ଭୁବନେଶ୍ବର: ରାଜ୍ୟ ଅର୍ଥନୀତିକୁ ଶିଳ୍ପକ୍ଷେତ୍ରର ଅବଦାନ ସର୍ବାଧିକ ୪୧.୩ ପ୍ରତିଶତ ରହିଛି। ଏହା ପଛକୁ ସେବାକ୍ଷେତ୍ର ୩୯.୧ ପ୍ରତିଶତ ସହ ଦ୍ବିତୀୟ ଓ କୃଷିକ୍ଷେତ୍ର ୧୯.୬ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ୨୦୨୫-୨୬ରେ ସେବାକ୍ଷେତ୍ରର ଅଭିବୃଦ୍ଧି ୯.୩ ପ୍ରତିଶତ, ଶିଳ୍ପ ୬.୪ ପ୍ରତିଶତ ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ୫.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।
ଶ୍ରମଶକ୍ତିରେ ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଅଂଶଗ୍ରହଣ ହାର ୫୮.୧ ପ୍ରତିଶତରୁ ବୃଦ୍ଧି ପାଇ ୬୪.୫ ପ୍ରତିଶତ ହେବ। ରାଜ୍ୟର ୪୯ ପ୍ରତିଶତ ଶ୍ରମଶକ୍ତି କୃଷିକ୍ଷେତ୍ରରେ କାମ କରୁଥିବା ବେଳେ ସେବାକ୍ଷେତ୍ରରେ ୨୪ ପ୍ରତିଶତ ଓ ଶିଳ୍ପକ୍ଷେତ୍ରରେ ୨୭ ପ୍ରତିଶତ ଲୋକ କାମ କରୁଛନ୍ତି। ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ହାର ୩୭.୬ ପ୍ରତିଶତରୁ ବୃଦ୍ଧି ପାଇ ୪୮.୭ ପ୍ରତିଶତ ହୋଇଛି। ତେବେ ମହିଳାଙ୍କ ମଧ୍ୟରୁ ୬୯ ପ୍ରତିଶତ କୃଷି କ୍ଷେତ୍ରରେ, ୧୭ ପ୍ରତିଶତ ଶିଳ୍ପରେ ଓ ୧୪ ପ୍ରତିଶତ ସେବାକ୍ଷେତ୍ରରେ କାମ କରୁଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ବ୍ୟୟ ୨୦୧୧-୧୨ରେ ୧୦୦୩ ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୩୩୫୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ସହରାଞ୍ଚଳରେ ମୁଣ୍ଡପିଛା ମାସିକ ବ୍ୟୟ ଏହି ସମୟ ଭିତରେ ୧୯୪୧ ଟଙ୍କାରୁ ବୃଦ୍ଧି ପାଇ ୫୮୨୫ ଟଙ୍କା ହୋଇଛି।
ରାଜ୍ୟବାସୀ ଖାଦ୍ୟ ବଦଳରେ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ୨୦୧୧-୧୨ରେ ମୋଟ ବ୍ୟୟର ୫୭.୨ ପ୍ରତିଶତକୁ ଗ୍ରାମାଞ୍ଚଳ ଲୋକମାନେ ଖାଦ୍ୟରେ ବ୍ୟୟ କରୁଥିଲେ। ୨୦୨୩-୨୪ ବେଳକୁ ତାହା ୪୮.୫ ପ୍ରତିଶତକୁ ହ୍ରାସ ପାଇଛି। ସେହି ସମୟରେ ଅଣଖାଦ୍ୟ ବ୍ୟୟ ପରିମାଣ ୪୨.୮ ପ୍ରତିଶତରୁ ବଢ଼ି ୫୧.୫ ପ୍ରତିଶତ ହୋଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୪୪.୪ ପ୍ରତିଶତ ଓ ସହରାଞ୍ଚଳରେ ୫୯.୨ ପ୍ରତିଶତ ପରିବାର ପାଖରେ ଦୁଇଚକିଆ ଯାନ ରହିଛି। ସେହିପରି ଗାଁର ୧.୧ ପ୍ରତିଶତ ଓ ସହରାଞ୍ଚଳର ୯.୬ ପ୍ରତିଶତ ପରିବାର ପାଖରେ କାର୍ ରହିଛି। ଗ୍ରାମାଞ୍ଚଳରେ ୧୫.୪ ପ୍ରତିିଶତ ଓ ସହରାଞ୍ଚଳରେ ୪୬.୩ ପ୍ରତିଶତ ପରିବାର ପାଖରେ ଫ୍ରିଜ୍ ରହିଛି। ସେହିପରି ଗାଁରେ ୧୦.୮ ପ୍ରତିଶତ ପରିବାର ଓ ସହରାଞ୍ଚଳରେ ୩୬.୭ ପ୍ରତିଶତ ପରିବାରରେ ଏସି ରହିଛି। ଗାଁରେ ୮୫.୯ ପ୍ରତିଶତ ଓ ସହରାଞ୍ଚଳରେ ୯୫ ପ୍ରତିଶତ ପରିବାର ପାଖରେ ମୋବାଇଲ୍ ଫୋନ୍ ରହିଛି। ସେହିପରି ଗାଁରେ ୧.୪ ପ୍ରତିଶତ ପରିବାର ଓ ସହରରେ ୧୭.୧ ପ୍ରତିଶତ ପରିବାର ପାଖରେ ଲାପ୍ଟପ୍ ରହିଛି।
The capital: ରଙ୍ଗିନ ହେଉଛି ରାଜଧାନୀ ରାତି
ରସାୟନ, ପେଟ୍ରୋରସାୟନରେ ୭୨,୪୧୪ କୋଟି ନିବେଶ
ରାଜ୍ୟ ସରକାର ଅଣଧାତବ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ହାସଲ କରିଛନ୍ତି। ୨୦୨୩-୨୪ରେ ରସାୟନ ଓ ପେଟ୍ରୋରସାୟନ କ୍ଷେତ୍ରରେ ୭୨,୪୧୪.୨ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ସେହିପରି ଇଲେକ୍ଟ୍ରୋନିକ୍ସ ଓ ସିଷ୍ଟମ୍ ଡିଜାଇନିଂରେ ୨୭୪ କୋଟି ଟଙ୍କା, ଧାତବ ଓ ଆନୁଷଙ୍ଗିକ ଶିଳ୍ପରେ ୧୩୭୯ କୋଟି ଟଙ୍କା, ଖାଦ୍ୟ ପ୍ରକ୍ରିୟାକରଣରେ ୩୯୩୬.୬୭ କୋଟି ଟଙ୍କା, ଅଟୋମୋବାଇଲ୍ କ୍ଷେତ୍ରରେ ୩୭୭.୮ କୋଟି ଟଙ୍କା, ପୋଷାକ ଓ ବୟନରେ ୨୬୯.୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ସର୍ଭେ ରିପୋର୍ଟ ଅନୁସାରେ ଦେଶର ମାଙ୍ଗାନିଜ ଉତ୍ପାଦନରେ ଓଡ଼ିଶାର ଭାଗ ୧୬ ପ୍ରତିଶତ, କୋଇଲାରେ ୨୬ ପ୍ରତିଶତ, ଲୁହାପଥରରେ ୫୫ ପ୍ରତିଶତ, ବକ୍ସାଇଟ୍ରେ ୭୨.୭ ପ୍ରତିଶତ ଓ କ୍ରୋମାଇଟ୍ରେ ୧୦୦ ପ୍ରତିଶତ ରହିଛି।
crime: ଏଇଠୁ ଆଙ୍କୁଛନ୍ତି ଅପରାଧର ନକ୍ସା
୪୪% ଜମିରେ ଧାନଚାଷ
ରାଜ୍ୟର ସର୍ବାଧିକ ୪୪ପ୍ରତିଶତ ଜମିରେ ଧାନ ଚାଷ କରାଯାଉଛି। ଏଥି ସହିତ ୨୩ ପ୍ରତିଶତ ଜମିରେ ଡାଲି ଜାତୀୟ ଫସଲ, ୬ ପ୍ରତିଶତରେ ତୈଳବୀଜ, ୩ପ୍ରତିଶତ ଜମିରେ ମାଣ୍ଡିଆ ଜାତୀୟ ଓ ୧୫ପ୍ରତିଶତ ଜମିରେ ଉଦ୍ୟାନ କୃଷି କାର୍ଯ୍ୟ ହେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ମକା ଚାଷ ୩.୧ ପ୍ରତିଶତ, ମିଲେଟ୍ ୨.୭୧ ପ୍ରତିଶତ, ଆଳୁ ୦.୪୧ ପ୍ରତିଶତ ଓ କପା ୨.୩୯ ପ୍ରତିଶତ ଜମିକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଦୁଗ୍ଧ ଉତ୍ପାଦନ ୨୭.୧ ଲକ୍ଷ ମେଟ୍ରିକ୍ ଟନ୍କୁ ବଢ଼ିଛି। ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଦୈନିକ ୧୫୯ ଗ୍ରାମ ହୋଇଛି। ଏ କ୍ଷେତ୍ରରେ ଜାତୀୟ ହାର ୪୮୫ ଗ୍ରାମ ଥିବାବେଳେ ଓଡ଼ିଶା ବହୁ ପଛୁଆ ରହିଛି। ରାଜ୍ୟରେ ୪୦୬ କୋଟି ଅଣ୍ଡା ଉତ୍ପାଦନ ହେଉଛି। ବାର୍ଷିକ ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା ୮୪ଟି ରହିଛି ଯାହା ୨୦୨୦-୨୧ରେ ୫୩ଟି ଥିଲା। ୨୦୨୪-୨୫ରେ ରାଜ୍ୟରେ ୧.୯ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଛି। ୪୭୦୮ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି। ସାମୁଦ୍ରିକ ଖାଦ୍ୟ ବିଶେଷ କରି ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି। ପ୍ରଥମ ଦୁଇଟି ସ୍ଥାନରେ ଆନ୍ଧ୍ରପ୍ରଦେଶ (୨୫,୨୮୪ କୋଟି ଟଙ୍କା) ଓ ଗୁଜରାଟ (୪୭୩୪ କୋଟି ଟଙ୍କା) ରହିଛନ୍ତି। ଓଡ଼ିଶା ପଛକୁ କେରଳ (୩୦୪୪ କୋଟି ଟଙ୍କା), ପଶ୍ଚିମବଙ୍ଗ (୨୬୨୩ କୋଟି ଟଙ୍କା), ତାମିଲନାଡ଼ୁ (୨୦୧୧ କୋଟି ଟଙ୍କା) ରହିଛନ୍ତି।
ଗାଁରେ ୧,୦୭,୫୬୨ କିମି ସଡ଼କ
ରାଜ୍ୟର ଗ୍ରାମାଞ୍ଚଳରେ ୧,୦୭,୫୬୨ କିଲୋମିଟର ସଡ଼କ ପଥ ରହିଛି। ସେହିପରି ୨୨,୮୬୬ କିମିର ଜିଲ୍ଲା ସଡ଼କ, ୨୬୩୨ କିମିର ପ୍ରମୁଖ ଜିଲ୍ଲା ସଡ଼କ, ୪୦୯୪ କିମିର ରାଜ୍ୟ ରାଜପଥ ଓ ୫୮୮୪ କିମିର ଜାତୀୟ ରାଜପଥ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ ଓଡ଼ିଶାରେ ରେଳପଥ ୨୮୫୯ କିମିରୁ ବୃଦ୍ଧି ପାଇ ୩୨୪୩ କିମି ହୋଇଛି। ରେଳଯାତ୍ରୀଙ୍କ ସଂଖ୍ୟା ଏହି ସମୟରେ ୩.୪ କୋଟିରୁ ବୃଦ୍ଧି ପାଇ ୯.୪ କୋଟି ହୋଇଛି। ୨୦୧୧ରେ ସହରାଞ୍ଚଳ ହାର ୧୭ ପ୍ରତିଶତ ଥିଲା ଯାହା ୨୦୨୧ରେ ୧୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୩୬ ସୁଦ୍ଧା ତାହା ୪୦ ପ୍ରତିଶତ ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ୨୦୨୪-୨୫ରେ ୪୮.୩୯ ଲକ୍ଷ ଲୋକ ବିମାନରେ ଯାତ୍ରା କରିଛନ୍ତି। ଦେଶର ୩୦ଟି ସହରକୁ ରାଜ୍ୟରୁ ସିଧାସଳଖ ବିମାନ ସେବା ରହିଛି। ରାଜ୍ୟରେ ଗୋଟିଏ ପ୍ରମୁଖ ଓ ଦୁଇଟି ଛୋଟ ବନ୍ଦର ରହିଛି। ବନ୍ଦର କ୍ଷମତାକୁ ୨୦୪୭ ସୁଦ୍ଧା ୫୦୦ ନିୟୁତ ଟନ୍ରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ବର୍ତ୍ତମାନ ୨୦୦ ନିୟୁତ ଟନ୍ ରହିଛି। ସେହିପରି ରାଜ୍ୟରେ ୬ଟି ଜାତୀୟ ଜଳମାର୍ଗ ରହିଛି।
ବିନିର୍ମାଣରେ ୮ଲକ୍ଷ ସଂସ୍ଥା
ଦେଶର ଏକ ପ୍ରମୁଖ ବିନିର୍ମାଣ ହବ୍ ହେବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା। ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୮.୦୮ ବିନିର୍ମାଣ ସଂସ୍ଥା ରହିଛି। ସେଥିରୁ ସଂଗଠିତ କ୍ଷେତ୍ରରେ ମାତ୍ର ୩୨୮୧ଟି ସଂସ୍ଥା ଥିବା ବେଳେ ଅଣସଂଗଠିତ କ୍ଷେତ୍ରରେ ୮.୦୫ ଲକ୍ଷ ସଂସ୍ଥା ରହିଛି। ବିନିର୍ମାଣ କ୍ଷେତ୍ରର ମୋଟ ଉତ୍ପାଦନ ୫.୪ ଲକ୍ଷ କୋଟି ଟଙ୍କା ରହିଛି। ସେଥିରୁ ସଂଗଠିତ ସଂସ୍ଥାଗୁଡ଼ିକର ଉତ୍ପାଦନ ୫.୨ ଲକ୍ଷ କୋଟି ଟଙ୍କା ଓ ଅଣସଂଗଠିତ କ୍ଷେତ୍ରର ମାତ୍ର ୦.୨ ଲକ୍ଷ କୋଟି ଟଙ୍କା ରହିଛି। ବିନିର୍ମାଣ କ୍ଷେତ୍ରରେ ରାଜ୍ୟର ୧୬.୯ ଲକ୍ଷ ଲୋକ କାମ କରୁଛନ୍ତି। ସେଥିରୁ ସଂଗଠିତ କ୍ଷେତ୍ରରେ ୩.୭ ଲକ୍ଷ ଓ ଅଣସଂଗଠିତ କ୍ଷେତ୍ରରେ ୧୩.୨ ଲକ୍ଷ ଲୋକ କାମ କରୁଛନ୍ତି। ରାଜ୍ୟର ଧାତବ କ୍ଷେତ୍ରରେ ୨,୨୫,୪୧୦ ଜଣ, ପେଟ୍ରୋଲିୟମ୍ରେ ୧୧,୯୨୯, ପୋଷାକ ଶିଳ୍ପରେ ୨,୯୯,୦୦୮, ଅଣଧାତବ ଉତ୍ପାଦ କ୍ଷେତ୍ରରେ ୧,୫୭,୭୮୭, ରସାୟନରେ ୧୧,୩୮୮, କାଗଜ ଶିଳ୍ପରେ ୧୫,୯୮୭, ଫ୍ୟାବ୍ ମେଟାଲ୍ରେ ୨,୯୯,୫୨୨, ବୟନରେ ୧,୬୦,୨୭୪, ଖାଦ୍ୟରେ ୨,୯୯,୫୨୨, ମେସିନ୍ ଓ ଉପକରଣରେ ୧,୨୨,୯୩୨, ରବର ଓ ପ୍ଲାଷ୍ଟିକ୍ ଉତ୍ପାଦରେ ୧୦,୩୮୫, ବିଦ୍ୟୁତ୍ ଉପକରଣରେ ୪୩୦୯, ଆସବାବପତ୍ରରେ ୬୩,୧୦୫, ପାନୀୟରେ ୫୧,୫୬୮ ଏବଂ କାଠ ଉତ୍ପାଦ ଶିଳ୍ପରେ ୧,୬୪,୧୮୨ ଜଣ ଲୋକ କାମ କରୁଛନ୍ତି।
୭୭% ଲୋକଙ୍କ ହାତରେ ସ୍ମାର୍ଟଫୋନ୍
ରାଜ୍ୟରେ ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ଅନ୍ଲାଇନ୍ ବ୍ୟାଙ୍କିଂ ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୫ ବର୍ଷରୁ ଅଧିକ ବୟସର ୭୭.୧ ପ୍ରତିଶତ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ବ୍ୟବହାର କରି ଇ-ମେଲ୍ ଓ ମେସେଜ୍ କରୁଥିବା ଲୋକଙ୍କ ସଂଖ୍ୟା ୫୩.୪ ପ୍ରତିଶତ ରହିଛି; ଯାହା ୨୦୨୨-୨୩ରେ ୪୩.୯ ପ୍ରତିଶତ ଥିଲା। ରାଜ୍ୟରେ ୬୧.୨ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଦୁଇ ବର୍ଷ ପୂର୍ବେ ସେହି ହାର ୪୭.୫ ପ୍ରତିଶତ ଥିଲା। ଅନ୍ଲାଇନ୍ରେ ବ୍ୟାଙ୍କ କାରବାର କରୁଥିବା ଲୋକଙ୍କ ହାର ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୨୦୨୨-୨୩ରେ ୨୯.୨ ପ୍ରତିଶତ ଥିଲା। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ୭୮.୧ ପ୍ରତିଶତ ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ୨୦୨୫-୨୬ରେ ସେବା କ୍ଷେତ୍ରରେ ହୋଟେଲ୍ ଓ ରେସ୍ତୋରାଁ ଅଭିବୃଦ୍ଧି ୧୯.୪ ପ୍ରତିଶତ, ଆର୍ଥିକ ସେବା ୧୧.୯ ପ୍ରତିଶତ, ପେସାଦାର ସେବା ୯.୯ ପ୍ରତିଶତ, ସାର୍ବଜନୀନ ଶାସନ ଓ ପ୍ରତିରକ୍ଷା ୮.୮ ପ୍ରତିଶତ, ଅନ୍ୟାନ୍ୟ ସେବା ୮.୭ ପ୍ରତିଶତ, ପରିବହନ ୮.୬ ପ୍ରତିଶତ, ଯୋଗାଯୋଗ ଓ ପ୍ରସାରଣ ସେବା ୮.୧ ପ୍ରତିଶତ ଓ ବାଣିଜ୍ୟ ଓ ମରାମତି ସେବା କ୍ଷେତ୍ରର ଅଭିବୃଦ୍ଧି ୭.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।
‘ସେବା ସମୟ’ ବଢ଼ିଛି
ପରିବାର ସଦସ୍ୟ କିମ୍ବା ଅନ୍ୟମାନଙ୍କୁ ସେବା ପ୍ରଦାନ କରିବା ସମୟ ବୃଦ୍ଧି ଘଟିଛି। ଯେକୌଣସି ନିର୍ଦ୍ଦିଷ୍ଟ ଦିନରେ ମହିଳାମାନେ ୨୦୧୯ରେ ୩.୧ ପ୍ରତିଶତ ସମୟକୁ ସେବା କାମରେ ଲଗାଉଥିଲେ। ୨୦୨୪ରେ ତାହା ୩.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ପୁରୁଷଙ୍କ କ୍ଷେତ୍ରରେ ସେବା କରିବା ସମୟ ଏହି ସମୟ ଭିତରେ ୦.୭ ପ୍ରତିଶତରୁ ବଢ଼ି ୧.୧ ପ୍ରତିଶତ ହୋଇଛି। ଘରୋଇ ସେବାରେ ବିତୁଥିବା ସମୟ ମହିଳାଙ୍କ କ୍ଷେତ୍ରରେ ୨୨.୮ ପ୍ରତିିଶତରୁ ୨୦.୩ ପ୍ରତିଶତକୁ ଏବଂ ପୁରୁଷଙ୍କ କ୍ଷେତ୍ରରେ ୨.୧ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ ପାଇଛି। ସାଂସ୍କୃତିକ, ଚିତ୍ତବିନୋଦନ ଓ କ୍ରୀଡ଼ା କ୍ଷେତ୍ରରେ ବିତୁଥିବା ସମୟ ମହିଳାଙ୍କ କ୍ଷେତ୍ରରେ ୮.୧ ପ୍ରତିଶତରୁ ବଢ଼ି ୯.୪ ପ୍ରତିଶତ ଓ ପୁରୁଷଙ୍କ କ୍ଷେତ୍ରରେ ୯.୧ ପ୍ରତିଶତରୁ ବଢ଼ି ୧୧.୮ ପ୍ରତିଶତ ହୋଇଛି। ନିୟୋଜନ କ୍ଷେତ୍ରରେ ବିତୁଥିବା ସମୟ ମହିଳାଙ୍କ କ୍ଷେତ୍ରରେ ୪.୨ ପ୍ରତିିଶତ ଓ ପୁରୁଷଙ୍କ କ୍ଷେତ୍ରରେ ୨୨.୩ ପ୍ରତିଶତକୁ ବଢ଼ିଛି। ଶିକ୍ଷଣୀୟ କାର୍ଯ୍ୟକଳାପରେ ବିତୁଥିବା ସମୟ ମହିଳାଙ୍କ କ୍ଷେତ୍ରରେ ୨.୯ ପ୍ରତିଶତ ଓ ପୁରୁଷଙ୍କ କ୍ଷେତ୍ରରେ ୨.୮ ପ୍ରତିଶତକୁ ବୃଦ୍ଧି ପାଇଛି।
ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭%
୨୦୨୩-୨୪ରେ ଦେଶର ୪୩.୭ ପ୍ରତିଶତ ଖଣିଜ ପଦାର୍ଥ ଓଡ଼ିଶାରୁ ଉତ୍ତୋଳନ କରାଯାଇଥିଲା। ୨୦୨୦-୨୧ରେ ଉତ୍ତୋଳିତ ଖଣିଜ ପଦାର୍ଥର ପରିମାଣ ଥିଲା ୩୦,୦୪୪ କୋଟି ଟଙ୍କା। ୨୦୨୪-୨୫ରେ ସେହି ପରିମାଣ ୬୪,୭୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ଜିଭିଏ (ମୋଟ ମୂଲ୍ୟ ଯୋଗ) କୁ ଖଣି କ୍ଷେତ୍ରର ଅବଦାନ ୯.୫ ପ୍ରତିଶତ ଓ ଶିଳ୍ପ ଜିଭିଏକୁ ୨୩.୧ ପ୍ରତିଶତ ରହିଛି। ରାଜ୍ୟର ମୋଟ ଅଣଟିକସ ରାଜସ୍ବକୁ ଖଣି କ୍ଷେତ୍ରର ଅବଦାନ ୮୦ ପ୍ରତିଶତ ରହିଛି।
ନିର୍ମାଣ କ୍ଷେତ୍ରରେ ୧୮% ଲୋକ ନିୟୋଜିତ
ଶିଳ୍ପ ଜିଭିଏକୁ ନିର୍ମାଣ କ୍ଷେତ୍ରର ଅବଦାନ ୨୩.୩ ପ୍ରତିଶତ ରହିଛି। ରାଜ୍ୟର ମୋଟ ଜିଭିଏକୁ ଏହାର ଅବଦାନ ୯.୬ ପ୍ରତିଶତ ରହିଛି। ଏହି କ୍ଷେତ୍ରରେ ରାଜ୍ୟର ୧୮ ପ୍ରତିଶତ ଶ୍ରମଶକ୍ତି କାମ କରୁଛନ୍ତି। ଗତ ପାଞ୍ଚବର୍ଷ ମଧ୍ୟରେ ନିର୍ମାଣ କ୍ଷେତ୍ର ବାର୍ଷିକ ୧୪.୩ ପ୍ରତିଶତ ହାରରେ ଆଗକୁ ବଢ଼ିଛି।
ରାଜ୍ୟରେ ୨୩.୫ ଲକ୍ଷ ଏମ୍ଏସ୍ଏମ୍ଇ
୨୦୨୬ ଜାନୁଆରି ୩୧ ସୁଦ୍ଧା ଓଡ଼ିଶାରେ ୨୩.୫ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରହିଛି। ସେଥିରୁ ୯୯.୫ ପ୍ରତିଶତ ହେଉଛି ଅଣୁ ଓ ଅଣସଂଗଠିତ ଅଣୁ ଉଦ୍ୟୋଗ। ଏହି ଉଦ୍ୟୋଗଗୁଡ଼ିକୁ କ୍ଷୁଦ୍ର ଶିଳ୍ପରେ ପରିଣତ କରିବା ପାଇଁ ସହାୟତାର ଆବଶ୍ୟକତା ରହିଥିବା ନେଇ ସର୍ଭେରେ କୁହାଯାଇଛି। ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରୁଛନ୍ତି।
୮୫,୫୦୦ କୋଟିର ସାମଗ୍ରୀ ରପ୍ତାନି
୨୦୨୪-୨୫ରେ ଓଡ଼ିଶାରୁ ୮୫,୫୦୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରାଯାଇଛି। ୨୦୧୯-୨୦ ପରଠାରୁ ତାହା ବାର୍ଷିକ ୧୨.୬ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ରାଜ୍ୟର ରପ୍ତାନିରେ ଧାତବ ଓ ଖଣିଜ ପଦାର୍ଥର ଅବଦାନ ୮୫ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି। ରପ୍ତାନିରେ ବିବିଧତା ଆଣିବା ପାଇଁ ରାଜ୍ୟ ସରକାର ଇଞ୍ଜିନିୟରିଂ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ, ବୟନ ଓ କୃଷିଜାତ ଉତ୍ପାଦ ରପ୍ତାନି ବଢ଼ାଉଛନ୍ତି। କେନ୍ଦ୍ର ସରକାର ବ୍ରିଟେନ୍ ସମେତ ବିଭିନ୍ନ ଦେଶ ସହ ସ୍ବାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ରାଜିନାମା ପ୍ରଭାବରେ ଓଡ଼ିଶାର ରପ୍ତାନି ବଢ଼ିବା ଆଶା କରାଯାଉଛି।
ସେବା କ୍ଷେତ୍ରରେ ୫୯.୫ ଲକ୍ଷ ନିୟୋଜିତ
ରାଜ୍ୟର ଅର୍ଥନୀତିକୁ ସେବାକ୍ଷେତ୍ରର ଅବଦାନ ୩୯.୧ ପ୍ରତିଶତ ରହିଛି। ୨୦୨୪-୨୫ରେ ଏହାର ପରିମାଣ ୩.୪ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ୨୦୨୪-୨୫ରୁ ୨୦୨୫-୨୬ ମଧ୍ୟରେ ଏହି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବା ଆକଳନ କରାଯାଇଛି। ନିଯୁକ୍ତି ସୃଷ୍ଟିରେ ଏହି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ୨୦୨୩-୨୪ ସୁଦ୍ଧା ସେବାକ୍ଷେତ୍ରରେ ୫୯.୫ ଲକ୍ଷ ଲୋକ ନିୟୋଜିତ ଥିଲେ। ୨୦୧୯-୨୦ରେ ସେମାନଙ୍କ ସଂଖ୍ୟା ୪୬.୩ ଲକ୍ଷ ଥିଲା। ତେବେ ଅଧିକାଂଶ ଲୋକ ପାରମ୍ପରିକ ସେବାକ୍ଷେତ୍ରରେ କାମ କରୁଛନ୍ତି। କୌଶଳ ଆଧାରିତ ଉନ୍ନତ ସେବା କ୍ଷେତ୍ରରେ କିନ୍ତୁ ମହିଳାଙ୍କ ଅଂଶଗ୍ରହଣ ହାର ୧୪.୩ ପ୍ରତିଶତକୁ ବଢ଼ିଛି।
ଉଚ୍ଚମୂଲ୍ୟ ସେବାରେ ୬୦,୦୦୦ କୋଟି ବ୍ୟୟ
ରାଜ୍ୟବାସୀ ଉଚ୍ଚମୂଲ୍ୟର ସେବାରେ ଅଧିକ ଖର୍ଚ୍ଚ କରୁଛନ୍ତି। ସେମାନେ ୨୦୨୩-୨୪ରେ ଉଚ୍ଚମୂଲ୍ୟର ସେବାରେ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ପରିବାରଗୁଡ଼ିକର ମୋଟ ବ୍ୟୟର ୩୦ ପ୍ରତିଶତ ସହ ସମାନ। ଲୋକମାନେ ମୁଖ୍ୟତଃ ପିଲାଙ୍କ ପାଠପଢ଼ା, ପର୍ସନାଲ୍ କେୟାର ଉତ୍ପାଦ, ଡିଜିଟାଲ୍ ଉତ୍ପାଦ, ଦାମୀ ଖୁଚୁରା ସାମଗ୍ରୀ କିଣାକିଣିରେ ଖର୍ଚ୍ଚ କରୁଛନ୍ତି। ଡିଜିଟାଲ୍ ସେବାରେ ପରିବାରଗୁଡ଼ିକର ଖର୍ଚ୍ଚ ବଢ଼ିଛି। ୧୫ ବର୍ଷରୁ ଅଧିକ ବୟସର ୯୫ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/untitled-12-2026-02-20-07-40-29.jpg)