ଓଡ଼ିଶା ଆଣିପାରିବ ୨୦୯୯ କୋଟିର ‘ରାଜସ୍ବ ଅର୍ଥ’ ଅଗ୍ରିମ: ସ୍କିମ୍‌ର ସମୀକ୍ଷା କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୱେଜ୍ ଆଣ୍ଡ ମିନ୍‌ସ (ରାଜସ୍ବ ଅର୍ଥ) ଅଗ୍ରିମ ଓ ଓଭରଡ୍ରାଫ୍ଟ ସ୍କିମ୍‌ର ନୂତନ ସୀମା ନିର୍ଧାରଣ କରାଯାଇଛି। ଏନେଇ ଗଠନ କରାଯାଇଥିବା ଗୋଷ୍ଠୀର ସୁପାରିସ ଆଧାରରେ ୱେଜ୍ ଆଣ୍ଡ୍ ମିନ୍‌ସ ଅଗ୍ରିମ ସୀମାକୁ ୬୦,୧୧୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୪୭,୦୧୦ କୋଟି ଟଙ୍କା ଥିଲା। ନୂତନ ସୀମା ଜୁଲାଇ ପହିଲାରୁ ଲାଗୁ ହେବ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଓଡ଼ିଶା ପାଇଁ ରାଜସ୍ବ ଅଗ୍ରିମ ସୀମା ୨୦୯୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ୨୦୨୨ରେ ହୋଇଥିବା ସଂଶୋଧନ ବେଳେ ଓଡ଼ିଶା ପାଇଁ ଏହି ସୀମା ୧୫୭୬ କୋଟି ଟଙ୍କା ଥିଲା। ଏଥର ସେଥିରେ ୫୨୩ କୋଟି ଟଙ୍କାର ବୃଦ୍ଧି କରାଯାଇଛି।

ରାଜସ୍ବ ଅର୍ଥ ଅଗ୍ରିମ୍ ସ୍କିମ୍‌କୁ ୧୯୯୭ରେ ଆରମ୍ଭ କରାଯାଇଥିଲା। ଶେଷ ଥର ପାଇଁ ୨୦୨୨ ଏପ୍ରିଲ୍‌ରେ ତାହାକୁ ସମୀକ୍ଷା କରି ନୂଆ ସୀମା ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରାପ୍ତି ଓ ଦେୟ ମଧ୍ୟରେ କୌଣସି ଅନ୍ତର ସୃଷ୍ଟି ହେଲେ ଏହି ସ୍କିମ୍ ଜରିଆରେ ରିଜର୍ଭ ବ୍ୟାଙ୍କରୁ ପାଣ୍ଠି ଆଣି ତାହା ଭରଣା କରିବା ଲାଗି ସୁଯୋଗ ରହିଛି। ତେବେ ସେହି ଋଣକୁ ରାଜ୍ୟଗୁଡ଼ିକୁ ୯୦ ଦିନ ଭିତରେ ପରିଶୋଧ କରିବାକୁ ପଡ଼ିଥାଏ। ସରକାରଙ୍କୁ ଏହା ଉପରେ ରେପୋ ହାର ଅନୁସାରେ ସୁଧ ଗଣିବାକୁ ପଡ଼ିଥାଏ। ଯଦି ତିନି ମାସ ପରେ ମଧ୍ୟରେ ତାହା ପର‌ିଶୋଧ କରାଯାଏ ନାହିଁ, ତେବେ ତାହାକୁ ଓଭରଡ୍ରାଫ୍ଟ ଭାବେ ବିଚାର କରାଯାଏ। ଦୁଇ ପ୍ରକାର ରାଜସ୍ବ ଅର୍ଥ ଅଗ୍ରିମ ରହିଛି। ଗୋଟିଏ ସ୍ବତନ୍ତ୍ର ସ୍କିମ୍ ହୋଇଥିବା ବେଳେ ଅନ୍ୟଟି ହେଉଛି ସ୍ପେସିଆଲ ଡ୍ରଇଂ ଫାସିଲିଟି (ଏସ୍‌ଡିଏଫ୍‌)।

ସମ୍ବନ୍ଧିତ ଖବର