ରିଚାର୍ଜ ପାଇଁ ପକେଟ୍ ଫାଙ୍କା କରିବାକୁ ପଡ଼ିବ: ୨.୮୩ କୋଟି ଗ୍ରାହକ ପ୍ରଭାବିତ

ଜିଓ ପରେ ଟାରିଫ୍‌ ବଢ଼ାଇଲେ ଏୟାରଟେଲ୍‌, ଭୋଡା ଆଇଡିଆ

ଭୁବନେଶ୍ବର: ଦୁଇଦିନ ଭିତରେ ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ବା ୱି ସେମାନଙ୍କ ଟାରିଫ୍‌ ଦାମ୍‌ରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ଗତକାଲି ଜିଓ ଏହାର ଟାରିଫ୍‌ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍‌ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ପ୍ରଭାବିତ କରିବ। ସେମାନଙ୍କୁ ମୋବାଇଲ୍ ରିଚାର୍ଜ କରିବା ବେଳେ ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ।

ଚଳିତ ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଛି। ସେଥିରୁ ରିଲାଏନ୍ସ ଜିଓ ପାଖରେ ସର୍ବାଧିକ ୧ କୋଟି ୫୩ ଲକ୍ଷ ୭ ହଜାର ୬୮୫ ଜଣ ଓ ଏୟାରଟେଲ୍ ପାଖରେ ଦ୍ବିତୀୟ ସର୍ବାଧିକ ୧ କୋଟି ୧୬ ଲକ୍ଷ, ୪୩ ହଜାର ୨୩୭ ଜଣ ମୋବାଇଲ୍‌ ଗ୍ରାହକ ରହିଛନ୍ତି। ଏହା ବ୍ୟତୀତ ବିଏସ୍‌ଏନ୍‌ଏଲ୍‌ର ୫୩ ଲକ୍ଷ ୪୦ ହଜାର ୯୮ ଜଣ ଓ ଭୋଡା‌ଫୋନ୍ ଆଇଡିଆର ୧୪ ଲକ୍ଷ ୨୯ ହଜାର ୪୫୫ ଜଣ ଗ୍ରାହକ ରହିଛନ୍ତି।

କମ୍ପାନିଙ୍କୁ ୨୦ ହଜାର କୋଟିର ଫାଇଦା

ନୂଆଦିଲ୍ଲୀ: ଦେଶର ଦୁଇ ଟେଲିକମ୍ କମ୍ପାନି ଜିଓ ଓ ଏୟାରଟେଲ୍ ଟାରିଫ୍ ଦାମ୍ ବଢ଼ାଇଥିବାରୁ ମୋବାଇଲ୍ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିଛନ୍ତି। କିନ୍ତୁ ଏହି ପଦକ୍ଷେପ କମ୍ପାନିଗୁଡ଼ିକ ପାଇଁ ଲାଭଦାୟକ ହେବ। ସେମାନେ ୨୦,୦୦୦ କୋଟି ଟଙ୍କାର ପାଇଦା ମିଳିବ ବୋଲି ରେଟିଂ ଏଜେନ୍ସି ଇକ୍ରା ପକ୍ଷରୁ ଆକଳନ କରାଯାଇଛି। ଇକ୍ରା ଜଣାଇଛି ଯେ ଟାରିଫ୍‌ରେ ୧୦-୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ପରେ କମ୍ପାନିଗୁଡ଼ିକର ଗ୍ରାହକ ପିଛା ରାଜସ୍ବ ବୃଦ୍ଧି ପାଇବ। ଟେଲିକମ୍ ଶିଳ୍ପର ରାଜସ୍ବରେ ୧୨-୧୫ ପ୍ରତିଶତ ବୃଦ୍ଧି ଘଟିବ। ଟାରିଫ୍ ବଢ଼ିବା ପରେ ୨୦୨୪-୨୫ରେ ଟେଲିକମ କମ୍ପାନିଗୁଡ଼ିକର ରାଜସ୍ବ ୩.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ସେମାନଙ୍କ ପରିଚାଳନା ଲାଭ ୧.୭ ଲକ୍ଷ‌ କୋଟି ଟଙ୍କା ହେବ। କମ୍ପାନିଗୁଡ଼ିକର ଋଣ ୬.୩ ଲକ୍ଷ କୋଟି ଟଙ୍କାକୁ ଖସିଆସିବ।

ଓଡ଼ିଶାର ସବୁ ଗ୍ରାମାଞ୍ଚଳର ମୋବାଇଲ୍‌ ଓ ବ୍ରଡ୍‌ବ୍ୟାଣ୍ଡ ସେବା ବ୍ୟାପକ ଭାବେ ପହଞ୍ଚିପାରିନାହିଁ। ତ୍ୟଥ ଭିତ୍ତିରେ ଯଦିଓ ୯୦ ପ୍ରତିଶତ ଅଞ୍ଚଳରେ ଏହି ସେବା ପହଞ୍ଚିଛି ବୋଲି ଦାବି କରାଯାଉଛି, ତଥାପି ପ୍ରକୃତ ସ୍ଥିତି ଆଶାଜନକ ନୁହେଁ ବୋଲି ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହିଥିଲେ। ରାଜ୍ୟରେ ପ୍ରତି ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ କହୁଛି। ଅର୍ଥାତ ଏବେବି ପ୍ରତି ଶହେରେ ୨୪ ଜଣଙ୍କ ପାଖରେ ଏହି ସେବା ପହଞ୍ଚିବା ବାକି ରହିଛି। ଏଭଳି ସ୍ଥିତିରେ ଟାରିଫ୍ ଦରରେ ହୋଇଥିବା ବୃଦ୍ଧି ନୂଆ ମୋବାଇଲ୍ ସଂଯୋଗ ନେଉଥିବା ଗ୍ରାହକମାନଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ଆର୍ଥିକ ଦୁର୍ବଳ ସ୍ତରର ଲୋକମାନଙ୍କ ପାଇଁ ମୋବାଇଲ୍‌ ରିଚାର୍ଜ କରିବା କଷ୍ଟକର ହେବ ବୋଲି କୁହାଯାଉଛି।

ଶୁକ୍ରବାର ଏୟାରଟେଲ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ କମ୍ପାନିର ୧୭୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୧୯୯ ଟଙ୍କାକୁ ବୃଦ୍ଧି ପାଇବ। ସେହିପରି ୪୫୫ ଟଙ୍କିଆ ପ୍ଲାନ୍ ଦାମ୍ ୫୦୯ ଟଙ୍କା ହୋଇଯିବ। ଜୁଲାଇ ୩ରୁ ନୂଆ ଟାରିଫ୍‌ ଲାଗୁ ହେବ। କମ୍ପାନିର ୨୬୫ ଟଙ୍କିଆ ପ୍ଲାନ୍‌ର ଦାମ୍ ୨୯୯ ଟଙ୍କା, ୨୯୯ ଟଙ୍କା ପ୍ଲାନ୍‌ର ଦାମ୍ ୩୪୯ ଟଙ୍କା, ୩୫୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୪୦୯ ଟଙ୍କା, ୩୯୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୪୪୯ ଟଙ୍କା ହୋଇଯିବ। ସେହିପରି, ୪୭୯ ଟଙ୍କିଆ ପ୍ଲାନ୍‌ର ୫୭୯ ଟଙ୍କା, ୫୪୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୬୪୯ ଟଙ୍କା, ୭୧୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୮୫୯ ଟଙ୍କା ଓ ୮୩୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୯୭୯ ଟଙ୍କା ହୋଇଯିବ। ଭୋଡାଫୋନ୍ ଆଇଡିଆ ପକ୍ଷରୁ ଟାରିଫ୍ ଦାମ୍‌ରେ ୧୦-୨୦ ପ୍ରତିଶତ ବୃଦ୍ଧି କରାଯାଇଛି। କମ୍ପାନିର ୧୭୯ ଟଙ୍କିଆ ପ୍ଲାନ୍ ଦାମ୍ ୧୯୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୬୯ ଟଙ୍କିଆ ପ୍ଲାନ୍ ଦାମ୍ ୨୯୯ ଟଙ୍କା, ୨୯୯ ଟଙ୍କିଆ ପ୍ଲାନ୍ ଦାମ୍ ୩୪୯ ଟଙ୍କା, ୪୭୯ ଟଙ୍କିଆ ପ୍ଲାନ୍ ଦାମ୍ ୫୭୯ ଟଙ୍କା, ୫୩୯ ଟଙ୍କିଆ ପ୍ଲାନ୍ ଦାମ୍ ୬୪୯ ଟଙ୍କା, ୭୧୯ ଟଙ୍କିଆ ପ୍ଲାନ୍ ଦାମ୍ ୮୫୯ ଟଙ୍କା ଓ ୮୩୯ ଟଙ୍କିଆ ପ୍ଲାନ୍ ଦାମ୍ ୯୭୯ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର