Unprotected wildlife: ଅସୁରକ୍ଷିତ ବନ୍ୟପ୍ରାଣୀ ଜଙ୍ଗଲରୁ ଜନପଦ

Advertisment

ଜଙ୍ଗଲରେ ଗଡ଼ୁଛି ହାତୀ ମୁଣ୍ଡ। ହାଟରେ ବିକ୍ରି ହେଉଛି ବାଘ ଚମଡ଼ା। ନଈରେ ତ ରାଜ୍‌ କରୁଛନ୍ତି କୁମ୍ଭୀର। ଭାଲୁଙ୍କ ଉତ୍ପାତ ବି କିଛି କମ୍‌ ନୁହେଁ। ରାତିରେ ଘରେ ପଶି ଟାଣି ନେଉଛନ୍ତି। ବନ୍ୟଜନ୍ତୁ-ମଣିଷ...

ଜଙ୍ଗଲରେ ଗଡ଼ୁଛି ହାତୀ ମୁଣ୍ଡ। ହାଟରେ ବିକ୍ରି ହେଉଛି ବାଘ ଚମଡ଼ା। ନଈରେ ତ ରାଜ୍‌ କରୁଛନ୍ତି କୁମ୍ଭୀର। ଭାଲୁଙ୍କ ଉତ୍ପାତ ବି କିଛି କମ୍‌ ନୁହେଁ। ରାତିରେ ଘରେ ପଶି ଟାଣି ନେଉଛନ୍ତି। ବନ୍ୟଜନ୍ତୁ-ମଣିଷ...

Untitled-25

ଜଙ୍ଗଲରେ ଗଡ଼ୁଛି ହାତୀ ମୁଣ୍ଡ। ହାଟରେ ବିକ୍ରି ହେଉଛି ବାଘ ଚମଡ଼ା। ନଈରେ ତ ରାଜ୍‌ କରୁଛନ୍ତି କୁମ୍ଭୀର। ଭାଲୁଙ୍କ ଉତ୍ପାତ ବି କିଛି କମ୍‌ ନୁହେଁ। ରାତିରେ ଘରେ ପଶି ଟାଣି ନେଉଛନ୍ତି। ବନ୍ୟଜନ୍ତୁ-ମଣିଷ ସଂଘର୍ଷର କାହାଣୀ ଏମିତିରେ ବହୁତ ଲମ୍ବା। ଉପକୂଳଠାରୁ ଉପାନ୍ତ ଯାଏଁ, କେଉଁଠି ବି ଏବର୍ଷ ନିସ୍ତାର ମିଳି ନାହିଁ। ଜଙ୍ଗଲ ଭିତରେ ବି ଅସୁରକ୍ଷିତ ହୋଇପଡ଼ିଛନ୍ତି ବନ୍ୟଜନ୍ତୁ। ଆଉ ପ୍ରତିଆକ୍ରମଣର ଶିକାର ହେଉଛନ୍ତି ଜନସାଧାରଣ। ବର୍ଷ ଶେଷରେ କେତେ ବନ୍ୟଜନ୍ତୁ ମଲେ, କେତେ ବଞ୍ଚିଲେ ତାହାର ହିସାବକିତାବ କାଗଜକଲମରେ ଚାଲିଛି। ହେଲେ ବାସ୍ତବରେ ରାଜ୍ୟରେ ଜଙ୍ଗଲରୁ ଜନପଦ ଯାଏଁ ସବୁଠି ବନ୍ୟଜନ୍ତୁଙ୍କ ପାଇଁ ବିପଦ ଘନେଇଛି। ଆଖିବୁଜା ଶିକାର ବି ହେଉଛି। ସେପଟେ ମାଳ ମାଳ ପ୍ରକଳ୍ପର କାର୍ଯ୍ୟକାରିତା ଏବେ କେବଳ ଯୋଜନା ଓ ଘୋଷଣାରେ ସୀମିତ ରହିଯାଇଛି।

ଓଡ଼ିଶାରେ ପଡ଼ିଶା ହାତୀ

ଓଡ଼ିଶା ଜଙ୍ଗଲରେ ୨,୧୦୭ଟି ହାତୀ ଅଛନ୍ତି। ୨୦୨୪ ଶେଷ ଭାଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ଏଭଳି ଚିତ୍ର ସାମନାକୁ ଆସିଥିଲା। ପଡ଼ୋଶୀ ରାଜ୍ୟର ୨୭ଟି ହାତୀ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଥିଲେ। ପ୍ରତିବର୍ଷ ଖାଦ୍ୟ ଅନ୍ବେଷଣରେ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ହାତୀପଲ ଓଡ଼ିଶାକୁ ଆସି ଏଠାରେ କିଛି ମାସ ରହି ପୁଣି ଫେରି ଯାଆନ୍ତି। ୨୦୨୫ରେ ମଧ୍ୟ ସେହି ଧାରା ଜାରି ରହିଛି। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲାରେ ପଡ଼ୋଶୀ ରାଜ୍ୟର ହାତୀଙ୍କ ଉପସ୍ଥିତି ଓଡ଼ିଶାର ହାତୀ ସମ୍ପଦକୁ ସମୃଦ୍ଧ କରିଛି। ତା’ସତ୍ତ୍ବେ ଏବର୍ଷ ପ୍ରାୟ ୮୦ଟି ହାତୀଙ୍କ ଜୀବନ ଯାଇଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ଚନ୍ଦକା, ବାରିପଦା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍‌ରେ ହାତୀଙ୍କ ଉପସ୍ଥିତି ଜାରି ରହିଛି। ରାଉରକେଲା ଓ ବାରିପଦା ସର୍କଲରେ ହାତୀମାନେ ଅଧିକ ଚଳପ୍ରଚଳ କରୁଥିବା ନଜରକୁ ଆସିଛନ୍ତି। ରାଜ୍ୟରେ ୧୪ଟି ହାତୀ କରିଡର୍ ଚିହ୍ନଟ ହୋଇଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇପାରି ନାହିଁ। ତେବେ ହାତୀ କରିଡର୍‌ ମଧ୍ୟରୁ ୩ଟି କରିଡର୍‌ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଛି। ମାତ୍ର ଖଣିଖାଦନ, ରେଳଧାରଣା, ରାସ୍ତାଘାଟ, କେନାଲ୍‌ ଭଳି ବିଭିନ୍ନ କାର୍ଯ୍ୟ ଯୋଗୁଁ ଏହି କରିଡର୍‌ଗୁଡ଼ିକ ନଷ୍ଟ ହେବାରେ ଲାଗିଛି, ଯାହାକି ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ହାତୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲର ପରିସୀମା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା କେବଳ ଘୋଷଣାରେ ଅଟକି ରହିଛି।

Russia: ଭାରତ ହେବ ରକେଟ୍ ସୁପର ପାୱାର: ରୁଷ୍‌

Rahul Gandhi: ପୁଟିନଙ୍କ ଭାରତ ଗସ୍ତ ନେଇ ରାହୁଲଙ୍କ ଟିପ୍ପଣୀ ଆମକୁ ବିଦେଶୀ ଅତିଥିଙ୍କୁ ଭେଟିବାକୁ ଦିଆଯାଉନି

ନାଲିଫିତା ତଳେ ବାଘ ଅଭୟାରଣ୍ୟ

୧୯୭୩ରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ବାଘଙ୍କ ବାସସ୍ଥାନ ସଂରକ୍ଷଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏବେ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ରହିଛି। ଶିମିଳିପାଳ କେବଳ ମୟୂରଭଞ୍ଜ ଜିଲ୍ଲା ଭିତରେ ସୀମିତ ଥିବାବେଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନୁଗୁଳ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ପରିସୀମାକୁ ସ୍ପର୍ଶ କରିଛି। ଆଉ ଦୁଇଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଯଥା ନୂଆପଡ଼ା ଜିଲ୍ଲାର ୧,୦୮୩.୦୯ବର୍ଗକିମି ବିଶିଷ୍ଟ ସୁନାବେଢ଼ା ଓ ସମ୍ବଲପୁର ଜିଲ୍ଲାର ୪୫୭.୦୧ ବର୍ଗ କିମିର ଡେବ୍ରିଗଡ଼ ଅଞ୍ଚଳକୁ ସାମିଲ କରିବା ପ୍ରସ୍ତାବ ବହୁବର୍ଷ ହେଲା ଅଟକି ରହିଛି। ଏନ୍‌ଟିସିଏର ସୁପାରିସକୁ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ସେପଟେ ସାରା ଦେଶରେ ମହାବଳଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ୨୦୨୫ ପ୍ରାରମ୍ଭରେ ହିଁ ମହାବଳଙ୍କ ମୃତ୍ୟୁ ଆରମ୍ଭ ହୋଇଥିଲା। କେବଳ ଜାନୁଆରି ମାସର ୨୪ ଦିନ ମଧ୍ୟରେ ସାରା ଦେଶରେ ୨୨ଟି ମହାବଳଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ପଟେ ମହାବଳ ବଂଶ ବୃଦ୍ଧି ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ ମହାବଳଙ୍କ ମୃତ୍ୟୁ ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି। ଓଡ଼ିଶା ମଧ୍ୟ ଏଭଳି ଅପବାଦରୁ ମୁକ୍ତି ପାଇନାହିଁ। ବର୍ଷ ଆରମ୍ଭରୁ ହିଁ ମହାବଳ ଚମଡ଼ା ଜବତ ହୋଇଥିଲା। ମହାରାଷ୍ଟ୍ରରୁ ଆସିଥିବା ଦୁଇ ମହାବଳଙ୍କୁ ନେଇ ଅନେକ ଆଶା ରହିଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ। ଓଡ଼ିଶାର ବାଘବଂଶ ବୃଦ୍ଧି କରିବାକୁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୫ଟି ମହାବଳ ଆଣି ସାତକୋଶିଆ, ଡେବ୍ରିଗଡ଼ ଅଭୟାରଣ୍ୟରେ ଛାଡ଼ିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Untitled-26

ବନ୍ୟଜନ୍ତୁ-ମଣିଷ ସଂଘର୍ଷ ଏବେ ନିତିଦିନିଆ

ବନ୍ୟଜନ୍ତୁ-ମଣିଷ ଲଢ଼େଇ ଏବେ ନିତିଦିନିଆ ହୋଇଗଲଣି। ପ୍ରତିଦିନ କେଉଁଠି ନା କେଉଁଠି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ମଣିଷ ମଧ୍ୟ ବନ୍ୟଜନ୍ତୁଙ୍କ ଜୀବନ ନେବାକୁ ପଛାଉ ନାହିଁ। ସଂଘର୍ଷ ରୋକିବାକୁ ବିଭିନ୍ନ ସ୍ତରରେ ଯୋଜନା ହେଉଥିଲେ ମଧ୍ୟ ଫଳପ୍ରଦ ହେଉ ନାହିଁ। ହାତୀ-ମଣିଷ ଲଢ଼େଇ ରୋକିବାକୁ ଏବର୍ଷ ପଶ୍ଚିମବଙ୍ଗ ଓ ଓଡ଼ିଶାର ବନ ବିଭାଗ ମଧ୍ୟରେ ଅନ୍ତଃରାଜ୍ୟ ଆଲୋଚନା ହୋଇଛି। ଯେଉଁଠି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜନପ୍ରତିନିଧିମାନେ ହାତୀଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଶପଥ ନେଇଛନ୍ତି। ଓଡ଼ିଶାର ଜଳେଶ୍ୱର, ରାସଗୋବିନ୍ଦପୁର, ଦେଉଳି ଓ ପଶ୍ଚିମବଙ୍ଗର ୩ଟି ରେଞ୍ଜରେ ବର୍ଷର ୮ରୁ ୧୦ ମାସ ହାତୀ ଉପଦ୍ରବ ହେଉଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏଥର ମଧ୍ୟ ଏକାଧିକ ହାତୀଙ୍କ ଜୀବନ ଯାଇଛି। ଟ୍ରେନ୍‌ ଧକ୍କାରେ ମଧ୍ୟ ହାତୀ ଟଳିପଡ଼ିଛନ୍ତି। ଭୁବନେଶ୍ବରରୁ ଆରମ୍ଭ କରି କନ୍ଧମାଳ, ମୟୂରଭଞ୍ଜରୁ ବାଘ ଛାଲ ଜବତ ଘଟଣା ମଣିଷର କ୍ରୂର ପ୍ରକୃତିକୁ ସାମନାକୁ ଆଣିଛି। ହାତୀ, ବାର୍‌ହା, କୁମ୍ଭୀର, କଲରାପତରିଆ, ଭାଲୁ ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣ ଯିବା ସର୍ବାଗ୍ରେ ରହିଛି। ୫ବର୍ଷରେ ୧୫୧ ହାତୀ ଓ ୬୪୬ଜଣ ମଣିଷଙ୍କ ମୃତ୍ୟୁ ହୋଇଛି। ୧୦ ବର୍ଷରେ ୫,୬୦୯ ବନ୍ୟଜନ୍ତୁ ଓ ୧,୩୯୮ ଲୋକଙ୍କ ଜୀବନ ଗଲାଣି।

କ୍ଷତିରେ ପରିବେଶ ପର୍ଯ୍ୟଟନ

୨୦୧୬-୧୭ ଆର୍ଥିକ ବର୍ଷରେ ପରିବେଶ ପର୍ଯ୍ୟଟନ‌(ଇକୋ ଟୁରିଜିମ୍‌) ଯୋଜନା ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଜଙ୍ଗଲୀ ପରିବେଶ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଏବଂ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା। ସୁଦୃଢ଼ ଭିତ୍ତିଭୂମି ସାଙ୍ଗକୁ ପର୍ଯ୍ୟଟକଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ଦ୍ବାରା ଏହା ବେଶ୍ ଆଦୃତ ହୋଇଥିଲା। ଏବେ ୪୧ଟି ପରିବେଶ ପର୍ଯ୍ୟଟନ‌ କ୍ଷତିରେ ଚାଲିଛି। ଏହି ଯୋଜନାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେଉଁଭଳି ବିକାଶ ହେବା କଥା ତାହା ହେଉ ନାହିଁ। ଆୟର ୧୦% ଇକୋ ଟୁରିଜିମ୍ ସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବାକୁ ଥିବା ବେଳେ ତାହା କରାଯାଉ ନାହିଁ। ପରିବେଶ ପର୍ଯ୍ୟଟନରେ ସ୍ଥାନୀୟ ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଚିଲିକା, କୋଣାର୍କ ଓ ଗଞ୍ଜାମ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ହୋମ୍‌ଷ୍ଟେ ଭିତ୍ତିଭୂମି ରହିଥିଲେ ମଧ୍ୟ ସେଦିଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନାହାନ୍ତି। 

ବନବାସୀ ସାଜିଛନ୍ତି ବନ ରକ୍ଷକ 

ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ସ୍ଥାନୀୟ ସମ୍ପ୍ରଦାୟ ଏବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପରିଣାମ ସ୍ବରୂପ ରାଜ୍ୟରେ ଜଙ୍ଗଲ ପରିମାଣ ବଢ଼ିଛି। ଜଙ୍ଗଲ ନିଆଁ କମିଛି। ଓଡ଼ିଶାରେ ଏବେ ୫୨ହଜାର ୪୩୩ ବର୍ଗ କିମି ଜଙ୍ଗଲ ରହିଛି। ଦେଢ଼ ବର୍ଷ ମଧ୍ୟରେ ବନାଗ୍ନି ସଂଖ୍ୟା ହ୍ରାସ ପାଇ ୪,୬୦୯ ହେକ୍ଟରରେ ପହଞ୍ଚିଛି। ଓଡ଼ିଶାରେ ବନାଗ୍ନି ଯେହେତୁ ଭୁପୃଷ୍ଠୀୟ, ତେଣୁ କେବଳ ଗୁଲ୍ମ ଜାତୀୟ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି, ଯାହାକି ବର୍ଷା ଦିନେ ପୁନଃଜୀବିତ ହେଉଛି। ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକଙ୍କ ସକ୍ରିୟ ଯୋଗଦାନ ଦ୍ବାରା ବନାଗ୍ନି ଦ୍ବାରା ପଶୁ, ପକ୍ଷୀ ଓ ବନ୍ୟଜନ୍ତୁଙ୍କ ଜୀବନହାନି ହୋଇନାହିଁ। ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଦ୍ବାରା ପରିଚାଳିତ ଆମ ଜଙ୍ଗଲ ଯୋଜନା, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଦୁଇ ହଜାରରୁ ଅଧିକ ବନ ସୁରକ୍ଷା ସମିତି ମାଧ୍ୟମରେ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହାବ୍ୟତୀତ ପରିବେଶ ଉନ୍ନୟନ କମିଟି ମଧ୍ୟ ବେଶ୍‌ ଉତ୍ସାହର ସହ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ରହିଛି। ପରିବେଶ ପର୍ଯ୍ୟଟନରେ ସ୍ଥାନୀୟ ସମ୍ପ୍ରଦାୟକୁ ସାମିଲ କରାଯିବା ଦ୍ବାରା ସେମାନଙ୍କ ଆର୍ଥିକ ଉନ୍ନତି ସହ ଜଙ୍ଗଲ ସୁରକ୍ଷା ହୋଇପାରୁଛି।  

ହାତୀ ସଂରକ୍ଷଣ ପାଇଁ ଆସିବ ନୀତି

ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ପ୍ରତିଷ୍ଠା ହୋଇଥିବା ହାତୀ ଥଇଥାନ କେନ୍ଦ୍ରକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ଏଠାରେ ଆଶ୍ରୟ ଦେଇ ସେମ‌ାନଙ୍କ ସେବା ଓ ଚିକିତ୍ସା କରାଯାଉଛି। ମା’ଠାରୁ ଅଲଗା ହୋଇଯା‌ଇଥିବା ହାତୀ ଶାବକଙ୍କୁ ମଧ୍ୟ ଏଠାରେ ରଖାଯାଉଛି। ସେମାନଙ୍କ ପାଇଁ ଅଭିଜ୍ଞ ମାହୁନ୍ତମାନେ ନିୟୋଜିତ ହୋଇଛନ୍ତି। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକମାନଙ୍କୁ ନିୟୋଜିତ କରାଯାଇ ଏହାକୁ ତ୍ବରାନ୍ବିତ କରାଯିବ। ମାହୁନ୍ତଙ୍କ ପାଇଁ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ପ୍ରୟୋଗଶାଳା, ହାତୀଙ୍କ ଖାଇବା ପାଇଁ ଘାସ, ଗଛ ପତ୍ର ଆଦିର ସ୍ବତନ୍ତ୍ର ଓ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଏସୀୟ ହାତୀମାନଙ୍କ ଉପରେ ଅଧିକ ଗବେଷଣା ପାଇଁ ଚନ୍ଦକାରେ ସ୍ୱତନ୍ତ୍ର କେନ୍ଦ୍ର ଏବର୍ଷ ଉଦ୍‌ଘାଟିତ ହୋଇଛି। ଏଥିସହ ହାତୀ ସଂରକ୍ଷଣ ନେଇ ସ୍ୱତନ୍ତ୍ର ନୀତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। 

ବନବାସୀଙ୍କ ସ୍ୱର

ଜଙ୍ଗଲ ଅଧିକାର-୨୦୦୬କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କ୍ଷେତ୍ରରେ ଓଡ଼ିଶା ସରକାର ବାରମ୍ବାର ବିଫଳ ହୋଇଥିବାରୁ ବନବାସୀଙ୍କ ସ୍ବର ଭୁବନେଶ୍ବରରେ ଉଠିଥିଲା। ଅଭିଯୋଗ ହୋଇଥିଲା ଯେ ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ବନବାସୀ ଜଙ୍ଗଲରୁ ବିତାଡ଼ିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ବାନ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗ୍ରାମସଭା ଓ ସମ୍ପ୍ରଦାୟର କ୍ଷମତାକୁ ଦୁର୍ବଳ କରୁଛି। ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ, ଘରୋଇ ସଂସ୍ଥା ଓ ଜଙ୍ଗଲ ମାଫିଆଙ୍କ ଦ୍ବାରା ଜଙ୍ଗଲ ନଷ୍ଟ କରିବାକୁ ଅନୁମତି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ କହିଥିଲେ। ଗଛ କଟା, ଜଙ୍ଗଲ ଜମିରେ ଶିଳ୍ପ ପ୍ରତିଷ୍ଠା, ଖଣିଖାଦାନ ପାଇଁ ଅନୁମତି ପରି ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଉଠିଥିଲା। ଶିମିଳିପାଳ ଅଭୟାରଣ୍ୟ ଭିତରେ ଗ୍ରାମବାସୀଙ୍କ ସହ ଆଲୋଚନା କରା ନ ଯାଇ ଦୁଇଟି ମହାବଳ ଛାଡ଼ିବାକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଥିଲେ। 

ଦେଢ଼ ହଜାର ଶିକାରୀ କାବୁ

ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଉଦ୍ଧାର ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ହାତକୁ ନେଇଛନ୍ତି। ବଲାଙ୍ଗୀର ମୁରିବାହାଲରେ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ିଥିବା ଏକ ଛୋଟ ହାତୀକୁ ଜେସିବି ସହାୟତାରେ ଉଦ୍ଧାର କରାଯିବାର ଚିତ୍ର ଏବର୍ଷ ବେଶ୍‌ ଚର୍ଚ୍ଚାରେ ଥିଲା। ନଭେମ୍ବରରେ ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟକୁ ଧାନ ଖାଇବାକୁ ଆସିଥିବା ହାତୀପଲରେ ଏକ ଛୁଆ ହାତୀ କାଦୁଅ ଭିତରେ ଫସି ଯାଇଥିଲା। ସକାଳ ହୋଇଯିବାରୁ ହାତୀପଲ ମନ୍ଦରଗିରି ଜଙ୍ଗଲ ଆଡ଼କୁ ଫେରିଯାଇଥିଲେ। ହେଲେ ଛୁଆ ହାତୀଟି ଫସିରହିଥିଲା। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛୁଆ ହାତୀଟିକୁ ଉଦ୍ଧାର କରିଥିଲା। ଜୁଲାଇରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମର ଏକ ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀରକୁ ଉଦ୍ଧାର କରିଥିଲେ ବନ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲାର ଗୋଡ଼ିପଡ଼ା ଅଞ୍ଚଳରେ ଏକ ଗାଡ଼ିରୁ ବେଆଇନ ଭାବେ ଚାଲାଣ ହେଉଥିବା ଶହ ଶହ କଇଁଛଙ୍କୁ ଉଦ୍ଧାର କରାଯାଇଥିଲା। ବାର୍‌ହା, ହରିଣ, କୁଟୁରା, ମୟୂର ପରି ବନ୍ୟଜନ୍ତୁଙ୍କୁ ଉଦ୍ଧାର କଲା ପରେ ପୁଣିଥରେ ଜଙ୍ଗଲରେ ଛାଡ଼ିଛି ବନ ବିଭାଗ। ଜନବସତିମୁହାଁ ବନ୍ୟଜନ୍ତୁଙ୍କୁ ଘଉଡ଼ାଇବାରେ ମଧ୍ୟ ବନ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ନିଜର ମହାନତା ଦେଖାଇଛନ୍ତି। ଗତ ଦେଢ଼ବର୍ଷ ମଧ୍ୟରେ ୧,୫୬୮ ଜଣ ଶିକାରୀଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଜୀବନ୍ତ ଓ ମୃତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ଜୀବନ୍ତ ଜନ୍ତୁଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

Untitled-27

ଶିମିଳିପାଳ ଜୈବମଣ୍ଡଳ

ଶିମିଳିପାଳର ୫,୫୬୯ ବର୍ଗ କିମି ଅଞ୍ଚଳକୁ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି। ଭିତରକନିକା ପରେ ଶିମିଳିପାଳ ଦ୍ବିତୀୟ ଜୈବମଣ୍ଡଳ ହୋଇଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ଆଉ ଏକ ଜୈବମଣ୍ଡଳ ଭାବେ ଯୋଡ଼ିବାକୁ ପ୍ରସ୍ତାବ ରହିଛି। ଯେଉଁଥିରେ ୪୨.୫୪ ବର୍ଗ କିମିର କୋର୍‌ ଏରିଆ, ୧,୫୭୦.୩୧ ବର୍ଗ କିମିର ବଫର୍‌ ଏରିଆ ଓ ୩,୧୪୫.୦୧ ବର୍ଗ କିମିର ଟ୍ରାଞ୍ଜିସନାଲ୍‌ ଏରିଆକୁ ମିଶାଇ ମୋଟ ୪,୭୫୭.୮୬ ବର୍ଗ କିମି ଅଞ୍ଚଳକୁ ସାମିଲ କରାଯିବ। ସେହିପରି ରାଜ୍ୟରେ ଆଉ ତିନୋଟି ସଂରକ୍ଷିତ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା ଉପରେ ମଧ୍ୟ ବିଚାରବିମର୍ଶ ଚାଲିଛି। ଅନୁଗୁଳ ଜିଲ୍ଲାର ୧୯୨.୩୨ ବର୍ଗ କିମିର ଉତ୍ତରାଞ୍ଚଳ ସଂରକ୍ଷିତ ଜଙ୍ଗଲ, ଖୋର୍ଦ୍ଧା ଜିଲ୍ଲାର ୩୫୮.୧୦ ବର୍ଗ କିମିର ବରବରା ସଂରକ୍ଷିତ ଜଙ୍ଗଲ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଥିବା ୧୯୧.୦୧ ବର୍ଗ କିମିର ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲକୁ ଅଭୟାରଣ୍ୟରେ ପରିଣତ କରାଯିବ। ସେହିପରି ଜୈବ ବିବିଧତା ଐତିହ୍ୟ ସ୍ଥଳ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ଏବେ ସୁଦ୍ଧା କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, କୋରାପୁଟ ଜିଲ୍ଲା‌ର ଗୁପ୍ତେଶ୍ବର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପାହାଡ଼କୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି। ଏହି ମାନ୍ୟତା‌ ଦୌଡ଼ରେ ଆହୁରି ୨୬ଟି ସ୍ଥାନ ରହିଛି।

untitled-30

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe