କମୁଛି ସଞ୍ଚୟ, ବଢ଼ୁଛି ଆର୍ଥିକ ବୋଝ: ଚାପରେ ଭାରତୀୟ ପରିବାର

ସର୍ବନିମ୍ନ ସ୍ତରରେ ଏନ୍‌ପିଏ

ମୁମ୍ବାଇ: କୋଭିଡ୍ ମହାମାରୀ ପରବର୍ତ୍ତୀ ସମୟରେ ଭାରତୀୟ ପରିବାରଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇଛି। ଗୋଟିଏ ପଟେ ସେମାନଙ୍କ ସଞ୍ଚୟ ରାଶି ହ୍ରାସ ପାଉଥିବାବେଳେ ଅନ୍ୟପଟେ ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭୀର ଚିନ୍ତା ପ୍ରକଟ କରିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨-୨୩ରେ ପରିବାର ସଞ୍ଚୟ ପରିମାଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୮.୪%କୁ ହ୍ରାସ ପାଇଛି। ୨୦୧୩-୨୨ ପର୍ଯ୍ୟନ୍ତ ଏହି ହାର ୨୦% ଭଳି ଉଚ୍ଚ ସ୍ତରରେ ଥିଲା। ପରିବାରଗୁଡ଼ିକର ଆର୍ଥିକ ଦେୟ ବଢ଼ୁଥିବା ବେଳେ ସେମାନଙ୍କ ଉପରେ ଋଣକୁ ନେଇ ଯେଉଁ ଚାପ ରହିଛି ତାହା ଉପରେ ତୀକ୍ଷ୍‌ଣ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି। ମହାମାରୀ ପରେ ଲୋକମାନେ ବିପୁଳ ପରିମାଣର ଖୁଚୁରା ଋଣ ନେଇଥିଲେ। ତାହା ପରିବାରର ଆର୍ଥିକ ଚାପ ବୃଦ୍ଧିର କାରଣ ହୋଇଛି। କୋଭିଡ୍ ମହାମାରୀ ସମୟରେ ପାରିବାରିକ ସଞ୍ଚୟ ରାଶିରେ ବଡ଼ ଧରଣର ବୃଦ୍ଧି ଘଟିଥିଲା। ଏହାପରେ ସେଥିରେ ଦ୍ରୁତ ହ୍ରାସ ହେଉଥିବାବେଳେ ଲୋକମାନେ ବାସଗୃହ ଓ ସୁନା ଭଳି ଭୌତିକ ସମ୍ପତ୍ତି ଆଡ଼କୁ ଅଧିକ ଢଳିଛନ୍ତି। କିଛି ପରିବାର ସେମାନଙ୍କ ସଞ୍ଚୟ ରାଶିକୁ ବ୍ୟାଙ୍କ ଭିନ୍ନ ଅନ୍ୟ ସ୍ଥାନରେ ରଖୁଥିବା ବେଳେ ଆଉ କିଛି ପରିବାର ତାହାକୁ ସେୟାର ବଜାରରେ ନିବେଶ କରୁଥିବା ଜଣାପଡ଼ିଛି।

ସର୍ବନିମ୍ନ ସ୍ତରରେ ଏନ୍‌ପିଏ
ମୁମ୍ବାଇ: କିଛି ବର୍ଷ ପୂର୍ବେ ଅସୁଲ ହୋଇପାରୁନଥିବା ଋଣ ବା ଏନ୍‌ପିଏ ଭାରତୀୟ ବ୍ୟାଙ୍କ, ବିଶେଷ କରି ସରକାରୀ ବ୍ୟାଙ୍କଗୁଡ଼ିକ ଲାଗି ଏକ ବଡ଼ ସମସ୍ୟା ଥିଲା। ତାହା ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କକୁ ଚିନ୍ତାରେ ପକାଇ ଦେଇଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ଏହାର ଆର୍ଥିକ ସ୍ଥିରତା ରିପୋର୍ଟରେ ଜଣାଇଛି ଯେ ଦେଶର ମୋଟ ଏନ୍‌ପିଏ ହାର ୨୦୨୪ ମାର୍ଚ୍ଚ ସୁଦ୍ଧା ଏହାର ସର୍ବନିମ୍ନ ସ୍ତର ୨.୮ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ନିଟ୍‌ ଏନ୍‌ପିଏ ୦.୬ ପ୍ରତିଶତକୁ ଖସିଆସିଛି। ସରକାରୀ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ କମିଥିବା ବେଳେ ଲାଭ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର