ତତଲା କଡ଼େଇରେ ବାଲେଶ୍ବର, ୪୦ ଡିଗ୍ରି ଉପରେ ପାରା

ବାଲେଶ୍ବର: ପଚଣ୍ଡ ଗରମରେ ଅସ୍ତବ୍ୟସ୍ତ ହେଉଛି ଜୀବନ। ୪୦ ଡିଗ୍ରି ଉପରେ ତାପମାତ୍ରା। ମୁଣ୍ଡଫଟା ଖରାକୁ ଝାଞ୍ଜି ପବନ। ଖରାରେ ବାହାରିବା ମାତ୍ରେ ଜଳି ଯାଉଛି ଦେହ। ଅସହ୍ୟ ତାତିକୁ ଘନଘନ ବିଦ୍ୟୁତ କାଟ୍‌ରେ ଛଟପଟ ହେଉଛନ୍ତି ଲୋକେ। ସକାଳ ୯ଟାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଆଜିକୁ ସପ୍ତାହେ ହେଲା ଏମିତି ଗରମ ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକେ। ଆହୁରି ପାଖାପାଖି ଗୋଟିଏ ସପ୍ତାହ ତାତି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସହରରେ ଟାଣ ଖରା ସାଙ୍ଗକୁ ଗରମ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟାରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଉଛି। ଦିନ ୧୨ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଯିଏ ବି ଜରୁରୀ କାମରେ ଯାଉଛନ୍ତି ମୁଣ୍ଡରେ କପଡ଼ା ପକାଇବା ସହିତ ଛତା ଧରି ଯାଉଛନ୍ତି।

ସେପଟେ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଯାହା ଜଣାଯାଇଛି, ସବୁଠାରୁ ଅଧିକ ତାପମାତ୍ରା ୧୫ ତାରିଖ ଦିନ ରହିଥିଲା। ଏହି ଦିନରେ ୪୦.୬ ଡିଗ୍ରି ତାପମାତ୍ରା ରହିଥିଲା। ଏହା ପୂର୍ବଦିନ ଅର୍ଥାତ୍‌ ୧୪ ତାରିଖରେ ୩୭.୨ ଡିଗ୍ରି ରହିଥିବା ବେଳେ ଆଜି ୩୭ ଡିଗ୍ରି ରହିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏମିତି ଆହୁରି ୪/୫ ତାତି ରହିବ। ଗତକାଲି ଅପକ୍ଷୋ ଆଜି ତାପମାତ୍ରା କମିଥିବା ବେଳେ ଗୁଳୁଗୁଳି କିନ୍ତୁ କମିନାହିଁ। ବିନା ଫ୍ୟାନ୍‌ କି ଏସିରେ କିଛି ସମୟ ରହିବା ମୁସ୍କିଲ ହୋଇଯାଉଛି। ଏ ସଂପର୍କରେ ବାଲେଶ୍ବର ପାଣିପାଗ ବିଭାଗର ମୁଖ୍ୟ ମଦନମୋହନ ଦାସ କହିଛନ୍ତି, ମୌସୁମୀ ଛୁଇଁବା ପୂର୍ବରୁ ଏଭଳି ଗୁଳୁଗୁଳି ହେବ। ମୌସୁମୀ ଆସିଲା ପରେ ତାତି କମିଯିବ।

ସମ୍ବନ୍ଧିତ ଖବର