ମୁମ୍ବାଇ: ଚଳିତ ବର୍ଷ ଭାରତରେ ସୁନାର ଚାହିଦା କମିବ। ଆକାଶଛୁଆଁ ଦାମ୍ ଏବଂ ଗ୍ରାମାଞ୍ଚଳରେ ଚାହିଦା ନଥିବାରୁ ସୁନାର ଚାହିଦା କମିଯିବ ବୋଲି ବିଶ୍ବ ସୁନା ପରିଷଦ (ଡବ୍ଲୁଜିସି) ଆକଳନ କରିଛି। ୨୦୧୯ରେ ଭାରତର ସୁନା ଚାହିଦା ୭୦୦ ଟନ୍କୁ ହ୍ରାସ ପାଇବ ବୋଲି ଏହା ପୂର୍ବାନୁମାନ କରିଛି। ଗତବର୍ଷ ଦେଶରେ ୭୬୦ ଟନ୍ ସୁନା ବିକ୍ରି ହୋଇଥିଲା।
ଡବ୍ଲୁଜିସି କହିଛି, ୨୦୧୯ରେ ସୁନା ଚାହିଦା ୮% କମିଯିବ। ଏବର୍ଷର ଚାହିଦା ୨୦୧୬ର ସ୍ତରକୁ ଖସିଯିବ। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ଭିତରେ ଦେଶରେ ସୁନା ଚାହିଦା ପାଖାପାଖି ଏକ ତୃତୀୟାଂଶ ହ୍ରାସ ପାଇ ୧୨୩.୯ ଟନ୍ ରହିଥିଲା। ଭାରତ ବିଶ୍ବର ଦ୍ବିତୀୟ ବଡ଼ ସୁନା ବଜାର ହୋଇଥିବା ବେଳେ ଏଠାରେ ଦାମ୍ରେ ହୋଇଥିବା ବୃଦ୍ଧି ଯୋଗୁ ଚାହିଦା ହ୍ରାସ ପାଇଛି। କେବଳ ଭାରତ ନୁହେଁ ବିଶ୍ବ ସ୍ତରରେ ସୁନାର ଦାମ୍ ୧୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେଥିପାଇଁ ଭାରତରେ ସୁନା ଆମଦାନି କମିଛି। ଏହା ଗୋଟିଏ ଦୃଷ୍ଟିରୁ ଭାରତ ପାଇଁ ଭଲ ଖବର। କାରଣ ଏହାର ପ୍ରଭାବରେ ଦେଶର ବାଣିଜ୍ୟ ନିଅଣ୍ଟ (ଆମଦାନି ଓ ରପ୍ତାନି ଭିତରେ ଅନ୍ତର) ହ୍ରାସ ପାଇବ। ଫଳରେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଅଧିକ ଶକ୍ତିଶାଳୀ ହୋଇପାରିବ। ଡବ୍ଲୁଜିସିର ପରିଚାଳନା ନିର୍ଦେଶକ ସୋମସୁନ୍ଦରମ ପିଆର୍ କହିଛନ୍ତି, ଭାରତରେ ଏକ ତୃତୀୟାଂଶ ସୁନା ଚାହିଦା ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥାଏ। ଗ୍ରାମାଞ୍ଚଳର ଲୋକମାନେ ସୁନା ଗହଣାକୁ ସମ୍ପତ୍ତି ଭାବେ ସାଇତି ରଖିବାକୁ ଭଲ ପାଆନ୍ତି। ଅତ୍ୟଧିକ ମୌସୁମୀ ବର୍ଷା ହେବା କାରଣରୁ ଫସଲ ନଷ୍ଟ ହୋଇଯାଇଛି। ସେଥିପାଇଁ ଗ୍ରାମାଞ୍ଚଳରେ ସୁନା ଚାହିଦା କମିଥିବା ସେ କହିଛନ୍ତି।
ସଂକ୍ଷେପରେ...
ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲାଙ୍କ ବିରୋଧରେ ଜଣେ ହୋଟେଲ୍ ମାଲିକ ଠକେଇ ଅଭିଯୋଗ ଆଣିଛନ୍ତି
ପାନ୍ ଆବେଦନକାରୀଙ୍କୁ ଅନ୍ଲାଇନ୍ରେ ତୁରନ୍ତ ପାନ୍ ଯୋଗାଇବା ଲାଗି ଆୟକର ବିଭାଗ ବ୍ୟବସ୍ଥା କରୁଛି
ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ରେ ନେପାଳ ଓ ପାକିସ୍ତାନ ଠାରୁ ଭାରତ ପଛରେ ରହିିଥିବା ଓକ୍ଲା ପକ୍ଷରୁ କୁହାଯାଇଛି
ଇନ୍ଫୋସିସ୍ ୧୦% ମଧ୍ୟମବର୍ଗ କର୍ମଚାରୀଙ୍କୁ ଛେଟଇ କରିପାରେ
ପିଏମ୍ସି ଗ୍ରାହକଙ୍କ ପାଇଁ ଉଠାଣ ସୀମା ୫୦ ହଜାର ଟଙ୍କାକୁ ବଢ଼ାଇଲା ରିଜର୍ଭ ବ୍ୟାଙ୍କ
ଇନସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ ଅଧୀନରେ ମାତ୍ର ୧୫% ମାମଲାର ସମାଧାନ ହୋଇଛି
ରିଅଲ ଇଷ୍ଟେଟ୍ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇପାରେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି
ଇଣ୍ଡିଗୋ-କତାର ଏୟାରୱେଜ୍ ଶୀଘ୍ର ବଡ଼ ଘୋଷଣା କରିବେ