ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ୩ ଟି ନଦୀ ମଧ୍ୟରୁ ଜଳକା ନଦୀ ଅନ୍ୟତମ। ତେବେ ପ୍ରତିବର୍ଷ ଏହି ନଦୀର ବନ୍ୟା ପରିସ୍ଥିତି ଯୋଗୁଁ ବାଲେଶ୍ବର ଜିଲ୍ଲାବାସୀଙ୍କ ପାଇଁ ଜଳକା ନଦୀ ଦୁଃଖ ପାଲଟିଛି। ଜଳକା ନଦୀ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରୁ ବାହାରିଛି। ବସ୍ତା ବ୍ଲକର ବଜବଜି ନିକଟରେ ଏହା ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ କରିଛି। ବାଲେଶ୍ଵର ଜିଲ୍ଲାରେ ୪୫ କିମି ପ୍ରବାହିତ ହୋଇଥିବା ଜଳକା ନଦୀ ତାର ଗତିପଥରେ ଓଡ଼ିଶା କୋଷ୍ଟ କେନାଲକୁ ଅତିକ୍ରମ କରିବା ସାନଖୁଡି ନିକଟରେ ଦୁଇଭାଗ ହୋଇଛି। ଗୋଟିଏ ଜଳରାଶି ଡୁବଡୁବି ନିକଟରେ ଓ ଅନ୍ୟଟି ପଞ୍ଚୁପଡା ନିକଟରେ ସମୁଦ୍ର ରେ ଲୀନ ହୋଇଛି।ଏହି ନଦୀର ମିଳନ ସ୍ଥଳକୁ ସଦର ବ୍ଲକର ବୁଢିମାରୀ ବୋଲି ମଧ୍ୟ ଚିତ୍ରଣ କରାଯାଏ। ନଦୀର ନିମ୍ନ ଅବବାହିକା ମଥାଣି ଓ ସାନଖୁଡି ନିକଟରେ ଦୁଇଟି ମାଇନର ଇରିଗେସନ ପ୍ରୋଜେକ୍ଟ ରହିଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ଦୁଇ ବ୍ଲକ ଦେଇ ପ୍ରବାହିତ ଏହି ନଦୀର ଜଳଧାରଣ କ୍ଷମତା ନାହିଁ କହିଲେ ଚଳେ। ନଦୀରେ ଗୋଟିଏ ବର୍ଷରେ ୮ ରୁ ୧୦ ଥର ଯାଏଁ ବନ୍ୟା ପରିସ୍ଥିତି ଆସି ପ୍ରଳୟ ସୃଷ୍ଟି କରେ।ମଥାନି ଠାରେ ନଦୀର ବିପଦ ସଙ୍କେତ ଜଳପତ୍ତନ ୫.୫୦ ମିଟର ରହିଛି। କିନ୍ତୁ ନଦୀର ଉପର ଅବବାହିକା କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲାରେ ଯଦି କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହେ ତେବେ ନଦୀରେ ବନ୍ୟା ଆସିବା ସହ ମଥାନି ଠାରେ ନଦୀର ଜଳପତ୍ତନ ସାଢେ ୬ ମିଟର ରୁ ୮ ମିଟରରେ ପ୍ରଭାବିତ ହୁଏ।ଯଦ୍ୱାରା ନଦୀର ଉଭୟ ପାର୍ଶ୍ବରେ ଥିବା ବସ୍ତା ଓ ସଦର ବ୍ଲକର ଗୋଡପଦା, ରାଉତପଡା,ବାହାର୍ଦ୍ଦା,ମଥାଣି, ଦୁଧହଂସା,ନଳବାହାର,ପତ୍ରଝଡା, ସଦାନନ୍ଦପୁର,ନଳବାହାର,ରସାଳପୁର, ଶ୍ରୀରାମପୁର,ପଞ୍ଚୁପଡା ଓ ସାର୍ଥା ଆଦି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗାଁ ବିଶେଷ ଭାବେ କ୍ଷତିଗ୍ରସ୍ତ ବା ପ୍ରଭାବିତ ହୋଇଥାଏ। ବନ୍ୟା ଯୋଗୁଁ ପ୍ରତିବର୍ଷ ଉପରୋକ୍ତ ଦୁଇ ବ୍ଲକର ଖରିଫ ଋତୁରେ ୭ ରୁ ୧୦ ହଜାର ହେକ୍ଟର ଯାଏଁ ଚାଷଜମିର ଫସଲ ମଧ୍ୟ ଉଜୁଡ଼ି ଯାଏ।ଲକ୍ଷାଧିକ ଲୋକେ ଜଳବନ୍ଦୀ ହୋଇ ଯାଆନ୍ତି।ଗମନାଗମନ ପାଇଁ ବ୍ୟବହୃତ ହେଉଥିବା ଶତାଧିକ ଗ୍ରାମ୍ୟ ରାସ୍ତା ସପ୍ତାହ ସପ୍ତାହ ଧରି ପାଣିରେ ବୁଡି ରହେ।ବ୍ୟାପକ ଧନଜୀବନ ନଷ୍ଟ ହୁଏ।
ଜଳକା ବନ୍ୟା ନଦୀତଟ ଅଞ୍ଚଳବାସୀଙ୍କ ସାମାଜିକ ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟି କରେ। ମୋଟାମୋଟି ଭାବେ ଜଳକା ନଦୀ ବାଲେଶ୍ଵର ଜିଲ୍ଲାବାସୀଙ୍କ ପାଇଁ ଦୁଃଖ କୁହାଯାଉଥିବା ବେଳେ ଏହାର ବନ୍ୟା ପ୍ରତିକାର ବା ନିୟନ୍ତ୍ରଣ ପାଇଁ ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏହା କାର୍ଯ୍ୟକାରୀ ହୋଇ ପାରୁନି। ଏନେଇ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ପଦକ୍ଷେପ ନିଆଯାଉଛି। ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।