ଜାଗ୍ରତ ଜନ୍ତୁ
ମନୁଷ୍ୟର ଅଦମ୍ୟ ଅନ୍ତର୍ନିହିତ ଶକ୍ତିରେ ବିଶ୍ବାସ କରି ‘ଅତିମାନବ’ ବା ‘ସୁପର୍ମ୍ୟାନ୍’ର କଳ୍ପନା କରିଥିବା ପ୍ରଭାବଶାଳୀ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚାଙ୍କର ଏକ ସୁପରିଚିତ ପ୍ରସିଦ୍ଧ ଉକ୍ତି ଥିଲା: ‘‘ଯାହା ଆମକୁ ମାରି ଦିଏ ନାହିଁ, ତାହା ଆମକୁ ଆହୁରି ଅଧିକ ମଜଭୁତ କରିଥାଏ।’’ ନିଚାଙ୍କର ୧୮୮୮ର ଚହଳ ସୃଷ୍ଟିକାରୀ ପୁସ୍ତକ, ‘ଟ୍ବାଇଲାଟ୍ ଅଫ୍ ଦି ଆଇଡଲ୍ସ’ (‘ମୂର୍ତ୍ତିମାନଙ୍କର ଦିବାବସାନ’)ରୁ ଉଦ୍ଧୃତ ଏହି ଉକ୍ତିର ସାରମର୍ମ ହେଲା, ବିଭିନ୍ନ ବାଧାବିଘ୍ନ ନିକଟରେ ହାର ନ ମାନି ସେଥିରୁ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି ଜଣେ ସେଥିରୁ ଯେଉଁ ଅନୁଭୂତି ସଂଗ୍ରହ କରିଥାଏ, ତାହା ତାକୁ ଭବିଷ୍ୟତରେ ଯେ କୌଣସି ନୂତନ ବିପଦର ସଫଳ ମୁକାବିଲା କରିବାରେ ସହାୟକ ହୋଇଥାଏ। ଏହାର କାରଣ, ଅତୀତରେ ଆମେ କ’ଣ ଠିକ୍ କରିଥିଲୁ ଓ କ’ଣ ଭୁଲ୍ କରିଥିଲୁ, ଅନୁଭୂତିରୁ ତାହା ଆମେ ଜାଣି ଭବିଷ୍ୟତର କାର୍ଯ୍ୟପନ୍ଥା ସେଇ ଅନୁଯାୟୀ ନିର୍ଣ୍ଣୟ କରିଥାଉ। ଅସ୍କାର୍ ୱାଇଲ୍ଡଙ୍କ ଭାଷାରେ, ‘‘ଅନୁଭୂତି କେବଳ ହେଉଛି ଆମେ ଆମର ଭୁଲ୍ ଭଟକାମାନଙ୍କୁ ପ୍ରଦାନ କରିଥିବା ନାମ ମାତ୍ର।’’
Sambad is now on WhatsApp
Join and get latest news updates delivered to you via WhatsApp
ନିଚାଙ୍କର ଏହି ଉକ୍ତି ଯଦି ଜଣେ ବ୍ୟକ୍ତି ପାଇଁ ସତ ହୋଇଥାଏ, ତା’ହେଲେ ଏହା ଏକ ଗୋଷ୍ଠୀ ପ୍ରତି ମଧ୍ୟ ପ୍ରଯୁଜ୍ୟ େବାଲି କଳ୍ପନା କରାଯାଇପାରେ। ପ୍ରାୟ ତିନି ବର୍ଷ ତଳେ ଚୀନା କରୋନା ଭୂତାଣୁ ଜନିତ କୋଭିଡ୍-୧୯ ପାଣ୍ଡେମିକ୍ର ଯେତେବେଳେ ଆବିର୍ଭାବ ଘଟିଲା, ମନେ ହେଉଥିଲା ଏହା ଅଚିରେ ଧରାପୃଷ୍ଠରେ ମାନବ ଜାତିର ବିଲୋପ ସାଧନ କରିବାକୁ ଯାଉଛି। ପୃଥିବୀର ବର୍ତ୍ତମାନର ବାସିନ୍ଦାମାନଙ୍କର ଜୀବନ କାଳରେ ଏଭଳି ଏକ ସ୍ବାସ୍ଥ୍ୟ-ଆତଙ୍କ କେବେହେଲେ ଦେଖିବାକୁ ମିଳିନଥିଲା। ପୃଥିବୀର ପ୍ରତ୍ୟେକ ମହାଦେଶର ପ୍ରତ୍ୟେକ କୋଣ ଅନୁକୋଣରେ – ସାଂଘାଇର ସଘନ ଜନବସତିରୁ ଆମାଜନ୍ ଜଙ୍ଗଲର ଅଭ୍ୟନ୍ତରରେ ଅଦୃଶ୍ୟ ଭାବରେ କାଳଯାପନ କରୁଥିବା ଆଦିମ ଅଧିବାସୀମାନଙ୍କ ପର୍ଯ୍ୟନ୍ତ; ସମୃଦ୍ଧ ଆମେରିକାରୁ ଦରିଦ୍ର କଙ୍ଗୋ ପର୍ଯ୍ୟନ୍ତ – ଏହାର ଯେଉଁ ଭୟଙ୍କର ପ୍ରାଦୁର୍ଭାବ ଅନୁଭୂତ ହୋଇଥିଲା, ସେଥିରେ ଏ ଯାବତ୍ ପ୍ରାୟ ସମୁଦାୟ ସାତ ନିୟୁତ ଲୋକ ପ୍ରାଣ ହରାଇ ସାରିଛନ୍ତି। ଏହି ପାଣ୍ଡେମିକ୍ କେବଳ ଯେ ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି, ତାହା ନୁହେଁ, ସାରା ପୃଥିବୀର ଅର୍ଥନୈତିକ ସ୍ବାସ୍ଥ୍ୟହାନି ଘଟାଇ େଯଉଁ ଅପସରଣ ଅବସ୍ଥା ସୃଷ୍ଟି କରିଛି, ଅଧିକାଂଶ ଦେଶ ଏବେ ବି ସେଥିରୁ ମୁକୁଳି ନ ପାରି ଛଟପଟ ହେଉଛନ୍ତି।
କିନ୍ତୁ ଏହି ଭୟଙ୍କର ଶତ୍ରୁ ଯେ ଆମକୁ ଅର୍ଥାତ୍ ସମଗ୍ର ମାନବ ଜାତିକୁ ମାରି ଦେବାରେ ସଫଳ ହେବାକୁ ଯାଉନାହିଁ, ଗତ କେତେ ମାସ ଧରି ତା’ର ଗତିବିଧିରୁ ନିଶ୍ଚିତ ସୂଚନା ମିଳୁଥିଲା। ଯଦିବା କାଁ ଭାଁ କେତେକ ସ୍ଥାନରେ ସଂକ୍ରମଣରେ ହଠାତ୍ ବୃଦ୍ଧି ଘଟିବା ଦେଖାଯାଇଛି, ଏହି ସମୟରେ ସାମଗ୍ରିକ ଭାବରେ ସଂକ୍ରମିତମାନଙ୍କ ସଂଖ୍ୟାରେ ସ୍ଖଳନ ଘଟି ଚାଲିବା ଦେଖାଯାଇଛି। ସେହିପରି କୋଭିଡ୍ ଯୋଗୁଁ ଘଟୁଥିବା ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିବା ଧାରା ଅବ୍ୟାହତ ରହିଛି। ଉଦାହରଣ ସ୍ବରୂପ କୋଭିଡ୍ର ଉତ୍ପାତ ଯେତେବେେଳ ଶୀର୍ଷରେ ପହଞ୍ଚିଥିଲା, ସେତେବେଳେ ୨୦୨୧ ଜାନୁଆରିରେ ସାପ୍ତାହିକ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଛୁଇଁଥିବା ବେଳେ ଗତ ମାସରେ ତାହା ୪,୦୦୦ ତଳକୁ ଖସି ଆସିଥିଲା। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) କୋଭିଡ୍-୧୯ର ଆବିର୍ଭାବ ପରଠାରୁ ଅନବରତ ଏହାର ଗତିବିଧି ଉପରେ ନଜର ରଖି ଆସିଛି ଏବଂ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଓ ତାହାର ଅନୁଶୀଳନ କରିବାରେ ବ୍ୟାପୃତ ଅଛି। ଏହି ଅନୁଶୀଳନରୁ ସଂକ୍ରମଣର ଭବିଷ୍ୟତ ଆଚରଣ ସମ୍ବନ୍ଧରେ ଏକ ସମ୍ଭାବ୍ୟ ଧାରଣା ଉପଲବ୍ଧ ହୋଇଥାଏ। ଏହି ସବୁକୁ ଭିତ୍ତି କରି ‘ହୁ’ର ବର୍ତ୍ତମାନ ହୃଦ୍ବୋଧ ହୋଇଛି ଯେ ଯଦିବା ପୃଥିବୀରୁ କୋଭିଡ୍ ତଥା ଏହାର ଭୂତାଣୁର ଅନ୍ତର୍ଦ୍ଧାନ ଘଟି ନାହିଁ, ଏକ ପାଣ୍ଡେମିକ୍ ରୂପେ ଇଏ ସୃଷ୍ଟି କରିଥିବା ଆତଙ୍କର ବର୍ତ୍ତମାନ ଅବସାନ ଘଟିଛି। ଏଣୁ ଗତ ସପ୍ତାହରେ ଏହି ଆନ୍ତର୍ଜାତିକ ସ୍ବାସ୍ଥ୍ୟ ସଂଗଠନ ବିଧିବଦ୍ଧ ଭାବରେ ଘୋଷଣା କରିଛି ଯେ କୋଭିଡ୍-୧୯ ଆଉ ଏକ ଆନ୍ତର୍ଜାତିକ ଚିନ୍ତା ଉଦ୍ରେକାରୀ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା (ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି) ରୂପେ ବିବେଚିତ ହେବ ନାହିଁ।
ଏଥି ସହିତ ‘ହୁ’ ମଧ୍ୟ ଏକଥା ସ୍ପଷ୍ଟ କରି ଦେଇଛି ଯେ ‘କୋଭିଡ୍-୧୯’କୁ ବିଶ୍ବ ସ୍ବାସ୍ଥ୍ୟ ପାଇଁ ଏକ ‘ଏମର୍ଜେନ୍ସି’ ରୂପେ ଆଉ ବିଚାର କରା ନ ଯିବା ଅର୍ଥ ନୁହେଁ ଯେ ଏହା ବିଶ୍ବ ସ୍ବାସ୍ଥ୍ୟ ପାଇଁ ଅାଉ ଏକ ବିପଦ ହୋଇ ରହି ନାହିଁ। ଯଦିବା ଏହାର ସକ୍ରିୟ ପ୍ରସାର ଘଟିବାରେ ବିରତି ଦେଖାଯାଇଛି, କେତେକ ଅଞ୍ଚଳରେ ଏହାର ଉପସ୍ଥିତି ତଥାପି ପରିଲକ୍ଷିତ ହେଉଛି ଏବଂ ଏଥିଯୋଗୁଁ ମୃତ୍ୟୁ ମଧ୍ୟ ଘଟୁଛି। ସମ୍ପୃକ୍ତ ଅଞ୍ଚଳରେ ଏହା ‘ଏଣ୍ଡେମିକ୍’ ହୋଇ ନିର୍ଦ୍ଦିଷ୍ଟ ଋତୁରେ ଇନ୍ଫ୍ଲୁଏଞ୍ଜା ଭଳି ବେମାରି ସଂକ୍ରମଣ କରିପାରେ।
ଏହା ମଧ୍ୟ ସତ ଯେ ଏହି ଚୀନା ଭାଇରସ୍ର ଚରିତ୍ର ସମ୍ପୂର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ବୁଝା ପଡ଼ିନାହିଁ। ଭବିଷ୍ୟତରେ କେବେ ବି ଇଏ ରୂପ ପରିବର୍ତ୍ତନ କରି ନୂତନ ଅବତାରମାନଙ୍କୁ ଜନ୍ମ ଦେଇପାରେ ଯେଉଁମାନଙ୍କୁ ବର୍ତ୍ତମାନ ଉପଲବ୍ଧ ଥିବା ଟିକା ବା ଔଷଧ ଅାଦୌ କାଟୁ କରିବ ନାହିଁ। ସେଭଳି ଏକ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେତେବେଳେ ଡବ୍ଲ୍ୟୁ ବି ୟେଟ୍ସଙ୍କ ପ୍ରସିଦ୍ଧ କବିତା ‘ଦି ସେକେଣ୍ଡ କମିଙ୍ଗ୍’ (‘ପୁନରାଗମନ’)ରେ ଦୀର୍ଘ କାଳ ଧରି ସୁପ୍ତ ଅବସ୍ଥାରେ ରହିଥିବା ଭୟଙ୍କର ଜନ୍ତୁଟି ତା’ର ସମୟ ଉପସ୍ଥିତ ହେବା ମାତ୍ରେ ଜାଗ୍ରତ ହୋଇ ମାଡ଼ି ଆସିବା ଭଳି ଏହି ଚୀନା ଭୂତାଣୁ ତା’ ପାଇଁ ଏକ ଅନୁକୂଳ ସମୟରେ ରୂପ ପରିବର୍ତ୍ତନ କରି ପୁଣି ଏକ ପାଣ୍ଡେମିକ୍ ସୃଷ୍ଟି କରିବାକୁ ବାହାରି ପଡ଼ିବ, ସେତେବେଳେ ନିଚା କହିଥିବା ଭଳି କୋଭିଡ୍-୧୯ରୁ ବର୍ତ୍ତିଯାଇଥିବା ଜନସାଧାରଣ, ସରକାର, ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ- ସମସ୍ତେ ନିଜର ପୂର୍ବ ଅନୁଭୂତିକୁ କାର୍ଯ୍ୟରେ ଲଗାଇ ନିଶ୍ଚିତ ରୂପେ ଏହାର ମୁକାବିଲା କରିବାରେ ପୂର୍ବ ଅପେକ୍ଷା ଅଧିକ ସଫଳ ହେବେ, ଏଥିରେ ସନ୍ଦେହ ନାହିଁ।
ପୂର୍ବ ଥର ଅଧିକାଂଶ ଦେଶ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ନିଜର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାରେ ଥିବା ଦୁର୍ବଳତା ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ ହୋଇଛନ୍ତି ଓ ତାହା ଦୂର କରିବା ନିମିତ୍ତ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ନୂତନ ସ୍ବାସ୍ଥ୍ୟସେବା ଭିତ୍ତିଭୂମିମାନ ସୃଷ୍ଟି କରାଯାଇଛି ମଧ୍ୟ। ଭୂତାଣୁର ମୁକାବିଲା ନିମିତ୍ତ ଇତି ମଧ୍ୟରେ ଚିକିତ୍ସା ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମଧ୍ୟ ପ୍ରଭୂତ ଅଗ୍ରଗତି ଘଟିଛି। କୋଭିଡ୍-୧୯ର ହଠାତ୍ ଆବିର୍ଭାବ ସମୟରେ ଏହାର ଆହ୍ବାନ ଚିକିତ୍ସାମାନଙ୍କ ଠାରୁ ସ୍ବାସ୍ଥ୍ୟ କର୍ମୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଓ ଅପରିଚିତ ଥିବା ବେଳେ ବର୍ତ୍ତମାନ ଏହା ଏକ ପରିଚିତ ରଣକ୍ଷେତ୍ରରେ ପରିଣତ ହୋଇଛି, ଯେଉଁଠି ସେମାନେ ବହୁ ଅଧିକ ସଫଳତାର ସହିତ ଯୁଦ୍ଧ କରି ସେ ୟେଟ୍ସୀୟ ଜନ୍ତୁକୁ କାବୁ କରିପାରିବେ। ଭୂତାଣୁ ସହିତ ସମରରେ ଜନସାଧାରଣଙ୍କ ବ୍ୟକ୍ତିଗତ ଆଚରଣ ଓ ଗୋଷ୍ଠୀଗତ ଆଚରଣ କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ପ୍ରଥମ କୋଭିଡ୍ ଯୁଦ୍ଧ ସମୟରେ ଆମେ ସମସ୍ତେ ସେଥି ସହିତ ସୁପରିଚିତ ହୋଇଯାଇଛୁ। ବର୍ତ୍ତମାନ କୋଭିଡ୍ ଉପରେ ‘ହୁ’ ବିଜୟ ଘୋଷଣା କଲା ପରେ ଯଦି ତା’ର କେବେ ପୁନରାଗମନ ଘଟେ, ଆମର ପୂର୍ବ ଅନୁଭୂତି ବଳରେ ଆମେ ଅଧିକ ଶକ୍ତିଶାଳୀ ଢଙ୍ଗରେ ତା’ର ମୁକାବିଲା କରିପାରିବା ବୋଲି ଆଶା କରାଯାଏ।