ଭୁଜାଲିରେ ଆକ୍ରମଣ କରି ପରିବା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ

ସୋର :  ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ରେଳ ଓଭର ବ୍ରିଜ ନିକଟରୁ ଜଣେ ପରିବା ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ ଉଦ୍ୟମ ହୋଇଥିବା ବେଳେ ବ୍ୟବସାୟୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସୋର ଥାନା ତଳନଗର ପଂଚାୟତ ସୁନାରୀ ଅଙ୍କରଖାର୍ଜୀ ଗ୍ରାମର ଗୋଲକ ପଣ୍ଡାଙ୍କ ପୁଅ ଅର୍ଜୁନ ପଣ୍ଡା ଜଣେ ପରିବା ବ୍ୟବସାୟୀ ଅଟନ୍ତି।ସେ ଆଜି ଭୋର ସମୟରେ ପରିବା ନେବା ପାଇଁ ସୋର ଅଭିମୁଖେ ଆସୁଥିବା ବେଳେ ତଳନଗର ଓଭର ବ୍ରିଜ ନିକଟରେ ଦୁଇଟି ବାଇକରେ ଚାରିଜଣ ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଅର୍ଜୁନ ନ ଅଟକିବାରୁ ଦୁର୍ବୁର୍ତ୍ତ ମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଅର୍ଜୁନ ପଡିଯାଇ ଗୁରୁତର ଆହତ ହୋଇଥିଲେ। ନିଜ ଉପସ୍ଥିତ ବୁଦ୍ଧି ବଳରେ ଅର୍ଜୁନ ଲୁଚି ଯିବା ସହିତ ଆହତ ଅବସ୍ଥାରେ ସୋର ଥାନା ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ପହଞ୍ଚିଥିଲେ ଏବଂ ଘଟଣା ବାବଦରେ ଥାନାରେ ଜଣାଇବା ପରେ ପୁଲିସ କର୍ମଚାରୀ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଜଣାଇଥିଲେ।

ଏବେ ଅର୍ଜୁନ ସୋର ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତେବେ ସୋର ଅଂଚଳରେ ଦିନକୁ ଦିନ ଚୋରି ଛିନତାଇ ଓ ଡକାୟତି ଭଳି ଘଟଣା ବଢ଼ିବାରେ ଲାଗିଛି। ପୁଲିସ ପକ୍ଷରୁ ଠିକ ଭାବେ ପେଟ୍ରୋଲିଂ ନହେବା କାରଣରୁ ଦୁର୍ବୁର୍ତ୍ତଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଲୋକେ ଅଭିଯୋଗ କରୁଛନ୍ତି। ତେବେ ଏଥିପ୍ରତି ଜିଲା ପୁଲିସ ପ୍ରଶାସନ ତରଫରୁ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର