍ଲୋଗାନ୍‌ ଦେଇଥିଲେ। ଅନ୍ୟପକ୍ଷରେ ବାଂଲାଦେଶ ସରକାର ଆଜିର ଆନ୍ଦୋଳନକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏନେଇ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ୍‌ କରିଛନ୍ତି। ବାଂଲାଦେଶ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ  କୂଟନୈତିକ ପ୍ରତିଷ୍ଠାନ ବିରୋଧରେ ଏଭଳି ପୂର୍ବ ପ୍ରାୟୋଜିତ ହିଂସାକୁ ବାଂଲାଦେଶ ନିନ୍ଦା କରୁଛି। ଏହା କେବଳ କୂଟନୀତିଜ୍ଞ ଜୀବନକୁ ବିପଦରେ ପକାଉନାହିଁ ବରଂ ଏହା ପାରସ୍ପରିକ ସମ୍ମାନ, ଶାନ୍ତି ଓ ସହନଶୀଳତା ଭଳି ମୂଲ୍ୟବୋଧକୁ ଅପମାନିତ କରୁଛି। ଆଜି ଦିଲ୍ଲୀ ସମେତ କୋଲକାତା, ଭୋପାଳ ଓ ଜମ୍ମୁ କାଶ୍ମୀର ଭଳି ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶ ବିରୋଧୀ ଆନ୍ଦୋଳନ ଓ ବି‌କ୍ଷୋଭ ହୋଇଛି। ଜଣେ ଆନ୍ଦୋଳନକାରୀ କହିଛନ୍ତି, ଯଦି ଆଜି ଆମେ ସ୍ବର ଉତ୍ତୋଳନ କରିନପାରିବା ତେବେ ମୁଁ ଦୀପୁ ହୋଇପାରେ, ଆପଣ ବି ଦୀପୁ ହୋଇପାରନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ଉଚ୍ଚାୟୁକ୍ତ ରିୟାଜ ହମିଦୁଲ୍ଲାଙ୍କୁ ମଧ୍ୟ ନୂଆଦିଲ୍ଲୀ ସମନ୍‌ କରିଛି।

Advertisment

Priyanka Gandhi : ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଦାବି ଉଠିଲା

Ratna bhandara: ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା: ମରାମତି ଶେଷ ହୋଇଛି, ଗଣତି ମଣତି ପାଇଁ ଆସିବ ଏସ୍‌ଓପି


ଆଜି ସକାଳୁ ଦିଲ୍ଲୀର ବାଂଲାଦେଶ ମିସନ୍‌ ବାହାରେ ଆନ୍ଦୋଳନ ଆଶଙ୍କା କରି ସୁରକ୍ଷା କଡ଼ାକଡ଼ି ହୋଇଥିଲା। ୩ ଥାକିଆ ବ୍ୟାରିକେଡ୍‌ ସହ ଅତିରିକ୍ତ ୧୫ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ।  ସୁରକ୍ଷା କଡ଼ାକଡ଼ି ସ‌ତ୍ତ୍ବେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରେ ସମର୍ଥ ହୋଇ ନଥିଲା। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିଥିଲେ।  ବିକ୍ଷୋଭକାରୀମାନେ କହିଛନ୍ତି, ବାଂଲାଦେଶର ହିନ୍ଦୁ ଯୁବକଙ୍କ ହତ୍ୟାକାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦାୟୀ ବ୍ୟକ୍ତିଙ୍କ ବିରୋଧରେ ବାଂଲାଦେଶ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଘର ଜାଳିଦେଲେ

ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଜାରି ରହିଛି।  କିଛି ଦୁର୍ବୃତ୍ତ ଜଣେ ହିନ୍ଦୁଙ୍କ ଘର ଜାଳି ଦେଇଛନ୍ତି। ପରିବାର‌ରେ ଥିବା ସମସ୍ତ ସଦସ୍ୟ ବଞ୍ଚି ଯାଇଥିଲେ ମଧ୍ୟ ସେମାନଙ୍କ ଘରେ ଥିବା ସବୁ ଗୃହପାଳିତ ପଶୁ ମରି ଯାଇଛନ୍ତି ଏବଂ ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ହିନ୍ଦୁ ସମ୍ପ୍ରଦାୟକୁ ଧମକ ଦେଇ ଏକ ବ୍ୟାନର ଲାଗିଛି। ହିନ୍ଦୁମାନେ ଇସଲାମ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ବୋଲି ଏଥିରେ ଲେଖାଯାଇଛି। ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ଏଥିସହ କୌଣସି ପ୍ରକାରର ଉଲ୍ଲଂଘନ ହେଲେ ଚରମ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଛି। ସମସ୍ତ ହିନ୍ଦୁ ବାସିନ୍ଦାଙ୍କୁ ଅତି ନିକଟରୁ ଭଲଭାବେ ଅନୁଧ୍ୟାନ କରାଯାଉଛି ବୋଲି ହାତଲେଖା ବ୍ୟାନର୍‌ରେ ଉଲ୍ଲେଖ ରହିଛି। ଆପଣମାନେ ଇସଲାମ ଏବଂ ମୁସଲମାନ ସମ୍ପ୍ରଦାୟ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି। ତେଣୁ ଆପଣମାନଙ୍କୁ ଏହା ବନ୍ଦ କରିବାପାଇଁ କୁହାଯାଉଛି। ନିର୍ଦ୍ଦେଶ ପାଳନ ନ କଲେ ଚରମ ପରିଣାମ ଭୋଗିବାକୁ ପଡ଼ିବ। କୌଣସି ପ୍ରକାର ପ୍ରତିବାଦର ପରିଣାମ ଅତି ଭୟଙ୍କର ହେବ ବୋଲି ବ୍ୟାନରରେ କୁହାଯାଇଛି। ଚଟ୍ଟଗ୍ରାମର ଜୟନ୍ତୀ ସଂଘ ଏବଂ ବାବୁ ଶୁକୁଶିଲଙ୍କ ଘରେ ଏହି ଘଟଣା ଘଟିଛି। ତେବେ ପରିବାରର ସମସ୍ତ ସଦସ୍ୟ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରିବାର କିଛି ଦିନ ପରେ ସୋମବାର ବିଳମ୍ବି ରାତିରେ ଏହି ଘଟଣା ଘଟିଛି।