ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଦିଲ୍ଲୀ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ସିବିଆଇର ଏକ ଆବେଦନ ଆଧାନରେ ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇଛନ୍ତି। ସେ ତିହାର ଜେଲ୍ରେ ରହିବେ ଏବଂ ୧୨ ତାରିଖରେ କେଜ୍ରିୱାଲଙ୍କୁ ପୁଣିଥରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, କେଜ୍ରିୱାଲଙ୍କ ୩ ଦିନ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ସିବିଆଇ ଦ୍ବାରା ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସିବିଆଇ ଏହାର ରିମାଣ୍ଡ୍ ଆବେଦନରେ ଦର୍ଶାଇଥିଲା ଯେ କେଜ୍ରିୱାଲ ହାଜତରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି। ରେକର୍ଡରେ ଥିବା ପ୍ରମାଣକୁ ସମ୍ପୂର୍ଣ୍ଣ ବିରୋଧ କଲାଭଳି ଉତ୍ତର ଦେଇ କେଜ୍ରିୱାଲ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। କେଜ୍ରିୱାଲ ମାମଲାରେ ସଂପୂର୍ଣ୍ଣ ଜଡ଼ିତ ଥିଲେ ମଧ୍ୟ ଖସିଯିବା ପାଇଁ ବିଭ୍ରାନ୍ତିକର ଉତ୍ତର ଦେଉଛନ୍ତି। ନୂଆ ଅବକାରୀ ନୀତି ଅଧୀନରେ ହୋଲ୍ସେଲରଙ୍କ ଲାଭ ହାର ହଠାତ ୫ ପ୍ରତିଶତରୁ ୧୨ ପ୍ରତିଶତ କାହିଁକି ବୃଦ୍ଧି କରାଗଲା ବୋଲି ପ୍ରଶ୍ନ କରିବାରୁ କେଜ୍ରିୱାଲ ଏହାର କୌଣସି ସଠିକ୍ ଉତ୍ତର ଦେଇନାହାନ୍ତି ବୋଲି ସିବିଆଇ କହିଛି। ସେହିପରି କରୋନାର ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ କାହିଁକି ତରବରିଆ ଭାବେ ଗୋଟିଏ ଦିନରେ ନୂଆ ଅବକାରୀ ନୀତି ପାଇଁ କ୍ୟାବିନେଟ୍ ସ୍ବୀକୃତି ଆଣିଥିଲେ ବୋଲି ପ୍ରଶ୍ନ କରିବାରୁ ସେ ଏହାର କିଛି ଉତ୍ତର ଦେଇନାହାନ୍ତି। ସିବିଆଇ ଆବେଦନରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଦିଲ୍ଲୀର ଲିକର୍ ଇଣ୍ଡଷ୍ଟ୍ରିରେ ବିଭିନ୍ନ ପକ୍ଷଙ୍କ ସହ କଥା ହୋଇଥିବା କେଜ୍ରିୱାଲଙ୍କ ସହଯୋଗୀ ବିଜୟ ନେୟାରଙ୍କ ସଂକ୍ରାନ୍ତରେ କିଛି ପ୍ରଶ୍ନ କରିବାରୁ ସେ ଏହାକୁ ଏଡ଼ାଇ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଜୁନ୍ ୨୬ ତାରିଖରେ ସିବିଆଇ ଗିରଫ କରିଛି।