Asmita: ଅସ୍ମିତା, ଉତ୍‌ଥାନର କସରତ

Advertisment

ଓଡ଼ିଆ ଅସ୍ମିତା’ର ନାରା ନେଇ ଶାସନକୁ ଆସିିଥିବା ପଦ୍ମ ସରକାର ବର୍ଷତମାମ ଅସ୍ମିତାର ଟେକ ପାଇଁ କସରତ କରିଛନ୍ତି। ପ୍ରଥମ ଥର ପାଇଁ ଦୁର୍ଗାମେଢ଼, ଗଜଲକ୍ଷ୍ମୀ ପୂଜା ଓ ଧନୁଯାତ୍ରା ପାଇଁ ମିଳିଛି ଆର୍ଥିକ...

ଓଡ଼ିଆ ଅସ୍ମିତା’ର ନାରା ନେଇ ଶାସନକୁ ଆସିିଥିବା ପଦ୍ମ ସରକାର ବର୍ଷତମାମ ଅସ୍ମିତାର ଟେକ ପାଇଁ କସରତ କରିଛନ୍ତି। ପ୍ରଥମ ଥର ପାଇଁ ଦୁର୍ଗାମେଢ଼, ଗଜଲକ୍ଷ୍ମୀ ପୂଜା ଓ ଧନୁଯାତ୍ରା ପାଇଁ ମିଳିଛି ଆର୍ଥିକ...

Untitled-1

ଓଡ଼ିଆ ଅସ୍ମିତା’ର ନାରା ନେଇ ଶାସନକୁ ଆସିିଥିବା ପଦ୍ମ ସରକାର ବର୍ଷତମାମ ଅସ୍ମିତାର ଟେକ ପାଇଁ କସରତ କରିଛନ୍ତି। ପ୍ରଥମ ଥର ପାଇଁ ଦୁର୍ଗାମେଢ଼, ଗଜଲକ୍ଷ୍ମୀ ପୂଜା ଓ ଧନୁଯାତ୍ରା ପାଇଁ ମିଳିଛି ଆର୍ଥିକ ସହାୟତା ରାଶି। ସେପଟେ ସଙ୍ଗୀତ ନାଟକ ଏକାଡେମୀର ବକେୟା ପୁରସ୍କାର ଦେଇ କଳାକାରଙ୍କୁ ସନ୍ତୁଷ୍ଟ କରିଛି ବିଭାଗ। ଉର୍ଦ୍ଦୁ ସାହିତ୍ୟିକଙ୍କ କଥା ବି ବୁଝାଯାଇଛି। ବରପୁତ୍ରଙ୍କ ମୂର୍ତ୍ତି ସ୍ଥାପନା ସହ ପୂଜ୍ୟପୂଜା ପରମ୍ପରାକୁ ଗୁରୁତ୍ବ ମିଳିଛି। ଆହୁରି ବି ଅସ୍ମିତା ଭବନ ନିଜ ଠିକଣା ଖୋଜିପାଇଛି। ଲୁପ୍ତପ୍ରାୟ ଲୋକକଳା ଓ ଗୁରୁଙ୍କୁ ବି ଖୋଜାଯାଉଛି। ଅସ୍ମିତାର ଉତ୍‌ଥାନ ପାଇଁ ସଂସ୍କୃତି ବିଭାଗ କସରତ କରିଛି ସତ, ହେଲେ ବିଭାଗ ଅଧୀନସ୍ଥ ସବୁ ଅନୁଷ୍ଠାନ ମୁରବିଶୂନ୍ୟ ଥିବାରୁ ବର୍ଷସାରା ସମାଲୋଚନା ଶୁଣିବାକୁ ମିଳିଛି। କାମ ପାଉନଥିବାରୁ ସାଂସ୍କୃତିକ ଦଳ ବି ଗର୍ଜିଛନ୍ତି।  ଅସ୍ମିତାର ଉତ୍‌ଥାନ ପାଇଁ ଆହୁରି ଠୋସ୍ ଯୋଜନା ଅପେକ୍ଷାରେ ଏବେ ବି ରାଜ୍ୟବାସୀ ଅଛନ୍ତି।

Horoscope 2025 December 12: ଜାଣନ୍ତୁ ଆଜିର ରାଶିଫଳ

ଠିକଣା ପାଇଲା ‘ଅସ୍ମିତା ଭବନ’

୨୦୨୪ରେ ବିଜେପି ସରକାର କ୍ଷମତାକୁ ଆସିଲା ପରେ ‘ଅସ୍ମିତା ଭବନ’ ନିର୍ମାଣ ପାଇଁ ଘୋଷଣା କରିଥ‌ିଲେ। କିନ୍ତୁ ଜାଗା ଚିହ୍ନଟରେ ବିଳମ୍ବ ହୋଇଥିଲା। ଏହି ଭବନ ନିର୍ମାଣ ପାଇଁ ୨୫ ଏକର ଜାଗା ସନ୍ଧାନରେ ବର୍ଷ ସାରା ଧଉଳି ଆଖପାଖ ଅଞ୍ଚଳକୁ ଘାଣ୍ଟିଥିଲେ ସରକାର। ହେଲେ ନିରାଶ ହେବା ପରେ ପୂର୍ବ ଯୋଜନା ମୁତାବକ ସୈନିକ ସ୍କୁଲ୍‌ ନିକଟରେ ନିର୍ମାଣାଧୀନ କଳାମଣ୍ଡପ ପାଖରେ ସାଢ଼େ ୪ ଏକର ଜାଗାରେ ‘ଅସ୍ମିତା ଭବନ’ ନିର୍ମାଣ ପାଇଁ ଚଳିତ ବର୍ଷ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଆ ଅସ୍ମିତା ଭବନର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷଠାରୁ ଠିକଣା ଖୋଜୁଥିବା ‘ଓଡ଼ିଆ ଅସ୍ମିତା ଭବନ’ ଭୁବନେଶ୍ବର ଗଜପତିନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମନାରେ ହେବ।

Shri Ram's Path: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ଗମନପଥ ପରିଯୋଜନା

ଦୁର୍ଗାମେଢ଼ଙ୍କୁ ମିଳିଲା ୭ କୋଟି ଟଙ୍କା

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି। ଦୁର୍ଗାମେଢ଼କୁ ୩ଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଐତିହ୍ୟ ସମ୍ପନ୍ନ ୨୧୫ଟି ଦୁର୍ଗାମେଢ଼କୁ ୨ କୋଟି ୧୭ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍‌ ପ୍ରତ୍ୟେକ ଐତିହ୍ୟ ସମ୍ପନ୍ନ ମେଢ଼କୁ ୧ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହ ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ ବର୍ଗରେ ୧୯୭ଟି ମେଢ଼କୁ ୧ କୋଟି ୪୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍‌ ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୭୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ ବର୍ଗରେ ୬୭୩ଟି ମେଢ଼କୁ ୩ କୋଟି ୩୬ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯିବ। ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

Untitled- 2

ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି 

ବରଗଡ଼ ଧନୁଯାତ୍ରା ପାଇଁ ସଂସ୍କୃତି ବିଭାଗ ଦେବ ୧ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ। ଡିସେମ୍ବର ୨୪ରୁ ଜାନୁଆରି ୩ ପର୍ଯ୍ୟନ୍ତ ବରଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଧନୁଯାତ୍ରାରେ ଭାଗ ନେଉଥିବା ପ୍ରାୟ ୨୦୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନସୂଚକ ରାଶି ମଧ୍ୟ ପ୍ରଦାନ କରାଯିବ। ଏଥିସହ ଧନୁଯାତ୍ରାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଏଲ୍‌ଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏଲ୍‌ଇଡି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧାପ୍ରସାରଣ ହେବ ବୋଲି ଐତିହାସିକ ନିଷ୍ପତ୍ତି ହୋଇଛି।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ୧୯ ଲକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମା’ ଗଜଲକ୍ଷ୍ମୀଙ୍କ ମେଢ଼କୁ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାର ମୋଟ ୩୮ଟି ମେଢ଼କୁ ସଂସ୍କୃତି ବିଭାଗ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛି। ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା ହୋଇଛି। 

କଳାକାର ଗୌରବ ନିଧି ଯୋଜନା’ ପାଇଁ ଆରମ୍ଭ ହେଲା ଗୁରୁ ଖୋଜା

ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର, ଲୋକକଳାଗୁଡ଼ିକୁ ବଞ୍ଚାଇ ରଖିବାକୁ ଗୁରୁ ଚିହ୍ନଟ ଓ ଅଧିକ କଳାକାର ତିଆରି ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘କଳାକାର ଗୌରବ ନିଧି ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଲୁପ୍ତପ୍ରାୟ ଲୋକକଳାର ଗୁରୁମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଯୋଜନା ହୋଇଛି। ତେବେ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ୧୬ଟି ଲୁପ୍ତପ୍ରାୟ ଲୋକକଳାକୁ ଚିହ୍ନଟ ପାଇଁ କାମ ଆରମ୍ଭ ହୋଇଛି। ଏହି ୧୬ ଲୋକକଳାର ଭିଡିଓ, ଅଡିଓ ସଂଗ୍ରହ ସହ ଆନୁଷଙ୍ଗିକ ସମସ୍ତ ଦସ୍ତାବିଜ ସଂଗ୍ରହ ପାଇଁ କାମ ଆରମ୍ଭ ସହ ଲୋକକଳା ଦଳ ଓ ଗୁରୁଙ୍କୁ ଚିହ୍ନଟ କରାଯାଇଛି। ଏଥିପାଇଁ ପ୍ରତି ୮ଟି ଲୁପ୍ତପ୍ରାୟ ଲୋକକଳା ପାଇଁ ୭୫ ଲକ୍ଷ ଟଙ୍କା ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଛି। ତେବେ ଏହିଭଳି ଭାବେ ୩୨ଟି ଲୁପ୍ତପ୍ରାୟ ଲୋକକଳାର ଦସ୍ତାବିଜ ସଂଗ୍ରହ ପରେ  ‘କଳାକାର ଗୌରବ ନିଧି ଯୋଜନା’ରେ ସଂପୃକ୍ତ ଗୁରୁମାନଙ୍କୁ ଶିଷ୍ୟ ସୃଷ୍ଟି ପାଇଁ ମାସିକ ୧୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ଏଥିପାଇଁ ସଂସ୍କୃତି ବିଭାଗ ବାର୍ଷିକ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି।

ରବୀନ୍ଦ୍ରନାଥଙ୍କ ଘର ‘ପଥେର୍‌ ପୁରୀ’ ହେବ ସଂଗ୍ରହାଳୟ

ପୁରୀ ସହରର ସୁଭାଷ ବୋଷ ଛକ ତଥା ବେଳାଭୂମି ନିକଟରେ ରହିଥିବା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ବାସସ୍ଥାନ ‘ପଥେର୍‌ ପୁରୀ’କୁ ପୁନରୁଦ୍ଧାର କରି କବିଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଭାବେ ବିକଶିତ କରିବ ରାଜ୍ୟ ସଂସ୍କୃତି ବିଭାଗ। ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। କବି ଏହି ଘରେ ୧୯୧୧ ମସିହାରେ ନୋବେଲ ପୁରସ୍କାରପ୍ରାପ୍ତ ‘ଗୀତାଞ୍ଜଳି କାବ୍ୟ’ର କିଛି ଅଂଶ ଲେଖିଥିଲେ। ପରେ ସେ ତାଙ୍କର ଏହି ବାସସ୍ଥାନକୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ଦେଇଥିଲେ। ୧୯୪୫ ମସିହାରୁ କଲେଜର ଏକ ଛାତ୍ରାବାସ ଏଠାରେ ପରିଚାଳିତ ହେଉଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି ଘର ଅସୁରକ୍ଷିତ ହୋଇଯିବା ପରେ ହଷ୍ଟେଲ ସ୍ଥାନାନ୍ତର ସହ ଘରଟି ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଏବେ ସେଠାରେ କବିଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ହେବ ବୋଲି ବିଭାଗ ଅଣ୍ଟା ଭିଡ଼ିଛି।

ଖାଲି ପଡ଼ିଥିବା ପଦପଦବିକୁ ନେଇ କେଁ କଟର

ବର୍ଷ ତମାମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ତିନି ଏକାଡେମୀ ଯଥା; ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଓ ଉପସଭାପତି ପଦ ପୂରଣ ପାଇଁ ହଟଚମଟ ହେଲା। ହେଲେ ତିନି ଏକାଡେମୀ ବର୍ଷତମାମ ମୁରବୀଶୂନ୍ୟ ରହିଲା। ତିନି ଏକାଡେମୀରେ ଖୁବ୍‌ଶୀଘ୍ର ସଭାପତି ଓ ଉପସଭାପତି ନିଯୁକ୍ତ ହେବେ ବୋଲି ସରକାର ବାରମ୍ବାର ଘୋଷଣା କରିଥିଲେ ବି ସବୁ ପାଣିଫୋଟକା ପାଲଟିଥିଲା। ଅନ୍ୟପଟେ ୨୦୧୭ ମସିହାରୁ ବାକି ପଡ଼ିଥିବା ସାହିତ୍ୟ ଏକ‌ାଡେମୀ ପୁରସ୍କାର ଦିଆଯାଉନଥିବାରୁ ବିଭାଗକୁ ଆହୁରି ବଦନାମ ଉଠାଇବାକୁ ପଡ଼ିଛି। ସେପଟେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ବି ମୁରବିଶୂନ୍ୟ ରହିଛି। ସେଠାରେ ବି ବହୁଦିନ ଧରି ମୁଖ୍ୟ ନିର୍ବାହୀ ନିଯୁକ୍ତ ହୋଇପାରୁ ନାହାନ୍ତି। ଫଳରେ ସମସ୍ତ ସଂସ୍କୃତି ଜଗତ ମୁରବିଶୂନ୍ୟ ହୋଇ ଶିଥିଳ ପଡ଼ିଯାଇଛି।

ଅବ୍ୟବସ୍ଥିତ ଉର୍ଦ୍ଦୁ ଏକାଡେମୀକୁ ସଜାଡ଼ୁଛି ବିଭାଗ

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଗତ ଅଗଷ୍ଟ ମାସରେ ୨୦୨୩ ମସିହା ପାଇଁ ତିନିଟି ବର୍ଗରେ ତିନିଜଣ ଉର୍ଦ୍ଦୁ ଲେଖକଙ୍କୁ  ‘ଏକାଡେମୀ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି। ଏଥିସହ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନ୍‌ୱର୍‌ ହୁସେନଙ୍କୁ ‘ଅମଜଦ୍‌ ନଜମୀ ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଥିଲା।ପୁରସ୍କାର ବ‌ାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ଅବଦୁଲ ହକ୍ ବେତାବ୍‌ଙ୍କୁ “କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ “ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର-୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ୨୦୦୪ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଏକାଡେମୀ ପୁରସ୍କାର ଦିଆଯାଇନଥିବା ବେଳେ ଏବେ ଏକାଡେମୀକୁ ଚଳଚଞ୍ଚଳ ରଖିବାକୁ ନିୟମିତ ବ୍ୟବଧାନରେ ପୁରସ୍କାର ଦେବା ସହ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। 

୧୪ କୋଟିରେ ନିର୍ମାଣ ହେବ ବରପୁତ୍ରଙ୍କ ୭୫ ପ୍ରତିମୂର୍ତ୍ତି

ଦେଶର ସ୍ବାଧୀନତା ସଂଗ୍ରାମରେ ହେଉ କି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅବା ସାରସ୍ବତ ଜଗତକୁ କିମ୍ବା ଦେଶ ତଥା ରାଜ୍ୟର ଉନ୍ନତିରେ ନିଜକୁ ଉତ୍ସର୍ଗ କରିଥିବା ବରପୁତ୍ରମାନଙ୍କର ୭୫ଟି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ୨୦୨୬ ଡିସେମ୍ବର ସୁଦ୍ଧା ଏହି କାମ ଶେଷ ହେବ। 
ପୁରୀ: ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ
ଖୋର୍ଦ୍ଧା: ସ୍ବର୍ଗତ ବିଶ୍ୱନାଥ ଦାସ, କବି ସଚ୍ଚିଦାନନ୍ଦ ରାଉତରାୟ, କବି କୁନ୍ତଳା କୁମାରୀ ସାବତ, ବୀର ସୁରେନ୍ଦ୍ର ସାଏ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, ବୀର ସିଡୋ ମୁର୍ମୁ ଓ କାହ୍ନୁ ମୁର୍ମୁ, ରବି ରାୟ, ବିନାୟକ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ରାଧାନାଥ ରଥ, ଲାଲ ବାହାଦୁର ଶାସ୍ତ୍ରୀ, ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ, ପିଣ୍ଡିକ ବାହୁବଳେନ୍ଦ୍ର, ଧରଣୀଧର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର
ବାଲେଶ୍ୱର- କବିବର ରାଧାନାଥ ରାୟ, ମୁକୁନ୍ଦ ପ୍ରସାଦ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଧାନାଥ ରାୟ, ଖୁଦିରାମ ବୋଷ
ଜଗତସିଂହପୁର- ଜାତୀୟ କବି ବୀର କିଶୋର ଦାସ, ଶାରଳା ଦାସ, ଅଟଳ ବିହାରୀ ବାଜପେୟୀ, ମହେଶ ଚନ୍ଦ୍ର ସୁବାହୁସିଂହ
ନୟାଗଡ଼ ଜିଲ୍ଲା- ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ପଠାଣି ସାମନ୍ତ
କଟକ: ଭୈରବ ମହାନ୍ତି, ସରଳା ଦେବୀ, ରାଣୀ ଶୁକଦେବୀ, କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ, ନୀଳମଣି ବିଦ୍ୟାରତ୍ନ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଗଙ୍ଗାଧର ମେହେର
ବରଗଡ଼: କୁଞ୍ଜବିହାରୀ ଦାସ, ଗଙ୍ଗାଧର ମେହେର, ମନହୋର ସିଂହ
ଅନୁଗୋଳ: ବି.ଆର୍‌ ଆମ୍ବେଦକର, ନବକୃଷ୍ଣ ଚୌଧୁରୀ
ଢେଙ୍କାନାଳ: ସାରଙ୍ଗଧର ଦାସ, ବାଜି ରାଉତ
ଭଦ୍ରକ: ବିପ୍ଳବୀ ଚକ୍ରଧର ବେହେରା, ସହିଦ ନିରଞ୍ଜନ ବେହେରା, ସ୍ୱାମୀ ବିବେକାନନ୍ଦ, ଅଟଳ ବିହାରୀ ବାଜପେୟୀ, ବାଞ୍ଛାନିଧି ମହାନ୍ତି, ମୁରଲୀଧର ପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର
ବଲାଙ୍ଗୀର- ହରେକୃଷ୍ଣ ମହତାବ, ଗଙ୍ଗାଧର ମେହେର
ଗଞ୍ଜାମ ଜିଲ୍ଲା- ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ 
ସମ୍ବଲପୁର- ଲକ୍ଷ୍ମଣାନନ୍ଦ ସରସ୍ବତୀ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ଛବିଳ ସାଏ, ଚନ୍ଦ୍ରଶେଖର ଆଜାଦ
କେନ୍ଦ୍ରାପଡ଼ା- ମଧୁସୂଦନ ଦାସ
ମୟୂରଭଞ୍ଜ- ପଣ୍ଡିତ ରଘୁନାଥ ମୁର୍ମୁ, ଦିନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀ
କୋରାପୁଟ- ଶ୍ୟାମା ପ୍ରସାଦ ମୁଖାର୍ଜୀ
କଳାହାଣ୍ଡି- ରେଣ୍ଡୋ ମାଝୀ
କେନ୍ଦୁଝର- ରମା ଦେବୀ
ସୋନପୁର- ଭୀମ ଭୋଇ 
ରାୟଗଡ଼ା- ସହିଦ ଲକ୍ଷ୍ମଣ ନାଏକ

