ପେଟିଏମ୍ ୨୦ ପ୍ରତିଶତ କର୍ମଚାରୀ ଛଟେଇ କରିବ

ନୂଆଦିଲ୍ଲୀ: କ୍ଷତି‌ରେ ଚାଲୁଥିବା ଡିଜିଟାଲ୍ ପେମେଣ୍ଟ୍ କମ୍ପାନି ପେଟିଏମ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। କମ୍ପାନିରେ ୩୨,୭୯୮ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫-୬ ହଜାର କର୍ମଚାରୀଙ୍କୁ କମ୍ପାନି ଛଟେଇ କରିବା ଆଶଙ୍କା ରହିଛି। ୨୦୨୨-୨୩ରେ କମ୍ପାନିର କର୍ମଚାରୀ ପିଛା ହାରାହାରି ଖର୍ଚ୍ଚ ୭.୮୭ ଲକ୍ଷ ଟଙ୍କା ଥିଲା। ୨୦୨୩-୨୪ରେ ତାହା ୧୦.୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। କର୍ମଚାରୀଙ୍କ ପିଛା କମ୍ପାନି ୩,୧୨୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଖର୍ଚ୍ଚକାଟ କରି ପରିଚାଳନାରେ ପାରଦର୍ଶିତା ଆଣିବା ପାଇଁ କମ୍ପାନି ଗତ ଡିସେମ୍ବରରୁ ଛଟେଇ ଆରମ୍ଭ କରିଛି। ‌ପ୍ରାୟ ୧୦୦୦ କର୍ମଚାରୀଙ୍କୁ ବିଦା କରାଯାଇଛି।

ଆଗାମୀ ଦିନରେ କେତେ କର୍ମଚାରୀ ଛଟେଇର ଶିକାର ହେବେ ସେବିଷରେ କମ୍ପାନି ପକ୍ଷରୁ ‌କୌଣସି ସୂଚନା ଦିଆଯାଇନାହିଁ। ‌ତେବେ ନିବେଶକମାନଙ୍କ ସହ ଆଲୋଚନା ବେଳେ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ପ୍ରଯୁକ୍ତି, ମର୍ଚାଣ୍ଟ ବିକ୍ରି ଏବଂ ଆର୍ଥିକ କ୍ଷେତ୍ରରେ ନିବେଶ ଲାଗି କର୍ମଚାରୀ ଖର୍ଚ୍ଚ ବଢ଼ିଛି। ଆଗାମୀ ଦିନରେ ଏହି କ୍ଷେତ୍ରଗୁଡ଼ିକରେ ନିବେଶ ଜାରି ରହିବ ଏବଂ ଅନ୍ୟ ବିଭାଗଗୁଡ଼ିକରେ ଖର୍ଚ୍ଚକାଟ କରାଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି କମ୍ପାନି କାର୍ଯ୍ୟରେ ପାରଦର୍ଶିତା ଆଣିବା ଉପରେ ଜୋର ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର