ସ୍ବାସ୍ଥ୍ୟ ବଜେଟ୍‌ର ୭୦% ଖର୍ଚ୍ଚ ପ୍ରାଥମିକ ଚିକିତ୍ସା ପାଇଁ ହେଉ: ସିୱାଇଏସ୍‌ଡିରେ ପ୍ରାକ୍‌-ବଜେଟ୍ ଆଲୋଚନା

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟସେବାକୁ ସୁସଙ୍ଗଠିତ କରାଯାଉ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଲକ୍ଷାଧିକ ପଦବି ପୂରଣ ହେଉ। ପ୍ରାକୃତିକ କୃଷିକୁ ଗୁରୁତ୍ବ ଦେବା ପାଇଁ ଏ ବାବଦରେ ଅଧିକ ଗବେଷଣା କରାଯାଉ। ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଶିଶୁଙ୍କ ସଂଖ୍ୟା ଗଣନା କରାଯାଇ ସେମାନଙ୍କ ପାଇଁ ଉପଯୁକ୍ତ ନୀତି ପ୍ରସ୍ତୁତ ହେଉ। ରାଜ୍ୟ ସରକାର ସ୍ବାସ୍ଥ୍ୟ ବଜେଟ୍‌ର ୭୦ ପ୍ରତିଶତ ଅର୍ଥ ସୁସଙ୍ଗଠିତ ପ୍ରାଥମିକ ସ୍ବାସ୍ଥ୍ୟ ସେବା(କମ୍ପ୍ରିହେନସିଭ ପ୍ରାଇମେରି ହେଲ୍‌ଥ କେୟାର)ରେ ଖର୍ଚ୍ଚ କରନ୍ତୁ। ଏଥିସହିତ ଅଣ ସଂକ୍ରାମକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସେମାନଙ୍କୁ ଏକ ଔଷଧ ପାସବୁକ୍‌ ଯୋଗାଇ ଦିଆଯିବା ସହିତ ପ୍ରତ୍ୟେକ ଗ୍ରାମରେ ଔଷଧ ବିତରଣ କରାଯାଉ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଅତିକମ୍‌ରେ ୨ ଜଣ ବିଶେଷଜ୍ଞ ନିଯୁକ୍ତି ସହିତ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଗୋଷ୍ଠୀ ଅନୁଧ୍ୟାନ କରିବାକୁ ଆସନ୍ତା ବଜେଟରେ ବ୍ୟବସ୍ଥା କରାଯାଉ। ସିୱାଇଏସ୍‌ଡି ପକ୍ଷରୁ ଆଜି ଅପରାହ୍ଣରେ ‘ରାଜ୍ୟ ବଜେଟ୍‌ ୨୦୨୪-୨୫: ଲୋକଙ୍କ ଆକାଂକ୍ଷା ଓ ଅଗ୍ରାଧିକାର’ ଶୀର୍ଷକ ପ୍ରାକ୍‌ ବଜେଟ୍‌ ବିଚାରବିମର୍ଶରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ‌ବିଶେଷଜ୍ଞମାନେ ଯୋଗଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ପରାମର୍ଶମାନ ଦେଇଛନ୍ତି।

ସେହିଭଳି ବିଦ୍ୟାଳୟରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଖାଲି ପଡ଼ିଥିବା ଶିକ୍ଷକ ପଦବି ସରକାର ତୁରନ୍ତ ପୂରଣ କରନ୍ତୁ। ଏଥିସହିତ ଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ସେମାନଙ୍କୁ ନିୟମିତ ବ୍ୟବଧାନରେ ତାଲିମ ପ୍ରଦାନ କରାଯାଉ। ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଯଥା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କ ଖାଦ୍ୟ ବାବଦ ଅର୍ଥରେ ପାର୍ଥକ୍ୟ ରହିଛି। ଏହାକୁ ଦୂର କରିବା ସହ ପିଲାଙ୍କୁ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ପ୍ରଦାନ ନିମନ୍ତେ ଅଧିକ ଅର୍ଥ ବରାଦ ସରକାର ବଜେଟ୍‌ରେ କରନ୍ତୁ।

ଖାଲିଥିବା ପଦବି ପୂରଣ କରାଯାଉ
ପ୍ରାକୃତିକ ଚାଷକୁ ଅଗ୍ରାଧିକାର ମିଳୁ
ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ପିଲାଙ୍କ ଗଣନା ହେଉ
ମନରେଗା ମଜୁରି ବଢ଼ୁ

କୃଷି କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା ହୋଇ ପ୍ରାକୃତିକ ଏବଂ ଜୈବିକ ଚାଷକୁ ବଜେଟ୍‌ରେ ସରକାର ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି। ପ୍ରାକୃତିକ ଚାଷ ଗବେଷଣା ବାବଦରେ ଅଧିକ ପାଣ୍ଠି ବଜେଟରେ ରଖିବାକୁ କୁହାଯାଇଛି। ସରକାରୀ ସ୍ତରରେ ପଦବି ଖାଲି ରହିଲେ ଯୋଜନା କାର୍ଯ୍ୟକାରୀ କରିବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏକ ସୂଚନା ଅନୁଯାୟୀ, ୨୦୧୮-୧୯ ସୁଦ୍ଧା ରାଜ୍ୟରେ ୬,୫୪,୧୫୪ ମଞ୍ଜୁରିପ୍ରାପ୍ତ ପଦବି ଥିବାବେଳେ ସେଥିରୁ ୧ ଲକ୍ଷ ୩୦ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ସେହିଭଳି ରାଜ୍ୟ ସରକାର ଭତ୍ତା ରାଶିକୁ ୩୦୦୦ ଟଙ୍କାକୁ ବୃଦ୍ଧି କରନ୍ତୁ। ପ୍ରବାସୀ ଶ୍ରମିକ ଏବଂ ରାସ୍ତାଗଡ଼ ପିଲାଙ୍କ ସଂଖ୍ୟା ରାଜ୍ୟରେ କେତେ ସେ ନେଇ ସଦ୍ୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ। ତେଣୁ ସେମାନଙ୍କ ଗଣନା କରାଯାଉ। ଏହା ହେଲେ ସେମାନଙ୍କ ପାଇଁ ଯୋଜନା ପ୍ରଣୟନ ସହଜ ହେବ। ମନରେଗା ଯୋଜନାରେ କାମ କରିବା ଲାଗି ଶ୍ରମିକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ସର୍ବନିମ୍ନ ଦୈନିକ ମଜୁରି ୪୫୦ ଟଙ୍କା କରାଯାଉ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଭାଗବତ ପାତ୍ର, ସିୱାଇଏସ୍‌ଡିର ପ୍ରୋଗ୍ରାମ ଡାଇରେକ୍ଟର ବସନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଭାଗରୁ ପ୍ରାୟ ୫୦ ଜଣ ବିଶେଷଜ୍ଞ ସେମାନଙ୍କ ପରାମର୍ଶ ଉଭୟ ପ୍ରତ୍ୟକ୍ଷ ଉପସ୍ଥିତି ଏବଂ ଆଭାସୀ ମାଧ୍ୟମରେ ଦେଇଥିଲେ। ସିୱାଇଏସ୍‌ଡି ପକ୍ଷରୁ ଏସବୁ ପରାମର୍ଶକୁ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ପଠାଯିବ।

ସମ୍ବନ୍ଧିତ ଖବର