ସତର୍କ କଲା ରିଜର୍ଭ ବ୍ୟାଙ୍କ: ବ୍ୟାଙ୍କ ପ୍ରତି ସାଇବର ଆକ୍ରମଣ ବିପଦ ସର୍ବାଧିକ

ମୁମ୍ବାଇ: ଭାରତୀୟ ବ୍ୟାଙ୍କଗୁଡ଼ିକ ପ୍ରତି ସାଇବର ଆକ୍ରମଣ ଆଶଙ୍କା ପ୍ରବଳ ମାତ୍ରାରେ ରହିଛି। ସମ୍ଭାବ୍ୟ ସାଇବର ଆକ୍ରମଣ ସଂପର୍କରେ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଏହାପରେ ବ୍ୟାଙ୍କଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ସ୍ବିଫ୍ଟ, କାର୍ଡ ନେଟୱର୍କ, ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଏବଂ ୟୁପିଆଇ ଭଳି ବ୍ୟବସ୍ଥାକୁ ନିରନ୍ତର ଅନୁଧ୍ୟାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପାଇଁ ଜାରି କରାଯାଇଥିବା ଉପଦେଶାବଳିରେ କୁହାଯାଇଛି ଯେ ସମ୍ଭାବ୍ୟ ସାଇବର ଆକ୍ରମଣ ସମ୍ପର୍କରେ ବିଶ୍ୱସନୀୟ ଗୁଇନ୍ଦା ସୂଚନା ମିଳିବା ପରିପ୍ରେକ୍ଷୀରେ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକୁ ଏହି ବିପଦରୁ ରକ୍ଷା ପାଇବା ପାଇଁ ଅଧିକ ନିରୀକ୍ଷଣ କ୍ଷମତା ସ୍ଥାପନ କରିବାକୁ କୁହାଯାଇଛି।

ଅନେକ ହାଇପ୍ରୋଫାଇଲ ସାଇବର ଆକ୍ରମଣ ସହ ଜଡ଼ିତ ଲୁଲ୍‌ଜସେକ୍‌ ପୁଣି ଥରେ ସକ୍ରିୟ ହୋଇ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ କରିଛି। ଗତ ୨୦ ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ର ପ୍ରତି ୨୦ ହଜାରରୁ ଅଧିକ ସାଇବର ଆକ୍ରମଣ ହୋଇଛି। ଏଥିଯୋଗୁ ୨୦୦୦ କୋଟି ଡଲାରର ଆର୍ଥିକ କ୍ଷତି ହୋଇଛି ବୋଲି ରିଜର୍ଭ ବ୍ୟାଙ୍କର ସ୍ଥିରତା ରିପୋର୍ଟ‌ରୁ ଜଣାଯାଇଛି। ଭାରତରେ ସମୁଦାୟ ଆକ୍ରମଣ ମଧ୍ୟରୁ ୨୫ ପ୍ରତିଶତ ଆକ୍ରମଣ ଅଜଣା ଇମେଲ୍ ଏବଂ ‌ୱେବସାଇଟ୍‌ରେ କ୍ଲିକ୍‌ କରିବା ଦ୍ବାରା ହୋଇଛି ବୋଲି ୨୦୨୩ ଡିସେମ୍ବରରେ ଡାଟା ସିକ୍ୟୁରିଟି କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି।

ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସବୁଠୁ ଅଧିକ ଅର୍ଥାତ୍‌ ୬୯ ପ୍ରତିଶତ ସାଇବର ଆକ୍ରମଣ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଉପରେ ହୋଇଛି। ୧୯ ପ୍ରତିଶତ ଆକ୍ରମଣ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଗୁଡ଼ିକ ଉପରେ ହୋଇଥିବାବେଳେ ୧୨ ପ୍ରତିଶତ ଆକ୍ରମଣ ଏନ୍‌ବିଏଫ୍‌ସିଗୁଡ଼ିକ ଉପରେ ହୋଇଛି। ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କଗୁଡ଼ିକ ପୂର୍ବ ବର୍ଷ ତୁଳନାରେ ୨୦୨୩-୨୪ରେ ବୀମା ରାଶିରେ ପାଖାପାଖି ୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଏଥିସହିତ ସାଇବର ବୀମା ଦାବି ମଧ୍ୟ ବ୍ୟାଙ୍କଗୁଡ଼ିକର ବୃଦ୍ଧି ଘଟିଛି। ୨୦୨୧-୨୨ରେ ଏଥିରେ ୪୦ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ୨୦୨୩-୨୪ରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର