ନୂଆଦିଲ୍ଲୀ: ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଖବଡ଼ ହାଉସ ବା ଛବାଡ଼ ହାଉସ୍ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମୁମ୍ବାଇ ପୁଲିସ। ରାଜସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରିଥିବା ଆତଙ୍କବାଦୀଙ୍କଠାରୁ ଖବଡ଼ ହାଉସ୍‌ର ଫଟୋ ମିଳିବା ପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି।

Advertisment

୨୦୦୮ରେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଟାର୍ଗେଟ ଥିଲା ଖବଡ଼ ହାଉସ୍। ନିକଟରେ ମଧ୍ୟପ୍ରଦେଶର ରତଲମ ବାସିନ୍ଦା ମହମ୍ମଦ ଇମ୍ରାନ ମହମ୍ମଦ ୟୁନୁସ ଖାନ ଓ ମହମ୍ମଦ ୟୁନୁସ ମହମ୍ମଦ ୟୁକୁବ ସାକିକୁ ଆତଙ୍କବାଦବିରୋଧୀ ସ୍କ୍ବାଡ୍ ପୁଣେରୁ ଗିରଫ କରିଥି‌ଲା। ସେମାନଙ୍କଠାରୁ ଖବଡ଼ ହାଉସର ଗୁଗ୍‌ଲ ଫଟୋ ମିଳିଛି। ଉଭୟ ଅଭିଯୁକ୍ତଙ୍କୁ ୟୁଏପିଏରେ ଗିରଫ କରାଯାଇଛି। ଜେରାବେଳେ ସେମାନେ ସ୍ବୀକାର କରିଛନ୍ତି ଯେ ଦେଶର ଏକତା ଓ ନିରାପତ୍ତା ନଷ୍ଟ କରିବା ପାଇଁ ଦେଶବିରୋଧୀ କାର୍ଯ୍ୟକଳାପରେ ସେମାନେ ଜଡ଼ିତ ଥିଲେ।

ସେମାନେ ବୋମା ତିଆରିର ତାଲିମ ନେବା ସହ ଏଥିପାଇଁ ଆବଶ୍ୟକ ସରଞ୍ଜାମ ନିଜ ପାଖରେ ରଖିଥିଲେ। ସେମାନଙ୍କ ପାଖରୁ ଏଟିଏସ୍ ଏକ ତମ୍ବୁ ମଧ୍ୟ ଜବତ କରିଛି, ଯାହାକୁ ସେମାନେ ଭବିଷ୍ୟତରେ ଦରକାର ବେଳେ ଜଙ୍ଗଲରେ ଆଶ୍ରୟ ନେବା ପାଇଁ ବ୍ୟବହାର କରିଥାନ୍ତେ। ସେମାନଙ୍କଠାରୁ ଏକ ଲାପଟପ, ଆରବୀ ଭାଷାରେ ଲିଖିତ ପୁସ୍ତିକା, ଧଳା ବିସ୍ଫୋରକ ପାଉଡର, ଏକ ଓଜନ ଯନ୍ତ୍ର, ଏକ ଡ୍ରୋନ, ବୈଦ୍ୟୁତିକ ସର୍କିଟ ଓ ସୋଲ୍‌ଡରିଂ ମେସିନ ମଧ୍ୟ ଜବତ କରାଯାଇଛି।