ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ। ଉଭୟ ଲୋକସଭା ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ନିର୍ବାଚନ ହିଁ ଦମ୍ଭ ଓ ଗୌରବ। ଏବେ ଗୋଟିଏ ପଟେ ଚଳିତ ନିର୍ବାଚନ ପାଇଁ ଉତ୍ସାହ, ଉଦ୍ଦୀପନା ଓ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ବିଗତ ନିର୍ବାଚନର ଦୃଶ୍ୟପଟକୁ ନେଇ ଉତ୍ସୁକତା ଉଙ୍କି ମାରୁଛି। ୧୯୫୪ ମସିହାରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ (ଓଡ଼ିଶା ନିର୍ବାଚନମଣ୍ଡଳୀ ସୀମା ନିର୍ଧାରଣ ନିର୍ଦେଶାନାମା ଅନୁଯାୟୀ) ରାଜ୍ୟକୁ ୧୦୨ଟି ଆସନରେ ବିଭକ୍ତ ହୋଇଥିଲା। ସେଥିମଧ୍ୟରୁ ୩୪ଟି ହେଉଛି ଦ୍ବୈତ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ ଏବଂ ୬୪ଟି ଏକକ ନିର୍ବାଚନମଣ୍ଡଳୀ। ଏହି ଆସନରୁ ରାଜ୍ୟ ବିଧାନସଭାକୁ ସମୁଦାୟ ୧୪୦ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨୫ଜଣ ଆସନ ଅନୁସୂଚିତ ଜାତି ବର୍ଗ ଓ ୨୮ଜଣ ଅନୁସୂଚିତ ଜନଜାତି ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ଥିଲେ। ଏଥିପାଇଁ ୧୯୫୭ ମସିହା ଫେବ୍ରୁଆରି ୨୪ ଏବଂ ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଦଳୀୟ ସ୍ଥିତି ଏହିଭଳି:
ନିର୍ବାଚନ ଫଳାଫଳ (୧୯୫୭)
ଦଳ ଆସନ ଭୋଟହାର
କଂଗ୍ରେସ ୫୬ ୩୮%
ପ୍ରଜା ସୋସିଆଲିଷ୍ଟ ପାର୍ଟି ୧୧ ୧୦%
କମ୍ୟୁନିଷ୍ଟ ୦୯ ୦୮%
ଗଣତନ୍ତ୍ର ପରିଷଦ ୫୧ ୨୯%
ଝାଡ଼ଖଣ୍ଡ ୦୫ ୧୫%
ସ୍ବାଧୀନ ୦୮
ସମୁଦାୟ ୧୪୦ ୧୦୦%
ଏକକ ସଂଖ୍ୟାଗରିଷ୍ଠ ଦଳ କଂଗ୍ରେସର ନେତା ଭାବେ ଡ. ହରେକୃଷ୍ଣ ମହତାବ ସରକାର ଗଠନ କରିବା ପାଇଁ ସକ୍ଷମ ହୋଇଥିଲେ। କମ୍ୟୁନିଷ୍ଟର ୯ ଜଣ ଓ ଝାଡ଼ଖଣ୍ଡର ୫ ଜଣ ବିଧାୟକ ତାଙ୍କୁ ସମର୍ଥନ କରିଥିଲେ। ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀ ଦଳ ନେତା ଭାବେ ଘୋଷିତ ହୋଇଥିଲେ। ୧୯୫୭ ମସିହା ମେ ୨୭ ତାରିଖ ଦିନ ପଣ୍ଡିତ ନୀଳକଣ୍ଠ ଦାସ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ତାହାର ଠିକ୍ ଦୁଇ ଦିନ ପରେ ଯଦୁମଣି ମଙ୍ଗରାଜ ଉପବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ଏହାପୂର୍ବରୁ ଏପ୍ରିଲ ୧୦, ୧୧ ଓ ୧୨ ତାରିଖ ତିନି ଦିନ ଧରି ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ମେ ୨୭ ତାରିଖ ଦିନ ହିଁ ବିଧାନସଭାର ପ୍ରଥମ ଅଧିବେଶନ ବସିଥିଲା। ମେ ୨୨ ତାରିଖ ଦିନ ବିଧିବଦ୍ଧ ଗଠନ ହୋଇଥିବା କଂଗ୍ରେସ-ଗଣତନ୍ତ୍ର ପରିଷଦ ମେଣ୍ଟ ସରକାର ୧୯୬୧ ମସିହା ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିଥିଲା। ବିଧାନସଭାରେ ୭ଟି ଅଧିବେଶନ ବସିଥିଲା ଏବଂ ଏହାର ସମୟ ଥିଲା ୨୫୪ ଦିନ। ୧୯୬୧ ମସିହା ଫେବ୍ରୁଆରି ୨୫ ତାରିଖ ଦିନ ବିଧାନସଭା ଭଙ୍ଗ ହେବା ସହିତ ପ୍ରଥମ ଥର ପାଇଁ ସମ୍ବିଧାନର ୩୫୬ ଧାରା ଅନୁଯାୟୀ ସେହିଦିନ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସେହିବର୍ଷ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ବଳବତ୍ତର ରହିଥିଲା। ଏହି ଦ୍ବିତୀୟ ବିଧାନସଭାରେ ରାଜ୍ୟବାସୀ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣାର ପ୍ରତ୍ୟକ୍ଷ କରିଥିଲେ। ଗୋଟିଏ ହେଉଛି ମେଣ୍ଟ ସରକାର ଓ ଆରଟି ରାଷ୍ଟ୍ରପତି ଶାସନ।