ପୁଲିସ ଓ କନ‌ଷ୍ଟେବଳଙ୍କ ଅତ୍ୟାଚାର ସହି ପାରିଲେ ନାହିଁ ପରିବା ବିକ୍ରେତା: ହାରି ଦେଲେ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସ‌ାମ୍ନାକୁ ଆସିଛି। ଏଠାରେ ଜଣେ ପରିବା ବିକ୍ରେତା ପୁଲିସ ଓ କନଷ୍ଟେବଳଙ୍କ ଅତ୍ୟାଚର ସହି ନପାରି ଜୀବନ ହାରି ଦେଇଛନ୍ତି। ମୃତ ପରିବା ବିକ୍ରେତାଙ୍କ ନାମ ସୁଶୀଲ କୁମାର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁଶୀଲ କୁମାରଙ୍କ ପରିବା ମଣ୍ଡିରେ ଏକ ଦୋକାନ ଥିଲା। ସେ ସେଠାରେ ପରିବା ବିକ୍ରି କରିଥାଆନ୍ତି। ସୁଶୀଲ ଗତକାଲି ରାତିରେ ରହୁଥିବା କୋଠରୀରେ ଫାଶୀ ଲଗାଇ ଜୀବନ ‌ହାରି ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ସୁଶୀଲ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ତାଙ୍କର ମୃତ୍ୟୁର କାରଣ ଜଣାଇଛନ୍ତି। ଏହି ଭିଡିଓଟି ସୋସିଆଲ ମିଢିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ପରିବାର ବିକ୍ରେତା ସୁଶୀଲ କହିଛନ୍ତି, ମଣ୍ଡି ପୁଲିସ ଷ୍ଟେସନର ଇନ୍ସପେକ୍ଟର ସତ୍ୟେନ୍ଦ୍ର ଯାଦବ ମୋ ଦୋକାନକୁ ଆସି ଗାଳିଗୁଲଜ କରିଥାଆନ୍ତି। ଯେତେବେଳେ ଇଚ୍ଛା ମୋ ଦୋକାନକୁ ଆସି ଟଙ୍କା ଛଡ଼ାଇବା  ନେବାସହ ମାଗଣାରେ ପରିବା ବି ନେଇଯାଇଥାଆନ୍ତି।

କିଛିଦିନ ତଳେ ମୋ ଠାରୁ ୫୦୦୦ଟଙ୍କା ଛଡ଼ାଇ ନେଇଥିଲେ। ଯେତେବେଳେ ଦେଖିଲେ ମୋତେ ଅସମ୍ମାନ କରିଥିଲେ। ତାଙ୍କ ସହିତ କନ‌ଷ୍ଟେବଳ ଅଜୟ ଯ‌ାଦବ ବି ସାମିଲ ରହିଛନ୍ତି। ଏସବୁକୁ ନିର୍ଯାତନା ମୁଁ ଅନେକ ଦିନ ହେବ ସହି ଆସୁଛି। ଶେଷରେ ମୁଁ ଜୀବନ ହାରିବା ପାଇଁ ବାଧ୍ୟ ହୋଇଛି। ଏନେଇ ମୁଁ ଅଭିଯୋଗ ବି କରିଥିଲି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ’

ମୃତକ ସୁଶୀଲଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ହୋଇଥିବା ଇନ୍ସ‌ପେକ୍ଟର ଓ କନଷ୍ଟେବଳଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଯାଇଛି। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର