ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଞ୍ଚକତା! ଅଯୋଗ୍ୟ ହାତେଇଛନ୍ତି ଘର

ପୂର୍ବତନ ସରପଞ୍ଚଙ୍କ ସମ୍ପର୍କୀୟ ଲାଭବାନ

ନୀଳଗିରି/ଶେରଗଡ଼/ରେମୁଣା: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେମୁଣା ବ୍ଲକ୍ ନୂଆଗାଁ ପଞ୍ଚାୟତରେ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ମୁତାବକ, ପଞ୍ଚାୟତର ୫ ନମ୍ବର ୱାର୍ଡ ବାହାଳସାହିର ଦୟାନିଧି ଗୋଚ୍ଛାୟତଙ୍କ ପତ୍ନୀ କୌଶଲ୍ୟା ଗୋଚ୍ଛାୟତ, ବୈଷ୍ଣବ ସାମଲଙ୍କ ଦୁଇପୁଅ ବିଷ୍ଣୁମୋହନ ସାମଲ ଏବଂ ବ୍ରହ୍ମାନନ୍ଦ ସାମଲ, ୬ ନମ୍ବର ୱାର୍ଡ ଉଥୁଳିସାହିର ରଘୁ ସିଂ’ଙ୍କ ପତ୍ନୀ ଜାରୁ ସିଂ’ଙ୍କ ନାମରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ ବ୍ଲକ୍‌ରୁ କାର୍ଯ୍ୟାଦେଶ ମିଳିଥିଲା। ହେଲେ ଏମାନେ ଘର ନିର୍ମାଣ କରିନାହାଁନ୍ତି। ସେପଟେ କୌଶଲ୍ୟା ଗୋଚ୍ଛାୟତ ଏବଂ ଜାରୁ ସିଂ’ଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି। ହେଲେ ତଞ୍ଚକତା କରି ଉଭୟଙ୍କ ଘର ନିର୍ମାଣ ବାବଦ ଟଙ୍କା (୧ ଲକ୍ଷ ୨୦ ହଜାର ଲେଖାଏଁ) ଉଠାଣ ହୋଇଥିବା ଜଣାପଡ଼ିିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଜଣେ ପୂର୍ବତନ ସରପଞ୍ଚଙ୍କ ବଡ଼ଭାଇ ଓ ସାନଭାଇଙ୍କ ନାମରେ ୩ଟି ଆବାସ ଘର ମଞ୍ଜୁର ହୋଇଥିବା ଜଣାପଡ଼ିଛି। ତେବେ ଜଣେ ଭାଇ ୨୦୧୭ ମସିହାରୁ ସରକାରୀ ଚାକିରି କରିଥିବା ବେଳେ ଜାଲିଆତି କରି ଘର ହାତେଇଥିବା ଅଭିଯୋଗ ହୋଇଛି। ସେହିପରି ସରପଞ୍ଚଙ୍କ ବାପା ରାଜ୍ୟ ଉଠା ଜଳସେଚନ ବିଭାଗରେ ଚାକିରି କରୁଥିବା ବେଳେ କିଛି ମାସ ତଳେ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। କିନ୍ତୁ ସଦ୍ୟ ପ୍ରକାଶିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାର ୪୬ ନମ୍ବରରେ ତାଙ୍କ ନାମ ରହିଛି। ଏହିପରି ବହୁ ଅଯୋଗ୍ୟ ହିତାଧିକାରୀ ତଞ୍ଚକତା ପୂର୍ବକ ଆବାସ ହାତେଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ପଞ୍ଚାୟତର ୭ ନମ୍ବର ୱାର୍ଡ ଉଥୁଳସାହିର ଭିନ୍ନକ୍ଷମ ଶରତ ପଣ୍ଡା (୬୫), ସୁମିତ୍ରା ପଣ୍ଡା (୪୫), ଧୀରେନ୍ଦ୍ର ଦାସ (୪୫), ଲକ୍ଷ୍ମୀଧର ବାରିକ (୭୫), ରବୀନ୍ଦ୍ର ଧାଉଁଡ଼ିଆ (୪୦) ପ୍ରମୁଖ ପଲିଥିନ୍‌ ଓ ନଡ଼ାଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ତେବେ ହୋଇଥିବା ଉକ୍ତ ଦୁର୍ନୀତି ସମ୍ପର୍କରେ ପଞ୍ଚାୟତର ପିଇଓ ସୁଧୀର ମହାନ୍ତିଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି। ସେହିପରି ବିଡିଓ ସଂଗ୍ରାମ କେଶରୀ ପରିଡ଼ାଙ୍କ ସହ ଯୋଗାଯୋଗ କରିବାରୁ ସେ ବେଆଇନ କାମ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର