ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ସୋମବାର ଶେଷ ହୋଇଥିବା ୬୨ତମ ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ରିଲାଏନ୍ସ ଫାଉଣ୍ଡେସନ (ଆର୍ଏଫ୍)ର କ୍ରୀଡ଼ାବିତମାନେ ଚମତ୍କାର ପ୍ରଦର୍ଶନ କରି ୮ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୨୦ ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ଦୃଢ଼ ପ୍ରଦର୍ଶନ କରି ରିଲାଏନ୍ସ ଫାଉଣ୍ଡେସନର ସାତ ଜଣ କ୍ରୀଡ଼ାବିତ୍ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ୫ ଜଣ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ପୂର୍ବରୁ ଥିବା ରେକର୍ଡ ଭଙ୍ଗ କରିଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ରିଲାଏନ୍ସ ଫାଉଣ୍ଡେସନ ଆଥ୍ଲେଟିକ୍ସ ହାଇ-ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ ଓଡ଼ିଶାର ପୁରୁଷ ଓ ମହିଳାଙ୍କ ରିଲେ ଟିମ୍ର ଉଦ୍ୟମ ଓ ପ୍ରଦର୍ଶନକୁ ପ୍ରତିଯୋଗିତାର ପ୍ରମୁଖ ଆକର୍ଷଣ ଥିଲା ବୋଲି କହିଛନ୍ତି। ସେହି ଟିମ୍ରେ ଆର୍ଏଫ୍ର ୩ ଜଣ କ୍ରୀଡ଼ାବିତ୍ ରହିଥିଲେ। ମାର୍ଟିନ୍ ଓୱେନ କହିଛନ୍ତି ଯେ, “ଜ୍ୟୋତି ୧୦୦ ମିଟର ଦୌଡ଼କୁ ସହଜରେ ଜିତିବା ସହ ବହୁତ ଭଲ ଶୁଭାରମ୍ଭ ହୋଇଥିଲା, କିନ୍ତୁ ଏକ ସେକେଣ୍ଡର ୪୦୦ତମ ଅଂଶ ପାଇଁ ସେ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲେ। ତେବେ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ। ଦୃଢ଼ ପ୍ରତ୍ୟାବର୍ତନ କରି ସେ ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟରେ ୧୦୦ ମିଟର ବାଧାଦୌଡ଼କୁ ଅତି ସହଜରେ ଜିତିଥିଲେ। ୪୦୦ ମିଟର ମହିଳା ଦୌଡ଼ରେ ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଓଡ଼ିଶାର ୪୦୦ ମିଟର ରିଲେ ଟିମ୍ କାଂସ୍ୟ ପଦକ ଜିତିଥିଲେ ଯେଉଁଥିରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଂଟର୍ର ସବିତା, ସୁଖି ଓ ବନିତା ଖେଳୁଥିଲେ।’’
ସେହିଭଳି ଅମ୍ଳାନ ବର୍ଗୋହେଁ ୨୦୦ ମିଟର ଦୌଡ଼କୁ ୨୦.୭୧ ସେକେଣ୍ଡରେ ଜିତି ୨୩ ବର୍ଷ ଧରି ଅନିଲ କୁମାରଙ୍କ (୨୦.୮୦ ସେକେଣ୍ଡ) ନାମରେ ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି।
ଶେଷ ଦିନରେ ୧୫୦୦ ମିଟର ଦୌଡ଼କୁ ୩:୪୨.୭୭ ସମୟରେ ଶେଷ କରି ଜିନ୍ସନ୍ ଜନ୍ସନ୍ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିଜ ସମୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବା ଜନ୍ସନ୍ କହିଛନ୍ତି ଯେ “ମୁଁ ବହୁତ ଖୁସି। ଏସୀୟ କ୍ରୀଡ଼ା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସମୟରେ ୨-୩ ସେକେଣ୍ଡ ଉନ୍ନତି ନିଶ୍ଚିତ ଆଣିବାକୁ ପଡ଼ିବ। ୩.୩୭ ସେକେଣ୍ଡ୍ ଭିତରେ ଦୌଡ଼ ଶେଷ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ତାହା ହେଲେ ମୁଁ ସବୁ ପ୍ରକାରର ଦୌଡରେ ଜିତିପାରିବି ବୋଲି ଭାବୁଛି।’’
ଫାଉଣ୍ଡେସନର ଓଡ଼ିଆ କ୍ରୀଡ଼ାବିତ କିଶୋର କୁମାର ଜେନା ଜାଭେଲିନ୍ ଫୋପାଡ଼ିବାରେ ୮୨.୩୭ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସୀୟ କ୍ରୀଡ଼ା ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜ୍ୟୋତି ୟାରାଜୀ ମହିଳା ୧୦୦ ମିଟର ବାଧାଦୌଡ଼ ଓ ମହମ୍ମଦ ଅଫଜଲ୍ ପୁରୁଷ ୮୦୦ ମିଟର ଦୌଡ଼ରେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରେକର୍ଡ ଭାଙ୍ଗିବା ଲାଗି ପରିଚିତ ଜ୍ୟୋତି ୧୦୦ ମିଟର ବାଧାଦୌଡ଼କୁ ୧୨.୯୨ ସେକେଣ୍ଡରେ ଶ୍ରେଷ୍ଠ କରି ପ୍ରଥମ ସ୍ଥାନରେ ରହିଥିଲେ। ୧୦୦ ମିଟର ଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ସ୍ଥାନ ସହ ପୋଡିୟମ୍ ଦଖଲ କରିଥିଲେ। ଜ୍ୟୋତି ୟାରାଜୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ବିବେଚିତ ହୋଇଛନ୍ତି। ସେହିଭଳି କାର୍ତିକ କୁମାର ୧୦୦୦୦ ମିଟର ବର୍ଗରେ ସଫଳତାର ସହିତ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ଏସୀୟ କ୍ରୀଡ଼ା ପଦକ ଜିତିବାକୁ ଲକ୍ଷ୍ୟ ରଖିଥିବା ଅଫଜଲ୍ କହିଛନ୍ତି ଯେ, “ମୋତେ ନିଶ୍ଚିତ ରୂପେ ଏସୀୟ କ୍ରୀଡ଼ା ଓ ଏସୀୟ ପ୍ରତିଯୋଗିତା ଜିତିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି ଯେ ମୁଁ ଜିତିପାରିବି ଓ ଜାତୀୟ ରେକର୍ଡ ଭାଙ୍ଗିପାରିବି। ମୁଁ ୧:୪୪ରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଓ ମୋର ବିଶ୍ୱାସ ରହିଛି ଯେ ରିଲାଏନ୍ସ ସହଯୋଗରେ ମୁଁ ତାହା କରିପାରିବି।’’
ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ତେଜସ୍ ସିର୍ଜେ ପୁରୁଷ ୧୧୦ ମିଟର ବାଧାଦୌଡ଼କୁ ୧୩.୮୭ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏଲାକିୟାଦାସନ ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୭ ସେକେଣ୍ଡ୍ରେ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ୟମନଦୀପ ଶର୍ମା ପୁରୁଷ ଡେକାଥଲନରେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୧୬୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଫାଉଣ୍ଡେସନର କ୍ରୀଡ଼ାବିତ ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଡିଏମ୍ ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ପୁରୁଷ ଟିମ୍ ୪୦୦ ମିଟର ରିଲେ ଦୌଡରେ ରୌପ୍ୟ ପଦକ ହାସଲ କରିଛି। ୪୦୦ ମିଟର ରିଲେରେ ସବିତା ଟପ୍ପୋ, ବନିତା ଲାକ୍ରା ଓ ସୁଖି ବାସ୍କେ ଭଳି କ୍ରୀଡ଼ାବିତଙ୍କୁ ନେଇ ଓଡ଼ିଶା ମହିଳା ଟିମ୍ କାଂସ୍ୟ ପଦକ ହାସଲ କରିଛି। ୪୦୦ ମିଟର ପୁରୁଷ ରିଲେରେ ତାମିଲନାଡ଼ୁର ଏଲାକିୟାଦାସନ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର ମହିଳା ରିଲେରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ରୌପ୍ୟ ପଦକ ହାସଲ କରିଛନ୍ତି।