Untitled-2

୬ ଜଣଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

କଳାକାରଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଏକାଥରେ ମିଳିଥିଲା ୨୦୨୩, ୨୦୨୪ ଓ ୨୦୨୫ ମସିହା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ। ଏଥିସହ ୩ ବର୍ଷ ପାଇଁ ୬ ଜଣ ବର୍ଷୀୟାନ କଳାକାରଙ୍କୁ ମିଳିଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’। ୨୦୨୩ ମସିହା ପାଇଁ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ମୋଗଲ ତାମସାର ପ୍ରଖ୍ୟାତ ଗୁରୁ ବାଦଲ ଶିକ୍‌ଦାର, ୨୦୨୪ ମସିହା ପାଇଁ ବିଶିଷ୍ଟ ବଂଶୀ ବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଗୁରୁ ସୁଧାକର ସାହୁ ଏବଂ ୨୦୨୫ ମସିହା ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ୩ ବର୍ଷ ପାଇଁ ସମୁଦାୟ ୧୩୪ ଜଣ କଳାକାରଙ୍କ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିବା ସହ ଏକା‌େଡମୀର କୌଣସି ପୁରସ୍କାର ଏବେ ଆଉ ବକେୟା ରହିନାହିଁ।

ସାଂସ୍କୃତିକ ଦଳ ପରିଚାଳନା ଅବ୍ୟବସ୍ଥାକୁ ନେଇ ହଟଚମଟ

ଅନ୍‌ଲାଇନ୍‌ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମ୍‌ଏସ୍‌)କୁ ନେଇ ବର୍ଷତମାମ ଅସନ୍ତୋଷ ଜାହିର କରିଛନ୍ତି କଳାକାର। କଳାକାରମାନେ ସଂସ୍କୃତି ଭବନ ସମ୍ମୁଖରେ ଦୁଇ ଦୁଇ ଥର କଳାକାର ସମାବେଶର ଆୟୋଜନ କରି ଅନ୍‌ଲାଇନ୍‌ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମ୍‌ଏସ୍‌)କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରିଚାଳନା ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରିବା ପରଠାରୁ କଳାକାର ଓ ଆବେଦନକାରୀ ସଂସ୍ଥା ଉଭୟ ଅସୁବିଧାରେ ଅଛନ୍ତି। ଯେଉଁ କଳାକାରମାନେ କାର୍ଯ୍ୟକ୍ରମ କରିଛନ୍ତି ସେମାନେ ନିଜର ପାରିଶ୍ରମିକ ପାଇନାହାନ୍ତି। ବିଭାଗ ପକ୍ଷରୁ କୁହାଯାଇଥିଲା ବର୍ଷକୁ ୨୪ଟା କାର୍ଯ୍ୟକ୍ରମ ମିଳିବ। ହେଲେ ଯେଉଁ ସଂସ୍ଥା ୨୪ଟା କାର୍ଯ୍ୟକ୍ରମ କରିଛନ୍ତି ସେମାନଙ୍କ ନାମ ଆଉ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେଉନି। ବର୍ତ୍ତମାନ କୌଣସି ଦଳର ନାମ ସିଟିଏମ୍‌ଏସ୍‌ରେ ପ୍ରଦର୍ଶିତ ହେଉନାହିଁ। ସିଟିଏମ୍‌ଏସ୍‌ ବ୍ୟବସ୍ଥା ବର୍ତ୍ତମାନ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏନେଇ ସଂସ୍କୃତି ବିଭାଗ ଖୁବ୍‌ଶୀଘ୍ର ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସଂସ୍କୃତି ବିଭାଗ ମଣ୍ଡପ ବୁକିଂ ପାଇଁ ‘ମଣ୍ଡପ ୱେବ୍‌ସାଇଟ୍‌’

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ବିଭାଗ ପକ୍ଷରୁ ଚଳିତ ବର୍ଷ ୩ ଗୋଟି ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଉନ୍ମୋଚିତ କରାଯାଇଛି। ଏହି ତିନିଟି ୱେବ୍‌ସାଇଟ୍‌ ମାଧ୍ୟମରେ ଏକାଡେମୀ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ଜନସାଧାରଣଙ୍କ ଅବଗତି ସମ୍ବନ୍ଧରେ ଉପଲବ୍ଧ କରାଯାଇପାରୁଛି। ଏଥିସହ ସଂସ୍କୃତି ବିଭାଗ ଅଧୀନସ୍ଥ ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ପାଇଁ ସ୍ୱତନ୍ତ୍ର ‘ମଣ୍ଡପ ୱେବ୍‌ସାଇଟ୍’କୁ ଉନ୍ମୋଚିତ କରାଯାଇଛି। ମଣ୍ଡପଗୁଡ଼ିକରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ମଣ୍ଡପ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

Untitled-3

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe