‘ଏଭିଜି ଲଜିଷ୍ଟିକ୍ସ’କୁ ଖୋର୍ଦ୍ଧାରେ ୪ ଏକର ଜମି

ଭୁବନେଶ୍ବର: ଦେଶର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ସ କମ୍ପାନି ଏଭିଜି ଲଜିଷ୍ଟିକ୍ସକୁ ରାଜ୍ୟ ସରକାର ଖୋର୍ଦ୍ଧାରେ ୪ ଏକର ଜମି ଆବଣ୍ଟନ କରିଛନ୍ତି। ଓଡ଼ିଶା ଭିତରେ ଥିବା କ୍ଲାଏଣ୍ଟମାନଙ୍କୁ ସେବା ପ୍ରଦାନ କରିବା ନିମନ୍ତେ ଏକ ଆନୁଷଙ୍ଗିକ ୟୁନିଟ୍ ସ୍ଥାପନ କରିବା ଲାଗି କମ୍ପାନି ସେହି ଜମିକୁ ବ୍ୟବହାର କରିବ। ରାଜ୍ୟ ସରକାର ଜମି ଆବଣ୍ଟନ କରିଥିବା ବିଷୟରେ କମ୍ପାନି ସୂଚନା ଦେଇଛି।

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସଞ୍ଜୟ ଗୁପ୍ତା କହିଛନ୍ତି ଯେ ଖୋର୍ଦ୍ଧାରେ ଜମି ମିଳିଥିବା ବିଷୟରେ ଘୋଷଣା କରି ଆମେ ବେଶ୍‌ ଆନନ୍ଦିତ। ଏହା ଜରିଆରେ ଆମେ ନୂଆ ଅଞ୍ଚଳରେ ପହଞ୍ଚିଛୁ। ଆମ ୟୁନିଟ୍ ଦ୍ବାରା ନିକଟସ୍ଥ ଶିଳ୍ପାଞ୍ଚଳରେ ଥିବା ସଂସ୍ଥାଗୁଡ଼ିକ ଉପକୃତ ହେବେ। ଏହି ୟୁନିଟ୍‌ ଲଜିଷ୍ଟିକ୍ସ କ୍ଷେତ୍ରରେ ଆମ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି।

ରାଜ୍ୟର ଶିଳ୍ପ ମାନଚିତ୍ରରେ ଖୋର୍ଦ୍ଧା ଏକ ପ୍ରମୁଖ ଶିଳ୍ପାଞ୍ଚଳ ଭାବେ ଉଭା ହେଉଛି। ସେଠାରେ କୋକାକୋଲା, ଆଇଟିସି ଭଳି କମ୍ପାନିର କାରଖାନା ରହିଛି। ବହୁ ଚର୍ଚ୍ଚିତ ଏଫ୍‌ଏମ୍‌ସିଜି, ବୟନ, କାଗଜ, ଆସବାବପତ୍ର, କୃଷିଜାତ ସାମଗ୍ରୀ, ସୋଡା, ଚମଡ଼ା, ରସାୟନ, ରବର ଓ ପ୍ଲାଷ୍ଟିକ୍ ଉତ୍ପାଦର ୟୁନିଟ୍‌ ରହିଛି। ଏଭିଜି ଲଜିଷ୍ଟିକ୍ସ ଏହାର ଖୋର୍ଦ୍ଧା ୟୁନିଟ୍‌କୁ ବ୍ୟବହାର କରି ଉଭୟ ପୁରୁଣା ଓ ନୂଆ କ୍ଲାଏଣ୍ଟମାନଙ୍କୁ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର