ରାସ୍ତା ସାନ୍ଦ୍ରତାରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ଅଛି। ଆସନ୍ତା ୩ବର୍ଷରେ ଓଡ଼ିଶା ଦେଶର ପ୍ରଥମ ତିନିଟି ରାଜ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ ହେବ, ଏଥିରୁ କେବଳ ୧୫ହଜାର କିମି ରାସ୍ତା ପୂର୍ତ୍ତ ବିଭାଗ ନିର୍ମାଣ କରିବ। ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପକୁ ସମୃଦ୍ଧ କରିବା ସହ ଲଜିଷ୍ଟିକ୍ ହବ୍ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ଯେଉଁଠି ପହଞ୍ଚିବାକୁ ୯ଘଣ୍ଟା ଲାଗୁଛି ତାକୁ ୩ଘଣ୍ଟାକୁ କମାଇବା, ଯେଉଁଠିକୁ ଦେଢ଼ଘଣ୍ଟା ଲାଗୁଛି ତାକୁ ୩୦ମିନିଟ୍କୁ କମାଇବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ ସଂଯୋଗ କରି ମେରୁଦଣ୍ଡ ଭଳି ରାସ୍ତା ନିର୍ମାଣ ହେବ। ରାଜ୍ୟ ଭିତରେ ଯେଉଁଠି ପହଞ୍ଚିବାକୁ ରାତି ପାହି ଯାଉଥିଲା ସେଠାରେ ମାତ୍ର କେଇ ଘଣ୍ଟାରେ ପହଞ୍ଚି ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା, ୨୦୪୭ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଗମନାଗମନ ଭିତ୍ତିଭୂମି, ରୋଡ୍ ନେଟ୍ୱର୍କରେ ସାରା ଦେଶରେ ଯେତେବେଳେ କୌଣସି ରାଜ୍ୟ ନାଁ କୁହାଯିବ ତାହା ଓଡ଼ିଶା ହେବ। ଏଥିପାଇଁ ଓଡ଼ିଶାର ଅପହଞ୍ଚ ଅଞ୍ଚଳକୁ ଚିରି ରାସ୍ତା ବିଛାଇବାକୁ ହୋଇଛି ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଯୋଜନା।
Air-purifying: ବାୟୁ ସଫା କରୁଥିବା ଘରୋଇ ଗଛ
୫୦ବର୍ଷକୁ ନଜରରେ ରଖି ରାସ୍ତା ନିର୍ମାଣ, ଆସିଲା ସ୍ବତନ୍ତ୍ର ନୀତି
ରାଜ୍ୟ ସରକାର ଭିତ୍ତିଭୁମି ନିର୍ମାଣକୁ ଗୁରୁତ୍ବ ଦେଉଥିବାବେଳେ ୫ବର୍ଷରେ ୭୫ହଜାର ନୂଆ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ମିଶାଇ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ବିଭିନ୍ନ ମହାନଗର ନିଗମ ଅଧୀନରେ ଅନେକଗୁଡ଼ିଏ ରାସ୍ତା ରହିଛି। ଅନେକ ସମୟରେ ସମନ୍ୱୟ ଅଭାବ ଯୋଗୁ ରାସ୍ତା ନିର୍ମାଣ ଓ ମରାମତି ନେଇ ସମସ୍ୟା ଦେଖାଯାଉଛି। ତେଣୁ ଏହାର ନିରାକରଣ ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ଏଥିରେ ବିଭିନ୍ନ ରାସ୍ତାଗୁଡ଼ିକର ସ୍ଥିତି ନେଇ ଏକ ଡାଟାବେସ୍ ପ୍ରସ୍ତୁତ ହେବ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ରୋଡ୍ମ୍ୟାପ୍, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟିଦେଇ ଏହି ନୀତି ପ୍ରଣୟନ ହେବ। ଏହାସହ ପ୍ଲାଷ୍ଟିକ୍ ଭଳି ବର୍ଜ୍ୟବସ୍ତୁ ଓ କମ୍ କଞ୍ଚାମାଲର ବ୍ୟବହାର କରି ରାସ୍ତା ନିର୍ମାଣ, ନିର୍ମାଣର ଗୁଣବତ୍ତା ସହ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର କର୍ପସ୍ ପାଣ୍ଠି ଗଠନ ନେଇ ନୀତିରେ ସ୍ପଷ୍ଟତା ରହିବ। ଅନେକ ସମୟରେ ରାସ୍ତାରେ କେବୁଲ୍ ବିଛାଇବା, ଡ୍ରେନ୍ ତଥା ସ୍ବେରେଜ୍ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ରାସ୍ତାଗୁଡ଼ିକୁ ଖୋଳି ଦେଉଛନ୍ତି। ଏପରି ଘଟଣାର ନିରାକରଣ ପାଇଁ ଉକ୍ତ ସଂସ୍ଥା ବିରୋଧରେ ଜରିମାନା ଲାଗୁ କରିବା ପାଇଁ ନୀତିରେ ଉଲ୍ଲେଖ ରହିବ। ସେହିପରି ୨୦୨୯ ସୁଦ୍ଧା ୧୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଉପକୂଳ ରାଜପଥ ଅଡ଼ୁଆ ତୁଟିଲା
୧୦ବର୍ଷର ଘୋଷଣା ପରେ କୋଷ୍ଟାଲ୍ ହାଇୱେ (ଉପକୂଳ ରାଜପଥ) ଅଡ଼ୁଆ ତୁଟିଛି। ବହୁ ଯୋଜନା, ବିରୋଧ ପରେ ଗୋପାଳପୁର-ଦୀଘା କୋଷ୍ଟାଲ୍ ହାଇୱେକୁ କାଣ୍ଟଛାଣ୍ଟ୍ କରି ରାମେଶ୍ବରରୁ ଦୀଘା ପର୍ଯ୍ୟନ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ (୩୪୬କିମି) ନିର୍ମାଣ ହେବାକୁ ଥିବାବେଳେ ଏହାକୁ ଏନ୍ଏଚ୍ଏଆଇ ଅନୁମୋଦନ କରିଛି। ଏହି ରାଜପଥ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଆଣିବ ବୋଲି କୁହାଯାଉଛି। ବିଶେଷକରି ବନ୍ଦର ପରିଚାଳନା, ଲିଜିଷ୍ଟିକ୍ ହବ୍ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି। ଓଡ଼ିଶାକୁ ଜାତୀୟ ଓ ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଆଗରେ ରଖିବ। ୮୩୦୦କୋଟି ଟଙ୍କାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱର-ପାରାଦୀପ ପର୍ଯ୍ୟନ୍ତ ରାସ୍ତା, ସେତୁ ଆଦି ନିର୍ମାଣ ହେବ। ଏହାଦ୍ବାରା ରାମେଶ୍ୱର ଓ ପାରାଦୀପ ମଧ୍ୟରେ ଯାତ୍ରା ଦୂରତା ୨୧୦କିମିରୁ କମି ୧୬୦କିମି ହୋଇଯିବ।
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ ଯୋଡ଼ିବ ରାସ୍ତା
ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳକୁ ଯୋଡ଼ିବା ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏଥିରେ ମୁଖ୍ୟତଃ ଉପକୂଳ ଓଡ଼ିଶା (ପୂର୍ବ)କୁ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାକୁ ଉତ୍ତର ଓଡ଼ିଶା ସହ ଯୋଡ଼ାଯିବ। ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼- ରାଉରକେଲାକୁ ସଂଯୋଗ କରି ରାସ୍ତା ନିର୍ମାଣ ହେବ। ସେହିପରି ରାଉରକେଲା-ବଡ଼ବିଲ-ପାରାଦୀପକୁ ଭାୟା ଡୁବୁରି (ପ୍ରାୟ ୪୦୦କିମି)ସଂଯୋଗ କରି ଶିଳ୍ପ ଓ ଖଣି କରିଡରକୁ ସମୃଦ୍ଧ କରାଯିବ। ପିଏମ୍ ଗତିଶକ୍ତି ଯୋଜନାରେ ଗୋପାଳପୁର ବନ୍ଦରରୁ ଜୟପୁରକୁ ସଂଯୋଗ କରାଯିବ। ଏହାଦ୍ବାରା ୯ଘଣ୍ଟାର ଯାତାୟାତ ସମୟ ସାଢ଼େ ୩ଘଣ୍ଟାକୁ କମିଯିବ। ଏହାସହ ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ସଂଯୋଗ ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଭୁବନେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଏକ ଗ୍ରିନଫିଲ୍ଡ କରିଡର୍ ନିର୍ମାଣ ହେବ। ଏହିଭଳି ଶିଳ୍ପ କରିଡର୍ ଯୋଜନା କରିଛନ୍ତି ସରକାର।
ସେହିପରି ରାଜ୍ୟର ଦକ୍ଷିଣରୁ ଉତ୍ତରକୁ ସଂଯୋଗ କରିବାକୁ ମୋଟୁରୁ ତିରିିଙ୍ଗ ପର୍ଯ୍ୟନ୍ତ ୯୬୯କିମିର ନୂତନ ୬ଥାକିଆ ରାସ୍ତା ନିର୍ମାଣ ହେବ। ଏହି ରାସ୍ତା ରାଜ୍ୟର ମେରୁଦଣ୍ଡ ସଦୃଶ ହେବ। ଏଥିପାଇଁ ୧୫ହଜାର କୋଟି ଟଙ୍କାର ଅଟକଳ ରଖାଯାଇଛି। ସେହିପରି ପଶ୍ଚିମରୁ ପୂର୍ବକୁ ସଂଯୋଗ କରିବା ପାଇଁ ନୂଆପଡ଼ାରୁ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦରକୁ ସଂଯୋଗୀକରଣ ପାଇଁ ୪୯୧କିମିର ୬ଥାକିଆ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯୫୦୦କୋଟି ଖର୍ଚ୍ଚ ହେବ। ଏହାବାଦ୍ ଝାରସୁଗୁଡ଼ାରୁ ବାଲେଶ୍ବର ପର୍ଯ୍ୟନ୍ତ ୩୮୩ କିମିର ୬ଥାକିଆ ରାସ୍ତା ପାଇଁ ୭୫୦୦କୋଟି, କଳାହାଣ୍ଡିରୁ ଗୋପାଳପୁର ବନ୍ଦରକୁ ସଂଯୋଗ କରି ୩୫୭କିମିର ୬ଥାକିଅା ରାସ୍ତା ପାଇଁ ୬୮୦୦କୋଟି, ସମ୍ବଲପୁରରୁ ସାତଭାୟା ପର୍ଯ୍ୟନ୍ତ ୪୦୪କିମିର ୬ଥାକିଆ ରାସ୍ତା ପାଇଁ ୫୫୦୦କୋଟି ଟଙ୍କାର ପରିକଳ୍ପନା କରାଯାଇଛି। ଏହାକୁ ଆସନ୍ତା ୫ବର୍ଷରେ କାର୍ଯ୍ୟକାରୀ କରିବାକୁ ଯୋଜନା ଅଛି।
ନୂଆ କ୍ବାଡ୍ ସିଟିର ପରିକଳ୍ପନା
ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ସଂଯୋଗ କରି ରାଜ୍ୟ ସରକାର କ୍ବାଡ୍ ସିଟି ଯୋଜନା କରୁଛନ୍ତି। ଏଥିପାଇଁ ଭୁବନେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଏକ ଗ୍ରିନଫିଲ୍ଡ କରିଡର ନିର୍ମାଣ ହେବ। ଉପକୂଳ ରାଜପଥ ପୁରୀରୁ ଭାୟା କୋଣାର୍କ, ଅସ୍ତରଙ୍ଗ ହୋଇ ପାରାଦୀପକୁ ଛୁଇଁବାକୁ ଥିବାବେଳେ ଭୁବନେଶ୍ବରରୁ କୋଣାର୍କକୁ ସଂଯୋଗୀକରଣ ସୁଦୃଢ଼ କରିବା ପାଇଁ ପିପିଲିରୁ କୋଣାର୍କ ପର୍ଯ୍ୟନ୍ତ ସ୍ବତନ୍ତ୍ର ଗ୍ରିନ କରିଡର ପରିକଳ୍ପନା ହୋଇଛି। ଆଗାମୀ ଦିନରେ ଏହି ୪ଟି ସହରକୁ ସଂଯୋଗ କରିବାକୁ ଦ୍ରୁତଗାମୀ ଟ୍ରେନ୍, ଅଧିକ ସିଟି ବସ୍ ଚଳାଚଳ କରିବ। ଏହାକୁ ଏକ ଶିଳ୍ପ କରିଡରରେ ପରିଣତ କରିବା ସହ ଅଧିକ ଲଜିଷ୍ଟିକ୍ ହବ୍ ମଧ୍ୟ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି।
ସହରର ଭିଡ଼ କମାଇବାକୁ ବାଇପାସ୍
ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳର ଯାତାୟାତଜନିତ ଭିଡ଼ କମାଇବାକୁ ବହୁ ବାଇପାସ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ବାଇପାସ୍, କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସ୍କା ବାଇପାସ୍, ଜଗତସିଂପୁର ଟାଉନ୍ ପାଇଁ ଓଏମ୍ପି-କନ୍ଦରପୁର-ପାରାଦ୍ୱୀପ ରାସ୍ତା, ବ୍ରହ୍ମପୁର ବାଇପାସ୍, ଖୋର୍ଦ୍ଧା ବାଇପାସ୍, ନୟାଗଡ଼ ବାଇପାସ୍, କେସିଙ୍ଗା-ଜୟପୁର ଟାଉନ ବାଇପାସ୍, ବଲାଙ୍ଗୀର ବାଇପାସ୍, ଟିଟିଲାଗଡ ବାଇପାସ୍, ବ୍ରହ୍ମପୁର ରିଂରୋଡ୍ ଆଦି ନିର୍ମାଣ ହେଉଛି। କିଛି ବର୍ଷ ପୂର୍ବରୁ କେତେକ ବାଇପାସ୍ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଜମି ଅଧିଗ୍ରହଣ ବାଧକ ସାଜୁଥିବାରୁ ଆସନ୍ତା ୨ବର୍ଷ ମଧ୍ୟରେ ସମସ୍ତ ବାଇପାସ୍ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ପିପିଲି-କୋଣାର୍କ ରାସ୍ତାକୁ ୭ମିଟରରୁ ୧୦ମିଟରକୁ ପ୍ରଶସ୍ତ କରାଯିବା ସହ ପିପିଲି-କୋଣାର୍କକୁ ସଂେଯାଗ କରି ନୂଆ ଗ୍ରିନଫିଲ୍ଡ କରିଡର ନିର୍ମାଣ କରାଯିବ। ଏହାର ଲମ୍ବ ୪୦କିମି ରହିବ। ଏହି ରାସ୍ତାରେ ଯାନବାହନ ଘଣ୍ଟା ପ୍ରତି ୧୦୦କିମି ବେଗରେ ଗତି କରିବ। ପିପିଲିରୁ କୋଣାର୍କ ଯିବାକୁ ଏବେ ଦେଢ଼ଘଣ୍ଟା ଲାଗୁଥିବାବେଳେ ଆଗାମୀ ଦିନରେ ଏହା ୩୦ମିନିଟ୍କୁ କମିଯିବ।
ରାଜଧାନୀର ଭିଡ଼ କମାଇବ ୨୦ଟି ନୂଆରାସ୍ତା
ଭୁବନେଶ୍ବରର ଭିଡ଼ କମାଇବାକୁ ସରକାର ବଡ଼ ଯୋଜନା କରୁଛନ୍ତି। ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ସ୍ଥଗିତ ରଖିଥିବାବେଳେ ଏହାର ବିକଳ୍ପ ଭାବେ ଅଧିକ ଓସାରିଆ ରାସ୍ତା, ଫ୍ଲାଏଓଭର, ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏଥିରେ ରାଜଧାନୀରେ ୨୦ଟି ନୂଆ ରାସ୍ତା ନିର୍ମାଣ ହେବ। ଜୟଦେବବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ଏବଂ ଏହାର ସଂଯୋଗୀକରଣ ରାସ୍ତା ନିର୍ମାଣ, ଏମ୍ସକୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା, କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ହେବ। ଅର୍ଥାତ୍ କଳ୍ପନାରୁ ରବି ଟକିଜ୍ ପର୍ଯ୍ୟନ୍ତ ଦୁଇ ଥାକିଆ ଫ୍ଲାଏଓଭର ନିର୍ମାଣ ହେବ। ଏଜି ଛକରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ହୋଇଛି। ଏଥିରେ ଏଜି ଛକରେ ଏକ ଭୂତଳ ରାସ୍ତା ନିର୍ମାଣ ହେବ। ଏହି ରାସ୍ତା ଏଜି ଛକର ୧୦୦ ମିଟର ପୂର୍ବରୁ (କ୍ୟାପିଟାଲ୍ ହସ୍ପିଟାଲ ପାର୍ଶ୍ବରୁ) ଆରମ୍ଭ ହୋଇ ଜୟଦେବ ଭବନ ନିକଟରେ ଶେଷ ହେବ। ଏହାଦ୍ବାରା ରାଜଭବନରୁ ରାଜମହଲ ପାର୍ଶ୍ବକୁ ଏବଂ ରାଜମହଲରୁ ରାଜଭବନ ପାର୍ଶ୍ବକୁ ଯାଉଥିବା ଲୋକଙ୍କୁ ଆଉ ଟ୍ରାଫିକ୍ ସିଗନାଲ୍ ପାଇଁ ଅଟକିବାକୁ ପଡ଼ିବନି। ଏହି ଛକଟି ସିଗନାଲବିହୀନ ଛକ ପାଲଟିଯିବ। ଏଥିପାଇଁ ଖୁବ୍ଶୀଘ୍ର ଡିପିଆର୍ ପ୍ରସ୍ତୁତ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଭୁବନେଶ୍ବର ରିଂରୋଡ୍ କାମ ଯେପରି ଧାର୍ଯ୍ୟ ସମୟରେ ଶେଷ ହେବ ସେନେଇ ଘନଘନ ସମୀକ୍ଷା ହେଉଛି।
ଭୁବନେଶ୍ବର ବାଇପାସ୍କୁ ମଞ୍ଜୁରି
ଖୋର୍ଦ୍ଧା, ଭୁବନେଶ୍ବର, କଟକ ସହରର ଭିଡ଼ ଓ ଟ୍ରାଫିକ୍ ଜନିତ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ କରିବା ପାଇଁ ଏନ୍ଏଚ୍-୧୬ରେ (ଚେନ୍ନାଇ-କୋଲକାତା କରିଡର) ଭୁବନେଶ୍ବର ବାଇପାସ୍ ନିର୍ମାଣ ହେବ। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ଭାୟା ବାଙ୍କି, ଆଠଗଡ଼, ଗୋବିନ୍ଦପୁର ହୋଇ କଟକର ଟାଙ୍ଗୀ ନିକଟରେ ବାହାରିବ। ଏହି ୧୧୦.୮୭୫ କିମିର ୬ଥାକିଆ ରାସ୍ତା ପାଇଁ ୮୩୦୭.୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜଧାନୀ କ୍ଷେତ୍ର ରିଂରୋଡ୍ ହାଇବ୍ରିଡ୍ ଆନୁଇଟି ମୋଡ୍ରେ ନିର୍ମାଣ ହେବ। ୧୦ବର୍ଷର କସରତ ପରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଲେ ଆସନ୍ତା ମାର୍ଚ୍ଚ ମାସରେ କାମ ଆରମ୍ଭ ହେବ।
ଏହି ରାସ୍ତା ନିର୍ମାଣ ଅଢ଼େଇ ବର୍ଷରେ େଶଷ ହେବ। ଏହି ରାସ୍ତାର ବିଶେଷତ୍ବ ହେଲା, ଏବେ ରାମେଶ୍ବରରୁ କଟକର ଟାଙ୍ଗୀ ପ୍ରାୟ ୯୧କିମି ରାସ୍ତାକୁ ଅଢ଼େଇ ଘଣ୍ଟା ଲାଗୁଥିବାବେଳେ ନୂଆ ୧୧୧ କିମିର ବାଇପାସ୍ ରାସ୍ତାରେ ମାତ୍ର ୧ଘଣ୍ଟା ୨୦ମିନିଟ୍ ଲାଗିବ। ଏଥିରେ ୧୦୦କିମି ବେଗରେ ଗାଡ଼ି ଚଳାଚଳ କରିବ। ଏହି ବାଇପାସ୍କୁ ୬ଲେନ୍ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଗ୍ରିନ୍ଫିଲ୍ଡ ରାଜପଥ ଭାବେ ବିକଶିତ କରାଯିବ। ଅର୍ଥାତ୍ କେବଳ କେତେକ ଧାର୍ଯ୍ୟ ସ୍ଥାନରେ ରାସ୍ତା ଅତିକ୍ରମ କରିବାର ସୁବିଧା ମିଳିବ। ଭାରୀ ଯାନଗୁଡ଼ିକ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଭଳି ବ୍ୟସ୍ତବହୁଳ ସହରକୁ ବାଦ୍ ଦେଇ ଯାତାୟାତ କରିବ। ଏହି ବାଇପାସ୍ ରାସ୍ତା ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ,ଏନ୍ଏଚ୍-୬୫୫ ଏବଂ ରାଜ୍ୟ ରାଜପଥ ଏସ୍ଏଚ୍-୬୫କୁ ଯୋଡ଼ିବ। ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଓ ଲଜିଷ୍ଟିକ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ। ଏହାସହ ୧୦ଟି ଆର୍ଥିକ କରିଡର୍, ୪ଟି ସାମାଜିକ କେନ୍ଦ୍ର, ୫ଟି ଲଜିଷ୍ଟି୍କ କେନ୍ଦ୍ରକୁ ଯୋଡ଼ିବା ସହ ଖୋର୍ଦ୍ଧା ରେଳଷ୍ଟେସନ୍, ପ୍ରସ୍ତାବିତ ପୁରୀ ଓ ଅସ୍ତରଙ୍ଗ ବନ୍ଦର, ଭୁବନେଶ୍ବର ବିମାନବନ୍ଦର, ଗୋଟିଏ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ସଡ଼କ ସଂଯୋଗ ଯୋଗାଇବ।
/filters:format(webp)/sambad/media/media_files/2025/12/16/untitled-10-2025-12-16-07-51-09.jpg)
ଟେରାଜାଇମ୍, ଆବର୍ଜନାରେ ନିର୍ମାଣ ହେବ ରାସ୍ତା
ରାଜପଥ ନିର୍ମାଣ ପାଇଁ ଫ୍ଲାଏଆସ୍ ଉପରେ ନିର୍ଭର କରିବାକୁ ପଡ଼ୁଥିବାବେଳେ ଏହା ପର୍ଯ୍ୟାପ୍ତ ପରିମାଣରେ ମିଳୁନି। ଏଥିପାଇଁ ବହୁ ପ୍ରକଳ୍ପ ବିଳମ୍ବ ହେଉଛି। କେବଳ ଏତିକି ନୁହେଁ, ଅଧିକ ଫ୍ଲାଏଆସ୍ ବ୍ୟବହାର ଦ୍ବାରା ପରିବେଶ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେଣୁ ରାସ୍ତା ନିର୍ମାଣରେ କଠିନ ବର୍ଜ୍ୟବସ୍ତୁ / ଆବର୍ଜନା ଏବଂ ଟେରାଜାଇମ୍ ଭଳି ମାଟିକୁ ବ୍ୟବହାର କରି ପରିବେଶ ଅନୁକୂଳ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ରାସ୍ତାକୁ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ କରିବାକୁ ଅଭିନବ ଜୈବ-ଏନ୍ଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍କୁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଟେରାଜାଇମ୍ ହେଉଛି ଉଦ୍ଭିଦ ନିଷ୍କାସନରୁ ତିଆରି ଏକ ପ୍ରାକୃତିକ, ଅଣ-ବିଷାକ୍ତ ଓ ଜୈବିକ ତରଳ ପଦାର୍ଥ। ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ବାୟୋ-ଏନ୍ଜାଇମାଟିକ୍ ସଏଲ୍ ଷ୍ଟାବିଲାଇଜର୍ ଦ୍ୱାରା ସଡ଼କ ନିର୍ମାଣକୁ ଅଧିକ ମଜଭୁତ ଓ ଦୀର୍ଘସ୍ଥାୟୀ କରାଯାଇ ପାରିବ। ଏଥିସହିତ ଟେରାଜାଇମ୍ ବ୍ୟବହାର କରି ସ୍ଥାନୀୟ ମାଟିର ଗୁଣବତ୍ତା ବୃଦ୍ଧି କରାଯାଇପାରିବ। ଫଳରେ ପଥର, ଗୋଡ଼ି, ସିମେଣ୍ଟ ଏବଂ ପିଚୁ ଆଦିରୁ ନିର୍ମାଣ ହେଉଥିବା ରାସ୍ତା ତୁଳନାରେ ଏହାର ନିର୍ମାଣ ଖର୍ଚ୍ଚ ଯଥେଷ୍ଟ କମ୍ ହୋଇପାରିବ। ଏହା ପରିବେଶ ଅନୁକୂଳ ହୋଇଥିବାରୁ ଅତ୍ୟଧିକ ତାପ ଓ ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବା ସହ ଅତ୍ୟଧିକ ଧୂଳିକୁ ପ୍ରତିହତ କରିପାରିବ। ଏହି ରାସ୍ତା ବିଶେଷ କରି ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳ ଲାଗି ବେଶ ଉପଯୋଗୀ ହେବା ସହିତ ଅନ୍ୟ ଅଞ୍ଚଳରେ ମଧ୍ୟ ବେଶ ଗ୍ରହଣୀୟ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ଭୁବନେଶ୍ବର ବାଇପାସ୍ ବା କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍ରେ ସହରାଞ୍ଚଳର ଆବର୍ଜନାକୁ ବ୍ୟବହାର କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଏହି ରାସ୍ତାରେ ଫ୍ଲାଏଆସ୍ ବ୍ୟବହାର ନକରି କଠିନ ବର୍ଜ୍ୟବସ୍ତୁ ବ୍ୟବହାର କରିବାକୁ କୁହାଯାଇଛି।
ରାସ୍ତା ପ୍ରଶସ୍ତୀକରଣ ପାଇଁ କେନ୍ଦ୍ର ଦେଲା ୪୪,୭୭୧ କୋଟି
ରାଜ୍ୟ ସରକାର ରାସ୍ତା ନିର୍ମାଣକୁ ଗୁରୁତ୍ବ ଦେଉଥିବାବେଳେ ଏଥିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ବର୍ଷ ଶେଷକୁ ଚଳିତ ଆର୍ଥିକ ବର୍ଷ ପାଇଁ ୪୪,୭୭୧କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏଥିରେ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍ଆଇଏଫ୍ ପ୍ରକଳ୍ପ ଅଛି। ଏଥିରେ ମୁଖ୍ୟତଃ ରାସ୍ତା ସମ୍ପ୍ରସାରଣକୁ ଗୁରୁତ୍ବ ଦିଆଯାଇଛି। ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତଳା-ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା, ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ୍ କରିବା ଏବଂ ଏନ୍ଏଚ୍-୧୪୯ ଅଧୀନରେ ଥିବା ୬୮ କିଲୋମିଟର ଦୀର୍ଘ ପାଳଲହଡ଼ା-ପିତିରି ରାସ୍ତାକୁ ୪ ଲେନ୍ କରିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ୧୩,୧୪୧ କୋଟି ଟଙ୍କା, ଏଥିରେ ବରପାଲି-ବଲାଙ୍ଗୀର ରାସ୍ତା ଓ କେସିଙ୍ଗା- ଭବାନୀପାଟଣା- ଜୁନାଗଡ଼ ରାସ୍ତାକୁ ୪ ଲେନ୍, ବଲାଙ୍ଗୀର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳଷଣ୍ଢପୁର ରାସ୍ତାକୁ ୪ ଲେନ୍ ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତୀକରଣ ସହ ଏନ୍ଏଚ୍-୨୬ର ପ୍ରଶସ୍ତୀକରଣକୁ ଅନୁମୋଦନ ମିଳିଛି।
Follow Us