ରାଜ୍ୟର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର, ପର୍ଯ୍ୟଟନସ୍ଥଳ, ବେଳାଭୂମି ପର୍ଯ୍ୟନ୍ତ ସବୁଠି ଅପରାଧ ସ୍ଥିତି ଅଣାୟତ୍ତ। କେଉଁଠି ନ୍ୟାୟ ନପାଇ ନାରୀ ନିଆଁରେ ଜଳୁଛି ତ କେଉଁଠି ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ନିଆଁ ଜଳୁଛି। କେତେବେଳେ ବାଲି, ଖଣି ପାଇଁ ତ କେତେବେଳେ ରାଜନୈତିକ ହିଂସାରେ ମୁଣ୍ଡ ଗଡ଼ିଛି। ସାଧାରଣ ଲୋକଙ୍କଠାରୁ ରାଜନେତା, ପୁଲିସଠାରୁ ପ୍ରଶାସନିକ ଅଧିକାରୀ କେହି ବି ଅପରାଧୀଙ୍କ ଆକ୍ରୋଶରୁ ବାଦ୍‌ ପଡ଼ି ନାହାନ୍ତି। ଏବର୍ଷ ଅନୁପ୍ରବେଶକାରୀ ବି ପୁଲିସ ଓ ପ୍ରଶାସନକୁ ବାଉଳା କଲେ। ସରକାରୀ ଅଧିକାରୀଙ୍କ ଦୁର୍ନୀତି, ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ ଅଲୋଡ଼ା ଉଦାହରଣ ସୃଷ୍ଟି କଲା। ବର୍ଷ ତମାମ ଆଇନଶୃଙ୍ଖଳାର ବିକଳ ଚିତ୍ରକୁ ନେଇ ରାଜ୍ୟ କି ଦେଶରେ ନୁହେଁ, ବିଦେଶରେ ମଧ୍ୟ କଥା ଉଠିଲା। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଅସୁରକ୍ଷିତ ବୋଲି ମାର୍ଗଦର୍ଶିକା ଜାରି କଲା। ଏହା ରାଜ୍ୟ ପାଇଁ ଘୋର ଲଜ୍ଜାଜନକ ସ୍ଥିତି ସୃଷ୍ଟି କଲା।

Advertisment

'Sambad' Corporate Excellence Awards 2026: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ଓଡ଼ିଶା ବ୍ରାଣ୍ଡ୍‌ ପାଇଁ ବଡ଼ ମଞ୍ଚ ଜରୁରି

ସାଇବର ଠକଙ୍କ ବଡ଼ ଅସ୍ତ୍ର ଡିଜିଟାଲ୍‌ ଆରେଷ୍ଟ 

ସାଇବର ଠକଙ୍କ ମେଗା ଅସ୍ତ୍ର ପାଲଟିଛି ‘ଡିଜିଟାଲ୍‌ ଆରେଷ୍ଟ’। କେବେ ସିବିଆଇ ତ କେବେ ଏନ୍‌ଆଇଏ ଭଳି ବଡ଼ବଡ଼ ତଦନ୍ତକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଗିରଫଦାରୀର ଭୟ ଦେଖାଉଛନ୍ତି। ହ୍ବାଟସ୍‌ଆପ୍‌, ସ୍କାଏପି ଆଦି ମାଧ୍ୟମରେ ଯୋଡ଼ିହୋଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟୁଛନ୍ତି। ସାରା ରାଜ୍ୟରେ ଏମିତି ବଡ଼ ବଡ଼ ଘଟଣା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମୁଖ୍ୟତଃ ଉଚ୍ଚବର୍ଗର ଓ ଶିକ୍ଷିତ ଲୋକେ ଡିଜିଟାଲ୍‌ ଆରେଷ୍ଟର ଶିକାର ହେଉଛନ୍ତି।

All Odisha Lawyers Conference: ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ; ଓଡ଼ିଆରେ କୋର୍ଟ କାର୍ଯ୍ୟ ହେଲେ ଉପକୃତ ହେବେ ଲୋକ: ଧର୍ମେନ୍ଦ୍ର

ନିଶାର ଗଳାବାଟ ବିମାନବନ୍ଦର  

ନିଶା କାରବାରର ଗଳାବାଟ ପାଲଟିଛି ବିମାନବନ୍ଦର। ବର୍ଷ ତମାମ କେତେବେଳେ ବ୍ୟାଙ୍କକ୍‌ରୁ ତ କେତେବେଳେ ମାଲେସିଆରୁ କୋଟି କୋଟି ଟଙ୍କାର ମାରିଜୁଆନା ଆସି ରାଜଧାନୀରେ ପହଞ୍ଚିଛି। କଷ୍ଟମ୍‌ ଓ ଡିଆର୍‌ଆଇ ବିଭାଗ ୧୧ରୁ ଅଧିକ ଏଜେଣ୍ଟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାରିଜୁଆନା ଜବତ ହୋଇଛି। ଉଭୟ ବିଭାଗ ଏଜେଣ୍ଟମାନଙ୍କୁ ଧରିବାରେ ସକ୍ଷମ ହେଉଥିଲେ ବି ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି।

Untitled-2

ଛିଡ଼ିଲାନି ବାଂଲାଦେଶୀ ଅଙ୍କ  

ଓଡ଼ିଶାରେ ଛାଇଯାଇଛନ୍ତି ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ। ସବୁଠୁ ବିସ୍ମୟର କଥାରେ ସରକାରଙ୍କ ତଥ୍ୟକୁ ନେଇ ଚିନ୍ତା ପ୍ରକଟ ହୋଇଛି। ପ୍ରଥମେ ବର୍ଷ ଆରମ୍ଭରେ ଅର୍ଥାତ୍‌ ମାର୍ଚ୍ଚ ମାସରେ ସରକାର ତଥ୍ୟ ରଖିଥିଲେ ଯେ ରାଜ୍ୟରେ  ୩,୭୩୮ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି। ହେଲେ ବର୍ଷ ଶେଷବେଳକୁ ଯେଉଁ ତଥ୍ୟ ରଖିଲେ ତାହା ଚିନ୍ତାର ବିଷୟ। ଡିସେମ୍ବର ମାସର ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ୧୭୬୮ଜଣ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇ ୫୧ଜଣଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଯାଇଛି। ତେବେ ଅନ୍ୟମାନେ ଗଲେ କୁଆଡ଼େ?

ବାଲି ମାଫିଆ ପାଇଁ ହଟହଟା ପୁଲିସ ଓ ପ୍ରଶାସନ 

ବାଲି, ଖଣି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ପୁଲିସ ଓ ପ୍ରଶାସନିକ ଅଧିକାରୀ। ଚୋରା ଚାଲାଣ ବେଳେ ଧରାପଡ଼ି କେଉଁଠି ମାଫିଆ ଅଧିକାରୀଙ୍କୁ ପିଟିଲେ ତ କେଉଁଠି ଅଟକ ରଖିଲେ। ମୟୂରଭଞ୍ଜଜିଲ୍ଲା ବେତନଟୀରେ ବାଲିଗାଡ଼ି ଜବତ ବେଳେ ତହସିଲଦାର, ଗାଡ଼ି ଚାଳକ ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ବାଲି ମାଫିଆ ଆକ୍ରମଣ କରିଥିଲେ। ସେହିପରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଖଣି ଅଧିକାରୀ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସଦସ୍ୟଙ୍କୁ ମାଫିଆ ହତ୍ୟା ଧମକ ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ରେମୁଣାରେ କନିଷ୍ଠ ଖଣି ଅଧିକାରୀଙ୍କ ସହ ଡିଏସ୍‌ଏ ଓ ଡ୍ରାଇଭର୍‌ଙ୍କୁ ବାଲି ମାଫିଆ ନିସ୍ତୁକ ପିଟିଥିଲେ। କେବଳ ସରକାରୀ ଅଧିକାରୀ ନୁହନ୍ତି ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା। ବାଲି ମାଫିଆଙ୍କ ଆକ୍ରମଣରେ ଯାଜପୁର ସଦର ଥାନା ଉପରବରୁଆଁ ପଞ୍ଚାୟତ କଚେରିଗାଁର ତପନ କୁମାର ଲେଙ୍କାଙ୍କୁ ଲାଠିରେ ପିଟିବା ସହ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ବର୍ଷ ତମାମ ବାଲି ଓ ଖଣି ମାଫିଆଙ୍କ ଆତଙ୍କ ନେଇ ରାଜ୍ୟ ଉଠିଲା ପଡ଼ିଲା। 

ସତର୍କ ଘଣ୍ଟି ବଜାଇଲା ଆମେରିକା  

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଭ୍ରମଣ ନେଇ ଆମେରିକୀୟଙ୍କୁ ଚେତାବନୀ ଜାରି କରାଯାଇଥିଲା।  ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ  ମେଘାଳୟ ଭଳି ରାଜ୍ୟକୁ ଗସ୍ତ  ପୂର୍ବରୁ  ଆବଶ୍ୟକ ଅନୁମତି ନେବାକୁ ସତର୍କ କରିଥିଲା। ପର୍ଯ୍ୟଟନସ୍ଥଳୀରେ ନାବାଳିକା, ଯୁବତୀଙ୍କୁ ଦୁଷ୍କର୍ମ ଗୋଟିଏ ପରେ ଗୋଟିଏ ଛାତିଥରା ଘଟଣା ପଦାକୁ ଆସିବା ପରେ ଆମେରିକା ନିଜ ନାଗରିକଙ୍କ ଭ୍ରମଣ ସୁରକ୍ଷା ନେଇ ଆଶଙ୍କା ପ୍ରକଟ କରିଥିଲା। ଓଡ଼ିଶା ଗସ୍ତ ପୂର୍ବରୁ ଅନୁମତି ନେବାକୁ କୁହାଯାଇଥିଲା।

ଭୁଶୁଡ଼ୁଛି ମାଓଗଡ଼  

ଚଳିତ ବର୍ଷ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାର ଚିତ୍ର ଦେଖିବାକୁ ମିଳିଛି। ପୁଲିସ, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ର ଗୋଟିଏ ପରେ ଗୋଟିଏ ମିଳିତ ଅପରେସନ୍‌କୁ ସାମନା କରିବା ମାଓ ନେତାଙ୍କୁ ଭାରି ପଡ଼ୁଛି। କେତେବେଳେ ମାଓବାଦୀ ସଂଗଠନ ଛାଡ଼ି ଆତ୍ମସମର୍ପଣ କରୁଛନ୍ତି ତ କେତେବେଳେ ପୁଲିସ ଗୁଳିରେ ଆଖି ବୁଜୁଛନ୍ତି। ଯାହାକି ମାଓଗଡ଼କୁ ଦୁର୍ବଳ କରିଛି। ଏମିତି କି କେତେକ ଜିଲ୍ଲାରୁ ମାଓବାଦୀ ମୂଳପୋଛ ହୋଇଯାଇଛି। କ୍ଷେତ୍ର ଛାଡ଼ି ଅନ୍ୟତ୍ର ପଳାଇ ନୂଆ ସଂଗଠନ ଗଢ଼ୁଛନ୍ତି। ତେବେ ପୁଲିସ ଏନ୍‌କାଉଣ୍ଟରରେ ୨୫୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫୦୦ରୁ ଅଧିକ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଭୟରେ ୧୧୬୫ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ୨୩ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଥିବା ବେଳେ ଧୀରେ ଧୀରେ ଏମାନଙ୍କ ସଂଖ୍ୟା କମି ୧୨ରେ ପହଞ୍ଚିଥିଲା। ଛତିଶଗଡ଼ରେ ୪ ଜଣ, ଓଡ଼ିଶାରେ ଜଣେ, ଝାଡ଼ଖଣ୍ଡରେ ଜଣେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ ତେଲେଙ୍ଗାନାରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଆତ୍ମସମର୍ପଣ କରିଛି। ଆଉ ୮ରୁ ୧୦ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଜୀବିତ ଥିବା ଜଣାପଡ଼ିଛି।

Untitled-5

ଭିଜିଲାନ୍ସ ଭୟ, ଦୁର୍ନୀତିମୟ 

ଚଳିତ ବର୍ଷ ଦୁର୍ନୀତିରେ ସମ୍ପୃକ୍ତ ଥିବା ୩୦୩ ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ୯୦ ଜଣ ପ୍ରଥମ ଶ୍ରେଣୀ ଓ ୬୨ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି। ଏହି ସମୟରେ ସେମାନଙ୍କ ଠାରୁ ନଗଦ ୯.୨ କୋଟି ଟଙ୍କା ଓ ୨୪ କିଲୋ ସୁନା ଜବତ ସହ ୮୩୨ ପ୍ଲଟ୍‌, ୪୦୩ଟି କୋଠା, ୮୪ ଏକର ଜମି, ୮ଟି ଫାର୍ମ ହାଉସ୍‌ ଠାବ କରାଯାଇଛି। ଜବତ ଓ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ହିସାବ ବେଳେ ତାହା ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଖାଲି ଏତିକି ନୁହେଁ; ୩୦ଜଣଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ୬୮ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି।

ଚୌଦ୍ବାର ଜେଲ୍‌ରୁ ଫେରାର୍‌ ହୋଇଗଲେ ଗ୍ୟାଙ୍ଗଷ୍ଟର 

ପାଣିକୋଇଲି ଅଞ୍ଚଳରେ ଅଳଙ୍କାର ଦୋକାନରୁ ଲୁଟ୍‌କରି ଦୁଇ ଯୁବକ ସୁନିଲ ରାୟ ଓ ନୀଳମାଧବ ପଣ୍ଡାଙ୍କୁ ଗୁଳି କରି ହତ୍ୟା କଲେ କୁଖ୍ୟାତ ବିହାରୀ ଲୁଟେରା। ଦୁଇ ଜଣଙ୍କୁ ପୁଲିସ କାବୁ ବି କଲା। ଉଦ୍‌ବେଗର ବିଷୟ ଯେ ଏହି ଦୁଇ ବିହାରୀ ଗ୍ୟାଙ୍ଗଷ୍ଟର ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ଜେଲ୍‌ରେ ଥିବା ବେଳେ ଜେଲ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ବର୍ଷ ଶେଷ ପର୍ଯ୍ୟନ୍ତ ସେମାନଙ୍କ ଟେର୍‌ ମିଳିଲାନି। ତେବେ ସେମାନେ ଖସିଗଲେ ନା ଖସାଇଦିଆଗଲା? ତାହା ଏବେ ବି ରହସ୍ୟରେ।

ନିଆଁ ଆଁରେ ନାରୀ

ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ସଂପୂର୍ଣ୍ଣ ଦୋହଲିଯାଇଛି। କଲେଜରେ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଲଢ଼ି ହାରିବା ପରେ ଜୀବନ ହାରିଥିଲେ ବାଲେଶ୍ବର ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀ। ଦେହରେ ନିଆଁ ଲଗାଇ ଜଳିଯାଇଥିଲେ। ସେହିପରି ବଳଙ୍ଗା ପୀଡ଼ିତା ଆତ୍ମଦାହ ଘଟଣା ଚର୍ଚ୍ଚାରେ ରହିଥିଲା। ହେଲେ ବଳଙ୍ଗା ପୀଡ଼ିତାଙ୍କୁ ନେଇ ସରକାରଙ୍କ ତଥ୍ୟ ସେ ନିଜେ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ସେହିପରି ଗୋପାାଳପୁର ବେଳାଭୂମିରେ ପୁରୁଷବନ୍ଧୁକୁ ମାଡ଼ମାରି ଛାତ୍ରୀଙ୍କୁ ୧୦ଜଣ ଗଣଦୁଷ୍କର୍ମ କରିଥିଲେ। ବାଲିହରଚଣ୍ଡୀ ପୀଠଠାରୁ କିଛିଦୂରରେ ଥିବା ବେଳାଭୂମିରେ ପୁରୁଷବନ୍ଧୁଙ୍କ ସାମନାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। କେନ୍ଦ୍ରାପଡ଼ାରେ ରକ୍ଷା ବନ୍ଧନ ଦିନ ଭାଇ ହାତରେ ରାଖି ବାନ୍ଧିବା ପୂର୍ବରୁ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ବର୍ଷ ଶେଷ ବେଳକୁ ଭଦ୍ରକର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା। ବର୍ଷ ସାରା ରାଜଧାନୀରୁ  ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ନାରୀଙ୍କ  ପ୍ରତି ଅତ୍ୟାଚାରକୁ ନେଇ ରାଜ୍ୟ ଜଳିଥିଲା। ସରକାରଙ୍କୁୁ ବିରୋଧୀ ଘେରିଥିଲେ।

Untitled-3

ପଦାରେ ପଡ଼ିଲା ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ, ବାବୁଙ୍କଠାରୁ ନେତା ଛଟପଟ 

ପୁଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭବି‌ଷ୍ୟତ ସହ ଖେଳ। ଅସାଧୁ ଉପାୟରେ କିଛି ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ଦେଇ ଚାକିରି ଦେଇଥାଆନ୍ତେ। ହେଲେ ଅକ୍ଟୋବର ୩୦ରେ ବ୍ରହ୍ମପୁର ପୁଲିସ ଖୋଲିଥିଲା ଚାକିରି ବିକ୍ରିର ବଡ଼ ଗୁମର। ଖଣ୍ଡଗିରିରୁ ଆଶାୟୀଙ୍କୁ ବସ୍‌ରେ ବିଜୟନଗରମ୍‌କୁ ନିଆଯାଉଥିବା ବେଳେ ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍‌ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ପରୀକ୍ଷା ଦୁର୍ନୀତି ଘଟଣା ପଦାକୁ ଆସିଥିଲା। ଏହାପରେ ପଶ୍ଚିମବଙ୍ଗ ଯାଉଥିବା ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇ ଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ହାତକୁ ମାମଲା ଯିବା ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଦଲାଲ ଓ ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଥିଲା। ପରେ ମାମଲା ସିବିଆଇ ହାତକୁ ଯାଇଥିଲା। ସିବିଆଇ ହାତକୁ ମାମଲା ଯିବା ପରେ ରୢାକେଟର ଅନ୍ୟ ୬ ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା। ପରେ ରୢାକେଟ୍‌ରେ କିଛି ବରିଷ୍ଠ ପୁଲିସ ଅଧିକାରୀ ଓ ରାଜନେତାଙ୍କ ହାତ ଥିବା କଥା ଜଣାପଡ଼ିଥିଲା। ସିବିଆଇ କିଛି ବରିଷ୍ଠ ଅଧିକାରୀଙ୍କୁ ସମନ କରିବା ପରେ ରାଜନେତାଙ୍କ ଭିତରେ ଛନକା ପଶିଛି।

Untitled-4

୩୨୫ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ଓଡ଼ିଶାରେ ବଡ଼ ଧରଣର ଜିଏସ୍‌ଟି ଠକେଇ ନେଇ ଖୋଲିଥିଲା ଗୁମର। ଓଡ଼ିଶାର ଛୋଟଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ଡିଲ୍‌ କରି ଲୁଟିଥିଲେ। କୋଟିଏ କି ଦୁଇ କୋଟି ନୁହେଁ  ୩୨୫ କୋଟି ଟଙ୍କାର ଠକେଇ ହୋଇଥିଲା। ଓଡ଼ିଶାରୁ ମୁମ୍ବାଇ ଯାଏଁ  ଲମ୍ବିଥିବା ଏହି ବଡ଼ ରୢାକେଟ୍‌କୁ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ଠାବ କରି ରୢାକେଟ୍‌ର ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଯୋଗେଶ୍‌ ଜିଗିୱାଲାକୁ ମୁମ୍ବାଇରୁ ଗିରଫ କରିଥିଲା। 

ବିଷ୍ଣୁପଦଙ୍କ ଘରେ ପଶିଲା ସିବିଆଇ 

ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ୍‌ରୁ ୧୦ଲକ୍ଷ ଲାଞ୍ଚ ନେବା ମାମଲାକୁ ନେଇ ହଟହଟା ହୋଇଥିଲେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ। ପଦ ତ ଗଲା ଘରେ ସିବିଆଇ ପଶିଲା। 

ରାଜନୈତିକ ହତ୍ୟାକୁ ନେଇ ତାତି 

ସମ୍ବଲପୁରର ଦୁଇ ବରିଷ୍ଠ ବିିଜେପି ନେତା ଦେବେନ୍ଦ୍ର ନାୟକ ଓ ସୀତା ଛୁରିଆଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। କବିସୂର୍ଯ୍ୟନଗରରେ ବିଜେପି ନେତା ଲକ୍ଷ୍ମୀନାରାୟଣ ପାଇକରାୟଙ୍କୁ ଗୁଳିକରି ହତ୍ୟା। ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା। ରାଜ୍ୟରେ ବାରମ୍ବାର ରାଜନୈତିକ ହତ୍ୟାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ସବୁଠୁ ବଡ଼କଥା ହେଲା ଯେ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିଲା। ଘଟଣାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା,ପୂର୍ବତନ ମେୟର ଶିବଶଙ୍କର ଦାସ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲା।

ଦ୍ବନ୍ଦ୍ବରେ ରହିଲା ମମିତା ମେହେର, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ମାମଲା ଓ ମମିତା ମେହେରଙ୍କୁ ପୋଡ଼ି ହତ୍ୟା ପରେ ପୋତିଦେବା ମାମଲାକୁ ନେଇ ସାରା ରାଜ୍ୟ ଉଠିଥିଲା ପଡ଼ିଥିଲା। ତତ୍‌କାଳୀନ ସରକାରକୁ ବିଜେପି ଘେରିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା। ଏହି ଦୁଇ ମାମଲା ବିଚାରାଧୀନ ଥିବା ବେଳେ ସରକାର ବଦଳିଗଲା। ଦୁଇଟିଯାକ ସମ୍ବେଦନଶୀଳ ମାମଲାରେ ଉଭୟ ପକ୍ଷର ପରିବାର ନୂଆ ସରକାରଙ୍କୁ ସେମାନଙ୍କ ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ କହିଲେ। ବର୍ଷ ସରିଗଲା, ହେଲେ ଦୁଇଟି ଯାକ ମାମଲାର ସିବିଆଇ ତଦନ୍ତ ହେବ କି ନାହିଁ ତାହା ଦ୍ବନ୍ଦ୍ବରେ ରହିଗଲା।

Untitled-6

ରାଜା ଚକ୍ର ବନ୍ଧା ହେଲେ 

ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା  ସୌମ୍ୟ ଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ କରିଥିଲା। ରାଜା ଗିରଫ ପରେ ବଡ଼ ଧରଣର ଠକେଇରେ ପୂର୍ବ ସରକାର ଓ କିଛି ନେତାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିଲା।  ଇଓଡବ୍ଲ୍ୟୁ ରାଜା ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବହୁ ଦାମୀଗାଡ଼ି ଓ ୨ଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା।

Untitled-7

ମାଲକାନଗିରି କଟାମୁଣ୍ଡ 

ମାଲକାନଗିରି ଜିଲ୍ଲା କାଲିମେଳାଠାରୁ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖାଲଗୁଡା ଗ୍ରାମର ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିଲା। ଆଦିବାସୀ ମହାସଂଘର ମେଳି ପୁଲିସ ନିଦ ହଜାଇଥିଲା। ଯାହାକୁ ନେଇ ମାଲକାନଗିରି ଜଳିଥିଲା।