ଆଦାନି ଇଲେକ୍ଟ୍ରିସିଟିର ୬୦୦୦ କିଲୋ ଓଜନର ଲୁହା ପୋଲ ଚୋରି; ୪ ଗିରଫ

ମୁମ୍ବାଇ: ମୁମ୍ବାଇର ମଲାଡ୍‌ ବ୍ୟାକ୍‌ ରୋଡ୍‌ ଅଞ୍ଚଳରେ ଗୋଟାଏ ଛୋଟ ନାଳ ଉପରେ ନିର୍ମିତ ୯୦ ଫୁଟ୍‌ ଲମ୍ବ ଓ ୬୦୦୦ କିଲୋଗ୍ରାମ ଓଜନର ଗୋଟାଏ ଲୁହା ପୋଲ ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଦଳେ ଲୋକ ଉକ୍ତ ଲୁହା ପୋଲକୁ ଖୋଲି ଟ୍ରକ୍‌ଯୋଗେ ନେଇଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।

ଆଦାନି ଇଲେକ୍ଟ୍ରିସିଟିର ବିଶାଳ ଇଲେକ୍ଦ୍ରିକ୍‌ କେବୁଲ୍‌ ବିଛାଇବା ନିମନ୍ତେ ଗତବର୍ଷ ଜୁନ୍‌ ମାସରେ ନାଳ ଉପରେ ଏହି ଲୁହା ପୋଲ ତିଆରି କରାଯାଇଥିଲା। କିନ୍ତୁ, ଚଳିତ ବର୍ଷ ଏପ୍ରିଲ୍‌ ମାସରେ ସେ ନାଳ ଉପରେ ଗୋଟାଏ ସ୍ଥାୟୀ ପୋଲ ନିର୍ମାଣ କରାଯିବାରୁ ଲୁହା ପୋଲଟିକୁ ସେଠାରୁ ଅନ୍ୟତ୍ର ଉଠାଇ ଦିଆଯାଇଥିଲା।

୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ପୋଲଟି ନାଳ ଉପରେ ନ ଥିବା ଦେଖି ତାହା ଚୋରି ହୋଇଯାଇଥିବା କଥା ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଲେ। ଆଦାନି ଇଲେକ୍ଟ୍ରିସିଟି ଏ କଥା ଜାଣିବା ପରେ ଜୁନ୍‌ ୨୬ ତାରିଖରେ ଥାନାରେ ମାମଲା ଦାଏର କରିଥିଲା।

Image Courtesy of Inshorts

ଜନଗହଳି ଏବଂ ରାତିରେ ଭଲ ଭାବେ ଆଲୋକ ପଡୁଥିବା ସେ ଅଞ୍ଚଳରୁ ପୋଲଟି କେମିତି ଚୋରି ହେଲା ତାହା ବିସ୍ମୟ ସୃଷ୍ଟି କରିଛି। ଚୋରମାନେ ପୋଲଟିକୁ ନେଇଯିବା ବେଳେ ସେ ଅଞ୍ଚଳର କାହାରି ଦୃଷ୍ଟିରେ ପଡ଼ିଲାନି କେମିତି? କିନ୍ତୁ, ସେ ଅଞ୍ଚଳର ‘ସିସିଟିଭି’ କ୍ୟାମେରା ଯାଞ୍ଚ କରିବା ପରେ ପୁଲିସ ଜାଣିପାରିଛି ଯେ, ଗ୍ୟାସ୍‌-କଟର୍‌ ମେସିନ୍‌ ନେଇ ଗୋଟାଏ ଭାରୀଯାନ ସେ ପୋଲ ଆଡ଼କୁ ଯାଉଛି।

ଲୁହାପୋଲ ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ଗିରଫ କରିଥିବା ୪ଜଣଙ୍କ ମଧ୍ୟରୁ ଜଣେ ଉକ୍ତ ପୋଲ ନିର୍ମାଣ ପାଇଁ ଠିକା ନେଇଥିବା କମ୍ପାନି ସହିତ ସମ୍ପୃକ୍ତ ଅଟନ୍ତି। ବାକି ୩ଜଣ ତାଙ୍କ ସହଯୋଗୀ ବୋଲି କୁହାଯାଉଛି। ସମସ୍ତଙ୍କ ବିରୋଧରେ ଚୋରି ଓ ଅପରାଧିକ ଅନୁପ୍ରବେଶ ମାମଲା ରୁଜୁ କରାଯାଇଛି।

ଏଥିରେ ଅନ୍ୟ କୌଣସି ସନ୍ଦିଗ୍ଧ ସମ୍ପୃକ୍ତ ଅଛନ୍ତି କି, ନାହିଁ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର