ନରକାସୁର ଥିଲା ଭଗବାନ ବରାହ ଓ ଦେବୀ ପୃଥ୍ୱୀଙ୍କର ସନ୍ତାନ। କିନ୍ତୁ ଜଗତ୍ପିତା ଓ ଜଗତ୍ମାତାଙ୍କର ସନ୍ତାନ ହୋଇଥିଲେ ମଧ୍ୟ, ସେ ଅସୁରଗୁଣସଂପନ୍ନ ହୋଇ ନିଜର ନାମ ଅନୁରୂପ ଆଚରଣ କରିଥିଲା। କିନ୍ତୁ ଆମ ପୁରାଣରେ ଅନ୍ୟ ଏକ ନରକର ଉଲ୍ଲେଖ ଅଛି।ଏ ନରକ କିନ୍ତୁ କୌଣସି ଦେବତା ଓ ଦେବୀଙ୍କର ପୁତ୍ର ନୁହେଁ। ଏହାର ବଂଶ ପରିଚୟ ବଡ଼ ବିଚିତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଆମ ଶାସ୍ତ୍ର, ପୁରାଣରେ ଚାରିଟି ଯୁଗର ବର୍ଣ୍ଣନା ଅଛି। ସେହି ଚାରିଯୁଗ ହେଉଛି- ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି। କଳି ହେଉଛନ୍ତି ଏହି ଯୁଗର ପ୍ରବର୍ତ୍ତକ ଦେବତା। ‘ଭବିଷ୍ୟ ପୁରାଣ’ ଅନୁସାରେ, କଳିଙ୍କର ପିତା- କ୍ରୋଧ ଓ ମାତା- ହିଂସା। ତାଙ୍କର ଭଗିନୀ- ଦୁରୁକ୍ତି ଏବଂ ପୁତ୍ର- ଭୟ ଓ କନ୍ୟା- ମୃତ୍ୟୁ।
‘କଳ୍କୀ ପୁରାଣ’ ଅନୁସାରେ- ଦ୍ୱାପର ଯୁଗର ଶେଷରେ, ବ୍ରହ୍ମା ନିଜର ପିଠିରୁ ଅଧର୍ମଙ୍କୁ ସୃଷ୍ଟି କରିଥିଲେ। ଅଧର୍ମଙ୍କର ପତ୍ନୀ- ମିଥ୍ୟା। ଅଧର୍ମ ଓ ମିଥ୍ୟା ପରସ୍ପରକୁ ବିବାହ କଲେ ଏବଂ ତାଙ୍କଠାରୁ ଏକ କୋପନ ପୁତ୍ର ଜାତ ହେଲା। ତାହାର ନାମ- ଦମ୍ଭ। ତାହାର ଭଉଣୀ- ମାୟା। ଦମ୍ଭ ନିଜର ଭଉଣୀ ମାୟାକୁ ବିବାହ କଲା। ତାଙ୍କର ପୁତ୍ର- ଲୋଭ ଓ କନ୍ୟା- ନିବୃତି। ଲୋଭ ଓ ନିବୃତି ଭାଇ-ଭଉଣୀ ହେଲେ ମଧ୍ୟ ପରସ୍ପରକୁ ବିବାହ କଲେ। ତାଙ୍କର ପୁତ୍ର- କ୍ରୋଧ ଓ କନ୍ୟା- ହିଂସା। କ୍ରୋଧ ଓ ହିଂସା ମଧ୍ୟ ପରସ୍ପରକୁ ବିବାହ କଲେ। ତାଙ୍କର ପୁତ୍ର- କଳି ଓ କନ୍ୟା- ଦୁରୁକ୍ତି। ଭାଇ-ଭଉଣୀ କଳି ଓ ଦୁରୁକ୍ତି ମଧ୍ୟ ପରସ୍ପରକୁ ବିବାହ କଲେ। ଭୟ ଓ ମୃତ୍ୟୁ ତାଙ୍କର ପୁତ୍ର ଓ କନ୍ୟା। ସେ ଦୁହେଁ ମଧ୍ୟ ପରସ୍ପରକୁ ବିବାହ କରିଥିଲେ। ନିରୟ ଓ ଯାତନା ତାଙ୍କର ପୁତ୍ର ଓ କନ୍ୟା। ‘ନିରୟ’ର ଅର୍ଥ ‘ନରକ’। ସେ ମଧ୍ୟ ନିଜର ଭଉଣୀ ଯାତନାକୁ ବିବାହ କଲା ଏବଂ ତାଙ୍କର ବହୁ ପୁତ୍ର-କନ୍ୟା ଜାତ ହେଲେ।
ଏଣୁ ଏହା ସୂଚାଏ- ଯେ କଳିଯୁଗରେ କଳିର ଏ ପରିବାରଟି ବିରାଟ। ମାନବୀୟ ଦୁର୍ଗୁଣମାନ ହିଁ ସେହି ପରିବାରର ଦାୟାଦ। ନରକ ଓ ଯାତନା କଳିର ନାତି ଓ ନାତୁଣୀ। ଏହି କଳିଯୁଗରେ ଏବେ ତାଙ୍କର ବିରାଟ ପରିବାର ବିସ୍ତାର ଲାଭ କରିଛି।