ମହଙ୍ଗା ହେବ ଗାଡ଼ି, ଗୃହ ଋଣ

ସୁଧ ହାର ବଢ଼ାଇଲେ ୩ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ଦୀର୍ଘଦିନ ପରେ ସୁଧ ହାର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ମାସ ପହିଲାରେ ଋଣ ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଗୁଡ଼ିକର ଏହି ନିଷ୍ପତ୍ତି ଯୋଗୁଁ ଗୃହ ଏବଂ ଗାଡ଼ି ଋଣ ଗ୍ରାହକଙ୍କୁ ଆଗାମୀ ଦିନରେ ଇଏମ୍‌ଆଇ(ମାସିକ କିସ୍ତି) ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ିବା ଆଶଙ୍କା ଦେଖାଦେଇଛି। ଦେଶର ସର୍ବବୃହତ୍‌ ସରକାରୀ ବ୍ୟାଙ୍କ ଏହାର ସୁଧ ହାରରେ ୨୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ବ୍ୟାଙ୍କ ଏହାର ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ୨୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଯୋଗୁ ଏହାର ଏମ୍‌ସିଏଲ୍‌ଆର୍‌ ୮.୩ ପ୍ରତିଶତରେ ପହଞ୍ଚିଛି। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ ଓ ପିଏନ୍‌ବି ସେମାନଙ୍କ ଏମ୍‌ସିଏଲ୍‌ଆର୍‌ରେ ୧୫ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛନ୍ତି। ଏଚ୍‌ଡିଏଫ୍‌ସି ଭଳି ଅନ୍ୟ କେତେକ ବ୍ୟାଙ୍କ ଆସନ୍ତା ସପ୍ତାହରେ ସେମାନଙ୍କ ଏମ୍‌ସିଏଲ୍‌ଆର୍‌ରେ ସଂଶୋଧନ ଆଣିବେ ବୋଲି କୁହାଯାଉଛି।

ପିଏନ୍‌ବି ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଗ୍ରାହକଙ୍କ ପାଇଁ ଏହାର ଗୃହ ଋଣ ସୁଧ ହାର ୮.୬ ପ୍ରତିଶତ ରହିବ। ଅନ୍ୟପକ୍ଷରେ ମହିଳା ଗ୍ରାହକଙ୍କ ପାଇଁ ଏହା ୮.୫୫ ପ୍ରତିଶତ ରହିବ। ଅଧିକାଂଶ ବର୍ଗର ଗ୍ରାହକଙ୍କ ପାଇଁ ଏସ୍‌ବିଆଇର ଏମ୍‌ସିଏଲ୍‌ଆର୍‌ ୪୦ ବେସିସ୍‌ ପଏଣ୍ଟ ମଧ୍ୟରେ ପରିବ୍ୟାପ୍ତ ଥିବାବେଳେ ମହିଳା ଗ୍ରାହକଙ୍କ ପାଇଁ ଏହା ଏହା ୩୫ ବେସିସ୍‌ ପଏଣ୍ଟ ମଧ୍ୟରେ ପରିବ୍ୟାପ୍ତ ରହିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ବର୍ଷିକିଆ ଅବଧିର ଏମ୍‌ସିଏଲ୍‌ଆର୍‌ରେ ୧୫ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହାର ୧ ବର୍ଷିଆ ଋଣ ଅବଧିର ଏମ୍‌ସିଏଲ୍‌ଆର୍‌ ୮.୧୫ ପ୍ରତିଶତରୁ ୮.୩୦ ପ୍ରତିଶତକୁ ବୃଦ୍ଧି ଘଟିଛି।  ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଗୁଡ଼ିକ ଏମ୍‌ସିଏଲ୍‌ଆର୍‌ (ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଲେଣ୍ଡିଂ ରେଟ୍‌) ସହିତ ସବୁ ପ୍ରକାର ଋଣ ସୁଧ ହାରକୁ ଯୋଡ଼ିଥାନ୍ତି। ୨୦୧୬ ଏପ୍ରିଲରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ଏମ୍‌ସିଏଲ୍‌ଆର୍‌ ବ୍ୟବସ୍ଥା ଲାଗୁ ହୋଇଛି। ନୂଆ ସୁଧ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ବ୍ୟାଙ୍କ ଗୁଡ଼ିକ ଉକ୍ତ ସୁଧ ହାରରେ ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟାଙ୍କ ଗୁଡ଼ିକର ଏହି ନିଷ୍ପତ୍ତି ଫଳରେ ପୂର୍ବରୁ ଗୃହ ଋଣ ନେଇଥିବା ବ୍ୟକ୍ତିମାନେ ହଠାତ୍‌ ପ୍ରଭାବିତ ହେବେ ନାହିଁ। ରିସେଟ୍‌ କ୍ଲଜ୍‌ ଅନୁଯାୟୀ ସେମାନଙ୍କୁ ଏହି ବୃଦ୍ଧିରୁ ସୁରକ୍ଷା ମିଳିବ। ଉଦାହରଣ ସ୍ୱରୂପ ୨୦୧୭ ନଭେମ୍ବରରେ ଋଣ ନେଇଥିବା ବ୍ୟକ୍ତି ଯାହାଙ୍କର ସୁଧ ହାର ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ସହିତ ଯୋଡ଼ାଯାଇଛି ସେମାନଙ୍କ ପାଇଁ ନୂଆ ସୁଧ ହାର କେବଳ ବର୍ଷକ ପରେ ହିଁ ଯାଇ ଲାଗୁ ହେବ। ଅର୍ଥାତ୍‌ ୨୦୧୮ ନଭେମ୍ବରରୁ ସେମାନଙ୍କୁ ନୂଆ ସୁଧ ହାର ଲାଗୁ ହେବ। କିନ୍ତୁ ନୂଆ ଗ୍ରାହକଙ୍କ ପାଇଁ ସୁଧ ହାର ତୁରନ୍ତ ମହଙ୍ଗା ହେବ।

ସମ୍ବନ୍ଧିତ ଖବର