ଜଗଦୀଶପୁର-ଧାମରା ଗ୍ୟାସ୍‌ ପାଇପ୍‌ଲାଇନ୍: ୨୦୨୫ ମାର୍ଚ୍ଚରେ କାମ ସରିବ

୯ ମାସ ବିଳମ୍ବ ହେବ

ଭୁବନେଶ୍ବର: ଉର୍ଜା ଗଙ୍ଗା ଯୋଜନାର ଅଂଶ ସ୍ବରୂପ ସ୍ଥାପନ କରାଯାଉଥିବା ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ୍‌ ପାଇପ୍‌ଲାଇନ୍ କାର୍ଯ୍ୟରେ ୯ ମାସର ବିଳମ୍ବ ହେବ। ଏହାର ନିର୍ମ‌ାଣ କାର୍ଯ୍ୟ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନି ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟ ଶେଷ କରିବାର ସମୟ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ବିଷୟରେ ପେଟ୍ରୋଲିୟମ୍ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ ରେଗୁଲେଟୋରି ବୋର୍ଡ (ପିଏନ୍‌ଜିଆର୍‌ବି) ସହ ଆଲୋଚନା କରାଯାଇଛି ବୋଲି କମ୍ପାନି ସୂଚନା ଦେଇଛି।

ଗେଲ୍‌ ପକ୍ଷରୁ କୁହାଯାଇଛି ଯେ ୩,୩୦୬ କିଲୋମିଟର ଲମ୍ବା ଏହି ପାଇପ୍‌ଲାଇନ୍‌ର କାର୍ଯ୍ୟ ୨୦୨୪ ଜୁନ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଉପଯୋଗ ଅଧିକାର (ଆର୍‌ଓୟୁ) ମିଳିବାରେ ବିଳମ୍ବ ହୋଇଥିବାରୁ କାମ ଶେଷ ହେବାକୁ ଅଧିକ ସମୟ ଲାଗିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ୨୪୦ କିଲୋମିଟର ବିଶିଷ୍ଟ ଧାମରା-ହଳଦିଆ ପାଇପଲାଇନ୍ କାର୍ଯ୍ୟ ମଧ୍ୟ ୨୦୨୫ ମାର୍ଚ୍ଚରେ ସରିବ ବୋଲି କମ୍ପାନି ଜଣାଇଛି। ସମୟ ସୀମ‌ାରେ ହୋଇଥିବା ପରିବର୍ତ୍ତନକୁ କମ୍ପାନିର ନିର୍ଦ୍ଦେଶକ ବୋର୍ଡର ଅନୁମୋଦନ ମିଳିଛି। ଏହି ପାଇପ୍‌ଲାଇନ୍‌ର ଅଧିକାଂଶ କାମ ଶେଷ ହୋଇଯାଇଛି। କିଛି ସହରରେ ଗ୍ୟାସ୍ ଯୋଗାଣ ମଧ୍ୟ ଆରମ୍ଭ ହୋଇସାରିଛି। କମ୍ପାନି ଯୋଗାଉଥିବା ପ୍ରାକୃତିକ ଗ୍ୟାସ୍‌କୁ ବିଦ୍ୟୁତ ଉତ୍ପାଦନ, ସାର ଉତ୍ପାଦନ, ସିଏନ୍‌ଜି ଓ ରୋଷେଇ ଗ୍ୟାସ୍‌ ଭାବେ ବ୍ୟବହାର କରାଯାଉଛି।

ଉତ୍ତରପ୍ରଦେଶର ଜଗଦୀଶପୁରରୁ ପଶ୍ଚିମବଙ୍ଗର ହଳଦିଆ, ଝାଡ଼ଖଣ୍ଡର ବୋକାରୋ ଓ ଓଡ଼ିଶାର ଧାମରା ପର୍ଯ୍ୟନ୍ତ ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ ଲାଗି ୨୦୧୬ ଅକ୍ଟୋବରରେ ଏହି ପାଇପ୍‌ଲାଇନ୍‌ର କାମ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପକୁ ବିହାରର ବାରାଉଣୀରୁ ଆସାମର ଗୁଆହାଟୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ତାହାକୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପାଇପ୍‌ଲାଇନ୍ କୁହାଯାଉଛି। ପ୍ରକଳ୍ପ ନିର୍ମାଣ ପାଇଁ ଗେଲ୍ ୧୦,୫୦୦ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଛି। ଏଥିସହିତ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂରେ ସରକାର ୫,୧୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପାଇପ୍‌ଲାଇନ୍‌କୁ ଗୁଆହାଟୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ଲାଗି ମଧ୍ୟ ସରକାର ୬୦ ପ୍ରତିଶତ ରାଶି ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ଭାବେ ୫୫୫୯ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର