ପଞ୍ଚ ପ୍ରଥମା

ଓଡ଼ିଆରେ ଲୋକପ୍ରିୟ କଥନିକାଟିଏ ଅଛି- ‘‘ଯା’ ବାପା ଚଢ଼େ ଘୋଡ଼ା, ତା’ ପୁଅ ଥୋଡ଼ାଥୋଡ଼ା।’’ସରଳରେ କହିଲେ ବାପା ଘୋଡ଼ା ଚଢୁଥିଲେ, ପୁଅ ବି ଚଢ଼େ ଘୋଡ଼ା। ଘୋଡ଼ାଚଢ଼ା ଆଉ ରାଜନୀତି ଭିତରେ ବି ରହିଛି ସାମଞ୍ଜସ୍ୟ! ବାପା ରାଜନୀତି କରୁଥିଲେ ପୁଅ ବି ରାଜନୀତିର କଳାକୌଶଳ ଶିଖେ। ସମୟ ଆସିଲେ ରାଜନୀତିକୁ ଓହ୍ଲାଏ। ତେବେ ବାପା ପରେ ପୁଅ ରାଜନୀତି କରିବାର ଧାରା ବହୁତ ପୁରୁଣା। ଏବେ ଝିଅମାନେ ବାପାର ରାଜନୈତିକ ଉତ୍ତରାଧିକାରୀ ସାଜି ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହେଲେଣି। ଯଦିଓ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀ ବାପାଙ୍କ ରାଜନୈତିକ ଉତ୍ତରାଧିକାରୀ ସାଜି ସଫଳତାର ଶୀର୍ଷତ୍ବ ହାସଲ କରି ଝିଅମାନଙ୍କ ପାଇଁ ଅନନ୍ୟ ଉଦାହରଣ ସାଜିଥିଲେ, କିନ୍ତୁ ଓଡ଼ିଶା ରାଜନୀତିରେ ଏହି ଧାରାଟି ସ୍ତିମିତ ଥିଲା। ଚଳିତ ନିର୍ବାଚନରେ ଭିନ୍ନ ଭିନ୍ନ କାରଣରୁ ବାପାଙ୍କ ଉତ୍ତରାଧିକାରୀ ଭାବେ ନିର୍ବାଚନ ରଣାଙ୍ଗନକୁ ଝିଅମାନେ ଆସିଛନ୍ତି। ଜନମାନସକୁ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଛନ୍ତି। ଏହି କ୍ରମରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଥିବା ପାଞ୍ଚଜଣ ରାଜନେତାଙ୍କ କନ୍ୟା ଅଧିକ ଚର୍ଚ୍ଚାରେ ରହିଛନ୍ତି। ସେମାନେ ହେଲେ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା, ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା, ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା, ମହମ୍ମଦ୍‌ ମୋକିମ୍‌ଙ୍କ ଝିଅ ସୋଫିଆ ଏବଂ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି।

ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡିର ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ୨୭ ବର୍ଷୀୟା ସୁଲକ୍ଷଣା ଗୀତାଞ୍ଜଳି ଧରାକୋଟ ରାଜପରିବାରର ସଦସ୍ୟ‌ା ଏବଂ ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲାର ସର୍ବକନିଷ୍ଠା ବ୍ଲକ୍‌ ଅଧ୍ୟକ୍ଷା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୨୦୧୦ରେ ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ଦେହାନ୍ତ ପରେ ଧରାକୋଟର ପ୍ରତୀକାତ୍ମକ ରାଜା ଭାବେ ସୁଲକ୍ଷଣାଙ୍କ ନାମ ଘୋଷିତ ହୋଇଥିଲା। ପୁରୀ ମୁକ୍ତିମଣ୍ଡପ ନିଷ୍ପତ୍ତିକ୍ରମେ ୨୦୧୦ରେ ସେ ସ୍ଥାନୀୟ ରଥଯାତ୍ରାରେ ଛେରାପହଁରା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାୟପୁରସ୍ଥିତ ରାଜକୁମାର କଲେଜରୁ ଯୁକ୍ତଦୁଇ ପାସ୍‌ କରିବା ପରେ କିଟ୍‌ ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି ସୁଲକ୍ଷଣା।
ସୁଲକ୍ଷଣାଙ୍କ ପରିବାରର ଦୀର୍ଘ ରାଜନୈତିକ ଇତିହାସ ରହିଛି। ଜେଜେବାପା ଅନନ୍ତ ନାରାୟଣ ସିଂହଦେଓ, ଜେଜେମା’ ଶାନ୍ତିଦେବୀ, ବାପା କିଶୋର ଚନ୍ଦ୍ର ସିଂହଦେଓ ଏବଂ ମା’ ନନ୍ଦିନୀ ଦେବୀଙ୍କ ଜନସେବା ଓ ରାଜନୈତିକ ଯାତ୍ରା ସହିତ ସେ ପିଲାଦିନୁ ଜଡ଼ିତ। ଅତି ନିକଟରୁ ସୁଲକ୍ଷଣା ଏସବୁ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହା ହିଁ ତାଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିଛି। ସେ କହନ୍ତି, ‘‘ବହୁବର୍ଷ ଧରି ରାଜନୀତି ଓ ଜନସେବାକୁ ଅତି ନିକଟରୁ ପରଖି ଯେଉଁ ଅଭିଜ୍ଞତା ହାସଲ କରିଛି ତାହା ମୋତେ ସୁଦକ୍ଷ ରାଜନେତ୍ରୀ କରିପାରିବ। ନିର୍ବାଚିତ ହେଲେ ଜନତ‌ାଙ୍କ ବାସ୍ତବ ସମସ୍ୟା ଦୂର କରିବାକୁ ମୁଁ ସକ୍ଷମ ହେବି। ମୋ ଜେଜେବାପା, ଜେଜେମା’ ଏବଂ ବାପାମା’ଙ୍କ ପ୍ରତି ଜନସାଧାରଣଙ୍କର ଥିବା ବିଶ୍ୱାସ, ସମର୍ଥନ ଓ ଶ୍ରଦ୍ଧା ମୋ ସଫଳତାର ଚାବିକାଠି।’’
ଯଦି ବିଜୟୀ ହୁଅନ୍ତି ତେବେ ତାଙ୍କର ପ୍ରାଥମିକତା କ’ଣ ରହିବ? ଉତ୍ତରରେ ସୁଲକ୍ଷଣା କହନ୍ତି, “ମୋ ନିର୍ବାଚନ ମଣ୍ଡଳୀର କେତେକ ଅଞ୍ଚଳରେ ରହିଥିବା ଜଳସଙ୍କଟ, ମୁଖ୍ୟତଃ ପାନୀୟ ଜଳକଷ୍ଟ ଦୂର କରିବା ହେବ ମୋର ପ୍ରାଥମିକତା। ମୋ ମା’ ଧରାକୋଟ ବ୍ଲକ୍‌ ଅଧ୍ୟକ୍ଷା ଏବଂ ବିଧାୟିକା ଥିବାବେ‌ଳେ, ଏପରିକି ମୁଁ ମଧ୍ୟ ବ୍ଲକ୍‌ ଅଧ୍ୟକ୍ଷା ଥିବା ସମୟରେ, ଆମ ଉଦ୍ୟମରେ ଅନେକ ଜଳକ୍ଳିଷ୍ଟ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି। ଯେଉଁସବୁ ଗାଁଗଣ୍ଡାରେ ଏ ସମସ୍ୟା ସମାଧାନ ହୋଇପାରିନାହିଁ ତାହା ସମାଧାନ କରିବାକୁ ମୁଁ ସର୍ବପ୍ରଥମେ କାର୍ଯ୍ୟ ଆରମ୍ଭ କରିବି। ଆମ ଅଞ୍ଚଳର ବିକାଶକୁ ନେଇ ମୋ ବାପାମା’ଙ୍କ ଅଧୁରା ସ୍ବପ୍ନ ପୂରଣ କରିବି।’’

ଡାକ୍ତର ଦେବସ୍ମିତା ଶର୍ମା
ଆଳି ରାଜକନିକା ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ମଧ୍ୟ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥିନୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଦେବେନ୍ଦ୍ର ନିଜେ ପ୍ରାର୍ଥୀ ନ ହୋଇ ଝିଅକୁ ରାଜନୈତିକ ଉତ୍ତରାଧିକାରୀ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍‌ ଅନ୍ତର୍ଗତ କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଦେବସ୍ମିତା ସରକାରୀ ଚାକିରିରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନ ଲଢୁଛନ୍ତି। ଦେବସ୍ମିତାଙ୍କ ଜେଜେବାପା ମଧ୍ୟ କଂଗ୍ରେସ ରାଜନୀତିରେ ସକ୍ରିୟ ଥିଲେ ଏବଂ ଆଳିରୁ ବିଧାନସଭାକୁ ଯାଇଥିଲେ। ଦେବସ୍ମିତାଙ୍କ ବାପା ଦେବେନ୍ଦ୍ର ଶର୍ମା ମାତ୍ର ୨୫ ବର୍ଷ ବୟସରେ ୧୯୮୪ ମସିହାରେ ସର୍ବକନିଷ୍ଠ ବ୍ଲକ୍‌ ଅଧ୍ୟକ୍ଷ ହେବା ସହିତ ୨୦୧୪ ମସିହାରେ କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ। ଦେବସ୍ମିତା ବାପା, ଜେଜେବାପାଙ୍କ ଭଳି କଂଗ୍ରେସରେ ରହିଆସିଛନ୍ତି। ପରିବାରର ଦୀର୍ଘ ରାଜନୈତିକ ଅଭିଜ୍ଞତା ଏବଂ ଛାତ୍ର ଜୀବନରୁ ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନା ତାଙ୍କୁ ରାଜନୀତିରେ ସଫଳ କରିବ ବୋଲି ଦେବସ୍ମିତାଙ୍କ ଦୃଢ଼ ବିଶ୍ୱାସ।
ସେ କହନ୍ତି, ‘‘ରାଜନୀତିକୁ ଜନସେବାର ବୃହତ୍‌ ମାଧ୍ୟମ ବୋଲି ଭାବି ସରକାରୀ ଚାକିରିରୁ ଇସ୍ତଫା ଦେଇ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ମନ ବଳାଇଲି।

କଂଗ୍ରେସ ମୋ ବ୍ୟତୀତ ଆଉ ଦୁଇଜଣ ଉଚ୍ଚଶିକ୍ଷିତା ଯୁବତୀ ଡାକ୍ତର ଲିପିକା ମାଝୀ ଏବଂ ସୋଫିଆ ଫିର୍‌ଦୌସ୍‌ଙ୍କୁ ପ୍ରାର୍ଥିନୀ ଘୋଷଣା କରି ଶିକ୍ଷିତ ଯୁବପିଢ଼ିଙ୍କୁ ରାଜନୀତିରେ ସକ୍ରିୟ ହେବାକୁ ଉତ୍ସାହ ଦେଇଛି। ଏହା ମୋ ପାଇଁ ବଡ଼ ପ୍ରେରଣା। ଜଣେ ଡାକ୍ତର ଭାବେ ଜନସେବାକୁ ମୋର ଲକ୍ଷ୍ୟ ଭାବେ ଗ୍ରହଣ କରିଛି ଏବଂ ରାଜନୈତିକ ଜୀବନରେ ତାହାକୁ ପାଥେୟ କରି ଭବିଷ୍ୟତରେ ଆଗକୁ ବଢ଼ିବି।’’
ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ଦେବସ୍ମିତା କହନ୍ତି, ‘‘ବାପା ବିଧାୟକ ଥିବା ସମୟରେ ଗମନାଗମନର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ। ତାଙ୍କ ଉଦ୍ୟମରେ କେତେକ ନଈନାଳ ଉପରେ ପୋଲ ନିର୍ମାଣ ହୋଇଥିଲା। କେତେକ କାର୍ଯ୍ୟ ବାକି ରହିଯାଇଛି। ପ୍ରଥମେ ସେଗୁଡ଼ିକୁ ସାରିବାକୁ ଉଦ୍ୟମ କରିବି। ଜଣେ ଡାକ୍ତର ଭାବେ ମୁଁ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା, ବିଶେଷତଃ ମା’ଭଉଣୀ, ଝିଅବୋହୂଙ୍କ ସମସ୍ୟା ପ୍ରତି ଯଥେଷ୍ଟ ସଚେତନ। ସେମାନଙ୍କ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାକୁ ମୁଁ କାର୍ଯ୍ୟ କରିବି। ଆଳିକୁ ଏକ ସବ୍‌ଡିଭିଜନ୍‌ କରିବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ। ଏହା ସହିତ ଆଳିରେ ଥିବା ‘ପୋଷ୍ଟ୍‌ମର୍ଟମ୍‌’ (ଶବ ବ୍ୟବଚ୍ଛେଦ ଗୃହ) କେନ୍ଦ୍ର ଉଠାଇ ନେବାକୁ ଯେଉଁ ଉଦ୍ୟମ ଚାଲିଛି ତା’ ବିରୋଧରେ ଲଢ଼େଇ ଜାରିରଖିବି।’’

ଡାକ୍ତର ଲିପିକା ମାଝୀ
ଆଦିବାସୀ ବହୁଳ ଜିଲ୍ଲା ନବରଙ୍ଗପୁର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ତିନିଥର ବିଧାୟକ ହୋଇ ବାଜିମାତ୍‌ କରିଥିବା ବରିଷ୍ଠ କଂଗ୍ରେସ ନେତା ଭୁଜବଳ ମାଝୀଙ୍କ କନ୍ୟା ଡାକ୍ତର ଲିପିକା ମାଝୀ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥିନୀ ଭାବେ ଲଢୁଛନ୍ତି। ଲିପିକା ପୂର୍ବରୁ ନବରଙ୍ଗପୁର ଜୋନ୍‌-୨ରୁ ଜିଲ୍ଲା ପରିଷଦ ସଭ୍ୟ ଥିଲେ। ପେସାରେ ସେ ଜଣେ ଦନ୍ତରୋଗ ବିଶେଷଜ୍ଞ। ଏଥର ‘ବାପ-ଝିଅ’ ଭୁଜବଳ ଓ ଲିପିକା ଗୋଟିଏ ଦଳରୁ, ଗୋଟିଏ ଜିଲ୍ଲାରୁ ଏବଂ ଗୋଟିଏ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଉଭାହୋଇ ଚର୍ଚ୍ଚାରେ ରହିଛନ୍ତି। ବିଦ୍ୟାଳୟ ଜୀବନରୁ ଲିପିକା ବାପାଙ୍କ ସହିତ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ରହିଆସିଛନ୍ତି। କଲେଜପଢ଼ା ସମୟରେ ନିର୍ବାଚନ ପ୍ରଚାର ଓ ପରିଚାଳନାର ଗୁରୁଦାୟିତ୍ୱ ତୁଲାଇ ଲିପିକା ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି। ଭୁଜବଳଙ୍କ ଦୀର୍ଘ ରାଜନୈତିକ ଯାତ୍ରା ମାଧ୍ୟମରେ ଲିପିକା ଘରେ ଘରେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିଜ୍ଞତା ଓ ଜନସମ୍ପର୍କ ତାଙ୍କୁ ନିର୍ବାଚନୀ ବୈତରଣୀ ପାର କରିବାରେ ସହାୟକ ହେବ ବୋଲି ବିଶ୍ୱାସ ରଖିଛନ୍ତି ଲିପିକା। ଲିପିକା ନିଜର ପ୍ରାଥମିକତା ଏବଂ ନିର୍ବାଚନ ପରର କାର୍ଯ୍ୟଧାରା ସଂପର୍କରେ କହନ୍ତି, ‘‘ମୁଁ କୌଣସି ପଦପଦବି ପାଇଁ ରାଜନୀତିକୁ ଆସିନାହିଁ। ନିର୍ବାଚନ ପୂର୍ବରୁ ଯେମିତି ଥିଲା, ପରେ ମଧ୍ୟ ମୋର ଜନସମ୍ପର୍କ ଓ ସେବା ସେପରି ଅବ୍ୟାହତ ରହିବ। ନିର୍ବାଚନ ଫଳାଫଳ ଏହା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ, ଏହା ସତ୍ୟ ଯେ ଯଦି ନବରଙ୍ଗପୁର ଜିଲ୍ଲା ବିଧାନସଭା ଓ ଲୋକସଭାରେ ଆମେ ବିଜୟୀ ହେଉ ତେବେ ମୁଁ ସରକାରୀସ୍ତରରେ ସ୍ଥାନୀୟ ଅଞ୍ଚଳର ବିକାଶ କରିବାକୁ ଅଧିକ ସୁଯୋଗ ପାଇବି। ମୋ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ଓ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କାର୍ଯ୍ୟ କରିବି। କେତେକ ନଦୀ ଉପରେ ମୋ ବାପା ଯେପରି ବଡ଼ ବଡ଼ ସେତୁ ନିର୍ମାଣ କରିଛନ୍ତି ସେଭଳି କାର୍ଯ୍ୟ ହାତକୁ ନେବି।’’

ଉପାସନା ମହାପାତ୍ର
ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନସଭା ଆସନରୁ ବିଜେପି ପ୍ରାର୍ଥିନୀ ଭାବେ ଚଳିତ ଥର ପ୍ରଥମ କରି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଓଡ଼ିଶାର ସୁପରିଚିତ କଂ‌େଗ୍ରସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା। ୧୯୯୫, ୨୦୦୦ ଓ ୨୦୦୪ରେ କ୍ରମାଗତ ୩ଥର ବିଧାୟକ ହୋଇଥିବା ଲୁଲୁ ମହାପାତ୍ର ଏକଦା ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ଯୁବନେତା ଥିଲେ। ଲୁଲୁଙ୍କ ଦେହାନ୍ତ ପରେ ତାଙ୍କ ସାନଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ। ଉପାସନାଙ୍କ ବୟସ ହୋଇ ନ ଥିବାରୁ କକା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୨୦୧୯ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚନ ଜିଣିଥିଲେ। ୨୦୧୭ ଅକ୍ଟୋବର ୧୪ରେ ଉପାସନା ମହାପାତ୍ର ବିଜେପିରେ ଯୋଗଦେଇ ସକ୍ରିୟ ରାଜନୀତିକୁ ଆସିଥିଲେ ଏବଂ କକା ଲଳିତେନ୍ଦୁଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଭାଗନେଇ ନିଜ ରାଜନୈତକ ଜୀବନର ମୂଳଦୁଆ ପକାଇଥିଲେ। ୨୬ ବର୍ଷୀୟା ଉପାସନା ବିଜେପିର ରାଜ୍ୟ ସଂଯୋଜକ ପଦବୀ ମଧ୍ୟ ସମ୍ଭାଳିଛନ୍ତି। କଟକ ଓ ଭୁବନେଶ୍ୱରର ପ୍ରତିଷ୍ଠିତ ବେସରକାରୀ ଶିକ୍ଷାନୁଷ୍ଠାନରେ ସ୍କୁଲ୍‌ ଶିକ୍ଷା ଶେଷ କରି ଉପାସନା ୨୦୧୫ରେ ମୁମ୍ବାଇସ୍ଥିତ ପ୍ରସିଦ୍ଧ ସୋଫିଆ ମହିଳା କଲେଜରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ୨୦୨୧ ଫେବ୍ରୁଆରି ୧୭ରେ ଉପାସନା ମୁମ୍ବାଇସ୍ଥିତ ବ୍ୟବସାୟୀ ଶୁଭ୍ରାଂଶୁଶେଖର ବିଶ୍ୱାଳଙ୍କୁ ବିବାହ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ଉପାସନା କକାଙ୍କ ସ୍ଥାନରେ ପ୍ରାର୍ଥିନୀ ହୋଇଛନ୍ତି। ଉପାସନା ତାଙ୍କ ବାପା ଓ କକାଙ୍କ ରାଜନୈତିକ ଜୟଯାତ୍ରାରୁ ହାସଲ କରିଥିବା ଅଭିଜ୍ଞତାକୁ ପାଥେୟ କରି ସଫଳତା ପାଇବେ ବୋଲି ବିଶ୍ୱାସ କରୁଛନ୍ତି।

ରାଜନୈତିକ ଭବିଷ୍ୟତର ରୂପରେଖକୁ ନେଇ ଉପାସନା ମହାପାତ୍ର କହନ୍ତି, ‘‘ଆମେ ହେଉଛୁ ୧୮୧୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ର ଅନ୍ୟତମ ଇତିହାସ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିଦ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ବଂଶଧର। ଜନ୍ମମାଟି, ଜାତି ଓ ଦେଶ ପ୍ରତି ଆମର ରହିଛି ସ୍ୱତନ୍ତ୍ର ସମ୍ମାନ ଓ ଭକ୍ତି। ସେହିପରି ଜନସାଧାରଣଙ୍କ ପାଇଁ ରହିଛି ଶ୍ରଦ୍ଧା ଓ ସେବା ମନୋବୃତ୍ତି। ମୋ ଅଜା ନାରାୟଣ ସାହୁ ମଧ୍ୟ ସତୁରି ଦଶକରେ ପାଳଲହଡ଼ା ପରଜଙ୍ଗ ନିର୍ବାଚନ ମଣ୍ଡଳୀରୁ ସାଂସଦ ଓ ବିଧାୟକ ହୋଇଥିଲେ। ମା’ଙ୍କ ଠାରୁ ତାଙ୍କ ରାଜନୈତିକ ମୂଲ୍ୟବୋଧ ବିଷୟରେ ଶୁଣିଛି। ଏସବୁ ଅନୁଭୂତି ନେଇ ମୁଁ ରାଜନୀତିକୁ ଆସିଛି।’’ ‘‘ପିଲାବେଳେ ମୁଁ ବାପାଙ୍କ ନିର୍ବାଚନ ପ୍ରଚାର ଦେଖିଛି। ସେ ସମୟରେ ଆମ ଅଞ୍ଚଳର ମହିଳାମାନେ ଲୁଚି ଲୁଚି ଝରକା ବାଟେ ନିର୍ବାଚନ ପ୍ରଚାର ଦେଖୁଥିଲେ। ଷଢ଼େଇକଳା ରାଜପରିବାରରୁ ଆସିଥିବା ମୋ ଜେଜେମା’ ପରଦା ପ୍ରଥାରେ ବଢ଼ିଛନ୍ତି। ଆମ ସମାଜରେ ପ୍ରଚଳିତ ଏସବୁ ପ୍ରଥା ଓ ପରମ୍ପରା ଦେଖି ମୋତେ ଦୁଃଖ ଲାଗିଥାଏ। ଏହାକୁ ବିରୋଧ କରି ଶିକ୍ଷା େଶଷ ହେବା ପରେ ରାଜନୀତିକୁ ଆସିବାକୁ ମନସ୍ଥ କରି ବାପାଙ୍କୁ କହିଥିଲି। ବିଧାୟିକା ପ୍ରାର୍ଥିନୀ ଭାବେ ବ୍ରହ୍ମଗିରିରେ ନିର୍ବାଚନ ଲଢୁଥିବା ସର୍ବପ୍ରଥମ ‘ମାଟିର ଝିଅ’ ମୁଁ। ଏଠାରେ ବାସ୍ତବ ନାରୀ ସଶକ୍ତୀକରଣ ଲକ୍ଷ୍ୟ ହାସଲ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛି। ପ୍ରତ୍ୟେକ ମହିଳା, ଝିଅ ଓ ଯୁବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରିବା ଓ ସେମାନଙ୍କୁ ଶିକ୍ଷିତ କରାଇ ଆର୍ଥିକ ଭାବେ ସ୍ୱଚ୍ଛଳ କରିବା ମୋର ଲକ୍ଷ୍ୟ।’’

ସୋଫିଆ ଫିର୍‌ଦୌସ୍‌
ଚଳିତ ବିଧାନସଭା ନିର୍ବାଚନରେ କଟକ ବାରବାଟୀ ଆସନରୁ କଂଗ୍ରେସ ଦଳର ପ୍ରାର୍ଥିନୀ ହୋଇଛନ୍ତି ବିଧାୟକ ମହମ୍ମଦ୍‌ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍‌ଦୌସ୍‌। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ପ୍ରତିନ୍ଦ୍ବନ୍ଦ୍ବିତା ବେଶ୍‌ ତୀବ୍ର ହେବ ବୋଲି ଆକଳନ କରାଯାଉଛି। ଏହିଭଳି ପରିସ୍ଥିତିରେ ନିର୍ବାଚନ ପରେ ଓଡ଼ିଶାରେ ବିରୋଧୀ ଦଳ ଦୃଢ଼ ହେବ ଏବଂ ଏକ ପରିବର୍ତ୍ତନ ଆସିବ ବୋଲି ସ୍ବପ୍ନ ଦେଖିଛନ୍ତି ସୋଫିଆ ଫିର୍‌ଦୌସ୍‌। ଯଦିଓ ମହମ୍ମଦ୍‌ ମୋକିମ୍‌ ୨୦୧୯ ନିର୍ବାଚନରେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ, କିନ୍ତୁ ଗତ ୫ ବର୍ଷରେ ସେ ଯେପରି ଜନସାଧାରଣଙ୍କ ସହିତ ଯୋଡ଼ି ହୋଇଛନ୍ତି ତାହା ସୋଫିଆ ଫିର୍‌ଦୌସ୍‌ଙ୍କୁ ସହଜରେ ବିଜୟିନୀ କରିବ ବୋଲି କଂଗ୍ରେସ କର୍ମୀ ଓ ନେତା ଆଶା ବାନ୍ଧିଛନ୍ତି। ସୋଫିଆଙ୍କ ବାପା ତଥା ବର୍ତ୍ତମାନର ବିଧାୟକ ମହମ୍ମଦ୍‌ ମୋକିମ୍‌ଙ୍କ ‘ଓଆର୍‌ଏଚ୍‌ଡିସି’ ଦୁର୍ନୀତିରେ ସଂପୃକ୍ତି ତାଙ୍କ ନିର୍ବାଚନ ଲଢ଼ିବା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। କଟକସ୍ଥିତ ସେଣ୍ଟ୍‌ ଜୋସେଫ୍‌ ସ୍କୁଲ୍‌ରୁ ଶିକ୍ଷା ଶେଷ କରିବା ପରେ ସୋଫିଆ ଫିର୍‌ଦୌସ୍‌ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରୁ ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରି ବେଙ୍ଗାଲୁରୁସ୍ଥିତ ‘ଆଇଆଇଏମ୍‌’ରୁ ମ୍ୟାନେଜ୍‌ମେଣ୍ଟ୍‌ କରିଛନ୍ତି। ତା’ପରେ ସେ କଟକ ଫେରି ବାପାଙ୍କୁ ବ୍ୟବସାୟରେ ସହାୟତା କରୁଛନ୍ତି। କଟକର ରେବା ବଗିଚାରେ ସୋଫିଆଙ୍କ ଶାଶୂଘର। ତେଣୁ ସେ କଟକର ଝିଅ ଓ ବୋହୂ।

ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୋଫିଆ ଫିର୍‌ଦୌସ୍‌ କହନ୍ତି, ‘‘ଗତ ୫ ବର୍ଷ ମଧ୍ୟରେ ମୋ ବାପା ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ବିରୋଧୀ ଦଳରେ ରହି କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନସଭାରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଉନ୍ନୟନମୂଳକ କାମକୁ ସରକାରୀସ୍ତରରେ କରାଇପାରିବାର ଯଥେଷ୍ଟ ଦକ୍ଷତା ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କର ରହିଥିବା ଆବଶ୍ୟକ। ଆମ ପାଇଁ ଏଭଳି ଜଣେ ବ୍ୟକ୍ତି ଦରକାର ଯିଏ ଜନତାଙ୍କ ସମସ୍ୟା ସରକାରଙ୍କ ନିକଟରେ ଦୃଢ଼ ଭାବେ ଉପସ୍ଥାପନ କରିପାରି‌େବ। ମୋ ବାପା ଏହା କରୁଥିଲେ। ତେଣୁ ଆଗକୁ ବାପାଙ୍କ ସହିତ ମିଶି କାର୍ଯ୍ୟ କରିବି। କଟକ ଏକ ଐତିହାସିକ ସହର ଏବଂ ଏହାକୁ ସବୁଜ, ସୁନ୍ଦର ଓ ସ୍ବଚ୍ଛ ସହର କରି ଗଢ଼ିବା ଦାୟିତ୍ୱ ଆମ ସମସ୍ତଙ୍କର। କଟକ ସହରରେ ବର୍ଷାଜଳ ଅମଳ ପ୍ରକଳ୍ପ କିପରି ଘରେ ଘରେ ପହଞ୍ଚି ପାରିବ, ସେଥିପ୍ରତି ମୋର ଅଗ୍ରାଧିକାର ରହିବ।’’

-ବିଭୂତି ପତି

ସମ୍ବନ୍ଧିତ ଖବର