ଅର୍ଗାନିକ୍ ମସଲା ରପ୍ତାନିର ବଡ଼ ସୁଯୋଗ: ଭଲ ଗହମ ଚାଷ ହେଲେ ଆଇଟିସି କିଣିବ

ଭୁବନେଶ୍ବର: ରାଜ୍ୟର ପାଣିପାଗ ଅର୍ଗାନିକ୍ ଚାଷକୁ ସୁହାଉଛି। ଏଠାରେ ଅର୍ଗାନିକ୍ ମସଲା ଉତ୍ପାଦନ କରି ରପ୍ତାନି କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ଆଇଟିସି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ସୁମନ୍ତ କହିଛନ୍ତି। ସିଆଇଆଇ ଓଡ଼ିଶା ପରିଷଦ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ଫାର୍ମ ଟୁ ଫୋର୍କ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ କମ୍ ସାର ବ୍ୟବହାର କରାଯାଉଛି। ଏଠାରେ ‘ଖାଦ୍ୟ ପାଇଁ ସୁରକ୍ଷିତ’ (ଫୁଡ୍‌ ସେଫ୍‌) ଚାଉଳ ଉତ୍ପାଦନ କରାଯାଇପାରିବ। ଯଦି ସେଭଳି ଚାଉଳ ଉତ୍ପାଦନ ଉପରେ ଚାଷୀମାନେ ଧ୍ୟାନ ଦେବେ ତାହାକୁ ରପ୍ତାନି କରାଯାଇପାରିବ। ଫୁଡ୍‌ ସେଫ୍‌ ଚାଉଳର ଅନ୍ତର୍ଜାତୀୟ ବଜାରରେ ପ୍ରବଳ ଚାହିଦା ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଗୁଣାତ୍ମକ ମାନର ଗହମ ଚାଷ ହେଲେ ଆଇଟିସି ତାହାର କଟକ କାରଖାନା ଲାଗି ତାହାକୁ କିଣିପାରିବ ବୋଲି ସେ ସୂଚନା ଦେଇଛନ୍ତି।

ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା କହିଛନ୍ତି ଯେ କୃଷିଜାତ ସାମଗ୍ରୀର ରପ୍ତାନି କରିବା ପୂର୍ବରୁ ପ୍ରଥମେ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତାକୁ ଭଲ ଭାବେ ବୁଝିବାକୁ ପଡ଼ିବ। କମ୍ ସାର ଓ କୀଟନାଶକ ବ୍ୟବହାର କରି ଗୁଣାତ୍ମକ ଫସଲ ଅମଳ କରିବାକୁ ହେବ। ‌ସେହିପରି, ବାଂଲାଦେଶର ଡେପୁଟି ହାଇ କମିସନର ଅନ୍ଦାଲିବ ଇଲିଆସ୍ କହିଛନ୍ତି ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ଜଳପଥ ଓ ରେଳପଥ ସଂଯୋଗ ରହିଛି ଯାହା ଦ୍ବିପାକ୍ଷିକ କାରବାରକୁ ସୁହାଇବ। ଜଳପଥ ହେଉଛି ପରିବହନ ସବୁଠୁ ସୁଲଭ ମାଧ୍ୟମ ହୋଇଥିବା‌ ବେଳେ ରେଳପଥ ହେଉଛି ଦ୍ବିତୀୟ ସୁଲଭ ମାଧ୍ୟମ। ବାଂଲାଦେଶ ବିପୁଳ ପରିମାଣର ଚାଉଳ, ଆଳୁ ଓ ମସଲା ରପ୍ତାନି କରୁଥିଲେ ମଧ୍ୟ ସେଥିରେ ମୂଲ୍ୟ ଯୋଗ କରିପାରୁନଥିବା ସେ କହିଛନ୍ତି। ଏହି ଅବସରରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ସୁନିଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର