ଜାତିଭେଦ ଆମ ସମାଜର ଏକ ବାସ୍ତବତା। କିନ୍ତୁ ଓଡ଼ିଆ ସିନେଧାରାରେ ଏ ପ୍ରସଙ୍ଗକୁ ଯଥାର୍ଥ ଗୁରୁତ୍ବ ମିଳିଥିବା ମନେହୁଏ ନାହିଁ। ଏହି ଧାରାକୁ ଶାଣିତ କରିବା ଲାଗି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପାବାର୍’ ହେଉଛି ଏକ ନିଷ୍ଠାପର ଉଦ୍ୟମ। ଏହା ସାମାଜିକ ବାର୍ତ୍ତା ଦେବା ସହ ମନୋରଂଜନ ଦିଗକୁ ମଧ୍ୟ ଅବହେଳା କରିନାହିଁ। ସିନେମାର ଏକ ପ୍ରାରମ୍ଭିକ ଦୃଶ୍ୟ ‘ଜୟ ଭୀମ’ ଚଳଚ୍ଚିତ୍ରର ମୂଷା ଓ ସାପ ଧରା ଦୃଶ୍ୟ କଥା ମନେ ପକାଇଦିଏ। ଏଥିରେ ବାବୁଶାନ ଅଭିନୀତ ଚରିତ୍ର ‘ବେଣ୍ଟ’ ଜଣଙ୍କ ଘରୁ ସାପ ଧରିବାକୁ ଚେଷ୍ଟା କରୁଛନ୍ତି। ସେ ଗୋଟିଏ କୋଠରିରେ ସାପ ନ ପାଇ ଅନ୍ୟ ଏକ କୋଠରିରେ ପଶିବାକୁ ଉଦ୍ୟତ ହେବା ବେଳକୁ ଘରର ମାଲିକାଣୀ ତାଙ୍କୁ ବାରଣ କରୁଛନ୍ତି। କାରଣ ସେହି ଘରେ ଠାକୁର ଅଛନ୍ତି ଏବଂ ଜଣେ ନିମ୍ନ ଜାତିର ଲୋକ ସେଠାକୁ ଗଲେ ଠାକୁର ଅଶୁଦ୍ଧ ହୋଇଯିବେ। ମହିଳାଙ୍କ ସ୍ବାମୀ ‘ଅକାଳେ ନିୟମ ନାସ୍ତି’ ରୂଢ଼ି ଉଦ୍ଧାର କରି ଠାକୁର ଘରେ ବେଣ୍ଟଙ୍କୁ ପଶିବାକୁ ଅନୁମତି ଦେଉଛନ୍ତି ସିନା, େହଲେ ସତର୍କ କରାଇଦେଉଛନ୍ତି, ‘ଠାକୁରଙ୍କୁ ଛୁଇଁବୁ ନାହିଁ’। ଆମ ଭିତରେ ଅନ୍ତର୍ନିହିତ ଜାତିଭେଦକୁ ଏହି ଦୃଶ୍ୟଟି ଚମତ୍କାର ଭାବେ ପ୍ରଦର୍ଶନ କରିଛି। ସିନେମାରେ ଆଗକୁ ବେଣ୍ଟ ଓ ଗୋଲାପ (ଏଲିନା)ଙ୍କ ପ୍ରେମ ସମ୍ପର୍କ ଗତିଶୀଳ ହୋଇଛି। ତେବେ ‘ପାବାର୍’ର କାହାଣୀ ଜାତି ଓ ରାଜନୈତିକ କ୍ଷମତା ମଧ୍ୟରେ ରହିଆସିଥିବା ଶକ୍ତିଶାଳୀ ସମ୍ପର୍କକୁ ଉଜାଗର କରିବା ସହ ତାହାକୁ ଭାଙ୍ଗୁଥିବାର ଦେଖାଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
କନ୍ଧମାଳର ଗୁମାଗଡ଼ ଗ୍ରାମର ଦୁଇ ଉଚ୍ଚ ଜାତିର ପରିବାର ରାଜନୈତିକ କ୍ଷମତା ଲାଗି ପରସ୍ପର ସହିତ ସଦା ସଂଘର୍ଷରତ। ଏଥର କିନ୍ତୁ ନିର୍ବାଚନରେ ସରପଞ୍ଚ ଆସନ କେବଳ ଅନୁସୂଚିତଜାତି ପାଇଁ ଆରକ୍ଷିତ। ତେଣୁ ଦୁଇ ପରିବାର ନିଜନିଜ ପ୍ରାର୍ଥୀ ଖୋଜିବାରେ ଲାଗିପଡ଼ନ୍ତି। ଗୋଟିଏ ପରିବାର ବେଣୁଧର କାଣ୍ଡି (ବେଣ୍ଟ)ଙ୍କୁ ନିଜ ପ୍ରାର୍ଥୀ ଭାବେ ଛିଡ଼ା କରାଏ, ଯିଏ କମାରଶାଳରେ କୌଳିକ ବୃୃତ୍ତି କରି ଚଳୁଥିବା ଜଣେ ନିରକ୍ଷର ଯୁବକ। ବେଣ୍ଟ ସରପଞ୍ଚ ହୁଅନ୍ତି, ହେଲେ ନିରକ୍ଷର ହୋଇଥିବାରୁ ତାଙ୍କ ନାମରେ ପୃଷ୍ଠପୋଷକ ପରିବାର ସରକାରୀ ଟଙ୍କା ହଡ଼ପ କରିଚାଲେ। ଏହି ଦୁର୍ନୀତି ସମ୍ପର୍କରେ ବେଣ୍ଟ ସେତେବେଳେ ସଚେତନ ହୁଅନ୍ତି, ଯେତେବେଳେ କୃଷି ବୀମା ନ ପାଇ ଜଣେ ବୃଦ୍ଧ ବ୍ୟକ୍ତି ଆତ୍ମହତ୍ୟା କରିଦିଅନ୍ତି। ଏହି ଘଟଣାକ୍ରମେ ବେଣ୍ଟ ନିଜ ଗାଣତନ୍ତ୍ରିକ କ୍ଷମତା (‘ପାବାର୍’) ସମ୍ପର୍କରେ ଅବଗତ ହୁଅନ୍ତି ଏବଂ ଜନତାଙ୍କ ସେବା ନେଇ ପ୍ରତିବଦ୍ଧତା ପ୍ରଦର୍ଶନ କରନ୍ତି। ତେବେ ଅଦାଲତରେ ତାଙ୍କୁ ଶେଷ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼େ।
‘ପାବାର୍’ର ମୁଖ୍ୟ ଅଭିନେତାଙ୍କ ସମେତ କ୍ରିଷ୍ଣା କର ଓ ଚୌଧୁରୀ ଜୟପ୍ରକାଶ ଦାସଙ୍କ ଅଭିନୟ ବେଶ୍ ପ୍ରଭାବଶାଳୀ ହୋଇଛି। ଖଳନାୟକ ଭୂମିକାରେ ଥିବା କ୍ରିଷ୍ଣାଙ୍କ ମୁହଁରେ ଯାତ୍ରା ନାଟକ ଶୈଳୀର ସଂଳାପ ଦର୍ଶକଙ୍କୁ ହାସ୍ୟରସର ଖୋରାକ ଯୋଗାଇଛି। ଗୋଟିଏ ଦୃଶ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଖୁବ୍ ପ୍ରଶଂସନୀୟ ଢଙ୍ଗରେ ଓଡ଼ିଆ ଜାତିର ପରିଚୟ ରୂପେ ପ୍ରଦର୍ଶିତ କରାଯାଇଛି। ଅନ୍ୟ ଏକ ଅପ୍ରତ୍ୟାଶିତ ଦୃଶ୍ୟରେ ଅପରାଜିତା ମହାନ୍ତିଙ୍କ ପଦାର୍ପଣ ଦର୍ଶକଙ୍କୁ ଆମୋଦିତ କରିଛି। ଗୌରବ ଆନନ୍ଦଙ୍କ ସ୍ବରସଂଯୋଜନାରେ ତିନିଟିଯାକ ଗୀତ ମନଛୁଆଁ ହୋଇଛି। ନିର୍ମାଣର ବୈଷୟିକ ମାନ ଦୃଷ୍ଟିରୁ ମଧ୍ୟ ‘ପାବାର୍’ ଦର୍ଶକଙ୍କୁ ନିରାଶ କରିବ ନାହିଁ। ତେବେ କାହାଣୀ ଓ ଚିତ୍ରନାଟ୍ୟରେ ଜାତି ସଚେତନତାର ଉପସ୍ଥାପନା ନିଖୁଣ ହୋଇପାରିନାହିଁ। ସେହିପରି କେତେକ ପାର୍ଶ୍ବ ଚରିତ୍ର ନିଜ ନିଜ ସଂଳାପକୁ ତରବରିଆ ଭାବେ ଆବୃତ୍ତି କରିବା ଭଳି ପ୍ରତୀତ ହୁଏ। ସିନେମା ଶେଷ ଆଡ଼କୁ ଠାଏଁଠାଏଁ ହାସ୍ୟରସର ସ୍ବାଦ ଅତି ଚିପୁଡ଼ିଲା ପରର ଲେମ୍ବୁ ସହିତ ତୁଳନୀୟ।