ସିଏସ୍ ସେଟ୍ଟୀ ହେବେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ସିଏସ୍‌ ସେଟ୍ଟୀ ହୋଇପାରନ୍ତି। ସରକାରୀ କମିଟି ଫାଇନାନ୍ସିଆଲ ସର୍ଭିସେସ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ଶନିବାର ତାଙ୍କ ନାମ ସୁପାରିସ କରିଛି। କମିଟି ୩ ଜଣ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନେଇଥିଲା। ଏହାପରେ ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ଶ୍ରୀ ସେଟ୍ଟୀଙ୍କ ନାମକୁ ସୁପାରିସ କରିଛି। ଶ୍ରୀ ସେଟ୍ଟୀ ବର୍ତ୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବ୍ୟତୀତ ସାକ୍ଷାତକାର ଦେଇଥିବା ଅନ୍ୟ ଦୁଇ ଏମ୍‌ଡି ହେଲେ ଅଶ୍ବିନୀ କୁମାର ତିୱାରୀ ଏବଂ ବିନୟ ଏମ୍‌ ଟୋନସେ। ଏମାନଙ୍କ ମଧ୍ୟରେ ଶ୍ରୀ ସେଟ୍ଟୀ ବରିଷ୍ଠ। ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୩୬ ବର୍ଷ ହେଲା ସେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ‌ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଥିବା ଦୀନେଶ ଖାରା ଆସନ୍ତା ଅଗଷ୍ଟ ୨୮ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ନିଯୁକ୍ତ ହେବେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏମ୍‌ଡିଙ୍କ ମଧ୍ୟରୁ ଜଣଙ୍କୁ ସାଧାରଣତଃ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥାଏ। ଏଫଏସଆଇବିର ସୁପାରିସ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ନେଇଥାଏ।

ସମ୍ବନ୍ଧିତ ଖବର