ଆବାସ ହିତାଧିକାରୀ ଚୟନରେ ଜାଲିଆତି

ଜଳେଶ୍ବର: ଜଳେଶ୍ବର ବ୍ଲକ୍‌ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମ୍ୟ ଶରତ ମହାନ୍ତିଙ୍କ ସମ୍ପତ୍ତି କହିଲେ ଘରଡ଼ିହକୁ ମିଶାଇ ମାତ୍ର ମାଣେ ଜମି। ପ୍ରଳୟଙ୍କରୀ ଫନି ବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ପୁଅ ଓ ଝିଅକୁ ମିଶାଇ ୪ ଜଣିଆ ପରିବାର ପ୍ରତିପୋଷଣ ପରେ ନୂଆଘର କରିବା ଶରତଙ୍କ ପକ୍ଷେ ଆଉ ସମ୍ଭବ ହେଲାନି। ସେହିଦିନଠାରୁ ବିପଦସଙ୍କୁଳ ଅବସ୍ଥାରେ ଭଙ୍ଗାଦଦରା ଘର ଉପରେ ପଲିଥିନ୍‌ ପକାଇ ଶରତଙ୍କ ପରିବାର ରହୁଛନ୍ତି। ଶରତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରିଥିଲେ।

ହିତାଧିକାରୀ ତାଲିକାରେ ମୃତ ବ୍ୟକ୍ତି!
କାର୍ଯ୍ୟାଦେଶ ପାଇଁ ଲାଞ୍ଚ କାରବାର

ସବୁଥର ପରି ଗତ ଜୁନ୍‌ ମାସରେ ପ୍ରକାଶ ପାଇଥିବା ନୂଆ ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ। କେବଳ ଶରତ ନୁହନ୍ତି, ସୁଗୋ ପଞ୍ଚାୟତ ବାଣିଦା ଗ୍ରାମର ଉମେଶ ଚନ୍ଦ୍ର ପାତ୍ର, ସୁଗୋ ଗ୍ରାମର ଦେବେନ୍ଦ୍ର ପରିଡ଼ା, ଧାନସିମୁଳିଆ ଗ୍ରାମର ପଲଟୁ ଜେନା, ମମତା ରାଜ ପ୍ରମୁଖ ୨୦ରୁ ଅଧିକ ପରିବାରର ସମାନ ଅବସ୍ଥା ବୋଲି କହିଛନ୍ତି ବାମପନ୍ଥୀ ନେତା ପଲଟୁ ଦାସ। ଅପରପକ୍ଷେ ତାଲିକାରେ ନାମ୍ପୋ ପଞ୍ଚାୟତର ଦୁଇଜଣ ମୃତବ୍ୟକ୍ତିଙ୍କ ନାମ ରହିଛି ବୋଲି ଯୁବନେତା ଗୋପାଳକୃଷ୍ଣ ଜେନା ଅଭିଯୋଗ କରିଛନ୍ତି।

ମୃତବ୍ୟକ୍ତିମାନେ ହେଉଛନ୍ତି; ଦେଉଳବାଡ଼ ଗ୍ରାମର ଜ୍ୟୋତିର୍ମୟ ମହାନ୍ତି ଓ ନାମ୍ପୋ ଗ୍ରାମର ସରସ୍ୱତୀ ଦତ୍ତ। ଅନ୍ୟପକ୍ଷରେ ଦକ୍ଷିଣ ପ୍ରହରାଜପୁର‌ ପଞ୍ଚାୟତରେ ଆବାସ ପାଇଁ ଲାଞ୍ଚ କାରବାର ହୋଇଛି ବୋଲି କମଳଲୋଚନ ପାତ୍ର, ରଞ୍ଜନ କୁମାର ସେଠୀ, ବିନତି ଘୋଷ, ବିଜୟ ଜେନା, ପ୍ରବୋଧ ବାରିକ, ଶ୍ରୀପତି ଦଣ୍ଡପାଟ, ବେବି ବାରିକ, ମହେଶ୍ୱର ଘୋଷ, ଅଶୋକ କୁମାର ବାରିକ ପ୍ରମୁଖ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ରାଜପୁର ପଞ୍ଚାୟତରେ ମଧ୍ୟ ବହୁ ଅସହାୟ ଯୋଗ୍ୟ ପରିବାର ଆବାସ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି ବୋଲି କମଳାକାନ୍ତ ଦେ, ତପନ କୁମାର ବିଶ୍ବାଳ, ସ୍ବର୍ଣ୍ଣଲତା ଭୂୟାଁ, ଅଜୟ ଦାସ, ଆଦିକନ୍ଦ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର