Remember 25: ମନେରହିବ ୨୫: ତାତିରୁ ନାହିଁ ନିସ୍ତାର, ବିଗିଡ଼ିଲାଣି ବର୍ଷାର ପ୍ରକୃତି

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶାର ପାଣିପାଗକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲାଣି। ଶୀତ ନ ଛାଡ଼ୁଣୁ ଘୋଟି ଆସୁଛି ଟାଇଁଟାଇଁ ଖରା। ଅଦିନିଆ ବର୍ଷାରେ ଭାସୁଛି ଗାଁଠୁ ସହର। ବାତ୍ୟା, ବନ୍ୟା, ମରୁଡ଼ି ପରି....

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶାର ପାଣିପାଗକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲାଣି। ଶୀତ ନ ଛାଡ଼ୁଣୁ ଘୋଟି ଆସୁଛି ଟାଇଁଟାଇଁ ଖରା। ଅଦିନିଆ ବର୍ଷାରେ ଭାସୁଛି ଗାଁଠୁ ସହର। ବାତ୍ୟା, ବନ୍ୟା, ମରୁଡ଼ି ପରି....

Untitled-16

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶାର ପାଣିପାଗକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲାଣି। ଶୀତ ନ ଛାଡ଼ୁଣୁ ଘୋଟି ଆସୁଛି ଟାଇଁଟାଇଁ ଖରା। ଅଦିନିଆ ବର୍ଷାରେ ଭାସୁଛି ଗାଁଠୁ ସହର। ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ପାଲଟିଛି। ପ୍ରକୃତି କେବେ କରାଳ ରୂପ ଦେଖାଉଛି ତ ଆଉ କେବେ ଶାନ୍ତ ସ୍ବଭାବ ଢଙ୍ଗରେ ଜୀବନ ଜୀବିକାକୁ ଉଜାଡ଼ି ଦେଉଛି। ବାୟୁମଣ୍ଡଳ କଥା ନ କହିବା ଭଲ। ଦେଶର ରାଜଧାନୀର ବାୟୁ ବିଷାକ୍ତ ହୋଇଛି। ଓଡ଼ିଶାର ଏକାଧିକ ସହର ଏବେ ବିଷବଳୟ ମଧ୍ୟକୁ ଠେଲି ହୋଇଯାଉଛି। ତା’ମାନେ ନୁହେଁ ଯେ ମୁକାବିଲା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସବୁ ସ୍ତରରେ ପ୍ରୟାସ ଚାଲିଛି। ମାତ୍ର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏତେ ଭୟଙ୍କର  ଯେ ସେଥିରୁ ମୁକୁଳିବାକୁ ଓଡ଼ିଶାକୁ କେତେ ବର୍ଷ ଲାଗିବ ତାହା ଆକଳନ କରିବା ମୁସ୍କିଲ। ତଥାପି ରାଜ୍ୟ, ଦେଶ ଓ ବିଶ୍ବସ୍ତରରେ ଦୀର୍ଘମିଆଦି ରୂପରେଖ ପ୍ରସ୍ତୁତ ହୋଇଛି।

  ମୁକାବିଲା ପାଇଁ ଏକାଠି

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବାକୁ ‘ସମ୍ବାଦ ଗ୍ରୁପ’ ଏଥର ମଧ୍ୟ ଅଭିନବ ପଦକ୍ଷେପ ହାତକୁ ନେଇଥିଲା। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ସଭା, ସମିତି, ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ କରିଥିଲା। ମହିଳା, ପୁରୁଷ, ଯୁବପିଢ଼ି, ଛାତ୍ରଛାତ୍ରୀ ସାମିଲ ହୋଇ ଜଳବାୟୁ ପରିବର୍ତ୍ତନ ଦ୍ବାରା ସେମାନଙ୍କ ଅଞ୍ଚଳ କିଭଳି ପ୍ରଭାବିତ ହେଉଛି ସେନେଇ ମତ ରଖିଥିଲେ। ବିଧାୟକମାନେ ମଧ୍ୟ ଜନସାଧାରଣଙ୍କ ସମସ୍ୟା ଶୁଣିବା ସହ ନିରାକରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥର ମଧ୍ୟ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ। ଯେଉଁଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ବିଶେଷଜ୍ଞ, ଗବେଷକ, ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ୪୦ରୁ ଅଧିକ ଅତିଥି ଓ ବକ୍ତା ସାମିଲ ହୋଇଥିଲେ। ସେପଟେ ଜଳବାୟୁ ସ୍ଥିରତା, ସ୍ଥାୟୀ ବିକାଶ ଅଭିବୃଦ୍ଧି, ସମୃଦ୍ଧ ଜୈବ ବିବିଧତା ଓ ଉପକୂଳୀୟ ପରିସଂସ୍ଥା ସୁରକ୍ଷାର ସୁଦୃଢ଼ୀକରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆଇଆଇଟି ଭୁବନେଶ୍ବର, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‌ପି) ଓ ସିଇଇଡବ୍ଲ୍ୟୁ ହାତ ମିଳାଇଛନ୍ତି। ଉପକୂଳରେ ସାମୁଦ୍ରିକ ଘାସ ଶଯ୍ୟା, ଲୁଣା ଜଳାଶୟର ସୁରକ୍ଷା, ପୁନରୁଦ୍ଧାର ଓ ପରିଚାଳନା ପାଇଁ ବିଭାଗ ଓ ଆଇଆଇଟି ଭୁବନେଶ୍ବର ମିଳିତ ଭାବେ କାର୍ଯ୍ୟ କରିବେ। ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବର ସମ୍ମୁଖୀନ ହେଉଥିବା ଦୁର୍ବଳ ଚାଷୀ ସମ୍ପ୍ରଦାୟର ସ୍ଥିରତାକୁ ସୁଦୃଢ଼ କରିବାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଆଞ୍ଚଳିକ ଅନୁକୂଳନ ପ୍ରକଳ୍ପ ପାଇଁ ଡବ୍ଲ୍ୟୁଏଫ୍‌ପି ସହ ମଧ୍ୟ ବୁଝାମଣାପତ୍ର ହୋଇଛି। ୫ ବର୍ଷୀୟ ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ା ଜିଲ୍ଲାର ବୋଡେନ୍‌ ଓ ଖରିଆର ବ୍ଲକରେ ଜଳବାୟୁ ପରବର୍ତ୍ତନର ପ୍ରଭାବ ବିରୋଧରେ ଦୁର୍ବଳ ଓ ମହିଳା ଚାଷୀଙ୍କ ସ୍ଥିରତା ଉପରେ ଗବେଷଣା କରାଯିବ। ଏହି ପ୍ରକଳ୍ପ ଜୀବିକା, ସ୍ଥିର କୃଷି ପଦ୍ଧତି ଓ ଜଳବାୟୁ ସେବାରେ ଉନ୍ନତ ନିବେଶକୁ ପ୍ରୋତ୍ସାହିତ କରିବ। ସେହିପରି ନେଟ୍‌-‌ଜିରୋ ରୋଡମ୍ୟାପ୍‌ ବିକାଶ ପାଇଁ ଶକ୍ତି, ପରିବେଶ ଓ ଜଳ ପରିଷଦ(ସିଇଇଡବ୍ଲୁ) ସହ ଆଉ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆହୁରି ଅନେକ ସଙ୍ଗଠନ ମଧ୍ୟ ଏଦିଗରେ ପଦକ୍ଷେପ ନେଇଛନ୍ତି।

Chief Minister: ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଭିତରକୁ ପଶିଗଲା କାର୍‌

ତାତିରୁ ନାହିଁ ନିସ୍ତାର

ଏବର୍ଷ ମଧ୍ୟ ତାତିରେ ଆଉଟୁପାଉଟୁ ହୋଇଛି ରାଜ୍ୟର ଅଧିକାଂଶ ସହର। ଦିନ ତ ଦିନ ରାତିରେ ବି ନିସ୍ତାର ମିଳି ନ ଥିଲା। ଫେବ୍ରୁଆରିରୁ ହିଁ ବଲାଙ୍ଗୀର ସହରର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୭.୫ ଡିଗ୍ରି ଉପରେ ପହଞ୍ଚିଥିଲା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ରାତିର ତାପମାତ୍ରା ସ୍ବାଭାବିକଠାରୁ ବହୁ ଉପରେ ଥିଲା। ପୂର୍ବବର୍ଷ ତୁଳନାରେ ଏଥର ଓଡ଼ିଶା କମ୍‌ ଗ୍ରୀଷ୍ମ ଦିନ ଦେଖିଥିଲା ସତ। ମାତ୍ର ପ୍ରଭାବ ବଳବତ୍ତର ରହିଥିଲା। ଜୀବନ ଜୀବିକା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ଅନୁଗୁଳ, ତାଳଚେର, ପାରାଦୀପ ପରି ରାଜ୍ୟର ପ୍ରମୁଖ ସହରର ଦିନ ତାପମାତ୍ରା ୪୦ ଡିଗ୍ରି ଛୁଇଁଲା ବେଳକୁ ତାତିରେ ତ୍ରାହିତ୍ରାହି ଡାକିଥିଲେ ‌ଲୋକେ। ଆବଶ୍ୟ ଭୁବନେଶ୍ବର ତାପମାତ୍ରା ବହୁତ କମ୍‌ ଦିନ ୪୦ ଡିଗ୍ରି ଡେଇଁଥିବାରୁ ରାଜଧାନୀବାସୀ ଟିକିଏ ଆଶ୍ବସ୍ତି ଲାଭ କରିଥିଲେ। ହେଲେ ଅନ୍ୟାନ୍ୟ ସହରର ଜୀବନ ଜୀବିକା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ବ୍ୟବସାୟୀଙ୍କ ବେପାର ମାନ୍ଦା ହେବାରୁ ସବୁଦିନ ପାଇଁ ତାଲା ପଡ଼ିଲା। କେବଳ ଓଡ଼ିଶା ନୁହେଁ, ବିଶ୍ବତାପନର ଶିକାର ହୋଇଥିଲା ସମ୍ପୂର୍ଣ୍ଣ ଭାରତ।

Garbage: ଆବର୍ଜନା ଜାଳି ଦେଉଛନ୍ତି

ପିଛା ଛାଡ଼ୁନି ବାତ୍ୟା

୧୯୯୯ରୁ ୨୦୧୮ ମଧ୍ୟରେ ଓଡ଼ିଶା ମାତ୍ର ତିନୋଟି ବାତ୍ୟାର ସାମନା କରିଥିଲା। ମହାବାତ୍ୟା ବ୍ୟତୀତ ୨୦୧୩ରେ ‘ଫାଇଲିନ୍‌’ ଓ ୨୦୨୪ରେ ‘ହୁଡ୍‌ହୁଡ୍‌’ରେ ପ୍ରଭାବିତ ହୋଇଥିଲା ଅଧା ରାଜ୍ୟ। ମାତ୍ର ଏହାପରଠାରୁ ନିୟମିତ ଭାବେ ଓଡ଼ିଶାକୁ ବାତ୍ୟା ଡରେଇ ଆସିଛି। ପ୍ରତିବର୍ଷ ଗୋଟିଏ ଯୋଡ଼ିଏ ଘୂର୍ଣ୍ଣିଝଡ଼ର ସାମନା କରୁଛି ଓଡ଼ିଶା। କେବଳ ୨୦୨୩କୁ ଛାଡ଼ିଦେ‌ଲେ ୨୦୧୮ରୁ ୨୦୨୫ ମଧ୍ୟରେ ଏମିତି କୌଣସି ବର୍ଷ ନାହିଁ, ଯେତେବେଳେ କି ଓଡ଼ିଶା ବାତ୍ୟାର ସାମନ‌ା କରିନି। କିଛି ବାତ୍ୟା ସିଧାସଳଖ ଓଡ଼ିଶାକୁ ମାଡ଼ ହୋଇଛି ତ ଆଉ କିଛି ଘସି ହୋଇ ଯାଇଛି। ୨୦୧୯ରେ ଦୁଇଟି, ୨୦୨୧ରେ ତିନୋଟି ବାତ୍ୟା ଦେଖିଥିବା ଓଡ଼ିଶା ଏଥର ମଧ୍ୟ ଆଂଶିକ ସମ୍ମୁଖୀନ ହୋଇଛି। ବାତ୍ୟା ‘ମୋନ୍ଥା’ ଆନ୍ଧ୍ରପ୍ରଦେଶରେ ସିନା ମାଡ଼ ହେଲା, ମାତ୍ର ଦକ୍ଷିଣ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲାଇଥିଲା। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଙ୍ଗୋପସାଗରରେ ଏବେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଦ୍ବାରା ବାତ୍ୟା ବଢ଼ୁଛି। ତେଣୁ ଉପକୂଳ ଓଡ଼ିଶାରେ ହେନ୍ତାଳ ବଣ ସୃଷ୍ଟି ସହ ବାତ୍ୟା ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ପରିବେଶର ସାରଥି

ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ଚିନ୍ତିତ। ତେବେ ଓଡ଼ିଶାର ଯୁବପିଢ଼ି ଏବେ ଅଧିକ ଆଗ୍ରହ ସହକାରେ ଅଭିଯାନରେ ସାମିଲ ହୋଇଛନ୍ତି। କିଏ ଗଛ ଲଗାଇ ଲଣ୍ଡା ପାହାଡ଼କୁ ସବୁଜିମା କରୁଛନ୍ତି ତ ଆଉ କିଏ ପରିବେଶକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ପରିବେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିଥିବା କେନ୍ଦୁଝର ଜିଲ୍ଲାର ପ୍ରକୃତି ପ୍ରେମୀ ତ୍ରିଲୋଚନ ସାହୁ ହୁଅନ୍ତୁ ଅଥବା କଟକର ଅଙ୍ଗନବାଡ଼ି ଦିଦି ପିଙ୍କି ସାଏ। ଜଣେ ଜଣେ ପରିବେଶ ଯୋଦ୍ଧା ଭାବେ ଆଗକୁ ଆସିଛନ୍ତି। କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗ୍ରାମ ଅଡ଼ାଳର ଯୁବକ ରମେଶ ଚନ୍ଦ୍ର ମୁଣ୍ଡା ଗାଁ ନିକଟ ନଣ୍ଡା ପାହାଡ଼କୁ ଦେଖି ୨୦୨୩ରେ ଭାବପ୍ରବଣ ହୋଇ ଗଛ ଲଗାଇବା କଥା ଚିନ୍ତା କରିଥିଲେ। କଅଁଳିଆ ଶାଳ ଗଜାକୁ ସୁରକ୍ଷା ଦେଇ ଉଜୁଡ଼ା ଶାଳ ଜଙ୍ଗଲରେ ପୁଣିଥରେ ସବୁଜିମା ଫୁଟାଇଛନ୍ତି। ପୁଲିସ ଅଧିକାରୀ ଅସିତ କୁମାର ବଳବନ୍ତରାୟଙ୍କ ପେସା ଗୋଟିଏ ହୋଇଥିବା ବେଳେ ପରିବେଶ ସୁରକ୍ଷାକୁ ନିଶା ଭାବେ ଗ୍ରହଣ କରିଛନ୍ତି। ଅନୁଗୁଳ ଜିଲ୍ଲାର ଚିନ୍ମୟୀ ଦାସ ଓ ମାନବ ସେବା ଚାରିଟେବୁଲ୍‌ ଟ୍ରଷ୍ଟ ଗଛ ବେଶରେ ସଚେତନତା ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଅମିତା ତରାଇ ସୁଭଦ୍ରା ଟଙ୍କାରେ ତାଳ ଗୋଟମା କିଣି ଆଜି ଜଳବାୟୁ ପରିବର୍ତ୍ତନ ମୁକାବିଲାର ସାରଥି ସାଜିଛନ୍ତି। ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସମ୍ପ୍ରଦାୟଙ୍କୁ ସାମିଲ କରିବାକୁ ଏକାଧିକ ସଙ୍ଗଠନ ଆଗେଇ ଆସିଛନ୍ତି। ବ୍ରାଜିଲରେ ଅନୁଷ୍ଠିତ ‘ସିଓପି-୩୦’ ସମ୍ମିଳନୀ ପୂର୍ବରୁ ଗ୍ରିନପିସ୍‌ ଅନୁଷ୍ଠାନ ତରଫରୁ ଗଞ୍ଜାମର ପୋଡ଼ମପେଟାରେ ଏକ ସମାବେଶ ଆୟୋଜନ କରାଯାଇ ଜଳବାୟୁ ପରିବର୍ତ୍ତନ ବିଲ୍‌ ଉନ୍ମୋଚନ କରାଯାଇଥିଲା।

ବୁଡ଼ିବାକୁ ବସିଲାଣି ବଂଶ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଜୀବଜନ୍ତୁଙ୍କ ଉପରେ ପଡ଼ିଛି। ସୁନାବେଡ଼ାର ଶୋଭା ବଢ଼ାଉଥିବା ବାରାସିଂଘା ଓ ଅରଣା ମଇଁଷି ଏବେ ଦେଖିବା ସ୍ବପ୍ନ ପାଲଟିଛି। ଡାଇନୋସର୍‌ଙ୍କ ଭଳି ଏମାନଙ୍କ ବଂଶ ବି ବୁଡ଼ିବା ଅବସ୍ଥାରେ। ଶାଗୁଣା ବଂଶ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଉଧେଇ ପାରୁ ନାହିଁ। ଚିଲିକାର ବରକୁଦିଆ ଚମେଇ ନେଉଳ, ବଣି, ଅହିରାଜ ସାପ ବଂଶ ବି ବିଲୁପ୍ତପ୍ରାୟ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଯେଉଁଭଳି ଜୀବଜନ୍ତୁଙ୍କ ସଂଖ୍ୟା କମୁଛି, ଆଗକୁ ଘଡ଼ିଆଳ, ବଜ୍ରକାପ୍ତା, ଭାଲୁ, ମହାବଳ ପ୍ରଜାତି ଓଡ଼ିଶାରୁ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି। ‘ଇଣ୍ଟରନ୍ୟାସନାଲ୍‌ ୟୁନିଅନ୍ ଫର୍ କଞ୍ଜରଭେସନ୍‌ ଅଫ୍ ନେଚର’ର ରେଡ୍ ଲିଷ୍ଟ ଅନୁଯାୟୀ ବିଶ୍ବର ୪୬ ହଜାରରୁ ଅଧିକ ପ୍ରଜାତି ଲୋପ ପାଇବାକୁ ଯାଉଛନ୍ତି। ସେଥି ମଧ୍ୟରେ ୪୧% ଉଭୟଚର, ୨୬% ସ୍ତନ୍ୟପାୟୀ, ୨୧% ସରୀସୃପ ଓ ୧୨% ପକ୍ଷୀ ରହିଛନ୍ତି। ଏଭଳି ତଥ୍ୟ ସାମନାକୁ ଆସିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ଯେ ବହୁ ବର୍ଷ ତଳେ ବିଶ୍ବରେ ୫ ଥର ଜୀବଜନ୍ତୁଙ୍କ ଗଣବିଲୋପ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ପରେ ବିଶ୍ବରେ ଜୀବଜନ୍ତୁ ଓ ବୃକ୍ଷଙ୍କ ଷଷ୍ଠ ଗଣବିଲୋପ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ବିଲୁପ୍ତପ୍ରାୟ ଜୀବଜନ୍ତୁଙ୍କୁ ବଞ୍ଚାଇବାକୁ ଏବେଠାରୁ ସବୁ ବର୍ଗଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

ବିଗିଡ଼ିଲାଣି ବର୍ଷାର ପ୍ରକୃତି

କଥାରେ ଅଛି ବର୍ଷର ଚାରି ମାସ କୁଆଡ଼େ ବର୍ଷା ହୁଏ। ଜୁନ୍‌ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ବର୍ଷା ପରିମାଣ ବଢ଼େ, ଯାହାକି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଲାଗି ରହିଥାଏ। ଅକ୍ଟୋବରରେ ମଧ୍ୟ କାଁ ଭାଁ ବର୍ଷା ହୋଇଥାଏ। ମାତ୍ର ଏବର୍ଷ ସମ୍ପୂର୍ଣ୍ଣ ଋତୁଚକ୍ର ବଦଳିଗଲା। ଜୁନ୍‌ ଆସିବା ପୂର୍ବରୁ ଭରତ ଭୂଖଣ୍ଡକୁ ମୌସୁମୀ ଛୁଇଁଥିଲା। ଲାଗୁଥିଲା ଠିକ୍‌ ସମୟରେ ଓଡ଼ିଶାକୁ ମୌସୁମୀ ଆସିବ। ମାତ୍ର ତାହା ହେଲା ନାହିଁ। ଅଧାରୁ ଗାଏବ ହୋଇଗଲାମୌସୁମୀ। ଦୁଇ ସପ୍ତାହ ପରେ ଜୁନ୍‌ ଅଧାରେ ପୁଣିଥରେ ଫେରିଥିଲା। ଆଶ୍ବସ୍ତିକର ବିଷୟ ଥିଲା ଯେ ମୌସୁମୀ ସମୟରେ ନିଅଣ୍ଟିଆ ବର୍ଷା ହୋଇ ନ ଥିଲା। ତେବେ ଅକ୍ଟୋବରରେ ଶୀତ ହେବା ବଦଳରେ ଯେଉଁଭଳି ବର୍ଷା ଲାଗିରହିଲା ତାହା ଅନେକଙ୍କୁ ଚିନ୍ତାରେ ପକାଇଥିଲା। ବୟସ୍କ ଲୋକ, ଛୋଟ ଶିଶୁ ଓ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅକ୍ଟୋବର ଓ ନଭେମ୍ବରରେ ଅଦିନିଆ ବର୍ଷା ଧାନ ଚାଷକୁ ପ୍ରଭାବିତ କରିଥିଲା। ଓଡ଼ିଶା ବ୍ୟତୀତ ଚଳିତବର୍ଷ ମାର୍ଚ୍ଚ ମାସରେ ହରିୟାଣାରେ କୁଆପଥର ବର୍ଷା ଯୋଗୁଁ ସୋରିଷ, ସୂର୍ଯ୍ୟମୁଖୀ, ଟମାଟୋ, ପିଆଜ ଓ ଆଳୁ ଫସଲ ପ୍ରଭାବିତ ହୋଇଥିଲା। ମେ’ ମାସରେ ଅନିୟମିତ ବୃଷ୍ଟିପାତ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟକୁ ପ୍ରଭାବିତ କରିଥିଲା।

Untitled-18

ବିଶ୍ୱ ଜଳବାୟୁ ଚୁକ୍ତିନାମା

ଗ୍ରିନହାଉସ୍ ଗ୍ୟାସ୍‌ ନିର୍ଗମନ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ବିଶ୍ୱ ଜଳବାୟୁ ଚୁକ୍ତିନାମାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏହିଅନ୍ତର୍ଜାତୀୟ ଚୁକ୍ତିନାମାଗୁଡ଼ିକ ମଧ୍ୟରେ ୨୦୧୫ର ପ୍ୟାରିସ୍‌ ଚୁକ୍ତିନାମା ଓ ୧୯୯୭ର କ୍ୟୋତୋ ପ୍ରୋଟୋକଲ୍ ଅନ୍ୟତମ। ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ସମସ୍ତ ସ୍ୱାକ୍ଷରକାରୀ ଦେଶଗୁଡ଼ିକ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରି ମଧ୍ୟରେ ସୀମିତ ରଖିବେ। ସେହିପରି ଜଳବାୟୁ ପରିବର୍ତ୍ତନ ଜାତିସଂଘ ଫ୍ରେମ୍‌ୱର୍କ କନ୍‌ଭେନସନ୍ (ୟୁଏନ୍‌ଏଫ୍‌ସିସିସି) ଅନ୍ତର୍ଭୁକ୍ତ ରହିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବାକୁ ଗ୍ରିନ୍‌ କ୍ଲାଇମେଟ୍‌ ଫଣ୍ଡ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। 

ବାୟୁରେ ବିଷ

ବାୟୁ ପ୍ରଦୂଷଣ ଏବେ କେବଳ ଗୋଟିଏ ସହରରେ ସୀମିତ ହୋଇ ରହିନାହିଁ। ବର୍ଷର ପ୍ରାୟ ୧୦ ମାସ ପିଏମ୍‌୨.୫ ସ୍ତର ସୀମା ଅତିକ୍ରମ କରିଯାଉଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳର ବାୟୁ ପ୍ରଦୂଷଣ ଏକ ସ୍ଥାୟୀ ସମସ୍ୟାରେ ପରିଣତ ହୋଇଛି। ସିଆର୍‌ଇଏ ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ ପାରମ୍ପରିକ ଭାବରେ ସ୍ୱଚ୍ଛ ସମୟ ଭାବେ ପରିଗଣିତ ଗ୍ରୀଷ୍ମ ଓ ମୌସୁମୀ ପରବର୍ତ୍ତୀ ମାସଗୁଡ଼ିକରେ ଇଟା ଭାଟି, ଶିଳ୍ପ, ଡିଜେଲ୍‌ ଜେନେରେଟର, ନଡ଼ା ପୋଡ଼ିରୁ ନିରନ୍ତର କାର୍ବନ ନିର୍ଗମନ ଦ୍ୱାରା ପିଏମ୍‌୨.୫ ସୁରକ୍ଷିତ ସୀମା ଅତିକ୍ରମ କରୁଛି। ଏବର୍ଷ ଦୀପାବଳି ସମୟରେ ଭୁବନେଶ୍ବର ସମେତ ଓଡ଼ିଶାର ପ୍ରମୁଖ ସହରର ପ୍ରଦୂଷଣ ଗମ୍ଭୀର ସ୍ତରରେ ପହଞ୍ଚିଥିଲା। କେତେକ ସ୍ଥାନରେ ଏକ୍ୟୁଆଇ(ପିଏମ୍‌୨.୫) ୫୦୦ ଡେଇଁଯିବା ସହ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥିଲା। ଶୀତ ଋତୁ ଆରମ୍ଭ ହେବା ପରେ ବାୟୁମଣ୍ଡଳ ଏତେ ପ୍ରଦୂଷିତ ହୋଇଛି ଯେ କମିବାର ନାଁ ଧରୁନି। ଅନୁଗୁଳ ସହର ଶୀର୍ଷରେ ରହିଛି। ତାଳଚେର, ଭୁବନେଶ୍ବର, କଟକ, ବାଲେଶ୍ବର ସହରର ପ୍ରଦୂଷଣ ସ୍ତର ଚିନ୍ତାଜନକ ହୋଇଛି। ସମ୍ବେଦନଶୀଳ ୭ଟି ସହର ବ୍ୟତୀତ ରାଜ୍ୟର ଆଉ ୧୬ଟି ସହରର ବାୟୁ ପ୍ରଦୂଷଣ କମାଇବାକୁ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

Untitled-17

ନୀତି ପରିବର୍ତ୍ତନ କଲା ଭାରତ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ଭାରତ ମିସନ୍‌ ମୋଡ୍‌ରେ କାମ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ନ୍ୟାସନାଲ୍‌ ଆକ୍ସନ୍‌ ପ୍ଲାନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜରେ ସାତଟି ବିଷୟକୁ ଅନ୍ତର୍ଭୁକ୍ତ କରିଛି। ଯେଉଁଥିରେ ସୌରଶକ୍ତି ଦକ୍ଷତା, ନିରନ୍ତର ବାସସ୍ଥାନ, ପାଣି, ହିମାଳୟ ଇକୋସିଷ୍ଟମ, ସବୁଜ ଭାରତ, ନିରନ୍ତର କୃଷି ଓ ରଣନୈତିକ ଜ୍ଞାନ ରହିଛି। ଏହାବ୍ୟତୀତ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ(କୁସୁମ) ଭଳି ପଦକ୍ଷେପ ନିଆଯାଇଛି। ୨୦୭୦ ସୁଦ୍ଧା ନେଟ୍-ଶୂନ୍ୟ ନିର୍ଗମନ ହାସଲ କରିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିସହ ୨୦୩୦ ସୁଦ୍ଧା ୫୦୦ ଜିଡବ୍ଲ୍ୟୁ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ, ପ୍ରକଳ୍ପିତ ଅଙ୍ଗାରକାମ୍ଲ ନିର୍ଗମନକୁ ୧ ବିଲିୟନ ଟନ୍ ହ୍ରାସ, ଅର୍ଥନୀତିର ଅଙ୍ଗାରକାମ୍ଲ ତୀବ୍ରତାକୁ ୪୫%କୁ ହ୍ରାସ ଓ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି କରିବାକୁ ଯୋଜନା ହୋଇଛି। ଇଭିଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ପିଏମ୍‌ ଇ-ଡ୍ରାଇଭ୍‌ ଯୋଜନା ସହିତ ଫ୍ରେମ୍‌ ଥ୍ରି ଯୋଜନାକୁ ବଦଳାଇବା, ସବୁଜ ହାଇଡ୍ରୋଜେନ୍ ଓ ସ୍ଥାୟୀ କୃଷି ଭଳି କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି।

ସ୍କୁଲ ଶିକ୍ଷାରେ ‘ମିସନ୍‌ ଲାଇଫ୍‌’

ସ୍କୁଲ ଶିକ୍ଷାରେ ‘ମିସନ୍‌ ଲାଇଫ୍‌’କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଉପରେ ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସ୍କୁଲରେ ପରିବେଶଗତ ଶିକ୍ଷା ଦିଆଯାଉଥିଲା। ତେବେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଏବଂ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ପାଠପଢ଼ାର ଅଂଶ ଭାବରେ ନିଆଯାଇ ବାଲ୍‌ବାଟିକାରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରାଯିବ। ସ୍କୁଲ ପାଠ୍ୟକ୍ରମରେ ‘ମିସନ୍‌ ଲାଇଫ୍‌’କୁ ଯୋଡ଼ାଗଲେ ଦେଶରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe