ଗାନ୍ଧିଛକ-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା: ଚାରି ଆହତ, ତିନି ଗୁରୁତର

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକ-ବାଲିଆପାଳ ରାସ୍ତା ପେଜଗଳା ପୋଲ ନିକଟରେ ଆଜି ସକାଳ ସମୟରେ ସିରିଜ ଦୁର୍ଘଟଣା ଘଟି ଚାରି ଆହତ ଓ ତିନି ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଓଡି ୦୧କ୍ୟୁ ୭୦୨୦ ନମ୍ୱର୍ ବିଶିଷ୍ଟ ଏକ କାର କଟକରୁ ଜଣେ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ଦ୍ରୁତଗତିରେ ବାଲିଆପାଳ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପେଜଗଳା ପୋଲକୁ ଧକ୍କା ଦେଇଥିଲା। ଏଣେ ଅପରପଟୁ ବାଲିଆପାଳରୁ ବସ୍ତା ଅଭିମୁଖେ ଚାରିଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଅଟୋ ଅଡି ୦୧ ଏଲ୨୭୮୫ କାରକୁ ଧକ୍କା ହେବାକୁ ଥିବାବେଳେ ଅଟୋ ଡ୍ରାଇଭର କୌଶଳକ୍ରମେ ଅଟୋକୁ ବ୍ରେକ ଲଗାଇବା ସହିତ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଯାଇଥିଲା।

ସମାନ ଭାବେ ଏହି ସ୍ଥାନରେ ଦରଡ଼ାରୁ ବସ୍ତା ଅଭିମୁଖେ ଆସୁଥିବା ଓଆର୍ ୦୨ ଜେଡ୍ ୬୪୩୨ ବାଇକ୍ ଦୁର୍ଘଟଣା ଘଟାଇଥିବା କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଦୁଇ ଶିଶୁଙ୍କ ସମେତ ଚାରି, ବାଇକ୍ ରେ ଜଣେ ଏବଂ କାରରେ ଥିବା ଦୁଇଜଣ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବସ୍ତା ପୁଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ସମସ୍ତ ଆହତ ବସ୍ତା, ସିଂଲା ଓ ବାଲିଆପାଳ ଅଞ୍ଚଳର ବୋଲି ଜଣାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ସମସ୍ତ ଗାଡ଼ିକୁ ପୁଲିସ ଜବତ କରିବାସହ ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର