ମାଲକାନଗିରି: ଆନ୍ଧ୍ର ସୀମାକୁ ଲାଗିଛି ଗାଁ। ତେଣୁ ଅଧିକାଂଶ କାମ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ଗାଁର ପ୍ରଚଳିତ ଭାଷା ତେଲୁଗୁ ହୋଇସାରିଲାଣି। ଏମିତି ସ୍ଥିତି ଲାଗି ରହିଲେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ବହୁ ଗାଁରେ ମରିଯିବ ଓଡ଼ିଆ ଭାଷା। ଯେ କେହି ବି ଏହି ଗାଁକୁ ଯିବ ନିଶ୍ଚିତ ରୂପେ କୋରାପୁଟ ଜିଲ୍ଲାର କୋଟିଆ ଭଳି ପରିସ୍ଥିତି ଅନୁଭବ କରିବ। ଚିତ୍ରକୋଣ୍ଡା ବ୍ଲକର ୯ ପଞ୍ଚାୟତ ଜଳଭଣ୍ଡାର ଯୋଗୁ ବହୁ ବର୍ଷ ଧରି ବିଚ୍ଛିନ୍ନ ହୋଇ ରହିଥିଲା। ଏହି ଅଞ୍ଚଳରୁ ବ୍ଲକ୍ ମହକୁମାକୁ ଆସିବାକୁ ହେଲେ ପାଖାପାଖି ଗୋଟିଏ ଦିନ ଲାଗି ଯାଉଥିଲା। ଯାତାୟାତ ପାଇଁ ଜଳପଥରେ ଦେଶୀ ଡଙ୍ଗା ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ ଅଞ୍ଚଳବାସୀ। ଗୁରୁପ୍ରିୟା ସେତୁ ହେବାପରେ ବିଚ୍ଛିନ୍ନାଞ୍ଚଳ ଏବେ ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଛି। ଜିଲ୍ଲା ତଥା ବ୍ଲକ ମହକୁମାକୁ ଦୂରତା କମିଛି। କିନ୍ତୁ ଲମ୍ବା ସମୟ ଧରି ରହିଥିବା ଦୂରତାର ପରିଣାମ ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି। ବର୍ଷ ବର୍ଷ ଧରି ଆନ୍ଧ୍ର ଉପରେ ରହିଥିବା ନିର୍ଭରଶୀଳତା ଯୋଗୁ ଲୋକଙ୍କ ଭାଷା, ସଂସ୍କୃତି ଏବଂ ପରଂପରା ପ୍ରାୟ ବଦଳି ଯାଇଛି। ଅଧିକାଂଶ ଗାଁରେ ଆନ୍ଧ୍ରର ଅଳ୍ପ ଅଧିକ ଝଲକ ଦେଖିବାକୁ ମିଳୁଛି। କିଛି ଗାଁରେ ଆନ୍ଧ୍ରର ବଡ଼ ପ୍ରଭାବ ରହିଥିବା ପରିଲକ୍ଷିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାଭିମାନ ଅଞ୍ଚଳର ରାଲଗେଡ଼ା ଓ ଧୂଳିପୁଟ ପଞ୍ଚାୟତର ଅଧିକାଂଶ ଗାଁ ଆନ୍ଧ୍ରର ସୀମାକୁ ଲାଗି ରହିଛି। ଓଡ଼ିଶା ପକ୍ଷରୁ ବିକାଶର ବିଶେଷ ଚିହ୍ନବର୍ଣ୍ଣ ସିନାପାଲୀ, ଜୁମଡ଼ାଙ୍ଗ, କୋରୁକୋଣ୍ଡା, ଚିତାଙ୍ଗୁରୁ ଭଳି ଗାଁଗୁଡ଼ିକରେ ଦେଖିବାକୁ ମିଳେ ନାହିଁ। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସରକାରୀ ଉଦାସୀନାତାର ଶିକାର ହୋଇଛନ୍ତି ବହୁ ଗାଁ। ଯାହାର ସୁଯୋଗ ନେଇଥିଲେ ଆନ୍ଧ୍ରର ରାଜନେତା ଏବଂ ପ୍ରଶାସନିକ ଅଧିକାରୀ। ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଏଠାକାର ଲୋକଙ୍କୁ ଯୋଗାଇ ଦେଇଥିଲେ। ଯଦିଓ ସ୍ବାଭିମାନ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ରହିଛି। ତଥାପି ଓଡ଼ିଆ ପଢ଼ିବାକୁ ଏଠାକାର ପିଲା ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଓଡ଼ିଶା ସୀମା ଅତିକ୍ରମ କରି ନିଜ ଗାଁ ଠାରୁ ୫ରୁ ୧୦ କିଲୋମିଟର ଦୂର ଆନ୍ଧ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ନୂଆ ପିଢ଼ି ତେଲୁଗୁ ପଢ଼ିବା ଦ୍ବାରା ଓଡ଼ିଆ ଭାଷା ସଂକଟରେ ରହିଛି। ଏପରିକି ସୀମାନ୍ତ ଗାଁରେ ଆଦିବାସୀ ପରିବାର ବସବାସ କରୁଛନ୍ତି। କିନ୍ତୁ ନିଜ ଭାଷାକୁ ବି ଆଦିବାସୀ ଏକପ୍ରକାର ଭୁଲି ଗଲେଣି। ଯଦି ସମୟ ଥାଉଥାଉ କୌଣସି ପଦକ୍ଷେପ ନିଆନଯାଏ ତେବେ ନିଶ୍ଚିତ ରୂପେ ଭାଷା ଭିତ୍ତିରେ ସୀମାନ୍ତ ଗାଁ ପୁଣି ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି।